Skip to main content

Posts

Showing posts from May, 2021

ତୁମ ଗାଁ (ମନୋଜ ଦାସ)

ମାଟିର ପ୍ରଦୀପ ଯେବେ ଲିଭି ଆସେ ଗହନ ରାତିରେ କ୍ଷୀଣ କ୍ଷୀଣତର ହୋଇ ସବୁ ଜହ୍ନ ଲୁଚିଯାଏ ଧୀରେ କେତେ କଥା ଭୁଲି ହୁଏ ସେହିଭଳି ତୁମ ଗାଁ ଛୁଇଁଲେ ଭୁଲି ହୁଏ ଅକାତରେ ତୁମ ଗାଁ ନଈ ପାରି ହେଲେ। ସେଠାରେ ସାଗରସିକ୍ତ ଚାଉଁ ଚାଉଁ କାଉଁରୀ ପବନେ ଯୋଜନ ଯୋଜନ ପଥ ଦୂରାଗତ ଜହ୍ନର ଝରଣା, ମାଇଲ ମାଇଲ ଧରି ବିଲଭୂଇଁ, ଅନ୍ୟ ଦିଗେ ଶୂନ୍ୟ ବାଲୁଚର ରାତିର କପୋତ ଭଳି ତୁମ ଗାଆଁ ତା’ ଭିତରେ ଏକାନ୍ତ ସ୍ତିମିତ, ପ୍ରଥମ ଦେଖାରେ ମୋର ମନେହେଲା କେତେ ପରିଚିତ। ସେ କେତେ ଅନାଦି ଆଶା-ମଶାଲରେ ତନୁ ଚହଟାଇ ଘାସର ପହଡ଼ ପରେ ଫେଣା ଫେଣା ମଉଡ଼ ଫୁଟାଇ ନିର୍ଜନ ରାସ୍ତାର ଛକେ ରକ୍ତାରୁଣ କୃଷ୍ଣଚୁଡ଼ା ଯେଉଁ ହୁଏତ ସେ ହୃଦ କେତେ କରିଥିବ ମୃଦୁ ସଚକିତ ତୁମ ଗାଁ ମନେହେଲା ସତେ ଅବା ଅତି ପରିଚିତ। ପଶ୍ଚିମର ଅରଣ୍ୟରେ ସୂର୍ଯ୍ୟ ନୀଡ଼ ଖୋଜି ନେଲା ପରେ ସେଠାକାର ଦିନକର ଅତି ସଜ ସଞ୍ଜର ଶରତେ ଆକାଶର ସରୋବରେ ନୀଳକଇଁ କେତୋଟିକୁ ଚାହିଁ ହଠାତ୍‌ ମୋ’ ମନେହେଲା, ତୁମ ଗାଆଁ ସତେ ଏକ ଭାସମାନ ତରୀ ଅଥଚ ଯେଉଁଠୁ ଯାଏ, ସେଇଠାକୁ ଆସେ ପୁଣି ଫେରି। ଧୂସର ବାଲିର ପଥେ ଚାଲୁ ଚାଲୁ ମନେ ମୋ’ ହୋଇଛି ସେ କେତେ ବିଗତ ସତ୍ତା କଥା କହେ ପ୍ରତିଟି ଅଣୁରେ, ଗୁଳ୍ମଲତା, ଇଟାମାଟି, ବିଗଳିତ ବାଦଲର ଦେହେ ସେ କେତେ ବଂଶାନୁକ୍ରମ ଆବେଗର ହିଲ୍ଲୋଳ ଅଙ୍କିତ, ପ୍ରଥମ ଦେଖାରେ ମୋର ମନେହେଲା କେତେ ପରିଚିତ। ଗୋଲାପି ଉଷାରେ ଆଉ ହରିତକୀ ଗୋଧୂଳିର ତୀରେ ଧୂ