ଆସ ଜୀବନ ଧନ, ମୋର ପଖାଳ କଂସା,
ଆସ ଜୀବନ ଧନ, ମୋର ପଖାଳ କଂସା
ଆସ ଜୀବନ ଧନ..
ସଜନୀରେ ତୋ ବିହୁନେ
ମୋର ବୁଡିଲା ହଂସା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ..
ବହିଲାଣି ଅନା ସଖି, ଝଞ୍ଜା ପବନ
ଅଠା ମାରିଗଲା ତୁଣ୍ଡ, ଯାଏ ଜୀବନ
ତୋ ବିନେ ପଖାଳ ଗୋ
ଫାଟିଲା କପାଳ ଗୋ
ତୋରାଣି ସାଥିରେ ମିଶି ହର ମୋ ତୃଷା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ..
ସଂଘା ଠାକୁରାଣୀ ପିତା, ଶୁଖୁଆ ରାଣୀ
ତୋ ଲାଗି ନିଆଁରେ ସତୀ, ଝାସ ଦେଲାଣି
ପିଆଜ ଥରି ଡରେ,
ଛାଲ ଛିଡ଼ାଇ ମରେ
ମରିଚ କହୁଛି ମୋତେ ତୋ ତୁଲେ ମିଶା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ..
ସଜ ଘୋଳ ଦହି ଆମ୍ବ, ଛେଚା ସହିତେ
ଝୁରି ହେଉଥିବେ ସତେ, ଦେବତା ଯେତେ
ବଡ଼ି ଚଟଣି ଥାଇ
ଗୁମାନେ ରହେ ଚାହିଁ
ଅନା ମନା ଶାଗ କହେ ଚୁଲିରେ ବସା
ଆସ ଜୀବନ ଧନ ମୋର ପଖାଳ କଂସା
ଆସ ଜୀବନ ଧନ
ଓଡ଼ିଆ ଜୀବନ ଧୁଆ, ଶାଗ ପଖାଳ
ଜଗନ୍ନାଥ ରସି ଖାଏ, ମନେ ତୁ ଭାଳ
ଚାଖି ନାହିଁ ଯେ ଥରେ,
ଧିକ ତା ଜନମରେ
ମଣିଷ ଯାକରେ ସେ ତ ଅଣପୁରୁଷା
ଆସ ଜୀବନ ଧନ ମୋର ପଖାଳ କଂସା ।
©କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
Comments
Post a Comment