Skip to main content

Posts

Showing posts from March, 2020

ବିତିଯାଉ ଦିନ କରି ଜାତିର ମଙ୍ଗଳ

ହେ ପୁଣ୍ୟ ଦିଵସ ମୋର ଜାତିର ଶୃଙ୍ଖଳ ଛିନ୍ନ ହେଲା ଯେଉଁ ଦିନ ମହା ଶୁଭଙ୍କର ନଵ ସୂର୍ଯ୍ୟୋଦୟେ ତବ । ସ୍ମୃତି ସେ ଦିନର କେମନ୍ତେ ଭୁଲିବି କହ ଜନ୍ମ ଜନ୍ମାନ୍ତର ନିବିଡ଼ ତିମିର ତଳେ ଶତ ନିସ୍ ପେଷଣେ କେମନ୍ତେ ମୋ ଜାତି ଥିଲା ପଡି଼ଗଲେ ମନେ ରୋମାଞ୍ଚେ ଶରୀର ସାରା କହେ ଶୂନ୍ୟେ ଚାହିଁ ଦାସତ୍ଵ ବନ୍ଧନ ଠାରୁ ବଡ଼ ଦୁଃଖ ନାଇଁ ମାନବ ଜାତିର ଵିଶ୍ଵେ । ଦାସତ୍ଵ ହିଁ ତା’ର ମାରି ମାରି ଦିଏ ସବୁ ହୃଦୟ ଝଙ୍କାର । ସ୍ଵାଧୀନ ମାଟିର ମୁହିଁ ସ୍ଵାଧୀନ ଜୀଵନ କେମନ୍ତେ ଦେଖଇ ଲକ୍ଷ ସୁନାର ସପନ ଉତ୍କଳ ଦିବସ ! ଦିଅ ଵକ୍ଷେ ନଵ ଵଳ ବିତିଯାଉ ଦିନ କରି ଜାତିର ମଙ୍ଗଳ । @କଵି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ଆତ୍ମଲିପିରୁ ସଂଗୃହିତ :::::::ବି:ଦ୍ର::::::: ମୂଳ କଵିତା ରେ ଥିବା ଅଗଷ୍ଟ ପନ୍ଦର ପଦକୁ ବଦଳେଇ ଆଜିର ପବିତ୍ର ଦିନକୁ ଧ୍ୟାନରେ ରଖି “ଉତ୍କଳ ଦିବସ” କରାଯାଇଛି । ଭାରତ ଓ ଓଡ଼ିଆ ଉଭୟ ପରାଧୀନ ଥିଲେ । ଭାରତୀୟ ମାନଙ୍କୁ ଇଂରେଜ ପରାଧୀନ କରିଥିଲାବେଳେ ଓଡ଼ିଆ ଲୋକେ ଇଂରେଜ ଛଡ଼ା ଭାରତୀୟ ଜାତିଙ୍କ ପାଖରେ ମଧ୍ୟ ପରାଧୀନ ଥିଲେ ଏବଂ ଏବେବି କିଛି ପରିମାଣରେ ଅଛନ୍ତି । ଏଇଥିପାଇଁ ଏକଦା ଜଣେ ଵିଶିଷ୍ଟ ଵ୍ୟକ୍ତି କହିଥିଲେ “ଓଡ଼ିଶା ହେଉଛି ଏକ ଉପନିଵେଶ ମଧ୍ୟରେ ଥିବା ଅନ୍ୟ ଏକ ଉପନିଵେଶ” !

ଭାଇକଳି(ଵ୍ଯାସକଵି)

