Skip to main content

ମାରଦା ନିର୍ଵାସନରେ ଶ୍ରୀଜଗନ୍ନାଥ

ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ ସୁନ୍ଦର ଏହି ସୃଷ୍ଟି । ସୃଷ୍ଟିର ସର୍ଜନା ଆଉ ସ୍ରଷ୍ଟାଙ୍କର ମନନଶୀଳତା । ପ୍ରତିଦିନ ସକାଳ ହୁଏ। ପ୍ରତ୍ୟୁଷରୁ ଅରୁଣିମା ସାରା ଜଗତକୁ ଲାଲିମା - କୃଷ୍ଣ କାଳୀମାର ମିଶାମିଶି ଫେଣ୍ଟା ଫେଣ୍ଟି ରଙ୍ଗରେ ପ୍ରତ୍ୟୁଷର ସୃଷ୍ଟିକୁ ରଙ୍ଗାୟିତ କରିଦିଏ। ପୂର୍ବ ଦିଗନ୍ତ କଅଁଳ ଗେରୁର ବର୍ଣ୍ଣବିବର୍ଣ୍ଣ ହୋଇଉଠେ। ଠିକ୍‌ ପରେ ପରେ ପ୍ରକାଶ ପାଏ ସୂର୍ଯ୍ୟଙ୍କର ସୁନା ସୁନାଥାଳିଆ ସୁନାରୂପ। କ୍ରମଶଃ ଆକାଶର ଶିଡ଼ି ଚଢ଼େ। ସ୍ୱର୍ଣ୍ଣିମା ରୂପାର ଝଲମଲ - ରଶ୍ମି ଆହୁରି ପ୍ରକାଶ ପାଏ। ଧରା ଆଲୋକିତ ହୋଇଯାଏ - ସୃଷ୍ଟିର ଜୀବନ ପ୍ରକ୍ରିୟାର କ୍ରୀୟାକର୍ମ ଯାଚନାର ଉତ୍ତରଣରେ ...।

ଗହଳଚହଳ କର୍ମମୁଖର ହୋଇପଡ଼େ। ସୃଷ୍ଟି ପରିବର୍ତ୍ତନଶୀଳ। ସକାଳ ମଧ୍ୟାହ୍ନ, ଅପରାହ୍ନ- ସାଂୟାହ୍ନ, ସଂଧ୍ୟାର ସଂଜବତୀ ପରେ ପୁଣି ରଜନୀ ରାଣୀର ପଣତତଳେ ଅଭିଭୂତ ହୋଇଯାଆନ୍ତି ଏ ସୃଷ୍ଟିର ସମସ୍ତ ସ୍ଥିତି ସ୍ଥାପକ ଓ ସୃଷ୍ଟି। ବେଳ ଉଣ୍ଡି ସାଂଧ୍ୟ ଆକାଶରେ ପୃଥିବୀର ନିୟମମାନି ଦେଖା ଦିଅନ୍ତି ପୂର୍ଣ୍ଣ ଜହ୍ନ ତ’ କେବେ ଖଣ୍ଡିତ ବିଖଣ୍ଡିତ କିରଣର ଉତ୍ସରେ ଗାଧୋଇ ଦିଏ - ଏ ସ୍ରଷ୍ଟା ମନଚିନ୍ତନର ଶ୍ରେଷ୍ଠ କୃତିକୁ। ବିଛାଇ ଦିଏ ଈଶ୍ୱରପ୍ରାଣର ଶ୍ରେଷ୍ଠ କଲ୍ୟାଣକୁସମସ୍ତଙ୍କଠାରେ । ସେହିଁ ସର୍ବମୟ, ସର୍ବମୟ କର୍ତ୍ତା ଅନ୍ୟନାମ ଏକମାତ୍ର ପୁରୁଷ : ଈଶ୍ୱର ପରମାତ୍ମା : ଜଗତର ନାଥ ଏକମାତ୍ର ସ୍ୱାମୀ - ସର୍ବ ବୈଭବମୟ ଆଦିଦେବ ଶ୍ରୀଜଗନ୍ନାଥ। ଯାହାକି ଅଦୃଶ୍ୟତାରେ ଏହି ସର୍ବ ରଚନାକାର- ସୃଷ୍ଟିମୟ ପରିକଳ୍ପନାର ଆକାର ହୀନ ମହାପ୍ରଭୁଙ୍କର ସର୍ବବ୍ୟାପକତାର ଉପଲବ୍ଧ ଓ ଦିବ୍ୟାନୁଭବ।

