Skip to main content

ଉଦବୋଧନୀ(ସ୍ଵଭାଵକଵି)

ନିଜ ଘରେ ବସି ନିର୍ଵାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ,
ମାତୃଭାଷା ମନା ଭାଇସଙ୍ଗ ବିନା
ଵିକଳ ହେଉଛି ଜୀଵନ । ପଦ ।

ଗୁହାରିଲେ ଦୁଃଖ ନୃପତି ଆଗରେ,
ତଡି଼ ଦେଉଛନ୍ତି ଛାମୁରୁ ରାଗରେ;
ନୁହେଁ ତାଙ୍କ ଦୋଷ,ବୁଝନ୍ତି ନାହିଁ ସେ
ଆମ୍ଭର କଥିତ ଵଚନ ।୧।

ଵିଦେଶୀ ସଦସ୍ୟ ଛନ୍ତି ନିକଟରେ,
କହି ଦେଉଛନ୍ତି ଶ୍ରଵଣପଟରେ;
ହସୁଛନ୍ତି ବୋଲି ବୁଝାଉଅଛନ୍ତି
କରୁଅଛୁଁ ଯେତେ ରୋଦନ ।୨।

ପରଦେଶୁଁ ଆସି ପରଦେଶଵାସୀ,
ଦେଉଛନ୍ତି ଆମ୍ଭ ଅନ୍ନ ଜଳ ଗ୍ରାସି;
ଭକୁଆ ପରାଏ ଭକ ଭକ ଚାହିଁ―
ରହିଅଛୁଁ ତାଙ୍କ ଵଦନ ।୩।

ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ,
ଆମ୍ଭରି ମସ୍ତକେ ଚରଣ ପ୍ରଦାନ―
କରି ଉଠୁଛନ୍ତି ସମ୍ରାଟ-ସଭାକୁ
ହରଷେ ଵିକାଶି ରଦନ ।୪।

ଆସିଅଛ ବଡ଼ ସୋଦରସକଳ,
ଦେଖି ଦଶା,କର ବୁଦ୍ଧି କଉଶଳ;
କୋଟି କଣ୍ଠେ ଗୋଟିସ୍ଵରେ ଉଚ୍ଚେ ଡାକ
କମ୍ପିଯାଉ ରାଜ ସଦନ ।୫।

©ବି:ଦ୍ର―ଉତ୍କଳ ସମ୍ମିଳନୀ ଉପଲକ୍ଷେ ସ୍ଵଭାବକଵି ଗଙ୍ଗାଧର ମେହେର ଙ୍କ ଦ୍ଵାରା ରଚିତ ଉଦବୋଧନୀ କବିତା ....

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...