ଉତ୍କଳେ ଜନମ ଉତ୍କଳେ ମରଣ; ଉତ୍କଳ ଅନ୍ନରେ ଜୀଵନଧାରଣ । ପରାପର ଭାଵ ପୋଷିବୁଁ କିପାଁଇ, ମାତା ସମ୍ଵନ୍ଧରେ ସର୍ଵେ ଭାଇ ଭାଇ । ଭିନ୍ନାଭିନ୍ନ ଭାବ ବହିବାର ଜନ- ମୋ କ୍ଷୁଦ୍ରବୁଦ୍ଧିରେ ସେ ତ ଅକିଞ୍ଚନ । କର ଯୋଡି଼ ତାକୁ ବୋଲୁଅଛି ଭାଇ ! ଏକ କୁ ଅରେକ ଦ୍ଵନ୍ଦ ଭୂଲିଯାଇ; ଆସ କରୁଁ ମାତୃଦେଶର ଉନ୍ନତି, ଫେଡୁ଼ ଜନ୍ମଭୂମି ଦୁର୍ଦ୍ଦଶା ଦୁର୍ଗତି । ଯେତେଦିନ ଭାଇ ନହେବ ମିଳିତ, ନ ମେଣ୍ଟିବ ଦେଶ ଦୁର୍ଦ୍ଦଶା କିଞ୍ଚିତ । ହିନ୍ଦୁ ମୁସଲମାନ ଖ୍ରୀଷ୍ଟାନ ଜଇନ― କେଵଳ ଧର୍ମରେ ସିନା ଭିନ୍ନାଭିନ୍ନ । ଧର୍ମ ଜାଣ ଭାଇ ପରକାଳ ପାଇଁ, ପୃଥ୍ଵୀର ସନ୍ତାନ ଏହା ଭୂଲ ନାହିଁ । ଯା ପୂର୍ଵ ପୁରୁଷ ଵିଦେଶୀ ନିଶ୍ଚୟ, ନ ଭୂଲ ସେ ଲୋକ ଉତ୍କଳ ତନୟ । ହୁଅନ୍ତୁ ବଙ୍ଗାଳୀ ତେଲଙ୍ଗା ମରାଟୀ― ତୁମ୍ଭ ଦେହ ଗଢା଼ ଉତ୍କଳର ମାଟି । ଦୁଇ ଦିନ ପାଇଁ ନାହଁ ତ ଏ ଦେଶେ, ବଂଶ ଅନୁକ୍ରମେ ରହିବ ଵିଶେଷେ । ଦୁର୍ଭିକ୍ଷ ଦୁର୍ଦ୍ଦଶା ପଡି଼ଲେ ଉତ୍କଳେ, ମିଳିମିଶି ଭାଇ ଭୁଞ୍ଜିବୁ ସକଳେ । “ଭାଇ ଭାଇ ମଧ୍ୟେ ନଲଗାଅ କଳି, ପରିଚୟ ଦିଅ ନିଜକୁ ଉତ୍କଳୀ" ! ସାକସନ୍ ଜର୍ମାନ ଗ୍ରୀକ୍ ଓନ୍ଦଲାଜ୍, ଇଂଲଣ୍ଡର ଵାସୀ ସମସ୍ତେ ଇଂରାଜ । ଉତ୍କଳେ ଜନମି ବୋଲ ଅନ୍ୟ ଜାତି, ହାମବଡା଼ ଏଟା ନିଶ୍ଚୟ ଅଖ୍ୟାତି । ହିଂସା ଦ୍ଵେଷ ବହି ଦ୍ଵନ୍ଦ ପରସ୍ପର କଲେ ନିଶ୍ଚେଁ ହେବ ଦୁର୍ଦ୍ଦଶା ତୁମ୍ଭର । ହେଉ ପଛେ ତୁମ୍ଭେ ଥିଲ ବଡ଼ଜାତି, ଏବେ ତ ଉତ୍କଳ

ଉଦବୋଧନୀ(ସ୍ଵଭାଵକଵି)

