××××××
ଖିଚିଙ୍ଗକୁ ଆସିଵାବେଳେ ବାପା ତାଙ୍କ ଅସ୍ଥାବର ସମ୍ପତ୍ତିର ଯେଉଁ ଦୁଇଟି ଭାର ସଙ୍ଗରେ ଆଣିଥିଲେ, ତାହାର ଅଧିକାଂଶ ଥିଲା ତାଳପତ୍ର ପୋଥି । ଦୁଇଟି ବଡ଼ ବଡ଼ କମ୍ପରେ (ଲମ୍ବାଳିଆ ବାଉଁଶପେଡ଼ିରେ) ଭର୍ତ୍ତି ହୋଇ ସେଗୁଡ଼ିକ ଆମ ଘରେ ବହୁଦିନ ପର୍ଯ୍ୟନ୍ତ ଥିଲା । ପୋଥୁଗୁଡ଼ିକ ମଧ୍ଯରେ ଥିଲା ହରିବଂଶ, ଜଗନ୍ନାଥ ଦାସଙ୍କ ଭାଗଵତ, ସାରଳା ମହାଭାରତର କେତୋଟି ପର୍ଵ, ପ୍ରସ୍ତାଵସିନ୍ଧୁ,ଚାଣକ୍ୟ-ଶ୍ଳୋକ, ବହୁପ୍ରକାର ଓଷାଵ୍ରତର ପୁସ୍ତକ, କେତେକ ପ୍ରକାର ସ୍ମୃତିଶାସ୍ତ୍ର, ପୂଜା—ଵ୍ରତ—ଵିଵାହ-ଶ୍ରାଦ୍ଧ-ଶୁଦ୍ଧି ଇତ୍ୟାଦି ବହୁଵିଧ କର୍ମକର୍ମାଣି ଗ୍ରନ୍ଥମାନ । ଏହି ତାଳପତ୍ରପୋଥିଗୁଡ଼ିକ ଥିଲା ଆମ ଘରର ପ୍ରଧାନ ସମ୍ପତ୍ତି । ସେତେବେଳେ ଖିଚିଙ୍ଗ ଅଞ୍ଚଳରେ ମୁଷ୍ଟିମେୟ ବ୍ରାହ୍ମଣ ପରିଵାର ଵାସ କରୁଥିଲେ । ଏଣୁ ଜଣେ ଵେଦ–ଵିଧିଜ୍ଞ ବ୍ରାହ୍ମଣ ହିସାବରେ ବାପା ଅତିଶୀଘ୍ର ପ୍ରତିଷ୍ଠା ଲାଭ କରିଥିଲେ । ମୟୂରଭଞ୍ଜ ମହାରାଜା ତାଙ୍କୁ ଖିଚିଙ୍ଗ ମନ୍ଦିରରେ ପୂଜକ କାର୍ଯ୍ୟରେ ନିଯୁକ୍ତ କଲେ । ଏହି ମନ୍ଦିରରୁ ସାମାନ୍ୟ ଆୟ, ପାଞ୍ଚମାଣ ଦେଵୋତ୍ତର ଜାଏଗିରି ଓ ଯଜମାନମାନଙ୍କଠାରୁ ମିଳୁଥିଵା ଆୟରେ ଆମ ପରିଵାରଟି ସ୍ବଚ୍ଛନ୍ଦରେ ଚଳିଯାଉଥିଲା । ଏ ସମସ୍ତ କାର୍ଯ୍ୟରେ ତାଙ୍କ ବଡ଼ପୁଅ ଦୁଇଜଣ ମଧ୍ଯ କ୍ରମଶଃ ତାଙ୍କୁ ସାହାଯ୍ୟ କରିଵାକୁ ଲାଗିଲେ । ବାପା ଇଚ୍ଛା କରିଥିଲେ ବହୁ ସମ୍ପତ୍ତିର ଅଧିକାରୀ ହୋଇପାରିଥାନ୍ତେ । ସେ ସମୟରେ ସର୍ଵତ୍ର ଅନଧିକୃତ ଜମି ଵିସ୍ତୃତ ଭାବରେ ପଡ଼ିରହିଥିଲା ଏଵଂ ସେସବୁ ଜମିକୁ ଚାଷ କରିଵାରେ ବେଶି ବାଧାବିଘ୍ନ ନ ଥିଲା । ତା’ଛଡ଼ା ଏହି ଆଦିଵାସୀବହୁଳ ଅଞ୍ଚଳରେ ଅତି ସହଜ ଓ ଶସ୍ତାରେ ଭୂସମ୍ପତ୍ତି ବୃଦ୍ଧି କରିଵାର ନାନା ପନ୍ଥା ମଧ୍ଯ ପଡ଼ିଥିଲା । ବାପା ସେସବୁ ପନ୍ଥା ଧରି ନ ଥିଲେ । ପୂଜାପ୍ରାକରଣ ଓ ଯଜନଯାଜନରୁ ଯାହା ମିଳୁଥିଲା, ସେଇଥିରେ ହିଁ ସେ ସନ୍ତୁଷ୍ଟ ରହୁଥିଲେ । ଅନ୍ୟ ଜମିର ଅପହରଣ ଓ ଅନ୍ୟ ଵିରୋଧରେ ସାକ୍ଷ୍ୟପ୍ରଦାନ, ଏ ଦୁଇଟି କର୍ମ ସେ ଜୀଵନରେ କରି ନ ଥିଲେ । ଆମ ବଂଶରେ ଅଦ୍ୟାପି ଏହି ପରମ୍ପରା ରହିଆସିଛି । ଆଦିଵାସୀବହୁଳ ଅଞ୍ଚଳରେ ଅବସ୍ଥିତ ଖିଚିଙ୍ଗର ଏକମାତ୍ର ବ୍ରାହ୍ମଣ ପରିଵାରର ଭୂସମ୍ପତ୍ତି ଅଦ୍ୟାପି ୫/୭ ମାଣରୁ ଅଧିକ ହୋଇ ନାହିଁ । ଖିଚିଙ୍ଗର ନଵସଂସାରରେ ବାପା ତାଙ୍କ ପରିଵାରର
ଜୀବନତରୀକୁ ଦୁଃଖ-ସୁଖରେ ଏହିପରି ବାହି ନେଉଥିଵାବେଳେ ମୋର ୫/୬ ଵର୍ଷ ବୟସରେ ହଠାତ୍ ଗୋଟିଏ ଘଟନା ଘଟିଲା, ଯାହା କି ଏହି ତରୀକୁ ସଂପୂର୍ଣ୍ଣ ଟଳମଳ କରିଦେଇଥିଲା ।
ଖିଚିଙ୍ଗ ଓ ତାହାର ସନ୍ନିକଟ ଅଞ୍ଚଳରେ ରହୁଥିଲେ ଭୂୟାଁ, ଗଣ୍ଡ, ପୁରାଣ,କୂର୍ମ୍ମି,କୋହ୍ଲ, ଭୂମିଜ, ସାଉଁତି, ବାଥୁଡ଼ି, ଗଉଡ଼ ଓ ତେଲିଜାତୀୟ ଲୋକ । ଏମାନଙ୍କ ମଧ୍ୟରେ ତେଲିମାନେ ସ୍ବଚ୍ଛଳ ଓ ସଦାଚାରସମ୍ପନ୍ନ ଥିଲେ; ମାତ୍ର ସେମାନଙ୍କ ଘରେ ବ୍ରାହ୍ମଣମାନେ ପୌରୋହିତ୍ୟ କରୁଥିଲେ ହେଁ ସେମାନଙ୍କଠାରୁ ଜଳପାନ କରୁ ନ ଥିଲେ । ଭୂୟାଁ,ବାଥୁଡ଼ି ଓ ସାଉଁତିମାନେ ଆଦିଵାସୀ ଶ୍ରେଣୀୟ ଥିଲେ ହେଁ ବ୍ରାହ୍ମଣମାନେ ସେମାନଙ୍କ ଘରେ ପୌରୋହିତ୍ୟ କରି ସେମାନଙ୍କଠାରୁ ଜଳପାନ ମଧ୍ୟ କରୁଥିଲେ । ବ୍ରାହ୍ମଣମାନେ ଏହି ଅଞ୍ଚଳକୁ ଆସିଵା ପୂର୍ଵରୁ ଏହି ଉପଜାତିମାନେ ଏ ଅଞ୍ଚଳର ଭୂସ୍ଵାମୀ (ଜମିଦାର ) ଥିଵାରୁ ସେମାନେ ବ୍ରାହ୍ମଣଙ୍କଠାରୁ ଏ ସୁଵିଧା ବଳପୂର୍ଵକ ଆଦାୟ କରିଥିଲେ । ସେମାନେ ଯେଉଁ ଉପାୟରେ ଏ ସୁଵିଧା ହାସଲ କରିଥିଲେ, ସେ ସମ୍ବନ୍ଧରେ ମୋର ବାଲ୍ୟକାଳ ପର୍ଯ୍ୟନ୍ତ କିମ୍ବଦନ୍ତୀ
