ଏଇ ଆମରି ଗାଁ’ ସୁଜଳା ସୁଫଳା ଶସ୍ୟଶ୍ୟାମଳା ସ୍ଵର୍ଣପ୍ରସୂ ମା’ ଏଇଠି ନିତି ସଞ୍ଜେ ସଞ୍ଜେ କନକଚମ୍ପା ଫୁଟେ ଆମ୍ରଵନର ପତ୍ର ପୁଞ୍ଜେ କୋଇଲି ଡାକି ଉଠେ ନାରିକେଳର କୁଞ୍ଜେ କୁଞ୍ଜେ ପରଶି ଯାଏ ବାଆ ଏଇ ଆମରି ଗାଁ’ ॥ ମୁଣ୍ଡର ଝାଳ ତୁଣ୍ଡରେ ମାରି ଏଇ ଗାଁ’ ଚଷାଭାଇ ବିଲ କାମରେ ଲାଗିଥାଏ ସେ ଖରା ବରଷା ସହି ପଉଷ ମାସେ ପାଚିଲା ଧାନ କାଟଇ ଧରି ଦା’ ଏଇ ଆମରି ଗାଁ’ ॥ ଏଇ ଗାଁ’ର ସକଳ ପିଲା ଆମେ ଭଉଣୀ ଭାଇ ପାଠ ପଢ଼ିଵା ଦେଶ ଗଢ଼ିଵା ପରାଣ ମନ ଦେଇ ଆମ ଧରମ କରମ ହେଵ ରଖିଵାକୁ ତା’ ନାଁ’ ଏଇ ଆମରି ଗାଁ’ ॥ ଏଇ ଗାଁରେ ଗଢ଼ାହୋଇଛି ମୋର ଏ’ ମର ପିଣ୍ଡ ଜୀଵନ ଶେଷେ ତା’ରି କୋଳେ ଗଡ଼ିଵ ଦିନେ ମୁଣ୍ଡ ମମତାମୟୀ କଲ୍ୟାଣମୟୀ ଦୁଃଖେ ସୁଖେ ସାହା ଏଇ ଆମରି ଗାଁ’ ॥ ••••••••••••••••••••••••••••••• ଚଳଚ୍ଚିତ୍ର: ଅଦିନମେଘ(୧୯୭୦) ଗୀତ : ଵୈକୁଣ୍ଠନାଥ ମହାନ୍ତି ଗାୟନ : ଗୀତା, ତୃପ୍ତି, ଵିଦ୍ୟୁତ, ଶୁକ୍ଳ ଓ ପ୍ରତିମା