ଓଡ଼ିଶାର ଗର୍ବ ସେ ରଖିଛି ସେହି ପ୍ରଭୁଙ୍କର ଶ୍ରୀମନ୍ଦିର ପୁରୁଷୋତ୍ତମଧାମ - ଶ୍ରୀମୟ ଚତୁର୍ଦ୍ଧାମୂର୍ତ୍ତିଙ୍କର ଭବ୍ୟ ମନ୍ଦିର ଜଗନ୍ନାଥ ଧାମ। ଇତିହାସର ପ୍ରତିଟି ପାହାଚରେ ପରୀକ୍ଷିତ ଆମ ଦେବତା ଜଗନ୍ନାଥ। ବିଧର୍ମୀମାନଙ୍କ ଆକ୍ରମଣ, ଧର୍ମ ବିଦ୍ଵେଷଭାବ ହିଁ ଆମ ସନାତନ ଜଗନ୍ନାଥ ସର୍ବସ୍ୱ ସଂସ୍କୃତି ବହୁ ସମୟରେ ଆଘାତ ପ୍ରାପ୍ତ। ସେହି ଆଘାତରୁ ତା’ର ପ୍ରଭୁଙ୍କୁ ବଞ୍ଚାଇ ରଖିବାରେ ଅନେକଥର ଅନେକ ଚେଷ୍ଟା ହୋଇଛି। ସେହି ଧର୍ମ ସଂସ୍କୃତିର ପରାକାଷ୍ଠାକୁ ଅକ୍ଷୁଣ୍ଣ ଓ ବଞ୍ଚାଇ ରଖିବାରେ ଆମ ଗଞ୍ଜାମ - ଆଠଗଡ଼ର ରାଜା, ପ୍ରଜା, ଭକ୍ତ, ପାଇକ, ସୈନ୍ୟ, ସାମନ୍ତଙ୍କର ଅନେକ ଜୀବନ ଉତ୍ସର୍ଗ ବଳିଦାନ ତାହା ଆଜି ବି ଜଗନ୍ନାଥ ସଂସ୍କୃତି ଐତିହ୍ୟରେ ସ୍ୱର୍ଣ୍ଣାକ୍ଷରରେ ପ୍ରତିବିମ୍ବିତ।

“ଶରଣ ଶ୍ରୀକ୍ଷେତ୍ର ମାରଦା”

ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରଠାରୁ ଉତ୍ତର - ପଶ୍ଚିମକୁ ପ୍ରାୟ ୬୦ କି.ମି. ବ୍ୟବଧାନରେ ଏହି ଆଠଗଡ଼ ପାଟଣା ଗଡ଼ଜାତ ଅଞ୍ଚଳର ମାରଦା ମନ୍ଦିର। ଆଠଗଡ଼ରେ ପହଞ୍ଚିବା ପାଇଁ ବ୍ରହ୍ମପୁରଠାରୁ ପୁରୁଷୋତ୍ତମପୁର ବା ଆସିକା କବିସୂର୍ଯ୍ୟ ନଗର ଦେଇ ବୁଢ଼ା ଆମ୍ବ - ପୋଲସରା ରାସ୍ତାରେ ଯାଇ ହେବ। ଏହା ପୁରୁଷୋତ୍ତମପୁରଠାରୁ ୧୮ କି.ମି ଓ ପୋଲସରାଠାରୁ ମାତ୍ର ୭ କି.ମି. ଦୂରରେ ଏକ ଜଙ୍ଗଲ ପରିପୂର୍ଣ୍ଣ ହାତୀବାରି ପାହାଡ଼ର ବିଶାଳ ପାଦଦେଶରେ ଅବସ୍ଥିତ। ଓଡ଼ିଶାର ମନ୍ଦିର ନିର୍ମାଣ ଶିଳ୍ପକଳାରେ ଭର୍ତ୍ତି ଶିଳ୍ପୀମାନଙ୍କର ଗ୍ରାମ ମଥୁରା ଏଇ ମନ୍ଦିର ପାଖରେ ରହିଛି।

ମାରଦା ମନ୍ଦିରର ପ୍ରତିଷ୍ଠା ବିଶେଷରେ ସ୍ଥାନିକ ନିରାପତ୍ତା ଦୃଷ୍ଟିକୁ ଅଗ୍ରାଧିକାର ଦେଇ ଏଭଳି ଏକ ଘଞ୍ଚ ଜଙ୍ଗଲ ହିଂସ୍ରଜନ୍ତୁ ପରିପୂର୍ଣ୍ଣ ତିନୋଟି ପାର୍ବତ୍ୟ ଭୂମି ଓ ଗଡ଼ଖାଇ ମଧ୍ୟରେ କରାଯାଇଥିବା ମନେହୁଏ।

ମାରଦା ଗ୍ରାମ ସନ୍ନିକଟ ଏହି ମନ୍ଦିରର ଉତ୍ତରରେ ହାତୀ ଭଳି ଦେଖାଯାଉଥିବା ବୃହତ୍‌ ହାତୀବାରି ପର୍ବତ, ପୂର୍ବରେ ଅସୁରେଇ ପାହାଡ଼, ପଶ୍ଚିମରେ କୁକୁଡ଼ିଆ ଭଳି ପାହାଡ଼ ସାଂଗକୁ ଦକ୍ଷିଣରେ ସର୍ବଦା ଜଳପୂର୍ଣ୍ଣ ଥିବା ଗଡ଼ଖାଇ ଏହାର ନିରାପତ୍ତାକୁ ବହୁଗୁଣରେ ବଢ଼ାଇ ଦେଉଛି।