ପ୍ରଚଳିତ ଥିଲା । ଏ ଅଞ୍ଚଳକୁ ଆସିଥିଵା ବ୍ରାହ୍ମଣମାନଙ୍କ ମଧ୍ୟରୁ ଯେଉଁମାନେ ଏମାନଙ୍କ ଘରେ ପୌରୋହିତ୍ୟ ଓ ଜଳପାନ କରିଵାକୁ ଅସମ୍ମତ ହେଉଥିଲେ, ଏହି ଉପଜାତିମାନେ ସେମାନଙ୍କୁ ଗଛରେ ବାନ୍ଧିଦେଇ ଓ ସେମାନଙ୍କ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ବର (ପାଳଦଉଡ଼ି) ଗୁଡ଼ାଇଦେଇ ସେଥିରେ ଟିକିଏ ନିଆଁ ଲଗାଇ
ଦେଇଥିଲେ । ଏହି ଉପାୟରେ ଦୁଇ ଚାରିଜଣ ବ୍ରାହ୍ମଣଙ୍କୁ ଵଧ କରିଵା ପରେ ବ୍ରାହ୍ମଣମାନେ ଏମାନଙ୍କ ଘରେ ପୌରୋହିତ୍ୟ ଓ ଜଳପାନ କରିଵାକୁ ସ୍ବୀକୃତ ହୋଇଥିଲେ ।
ତେଲିଭାଇମାନଙ୍କ ହାତରେ ଏପରି ରାଜଶକ୍ତି ନ ଥିଲା । ଏମାନେ ଯେତେ ସଦାଚାରସମ୍ପନ୍ନ ହେଲେହେଁ ବ୍ରାହ୍ମଣମାନେ ଏମାନଙ୍କ ହାତରୁ ଜଳପାନ କରୁ ନ ଥିଲେ । ଏଣୁ ଏମାନେ ୧୯୧୪ କିମ୍ବା ୧୯୧୫ ମସିହାରେ ଜଳଚଳନ ହେଵା ପାଇଁ ପ୍ରଵଳ ଉଦ୍ୟମ କରିଥିଲେ । ଏହି ସମୟରେ ମୟୂରଭଞ୍ଜର ଧର୍ମ-ଵିଭାଗ ମହାରାଜାଙ୍କ ଖୁଡୁତା ରାଉତରାୟ ସାହେବଙ୍କ ହାତରେ ଥିଲା । ତେଲିଭାଇମାନେ ତାଙ୍କ ପାଖକୁ ଯାଇ ଜଳଚଳନ ହେଵା ପାଇଁ ତାଙ୍କ ପାଖରୁ ଅନୁମତି ଆଣିଲେ, ମାତ୍ର ବ୍ରାହ୍ମଣମାନଙ୍କ ସମ୍ମତି ବିନା ଏ ଅନୁମତିର ମୂଲ୍ୟ ନ ଥିଲା । ଏଣୁ ଗୋଟିଏ ବ୍ରାହ୍ମଣସଭା ବସିଲା ଓ ସେଥୁରେ ଆଖପାଖ ଅଞ୍ଚଳର ସମସ୍ତ ବ୍ରାହ୍ମଣ ଯୋଗ ଦେଲେ । ବ୍ରାହ୍ମଣମାନେ ତେଲିମାନଙ୍କ ହାତରୁ ଜଳପାନ ସିନା କରୁ ନ ଥିଲେ; କିନ୍ତୁ ସେମାନଙ୍କ ପ୍ରଦତ୍ତ ସମସ୍ତ ଖାଦ୍ୟଦ୍ରଵ୍ୟର
ସଦ୍ଵ୍ୟଵହାର କରୁଥିଲେ ।