ନିଜ ଘରେ ବସି ନିର୍ଵାସନ ଦୁଃଖ ଆମ୍ଭ କି ଲଲାଟ ଲିଖନ, ମାତୃଭାଷା ମନା ଭାଇସଙ୍ଗ ବିନା ଵିକଳ ହେଉଛି ଜୀଵନ । ପଦ । ଗୁହାରିଲେ ଦୁଃଖ ନୃପତି ଆଗରେ, ତଡି଼ ଦେଉଛନ୍ତି ଛାମୁରୁ ରାଗରେ; ନୁହେଁ ତାଙ୍କ ଦୋଷ,ବୁଝନ୍ତି ନାହିଁ ସେ ଆମ୍ଭର କଥିତ ଵଚନ ।୧। ଵିଦେଶୀ ସଦସ୍ୟ ଛନ୍ତି ନିକଟରେ, କହି ଦେଉଛନ୍ତି ଶ୍ରଵଣପଟରେ; ହସୁଛନ୍ତି ବୋଲି ବୁଝାଉଅଛନ୍ତି କରୁଅଛୁଁ ଯେତେ ରୋଦନ ।୨। ପରଦେଶୁଁ ଆସି ପରଦେଶଵାସୀ, ଦେଉଛନ୍ତି ଆମ୍ଭ ଅନ୍ନ ଜଳ ଗ୍ରାସି; ଭକୁଆ ପରାଏ ଭକ ଭକ ଚାହିଁ― ରହିଅଛୁଁ ତାଙ୍କ ଵଦନ ।୩। ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ, ଆମ୍ଭରି ମସ୍ତକେ ଚରଣ ପ୍ରଦାନ― କରି ଉଠୁଛନ୍ତି ସମ୍ରାଟ-ସଭାକୁ ହରଷେ ଵିକାଶି ରଦନ ।୪। ଆସିଅଛ ବଡ଼ ସୋଦରସକଳ, ଦେଖି ଦଶା,କର ବୁଦ୍ଧି କଉଶଳ; କୋଟି କଣ୍ଠେ ଗୋଟିସ୍ଵରେ ଉଚ୍ଚେ ଡାକ କମ୍ପିଯାଉ ରାଜ ସଦନ ।୫। ©ବି:ଦ୍ର―ଉତ୍କଳ ସମ୍ମିଳନୀ ଉପଲକ୍ଷେ ସ୍ଵଭାବକଵି ଗଙ୍ଗାଧର ମେହେର ଙ୍କ ଦ୍ଵାରା ରଚିତ ଉଦବୋଧନୀ କବିତା ....

ଆସ ଜୀବନ ଧନ ମୋର ପଖାଳ କଂସା

                      ଆସ ଜୀବନ ଧନ, ମୋର ପଖାଳ କଂସା, ଆସ ଜୀବନ ଧନ, ମୋର ପଖାଳ କଂସା ଆସ ଜୀବନ ଧନ.. ସଜନୀରେ ତୋ ବିହୁନେ                     ମୋର ବୁଡିଲା ହଂସା  ଆସ ଜୀବନ ଧନ ମୋର ପଖାଳ କଂସା ଆସ ଜୀବନ ଧନ.. ବହିଲାଣି ଅନା ସଖି,  ଝଞ୍ଜା ପବନ ଅଠା ମାରିଗଲା ତୁଣ୍ଡ,  ଯାଏ ଜୀବନ ତୋ ବିନେ ପଖାଳ ଗୋ                          ଫାଟିଲା କପାଳ ଗୋ ତୋରାଣି ସାଥିରେ ମିଶି ହର ମୋ ତୃଷା  ଆସ ଜୀବନ ଧନ ମୋର ପଖାଳ କଂସା ଆସ ଜୀବନ ଧନ.. ସଂଘା ଠାକୁରାଣୀ ପିତା, ଶୁଖୁଆ ରାଣୀ ତୋ ଲାଗି ନିଆଁରେ ସତୀ, ଝାସ ଦେଲାଣି ପିଆଜ ଥରି ଡରେ,                 ଛାଲ ଛିଡ଼ାଇ ମରେ ମରିଚ କହୁଛି ମୋତେ  ତୋ ତୁଲେ ମିଶା ଆସ ଜୀବନ ଧନ  ମୋର ପଖାଳ କଂସା ଆସ ଜୀବନ ଧନ.. ସଜ ଘୋଳ ଦହି ଆମ୍ବ,  ଛେଚା ସହିତେ ଝୁରି ହେଉଥିବେ ସତେ, ଦେବତା ଯେତେ ବଡ଼ି ଚଟଣି ଥାଇ               ଗୁମାନେ ରହେ ଚାହିଁ ଅନା ମନା ଶାଗ କହେ ଚୁଲିରେ ବସା ଆସ ଜୀବନ ଧନ ମୋର ପଖାଳ କଂସା ଆସ ଜୀବନ ଧନ ଓଡ଼ିଆ ଜୀବନ ଧୁଆ,   ଶାଗ ପଖାଳ ଜଗନ୍ନାଥ ରସି ଖାଏ,    ମନେ ତୁ ଭାଳ ଚାଖି ନାହିଁ ଯେ ଥରେ,               ଧିକ ତା ଜନମରେ ମଣିଷ ଯାକରେ ସେ ତ ଅଣପୁରୁଷା ଆସ ଜୀବନ ଧନ ମୋର ପଖାଳ କଂସା । ©କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