Skip to main content

Posts

Showing posts from 2024

କଳୌ ପାରଶରସ୍ମୃତିଃ

×××××× ଖିଚିଙ୍ଗକୁ ଆସିଵାବେଳେ ବାପା ତାଙ୍କ ଅସ୍ଥାବର ସମ୍ପତ୍ତିର ଯେଉଁ ଦୁଇଟି ଭାର ସଙ୍ଗରେ ଆଣିଥିଲେ, ତାହାର ଅଧିକାଂଶ ଥିଲା ତାଳପତ୍ର ପୋଥି । ଦୁଇଟି ବଡ଼ ବଡ଼ କମ୍ପରେ (ଲମ୍ବାଳିଆ ବାଉଁଶପେଡ଼ିରେ) ଭର୍ତ୍ତି ହୋଇ ସେଗୁଡ଼ିକ ଆମ ଘରେ ବହୁଦିନ ପର୍ଯ୍ୟନ୍ତ ଥିଲା । ପୋଥୁଗୁଡ଼ିକ ମଧ୍ଯରେ ଥିଲା ହରିବଂଶ, ଜଗନ୍ନାଥ ଦାସଙ୍କ ଭାଗଵତ, ସାରଳା ମହାଭାରତର କେତୋଟି ପର୍ଵ, ପ୍ରସ୍ତାଵସିନ୍ଧୁ,ଚାଣକ୍ୟ-ଶ୍ଳୋକ, ବହୁପ୍ରକାର ଓଷାଵ୍ରତର ପୁସ୍ତକ, କେତେକ ପ୍ରକାର ସ୍ମୃତିଶାସ୍ତ୍ର, ପୂଜା—ଵ୍ରତ—ଵିଵାହ-ଶ୍ରାଦ୍ଧ-ଶୁଦ୍ଧି ଇତ୍ୟାଦି ବହୁଵିଧ କର୍ମକର୍ମାଣି ଗ୍ରନ୍ଥମାନ । ଏହି ତାଳପତ୍ରପୋଥିଗୁଡ଼ିକ ଥିଲା ଆମ ଘରର ପ୍ରଧାନ ସମ୍ପତ୍ତି । ସେତେବେଳେ ଖିଚିଙ୍ଗ ଅଞ୍ଚଳରେ ମୁଷ୍ଟିମେୟ ବ୍ରାହ୍ମଣ ପରିଵାର ଵାସ କରୁଥିଲେ । ଏଣୁ ଜଣେ ଵେଦ–ଵିଧିଜ୍ଞ ବ୍ରାହ୍ମଣ ହିସାବରେ ବାପା ଅତିଶୀଘ୍ର ପ୍ରତିଷ୍ଠା ଲାଭ କରିଥିଲେ । ମୟୂରଭଞ୍ଜ ମହାରାଜା ତାଙ୍କୁ ଖିଚିଙ୍ଗ ମନ୍ଦିରରେ ପୂଜକ କାର୍ଯ୍ୟରେ ନିଯୁକ୍ତ କଲେ । ଏହି ମନ୍ଦିରରୁ ସାମାନ୍ୟ ଆୟ, ପାଞ୍ଚମାଣ ଦେଵୋତ୍ତର ଜାଏଗିରି ଓ ଯଜମାନମାନଙ୍କଠାରୁ ମିଳୁଥିଵା ଆୟରେ ଆମ ପରିଵାରଟି ସ୍ବଚ୍ଛନ୍ଦରେ ଚଳିଯାଉଥିଲା । ଏ ସମସ୍ତ କାର୍ଯ୍ୟରେ ତାଙ୍କ ବଡ଼ପୁଅ ଦୁଇଜଣ ମଧ୍ଯ କ୍ରମଶଃ ତାଙ୍କୁ ସାହାଯ୍ୟ କରିଵାକୁ ଲାଗିଲେ । ବାପା ଇଚ୍ଛା କରିଥିଲେ ବହୁ ସମ୍ପତ୍ତିର ଅଧିକାରୀ ହୋଇପାରିଥାନ୍ତେ । ସେ ସମୟରେ ସର୍ଵତ୍ର ଅନଧିକୃତ ଜମ...