ଭୋଜି ହେଲା, ସଭା ବସିଲା, ବ୍ରାହ୍ମଣମାନେ ବଡ଼ପାଟିରେ ତର୍କଵିତର୍କ କଲେ, ଶ୍ଳୋକ ପଢ଼ିଲେ, ମାତ୍ର ଶେଷରେ ନିଷ୍ପତ୍ତି ହେଲା ଯେ ଡେଲିମାନଙ୍କ ହାତରୁ ଜଳପାନ କରିଵା ଶାସ୍ତ୍ର-ଵିରୁଦ୍ଧ; ଏଣୁ ବ୍ରାହ୍ମଣମାନେ ସେମାନଙ୍କଠାରୁ ଜଳପାନ କରିବେ ନାହିଁ । ଏହି ନିଷ୍ପତ୍ତିର ଵିରୁଦ୍ଧାଚରଣ କରିଥିଲେ କେବଳ ଆମର ବାପା । ତାଙ୍କର ଯୁକ୍ତି କଅଣ ଥିଲା, ତାହା କହିଵା ମୋ ପକ୍ଷରେ ସମ୍ଭଵପର ନୁହେଁ; କିନ୍ତୁ ମସ୍ତକରେ ଗୋଷ୍ପଦ ପରି କେଶଗୁଚ୍ଛ, ଲଲାଟରେ ରକ୍ତଚନ୍ଦନ ଚିତା, କାନ୍ଧରେ ଗାମୁଛା, ହାତରେ
ଖଣ୍ଡେ ବାଉଁଶ ବାଡ଼ି ଵହନ କରି ସଭା ମଧ୍ଯରେ ସେ ବହୁ ରାତ୍ର ପର୍ଯ୍ୟନ୍ତ ବସିରହି ତାଙ୍କର ଯୁକ୍ତିରେ ଅଟଳ ରହିଥିଵାର ଅସ୍ପଷ୍ଟ ଦୃଶ୍ୟ ଅଦ୍ୟାପି ମୋର ମନେପଡ଼ୁଛି । ପରେ ଜାଣିଲି ଯେ ତାଙ୍କ ଯୁକ୍ତିଥିଲା, ‘କଳୌ ପାରଶରସ୍ମୃତିଃ’’, ଅର୍ଥାତ୍ କଳିଯୁଗରେ ପରାଶର ସଂହିତା ଅନୁସାରେ ହିଁ ସମସ୍ତ ଵିଧି-ଵିଧାନ ସ୍ଥିରୀକୃତ ହେଵା ଉଚିତ । ତେଲିମାନଙ୍କ ଵିରୋଧରେ ଏ ସଂହିତାରେ କିଛି ନାହିଁ; ଏଣୁ ଏମାନଙ୍କ ହାତରୁ ଜଳପାନ କରିଵା ଅଶାସ୍ତ୍ରୀୟ ନୁହେଁ । ବାପାଙ୍କ
ଏ ଯୁକ୍ତିକୁ ବ୍ରାହ୍ମଣମାନେ ଗ୍ରହଣ କଲେ ନାହିଁ, ବରଞ୍ଚ ସଭା ପରେ ବହୁଦିନ ପର୍ଯ୍ୟନ୍ତ ସେମାନେ କହି ବୁଲିଲେ–
“ଖଇ ଗୋଟି ଗୋଟି ଧାନ ଗୋଟି ଗୋଟି ବାନ୍ଧୁ ବାନ୍ଧୁ ଦିନ ସରିଲା,
ତେଲି ଯଜମାନମାନଙ୍କୁ କହିଵ ଯାଇ ତାଙ୍କ ପାଣିତକ କଥା ନୋହିଲା ।”
ବାପା କିନ୍ତୁ ତାଙ୍କ ନିଷ୍ପତ୍ତିରେ ଅଟଳ ରହି ଜଳପାନ କରିଵାପାଇଁ ତେଲିମାନଙ୍କୁ ପ୍ରତିଶ୍ରୁତି ଦେଲେ । ସେହି ଅନୁସାରେ ଖିଚିଙ୍ଗର ଠାକୁରାଣୀ ମନ୍ଦିରରେ ଗୋଟିଏ ଉତ୍ସଵର ଆୟୋଜନ କରାଗଲା ଏଵଂ ସେଥିରେ ବହୁସଂଖ୍ୟକ ତେଲିଭାଇ ଯୋଗ ଦେଲେ । ସେମାନଙ୍କ ହର୍ଷଧ୍ଵନି ଏଵଂ ଵାଦ୍ୟ-ଘଣ୍ଟା-ଶଙ୍ଖଧ୍ୱନି ମଧ୍ୟରେ ବାପା ସର୍ଵଜାତି ସମକ୍ଷରେ ସେମାନଙ୍କ ହାତରୁ ଜଳପାନ କଲେ । ଏହି ଘଟନା ଆମ ପରିଵାରର ପରିସ୍ଥିତିକୁ ଦୋହଲାଇ ଦେଇଥିଲା । ମା’ କାନ୍ଦି କାନ୍ଦି କହିଲେ ଯେ ବାପା ଅଜାତିଆ ହୋଇଗଲେ, ଏଣୁ ପିଲାମାନେ ଭାସିଯିବେ । ତାଙ୍କର ଏହି ଆଶଙ୍କା ଯେ ଅମୂଳକ ନ ଥିଲା, ତାହା ପରେ ପ୍ରମାଣିତ ହେଲା । ଏହି ଘଟଣା ପରେ ପରେ ବ୍ରାହ୍ମଣମାନେ ଆମ ପରିବାର ସହିତ ସର୍ଵଵିଧ ସମ୍ପର୍କ ଛିନ୍ନ କଲେ ଓ ତେଲିମାନଙ୍କ ଛଡ଼ା ଅନ୍ୟ ଜାତିମାନେ ପୁରୋହିତ ପଦରେ ବରଣ କଲେ ନାହିଁ । ଆମ ନିଜ ଘରେ ତାଙ୍କ ଉପସ୍ଥିତି ଜଟିଳତା ସୃଷ୍ଟି କରୁଥିଵାର ଜାଣି, ବାପା ଆମ ଗାଁଠାରୁ
ଦୁଇମାଇଲ ଦୂରରେ ଥିଵା କଖାରୁପନା ନାମକ ଗ୍ରାମରେ ଗୋଟିଏ କୁଟୀର ନିର୍ମାଣ କରି ଏକୁଟିଆ ସେହିଠାରେ ରହିଲେ । ମୋର ମନେପଡ଼ୁଛି ଯେ ଏହି କୁଟୀରର କାନ୍ଥରେ ସେ ଖଡ଼ିରେ ବହୁ ଶ୍ଳୋକ ଲେଖୁଥିଲେ ଓ ସେଗୁଡ଼ିକ ମୁଖସ୍ଥ କରୁଥିଲେ । ମରିଵା ପର୍ଯ୍ୟନ୍ତ ଶ୍ଳୋକ ମୁଖସ୍ଥ କରିଵା ତାଙ୍କର ଗୋଟିଏ କାମ ଥିଲା । ଶ୍ଳୋକଗୁଡ଼ିକର ମର୍ମ ମୁଁ ବୁଝି ନ ଥିଲି, କିନ୍ତୁ କୁଟୀରର ଭିତର ଓ ବାହାର କାନ୍ଥରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିଵା ‘‘କଳୌ ପାରଶରସ୍ମୃତିଃ’’ ମୋର ମନେପଡ଼ୁଛି । ସେ ଯେ କୌଣସି ଅଶାସ୍ତ୍ରୀୟ କାର୍ଯ୍ୟ କରି ନ ଥିଲେ, ଏହି କଥାଟାକୁ ଦୃଢ଼ ଭାବରେ ଘୋଷଣା କରିଵାକୁ ବୋଧହୁଏ ସେ ଏପରି ଲେଖିଥିଲେ । କିନ୍ତୁ ବାପାଙ୍କ ଏ ସମ୍ବନ୍ଧୀୟ ଧର୍ମମତ ଏ ଅଞ୍ଚଳର କୌଣସି ଜାତି ମାନି ନ ଥିଲେ । ଫଳତଃ, ଆମ ବଂଶ ସମାଜରେ ନିନ୍ଦିତ ଓ ଘୃଣିତ ହେଵାକୁ ଲାଗିଲା । ଆମ୍ଭେମାନେ ଯେଉଁଆଡ଼େ ଗଲେ ଶୁଣିଲୁଁ
ଯେ ଆମ୍ଭେମାନେ ‘ତେଲିବିଟାଳିଆ’’ । ବ୍ରାହ୍ମଣମାନେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ କରି ଆମ ଘରେ ପୌରୋହିତ୍ୟ, ଜଳପାନ,ଭୋଜନ ଇତ୍ୟାଦି ସମସ୍ତ ପ୍ରକାର ସମ୍ପର୍କ କାଟିଦେଲେ । ବନ୍ଧୁବାନ୍ଧବମାନେ ନିମିତ୍ତକାର୍ଯ୍ୟରେ ଆଉ ଆମ୍ଭମାନଙ୍କୁ ନିମନ୍ତ୍ରଣ କଲେ ନାହିଁ । ଆମ ଘରକୁ କନ୍ୟାଦାନ କରିଵାପାଇଁ କୌଣସି ବ୍ରାହ୍ମଣ ପ୍ରସ୍ତୁତ ହେଲେ ନାହିଁ । ଏ ଘଟଣା ପୂର୍ଵରୁ ପିତାଙ୍କ ପ୍ରଥମ ପୁତ୍ର ଓ କନ୍ୟା ଦୁଇଟିର ଵିଵାହ ହୋଇଯାଇଥିଲା; ମାତ୍ର ବାସନ୍ଦ ହେତୁ ଅନ୍ୟ ପୁତ୍ରମାନଙ୍କ ଵିଵାହ ବହୁ ଵର୍ଷ ପର୍ଯ୍ୟନ୍ତ ଅଚଳ ଅଵସ୍ଥାରେ ରହି ଶେଷରେ ନାନା ଦୁଃଖକଷ୍ଟ ଓ ଅନ୍ତରାୟ ମଧ୍ୟରେ ସମାହିତ ହୋଇଥିଲା ।
ଏ ସମୟର ଆମ୍ଭମାନଙ୍କ ଲାଞ୍ଛନା ମନେପଡ଼ିଲେ ଆଜି ସୁଦ୍ଧା ମୋର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଉଠେ । ବ୍ରାହ୍ମଣମାନଙ୍କ ଘରେ ଓ ଯଜମାନଙ୍କ ଯେଉଁ ଭୋଜି ହେଉଥିଲା, ସେହି ଭୋଜିମାନଙ୍କରେ ଧାଡ଼ିମୁଣ୍ଡର ଦଶହାତ ଦୂରରେ ଆମ୍ଭମାନଙ୍କ ପାଇଁ ସ୍ଥାନ କରାଯାଉଥିଲା । ଏ ଲାଞ୍ଛନାରେ ମୋର କୋମଳ ଓ ବିଦ୍ରୋହୀ ମନ କାନ୍ଦିଉଠିଥିଲା ।
ନିଜର ଓ ପୁତ୍ରକନ୍ୟାମାନଙ୍କ ଏହି ଲାଞ୍ଛନା ମଧ୍ୟରେ ହିଁ ପିତା ମୋର ଦଶବର୍ଷ ଵୟସରେ ୧୯୧୯ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ । ତାଙ୍କ ମୃତ୍ୟୁର କେତେ ମାସ ପୂର୍ଵରୁ ତାଙ୍କ ଜ୍ୟେଷ୍ଠପୁତ୍ର ଗୋଵିନ୍ଦ ୧୯୧୯ର ମହାମାରୀ ‘‘ହେମି ଜର’’ (War Influenza) ରେ ପ୍ରାଣତ୍ୟାଗ କରିଥିଲେ । ପିତାଙ୍କ ମୃତ୍ୟୁପୂର୍ଵରୁ ମାନଵିକତା ଦୃଷ୍ଟିରୁ ତାଙ୍କୁ ତାଙ୍କ ନିଜ ଘର ଖିଚିଙ୍ଗକୁ ଅଣାଯାଇଥିଲା ଓ ସେହିଠାରେହିଁ ସେ ଶେଷନିଃଶ୍ୱାସ ତ୍ୟାଗ କଲେ । ଆମ ଭାଇମାନଙ୍କ ଛଡ଼ା ଅନ୍ୟ କେହି ବ୍ରାହ୍ମଣ ତାଙ୍କ ଶବାଧାରରେ କାନ୍ଧ ଦେଇ ନ ଥିଲେ । ପତିତର ଶବକୁ ଛୁଇଁଵ କିଏ ? ତାଙ୍କର