ମାରଦା ମନ୍ଦିରର ନାମକରଣକୁ ନେଇ କେତେକ ଐତିହାସିକ ଓ ଗବେଷକମାନଙ୍କ ମତ ପ୍ରଣିଧାନଯୋଗ୍ୟ ମନେ ହେଉଛି। ମନ୍ଦିରଟି ମାରଦା ଗ୍ରାମ ସମୀପରେ ଥିଲା ବୋଲି ମନ୍ଦିରର ନାମ ଗ୍ରାମ ମାରଦା ମନ୍ଦିର ବୋଲି ଗୋଟିଏ ମତ। ଏହା ସତରେ ଗ୍ରହଣଯୋଗ୍ୟ। କିନ୍ତୁ ବର୍ତ୍ତମାନକୁ ମାରଦା ଗ୍ରାମ କି ମାରଦା ଗ୍ରାମକୁ ଘେରି ରହିଥିବା ଜଙ୍ଗଲ ଏବେ ନାହିଁ।

ଆଉ ଏକ ମତ ହେଲା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଦି ବିଗ୍ରହମାନଙ୍କୁ ଏହି ଜଙ୍ଗଲ ଅଞ୍ଚଳରେ ମୁସଲମାନମାନଙ୍କ ଆକ୍ରମଣରୁ ରକ୍ଷା କରିବାକୁ ଯାଇ ଏଠାରେ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଗଲା। ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଜମିକୁ ଜଙ୍ଗଲ ସଫାକରିବା ପାଇଁ ଦା’ ମାରି’ ସଫା କରାଯାଇଥିଲା। ତେଣୁ ଏହି ଅଞ୍ଚଳ ମାରଦା ଭାବରେ ପରିଚିତ ହେଲା। ଅନ୍ୟ ଏକ ମତ ହେଲା ଖୋର୍ଦ୍ଧା ଗଡ଼ ଲୁଣ୍ଠନ ପରେ ତକିଖାଁ ଶ୍ରୀମନ୍ଦିର ଆକ୍ରମଣ କରିବାକୁୁ ସ୍ଥିର କଲା ବେଳେ ଖୋର୍ଦ୍ଧାର ଗଜପତି ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ପଡ଼ୋଶୀ କରଡ଼ି ରାଜ୍ୟ ଆଠଗଡ଼ର ସାହାଯ୍ୟ ଭିକ୍ଷା କରିଥିଲେ। ସେତେବେଳର ଆଠଗଡ଼ର ରାଜା ଶ୍ରୀଜଗନ୍ନାଥ ହରିଚନ୍ଦନ ଜଗଦ୍ଦେବ ନିଜ ରାଜ୍ୟ ପରିସୀମାରେ ଥିବା ପାଣ୍ଡିରିପଡ଼ାଠାରେ ଭୂମିତଳେ ଏକ ଗୁପ୍ତ ନଅର ତୋଳାଇ ସେଥିରେ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କୁ ଓ ରୁମାଗଡ଼ ମୁଠାରୁ ଲୋକ ଡ଼କାଇ ଅବିଳମ୍ବେ ମାତ୍ର ୪୫ଦିନ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନିର୍ମାଣ କରାଇ ବିଗ୍ରହମାନଙ୍କୁ ମୁସଲମାନ ପ୍ରଶାସକ ତକିଖାଁର ଦୃଷ୍ଟିରୁ ଲୁଚାଇ ରଖିଥିଲେ। ରାଜାଙ୍କ ଗୁପ୍ତ ନଅର ମାଟିତଳେ ନିର୍ମାଣ ହୋଇଥିଲା ଓ ସେହି ନଅରକୁ ଯିବାପାଇଁ ଏକ ଗୁପ୍ତ ସୁଡ଼ଙ୍ଗ ରହିଥିଲା। ସହଜରେ ଏହି ନଅର ନଜଣା ପଡ଼ିବା ପାଇଁ ସେ’ବେଳରୁ ଆଜଯାଏଁ ପ୍ରଚଳିତ ଥିବା ମାଟି ମେରଦା ଭାଡ଼ି ନଅର ଉପରେ ରହିଥିଲା। ଯାହା ପ୍ରବାହିତ ଗରମ ପବନର ତାପମାତ୍ରାକୁ ନିୟନ୍ତ୍ରଣ କରି ଏକ ବାତାନୁକୂଳ ଗୃହରେ ଶୀତଳତା ପ୍ରଦାନ କରୁଥିଲା। ଏହାର ଅନ୍ୟ ଏକ ଆକର୍ଷଣ ଥିଲା - ଭୂତଳ ରାଜମହଲ ଉପରେ ଥିବା ମେରଦା/ ମାରଦା ଭାଡ଼ି ମାଟିରେ ଘୋଡ଼େଇ ରଖା ଯାଇ ସେହି ମାଟିର ମେରଦା ଉପରେ କେତେକ ଜଙ୍ଗଲି ଲତା, ଗୁଳ୍ମ, ପୁଷ୍ପାଦି ବୃକ୍ଷ ରୋପିତ ହୋଇଥିଲା। ଯାହାକୁ ଦେଖିଲେ ଏକ ଲତା ଗୁଳ୍ମ ଘେରିତ ଜଙ୍ଗଲ ଅଞ୍ଚଳ ବ୍ୟତୀତ ତନ୍ମଧ୍ୟରେ ଗୁପ୍ତରେ ରାଜପ୍ରାସାଦ ଅଛି ବୋଲି ଯେ’କେହି ଭ୍ରମରେ ସୁଦ୍ଧା ଭାବି ପାରୁନଥିଲା।

ଏପ୍ରକାର ଏକ ବୈଜ୍ଞାନିକ ତଥା ସାମରିକ ନିରାପତ୍ତାର ଦୃଷ୍ଟିକୋଣରୁ ନିର୍ମିତ ହୋଇଥିବା ଏକ ମାରଦା ମନ୍ଦିର ଓ ରାଜ ପ୍ରାସାଦକୁ ତକିଖାଁ କି ତା’ର ଅନୁଚରମାନେ ଶତଚେଷ୍ଟା କରି ବି ଜାଣିପାରିନଥିଲେ।

ଏହି ମନ୍ଦିର, ଗ୍ରାମ, ବା ଭୂତଳରେ ଥିବା ମେରଦା (ମାଟିରଛାତ) ଭାଡ଼ି ଯୋଗୁଁ ଏହାକୁ ମାରଦା ଗ୍ରାମ ବା ମନ୍ଦିର ରୂପରେ ପରବର୍ତ୍ତୀ କାଳରେ ଲୋକ ସମ୍ମୁଖରେ ପରିଚିତ ହେଲା।

ଏହି ବର୍ଣ୍ଣିତ ପ୍ରସଙ୍ଗରେ ଅଧିକା ମେରଦା ବା ମାରଦା ମନ୍ଦିରର ନାମକରଣର ଯଥାର୍ଥତା ଅଧିକ ପ୍ରାମାଣିକ ମନେ ହୁଏ। ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ରାଜତ୍ୱ ସମୟ ଥିଲା ୧୭୨୭ରୁ ୧୭୩୬ ଖ୍ରୀ.ଅ.। ଏହି ସମୟରେ ଓଡ଼ିଶାରେ ଥିଲା ମୁସଲମାନ ଶାସନ। ରାମଚନ୍ଦ୍ର ଦେବଙ୍କ ଅଷ୍ଟମ ଅଙ୍କ ତଥା ୧୭୩୧ ଖ୍ରୀ.ଅ. ତଥା ୧୬୫୩ ଶକାବ୍ଦ ଓ କଳିଯୁଗାବ୍ଦ ୪୮୩୨ରେ ତକିଖାଂ ପ୍ରଥମ କରି ଖୋର୍ଦ୍ଧା ରାଜ୍ୟ ଆକ୍ରମଣ କରିଥିଲେ।

ଏଥିରୁ ରକ୍ଷା ପାଇବା ପାଇଁ ଦ୍ୱିତୀୟ ରାମଚନ୍ଦ୍ର ଦେବ ଯୁଦ୍ଧ ଏଡ଼ାଇ ତାଙ୍କ ସହିତ ସନ୍ଧି ସ୍ଥାପନ ପାଇଁ ସନ୍ଧି ପ୍ରସ୍ତାବ ଦେଲେ। କିନ୍ତୁ ହିନ୍ଦୁ ବିଦ୍ଵେଷୀ ତକିଖାଁ ଏହି ପ୍ରସ୍ତାବକୁ ଗ୍ରହଣ ନକରି ବିଶ୍ୱାସ ଘାତକତା କରି ଯୁଦ୍ଧରେ ପରାସ୍ତ କରି ରାଜା ରାମଚନ୍ଦ୍ର ଦେବଙ୍କୁ କଟକର ବାରବାଟୀ ଦୁର୍ଗକୁ ଆଣି ବନ୍ଦୀ କରି ରଖିଲେ। ରାମଚନ୍ଦ୍ର ଦେବଙ୍କ ପୁତ୍ରମାନଙ୍କୁ ଖୋର୍ଦ୍ଧାରୁ ବାହାର କରିଦେବାରୁ ସେମାନେ ଆସି ଆଠଗଡ଼ ରାଜା ଜଗନ୍ନାଥ ହରିଚନ୍ଦନଙ୍କ ପାଖେ ଶରଣ ନେଲେ ଓ ଆଠଗଡ଼ ରାଜାଙ୍କ ସୈନ୍ୟଙ୍କ ସାହାଯ୍ୟରେ ରାମଚନ୍ଦ୍ର ଦେବଙ୍କ ପୁତ୍ର ଭାଗୀରଥି ଖୁରୁଧାରୁ ଓ ପୁରୀରୁ ମୁସଲମାନମାନଙ୍କୁ ତଡ଼ି ନିଜେ ଗଜପତି ରାଜା ବୋଲି ଘୋଷଣା କଲେ। ଏ ଖବର ଶୁଣି ତକିଖାଁ ବିଶାଳ ସେନା ବାହିନୀ ନେଇ ଭାଗୀରଥିଙ୍କୁ ପରାସ୍ତ କରି ଦୁର୍ଗକୁ ପୁନଃସ୍ଥାପନ କରିଥିଲେ।

