Skip to main content

ଭାଇକଳି(ଵ୍ଯାସକଵି)

ଉତ୍କଳେ ଜନମ ଉତ୍କଳେ ମରଣ;
ଉତ୍କଳ ଅନ୍ନରେ ଜୀଵନଧାରଣ ।
ପରାପର ଭାଵ ପୋଷିବୁଁ କିପାଁଇ,
ମାତା ସମ୍ଵନ୍ଧରେ ସର୍ଵେ ଭାଇ ଭାଇ ।
ଭିନ୍ନାଭିନ୍ନ ଭାବ ବହିବାର ଜନ-
ମୋ କ୍ଷୁଦ୍ରବୁଦ୍ଧିରେ ସେ ତ ଅକିଞ୍ଚନ ।
କର ଯୋଡି଼ ତାକୁ ବୋଲୁଅଛି ଭାଇ !
ଏକ କୁ ଅରେକ ଦ୍ଵନ୍ଦ ଭୂଲିଯାଇ;
ଆସ କରୁଁ ମାତୃଦେଶର ଉନ୍ନତି,
ଫେଡୁ଼ ଜନ୍ମଭୂମି ଦୁର୍ଦ୍ଦଶା ଦୁର୍ଗତି ।
ଯେତେଦିନ ଭାଇ ନହେବ ମିଳିତ,
ନ ମେଣ୍ଟିବ ଦେଶ ଦୁର୍ଦ୍ଦଶା କିଞ୍ଚିତ ।
ହିନ୍ଦୁ ମୁସଲମାନ ଖ୍ରୀଷ୍ଟାନ ଜଇନ―
କେଵଳ ଧର୍ମରେ ସିନା ଭିନ୍ନାଭିନ୍ନ ।
ଧର୍ମ ଜାଣ ଭାଇ ପରକାଳ ପାଇଁ,
ପୃଥ୍ଵୀର ସନ୍ତାନ ଏହା ଭୂଲ ନାହିଁ ।
ଯା ପୂର୍ଵ ପୁରୁଷ ଵିଦେଶୀ ନିଶ୍ଚୟ,
ନ ଭୂଲ ସେ ଲୋକ ଉତ୍କଳ ତନୟ ।
ହୁଅନ୍ତୁ ବଙ୍ଗାଳୀ ତେଲଙ୍ଗା ମରାଟୀ―
ତୁମ୍ଭ ଦେହ ଗଢା଼ ଉତ୍କଳର ମାଟି ।
ଦୁଇ ଦିନ ପାଇଁ ନାହଁ ତ ଏ ଦେଶେ,
ବଂଶ ଅନୁକ୍ରମେ ରହିବ ଵିଶେଷେ ।
ଦୁର୍ଭିକ୍ଷ ଦୁର୍ଦ୍ଦଶା ପଡି଼ଲେ ଉତ୍କଳେ,
ମିଳିମିଶି ଭାଇ ଭୁଞ୍ଜିବୁ ସକଳେ ।
“ଭାଇ ଭାଇ ମଧ୍ୟେ ନଲଗାଅ କଳି,
ପରିଚୟ ଦିଅ ନିଜକୁ ଉତ୍କଳୀ" !
ସାକସନ୍ ଜର୍ମାନ ଗ୍ରୀକ୍ ଓନ୍ଦଲାଜ୍,
ଇଂଲଣ୍ଡର ଵାସୀ ସମସ୍ତେ ଇଂରାଜ ।
ଉତ୍କଳେ ଜନମି ବୋଲ ଅନ୍ୟ ଜାତି,
ହାମବଡା଼ ଏଟା ନିଶ୍ଚୟ ଅଖ୍ୟାତି ।
ହିଂସା ଦ୍ଵେଷ ବହି ଦ୍ଵନ୍ଦ ପରସ୍ପର
କଲେ ନିଶ୍ଚେଁ ହେବ ଦୁର୍ଦ୍ଦଶା ତୁମ୍ଭର ।
ହେଉ ପଛେ ତୁମ୍ଭେ ଥିଲ ବଡ଼ଜାତି,
ଏବେ ତ ଉତ୍କଳ ଦେଶ ପୁଅ ନାତି ।
ଜନ୍ମଭୂମି ଆଉ ଜନନୀ ଏମାନେ
ଶାସ୍ତ୍ରରେ କଥିତ ସ୍ଵରଗ ସମାନେ ।
ଯେ ବୋଲେ ନିଜକୁ ଵିଦେଶୀୟ ଲୋକ―
ନିଶ୍ଚେ ସେହି ମାତୃଭୂମିର ନିନ୍ଦୁକ ।
ଆସ ଭାଇ ମାନେ କରୁଛି ଜୁହାର,
ମିଳିମିଶି କରୁଁ ଦେଶ ଉପକାର ।

●―ଵ୍ୟାସକଵି ଫକୀରମୋହନ ସେନାପତିଙ୍କର
ପୂଜାଫୁଲ କଵିତାପୁସ୍ତକରୁ ସଂଗୃହିତ―●

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...