ମୃତ୍ୟୁପରେ ସୁଦ୍ଧା ନିର୍ଦ୍ଦୟ ବ୍ରାହ୍ମଣସମାଜ ଆମ୍ଭମାନଙ୍କ ଉପରେ ନିଷ୍ଠୁର ପ୍ରତିଶୋଧ ନେଇଥିଲା ।
ବ୍ରାହ୍ମଣ ଅଭାବରୁ ଠିକ୍ ସମୟରେ ବାପାଙ୍କର ଶୁଦ୍ଧିକ୍ରିୟା ହୋଇପାରିଲା ନାହିଁ । ମୋର ଯେତେଦୂର ମନେପଡ଼ୁଛି, ତାଙ୍କ ମୃତ୍ୟୁର ଦୁଇମାସ ପରେ ହିଁ ତାଙ୍କ ଶୁଦ୍ଧିକ୍ରିୟା ସମ୍ପନ୍ନ ହୋଇଥିଲା । ଆମ୍ଭେମାନେ ପ୍ରାୟଶ୍ଚିତ୍ତ କରି ‘ଶୁଦ୍ଧ’ ହେଵା ପାଇଁ ଚେଷ୍ଟା କଲେ ମଧ୍ୟ ଆମ୍ଭମାନଙ୍କୁ ବ୍ରହ୍ମାମାନେ ଵିଧିପତ୍ର ଦେଲେ ନାହିଁ । ସେତେବେଳେ ସେ ଅଞ୍ଚଳର ବ୍ରହ୍ମା ଥିଲେ ରରୁଆଁନିଵାସୀ ନୀଳାମ୍ବର ପାଣିଗ୍ରାହୀ ଏଵଂ କେଉଁଝରର ବ୍ରହ୍ମା ଥଲେ କାଳିନ୍ଦୀ ଚରଣ ଦାଶ । ମୋର ଜ୍ୟେଷ୍ଠଭ୍ରାତା ଗୋପୀନାଥନନା ଉଭୟଙ୍କ ପାଖକୁ ଯାଇ ବହୁ କାକୁତିମିନତି କଲେ ମଧ୍ୟ ଵିଧିପତ୍ର ପାଇଲେ ନାହିଁ । ଵିଧିପତ୍ର ନ ଦେଵାର କାରଣ ଦର୍ଶାଇ ସେମାନେ କହିଲେ ଯେ, ତେଲି ଯଜମାନମାନେ ମୟୂରଭଞ୍ଜ ମହାରାଜାଙ୍କ ଖୁଡୁତାଙ୍କଠାରୁ ଜଳଚଳନ ହେଵାପାଇଁ ଅନୁମତି ଆଣିଥିଵଖରୁ ସେମାନଙ୍କ ହାତରୁ ଜଳପାନ କରିଥିଵା ଵ୍ୟକ୍ତିର ପ୍ରାୟଶ୍ଚିତ୍ତ ଵିଧାନ କଲେ, ତାହା ସରକାର
ଵିରୋଧୀ କାର୍ଯ୍ୟ ହେବ । ପ୍ରାୟଶ୍ଚିତ୍ତ କରିଵାର ଵିଧାନ
ନ ମିଳିଵାରୁ ସମଗ୍ର ପରିଵାରଟି ଅଶୌଚର ସମସ୍ତ ଦୁଃଖ ଓ ଚିହ୍ନ ଵହନ କରି ଦୁଇମାସ ପର୍ଯ୍ୟନ୍ତ ଦଗ୍ଧ ହେଲା । ଅଵଶେଷରେ ଢେଙ୍କାନାଳର ଜଣେ ଭିକ୍ଷୁକ ବ୍ରାହ୍ମଣ ଦେଵଦୂତ ପରି ଆମ ଘରେ ଆସି ପହଞ୍ଚିଲେ । ତାଙ୍କରି ସାହାଯ୍ୟରେ ଶୁଦ୍ଧ ହୋଇ ଆମ୍ଭେମାନେ ପିତାଙ୍କର ପ୍ରେତକୃତ୍ୟ ସମାପନ କଲୁ । ଏହି ଘଟଣା ମୋର ବାଲ୍ୟହୃଦୟକୁ ଗଭୀର ଭାବରେ ଆଘାତ କରିଥିଲା ।