ଭାଗୀରଥି ଦଶପଲ୍ଲା ଅରଣ୍ୟ ମଧ୍ୟକୁ ପଳାୟନ କଲେ। ଖୁରୁଧା ଦୁର୍ଗରେ ନଜରବନ୍ଦୀ ଥିବାବେଳେ ଦ୍ୱିତୀୟ ରାମଚନ୍ଦ୍ର ଦେବ ତକିଖାଁଙ୍କ ଦ୍ୱାରା ପୁରୀ ଶ୍ରୀମନ୍ଦିରରେ ଆକ୍ରମଣର ଆଶଙ୍କାକରି ଶ୍ରୀବିଗ୍ରହମାନଙ୍କୁ ଏକ ନିରାପଦ ସ୍ଥାନକୁ ଦୋବନ୍ଧା ବାଟରେ ଚାପରେ ଚିଲିକା ପାର କରାଇ ବାଣପୁର ନଇରି ଗ୍ରାମ ହରୀଶ୍ୱର ମଣ୍ଡପ ଓ ପରେ ଖଲିକୋଟ ଚିକିଲି ଗ୍ରାମରେ ନେଇ ରଖାଗଲା। ଏହି ସଂବାଦ ତକିଖାଁ ପ୍ରାପ୍ତ ହେବାପରେ ପୁନଃ ଖୋରଧା ଆକ୍ରମଣ କଲା। ରାମଚନ୍ଦ୍ର ଦେବ ପରାସ୍ତ ହୋଇ ନୟାଗଡ଼ ଓ ପରେ ଖଣ୍ଡପଡ଼ା ଓ ଶେଷରେ ବୋଲଗଡ଼ ଆଦି ସ୍ଥାନରେ ଆଶ୍ରୟ ନେଇ ରହିଲେ। ତକିଖାଁ ମୁର୍ଶିଦାବାଦରୁ କଟକ ଆସିବାପରେ ରାମଚନ୍ଦ୍ର ଦେବଙ୍କ ଉପରେ ରାଗି ପୁନଃ ଖୋର୍ଦ୍ଧା ଆକ୍ରମଣ କଲେ। ରାମଚନ୍ଦ୍ର ଦେବ ପଳାୟନ କରି ଜଂଗଲରେ ଲୁଚି ରହିଲେ ଓ ତକୀଖାଁ ଶ୍ରୀଜୀଉମାନଙ୍କୁ ଅପବିତ୍ର କରିବା ଭୟରେ ବାଣପୁର ମାଳନୀଳାଦ୍ରିଗଡ଼କୁ କିଛିଦିନ ସ୍ଥାନାନ୍ତର କରିବା ପରେ ଆଠଗଡ଼କୁ ନେବା ପାଇଁ ନିର୍ଦ୍ଦେଶ ଦେଲେ। ଆଠଗଡ଼ର ତତ୍‌କାଳୀନ ରାଜା ଜଗନ୍ନାଥ ହରିଚନ୍ଦନ ଜଗଦେବ ମାରଦାଠାରେ ମନ୍ଦିର ନିର୍ମାଣ କରାଇ ଠାକୁରମାନଙ୍କୁ ମନ୍ଦିର ସିଂହାସନ ଆରୋହଣ କରାଇଲେ। ମାରଦା ଶ୍ରୀମନ୍ଦିରରେ- ଚତୁର୍ଦ୍ଧା ମୂର୍ତ୍ତି ରାମଚନ୍ଦ୍ର ଦେବଙ୍କ ୧୩ ଅଙ୍କ ବୃଷ ୫ ଦିନ ପ୍ରାୟ ଦୁଇବର୍ଷ ଚାରିମାସରୁ ଊଦ୍ଧ୍ୱର୍ ସମୟ ଧରି ପୂଜିତ ହେଉଥିଲେ। ତକିଖାଁଙ୍କ ମୃତ୍ୟୁ ପରେ ଓଡ଼ିଶାର ନୂତନ ସୁବେଦାର ହେଲେ ଦ୍ୱିତୀୟ ମୁର୍ଶିଦ୍‌କୁଲିଖାଁ। ସେତେବେଳେ ପୁରୀ ଶ୍ରୀମନ୍ଦିର ଦେବତା ଶୂନ୍ୟ ହେବା ଯୋଗୁଁ ଓଡ଼ିଶାର ରାଜସ୍ୱ- ତୀର୍ଥଯାତ୍ରୀ ଟିକସ ଅହେତୁକ ଭାବେ ୯ ଲକ୍ଷ ଟଙ୍କା ଯାଏ କମିଯାଇଥିଲା। ଏଣୁ ରାଜକୋଷର ବୃଦ୍ଧି ପାଇଁ ମୁର୍ଶିଦକୁଲିଖାଂ ତାଙ୍କ ପ୍ରତିନିଧି ମୀର ହବିବ୍‌ଙ୍କୁ ଆଠଗଡ଼ ପଠାଇ ସେଠାରୁ ବଳପୂର୍ବକ ଶ୍ରୀଜୀଉମାନଙ୍କୁ ଶ୍ରୀମନ୍ଦିରରେ ନେଇ ପୁନଃ ପ୍ରତିଷ୍ଠା କରାଇଥିଲେ। ଶ୍ରୀଗୁଣ୍ଡିଚାରେ ରଥଯାତ୍ରାଦି ବିଧିବିଧାନ ଯଥା ରୀତି ପାଳନ କରିଥିଲେ। ସେ’ମଧ୍ୟ ରାମଚନ୍ଦ୍ର ଦେବଙ୍କୁ ଗାଦିଚୁ୍ୟତ କରାଇ ପଟିଆର ରାଜା ପଦ୍ମନାଭ ଦେବଙ୍କୁ ନୂତନ ଗଜପତି ରାଜା ଭାବେ ନିଯୁକ୍ତି କରିଥିଲେ। ଆଠଗଡ଼ର ମାରଦା ମନ୍ଦିରକୁ ମଥୁରା ଗ୍ରାମର ମନ୍ଦିର ନିର୍ମାଣ ଶିଳ୍ପକଳାରେ ନିପୁଣ ବିନ୍ଧାଣୀମାନେ ଦୁଇମାସ ଅହୋରାତ୍ର ପରିଶ୍ରମ କରି ଶ୍ରୀଜଗନ୍ନାଥଙ୍କ ପାଇଁ ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିର କଳେବର କୁଣ୍ଡାପଥର ଦ୍ୱାରା ନିର୍ମିତ। ମନ୍ଦିର ବିମାନ ଓ ଜଗମୋହନକୁ ନେଇ ଗଠିତ। ବିମାନଜଗମୋହନର ଦୈର୍ଘ୍ୟ ୩୫ ଫୁଟରୁ ୪୫ ଫୁଟ ଓ ପ୍ରସ୍ଥ ୨୨ ଫୁଟରୁ ୨୪ ଫୁଟ। ମନ୍ଦିରଟି ଏକ ବିସ୍ତୃତ ଚଉତରା ଉପରେ ନିର୍ମିତ। ମନ୍ଦିର କାନ୍ଥର ଚଉଡ଼ା ୪ ଫୁଟର ଅଧିକ। ବିମାନ ଓ ଜଗମୋହନ ମଧ୍ୟରେ ପୁରୀ ଜଗନ୍ନାଥ ମନ୍ଦିରର କବାଟ ଭଳି ଏକ କାଠର କବାଟ ରହିଛି। ବିମାନ ମନ୍ଦିରର ବାହାର ଚତୁଃପାଶ୍ୱର୍ କାନ୍ଥରେ ବାମନ, ନୃସିଂହ, ବରାହଙ୍କ ପ୍ରସ୍ତର ମୂର୍ତ୍ତି ରହିଛି। ଊଦ୍ଧ୍ୱର୍ରେ ଗରୁଡ଼, ଆମଳକ, ଖପୁରି, କଳସ ଏବଂ ନୀଳଚକ୍ର ଦ୍ୱାରା ବିମଣ୍ଡିତ। ୧୯୩୬ ମସିହା ମେ’ମାସରେ ଏହି ମନ୍ଦିରକୁ ଶୂନ୍ୟ କରି ଠାକୁରମାନଙ୍କୁ ପୁରୀ ଶ୍ରୀମନ୍ଦିରକୁ ନିଆଯିବା ପରେ ଏଠି କେବଳ ତିନୋଟି ଚକାପଥର (ବୈଠି) ମାତ୍ର ପୂଜା ପାଇ ଆସୁଛନ୍ତି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ନିଆଗଲା ବେଳେ ଶ୍ରୀମନ୍ଦିରରେ ସିଂହାସନ ରନିବେଦୀ ଶୂନ୍ୟ ପଡ଼ିଥିଲାଭଳି ଅନୁଭବ ଦର୍ଶକଙ୍କ ମନକୁ ଆସେ। ନିକଟସ୍ତ ପଥରା ଗ୍ରାମର ଜଣେ ପୂଜକ