ମୁଁ ସେତେବେଳେ ଭାବୁଥିଲି ଯେ ବାପା ହୁଏତ କୌଣସି ଅକ୍ଷମଣୀୟ ଦୋଷ କରିଥିଲେ; ଏଵଂ ସେଥିପାଇଁ ବ୍ରାହ୍ମଣ ସମାଜ ଆମ ଉପରେ ଏପରି ନିଷ୍ଠୁର ପ୍ରତିଶୋଧ ନେଲା, କିନ୍ତୁ ମୁଁ ଆଜି ଭାବୁଛି ଯେ ଏ ଅଞ୍ଚଳର ତତ୍କାଳୀନ ପଙ୍ଗୁସମାଜର ଜନଗଣ ମଧ୍ୟରେ ସେ ଜଣେ ଅଗ୍ରଗାମୀ ଵ୍ୟକ୍ତି ଥିଲେ । ହିନ୍ଦୁଧର୍ମର ରକ୍ଷଣଶୀଳତା ଓ ଶାସ୍ତ୍ରଵିଧିର ଗଣ୍ଡି ଭିତରେ ରହି ମଧ୍ୟ ବ୍ରାହ୍ମଣମାନେ ଅନ୍ୟ ଜାତିମାନଙ୍କୁ ଯେତିକି ସାହାଯ୍ୟ କରିଵାର କଥା, ମୋର ପିତା ତାହା କରିଥିଲେ । ନିଜ ମତ ଓ ଵିଶ୍ଵାସରେ ଅଟଳ ରହି ସେ ଅସୀମ ଦୁଃଖ ଓ ଲାଞ୍ଛନା ଭୋଗିଥିଲେ ଓ ନିଜ ପରିଵାରକୁ ମଧ୍ୟ ଭୋଗାଇଥିଲେ । ମୋର ପିତା ଯଦି ଆଜିଯାଏ ବଞ୍ଚିଥାନ୍ତେ, ତେବେ ସେ ଦେଖି ସନ୍ତୋଷଲାଭ କରିଥାନ୍ତେ ଯେ ଆଜି ଏ ଅଞ୍ଚଳର ଅଧିକାଂଶ ହୋଟେଲ ଓ ଗୁଡ଼ିଆଦୋକାନ ତେଲିଭାଇମାନଙ୍କ ଦ୍ବାରା ହଁ ପରିଚାଳିତ ହେଉଛି ଏଵଂ ବ୍ରାହ୍ମଣମାନେ ଏମାନଙ୍କ ହାତରୁ ଜଳ,ମିଷ୍ଟାନ୍ନ ଏପରିକି ଅନ୍ନ ପର୍ଯ୍ୟନ୍ତ ଖାଉଛନ୍ତି । ମୋର ପିତା ଅତ୍ୟନ୍ତ ସତ୍ୟଵାଦୀ ଥିଲେ ଓ ମିଥ୍ୟାକୁ ଅତ୍ୟନ୍ତ ଘୃଣା କରୁଥିଲେ । ଆମ୍ଭମାନଙ୍କ ସମସ୍ତ ଦୋଷକୁ ସେ ମାର୍ଜନା କରୁଥିଲେ ହେଁ ମିଥ୍ୟା କହିଵା ଦୋଷକୁ ସେ କଦାପି ମାର୍ଜନା କରୁ ନ ଥିଲେ । ସେ ନିଜ ନିଷ୍ପତ୍ତିରେ ଅଟଳ ରହୁଥୁଲେ । ଏହି ହେତୁ ଶେଷ ଜୀଵନରେ ସେ ଅସୀମ ଦୁଃଖ ଭୋଗ କରି ପ୍ରାଣତ୍ୟାଗ କଲେ ।
(ମୋ ସମୟର ଓଡ଼ିଶା, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ)
Comments
Post a Comment