ଏହି ମନ୍ଦିରରେ ଶ୍ରୀ ଜୀଉମାନେ ଚକାବୈଠିର ପୂଜାଉପାସନାରେ ଅଛନ୍ତି। ଜଗମୋହନର ତିନଟି ଦ୍ୱାର। ପୂର୍ବଦ୍ୱାର ଅପେକ୍ଷାକୃତ ବଡ଼। ଉପରେ ନବଗ୍ରହ ଦ୍ୱାର ମୁହଁରେ ଦୁଇଟି ସିଂହ। ଜଗମୋହନ ମନ୍ଦିର ମଧ୍ୟରେ ଗରୁଡ଼ ପୂଜିତ। ମନ୍ଦିର ପୁର୍ବ ଦ୍ୱାର ଦେଇ ସକାଳର ପ୍ରଥମ ସୁର୍ଯ୍ୟ କିରଣ ସର୍ବପ୍ରଥମେ ଠାକୁରଙ୍କ ସିଂହାସନ ଉପରେ ପଡ଼ିଥାଏ। ଶ୍ରୀମନ୍ଦିରର ପୂଜା ବିଧି ଓ ବ୍ୟବହାର ପାଇଁ ସିଂହଦ୍ୱାରର ଉତ୍ତର ପୂର୍ବ କୋଣକୁ ଏକ ଗଭୀର କୂପ ରହିଛି। ପାଶ୍ୱର୍ରେ ଏକ କ୍ଷୁଦ୍ର ମନ୍ଦିରରେ ହନୁମାନ ପୂଜିତ। ଠିକ୍‌ ପୁରୀଭଳି ମାରଦା ମନ୍ଦିରରେ ମଧ୍ୟ ଶ୍ରୀଲୋକନାଥ ଓ ବିମଳା ଭାବେ ମା’ ଭରାଣୀ ପୂଜିତ। ଲୋକନାଥ ମନ୍ଦିର ବାହାରେ ରହିଥିବା ଯୋଗୁଁ ଏହାଙ୍କୁ ଖରାଖିଆ ଲୋକନାଥ ବୋଲି କହନ୍ତି। ଆଠଗଡ଼ ରାଜା ଶ୍ରୀଜଗନ୍ନାଥଙ୍କ ଏହି ମନ୍ଦିରର ରହଣି କାଳରେ ଦୈନିକ ଶ୍ରୀଜୀଉମାନଙ୍କ ସେବାପାଇଁ ତିନି ନଉତି ଚନ୍ଦନ ଲାଗି କରାଉଥିଲେ ଓ ଠାକୁରଙ୍କ ଭୋଗପାଇଁ ପାଂଚନଉତି ଅରୁଆଚାଉଳ ସହ ତଦ୍‌ଅନୁରୁପ ଡ଼ାଲି, ପରିବା ପତ୍ରାଦି ଅନ୍ନଭୋଗ, ବାଳଭୋଗ, ଖୀରି, ପୁଳି, ୮୦ହାଣ୍ଡି ଶୁଖିଲା ଭୋଗ ଆଦି ଯୋଗାଇ ଦେଉଥିଲେ। ଏଠାରେ ଜଗନ୍ନାଥଙ୍କ ଭୋଗ, ପୂଜାନୀତି ପାଳନ ଓ ରଥଯାତ୍ରାରେ କୌଣସି ଦ୍ରବ୍ୟର ଅଭାବ ଅନୁଭବ ହେବାକୁ ଆଠଗଡ଼ ରାଜା ଦେଉନଥିଲେ। ରଥଯାତ୍ରାରେ ଦ୍ୱିତୀୟ ରାମଚନ୍ଦ୍ର ଦେବ ଗଜପତି ରାଜା ପରାସ୍ତ ହୋଇଯିବା ପରେ ଆଠଗଡ଼ରେ ଆଶ୍ରୟ ନେଇଥିଲେ ମଧ୍ୟ ସ୍ୱସମ୍ମାନରେ କୌଣସି ମତେ ଟିକିଏ ବି ଊଣା କରାଇ ଦିଆନଯାଇ ପୁରୀଭଳି ଗଜପତିଙ୍କ ଦ୍ୱାରା ବିଧି ଅନୁଯାୟୀ ଛେରାପହଁରା କରାଯାଇଥିଲା। ଆଠଗଡ଼ ରାଜା ଠାକୁରମାନଙ୍କ ପୂଜାନୀତିର ପରିଚାଳନା ପାଇଁ ୯ଶହ ଭରଣ ଧାନ ଓ ୫୧୦ ଭରଣ ଭୂ-ସଂପତ୍ତି ଖଂଜା କରିଦେଇଥିଲେ। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ କାହିଁ କେଉଁଦୂର ଅତୀତରୁ ପୁରୀ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ହୋଇ ଗଜପତିମାନଙ୍କ ଦ୍ୱାରା ସେବା ପୂଜା ଗହଳି ଚହଳିରେ ମଂଚ ସ୍ୱର୍ଗରେ ପରିଣତ ହୋଇଥିଲା। କିନ୍ତୁ ଧର୍ମ ବିଦେ୍ୱଷୀ ମୁସଲମାନ ରାଜାମାନଙ୍କ ଆକ୍ରମଣରେ ଆମ ଧର୍ମ ଆମ ସଂସ୍କୃତି ମୁମୁର୍ଷୁ ଅବସ୍ଥାରେ ପହଁଚିଥିଲା। ସେ ଯାହାହେଉ ଗଂଜାମର ବୀର ମାଟି ସେହି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଯବନମାନଙ୍କ ଅଗୋଚରରେ ନିଜ ମାଟିରେ ମନ୍ଦିର ତୋଳାଇ ପାଖାପାଖି ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଅଢ଼େଇବର୍ଷ ଧରି ଠାକୁରମାନଙ୍କ ଓ ଠାକୁର ରାଜା ଗଜପତି ରାମଚନ୍ଦ୍ର ଦେବଙ୍କୁ ସସମ୍ମାନ ପ୍ରଦାନ ପୂର୍ବକ ନିଜ ଇଲାକାରେ ରଖି ପୂଜାସେବା କରିବାର ସ୍ୱର୍ଗୀୟ ସୌଭାଗ୍ୟ ପ୍ରାପ୍ତ କରିଥିଲେ। ଏଥିପାଇଁ ଆଠଗଡ଼ ରାଜା ଜଗନ୍ନାଥ ହରିଚନ୍ଦନଙ୍କୁ ‘ଜଗଦେବ’ ଉପାଧି ସହ ‘ଶରଣ ପର’ ଉପାଧି ଅର୍ପଣ କରାଯାଇଥିଲା। ଏହାସହ ଗଜପତିଙ୍କ ଦ୍ୱାରା ବଡ଼ ଏକାଦଶୀ ତିଥିରେ ମଧ୍ୟରାତ୍ରରେ ମହାଦୀପ ଉଠିଲା ବେଳେ ଆଠଗଡ଼ ରାଜାବଶଂର ସୁରକ୍ଷାପାଇଁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରାଯାଉଛି। ଯଥା ‘ଶରଣ ପର’ ମାନ-ଉଦ୍ଧାରଣ ବୀରାଧିବୀର ବର ଭାଇ ଜଗଦେବଙ୍କୁ ଶଂଖରେ ପୂରାଇ ଚକ୍ରଉହାଡ଼ରେ ରକ୍ଷାକର ଡ଼ାକର ସାର୍ଥକତା ରହିଛି। ସେହି ଦିନରୁ ଗଂଜାମର ଏହି ଆଠଗଡ଼କୁ ଶରଣ ଶ୍ରୀକ୍ଷେତ୍ର ବା ଶରଣ ଧରଣୀ ଭାବରେ ପରିଚିତ ହେଲା। ଏହାକ’ଣ ଆମ ପାଇଁ କମ୍‌ ସୌଭାଗ୍ୟ ଓ ଗର୍ବର କଥା। ଶ୍ରୀମନ୍ଦିରରେ ବଡ଼ ଏକାଦଶୀ ଓ ଦୀପାବଳି ତିଥିରେ ମହାଦୀପ ଦାନ ବେଳେ ‘ଶରଣ ପର ମାନ ଉଦ୍ଧାରଣ ଭାଇ ଜଗଦେବ ରାଣାଙ୍କୁ ଶଂଖରେ ପୂରାଇ ଚକ୍ର ଆତୁଆଳରେ ରଖିବା ଆଜ୍ଞା ହେଉହେ ମଣିମା...’ ଇତ୍ୟାଦି ଡ଼ାକପଡ଼ିବା ବ୍ୟବସ୍ଥା ଶ୍ରୀମନ୍ଦିରରେ ଏବେ ବି ପ୍ରଚଳିତ ଥିବା ସହ ଆଠଗଡ଼ ରାଜାଙ୍କୁ କୃତଜ୍ଞତା ସ୍ୱରୂପ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ସେବାଅଧିକାର ମିଳିଛି। ‘ଶରଣ ପର ମାନଉଦ୍ଧାରଣ ବାଘେଇ ବାଦସା’ ପଦରେ ଭୂଷିତ କରି ଆଠଗଡ଼ ରାଜା ଗଜପତିଙ୍କ ତରଫରୁ ଶାଢ଼ୀ ଓ ସନନ୍ଦ ପ୍ରଦାନ କରାଯାଇଛି। ନୀଳଚକ୍ରରେ ଶରଣ ପର ବାନା ଉଡ଼ୁଛି। ଏହା ଛଡ଼ା ଜଗଦ୍ଦେବ ଉପାଧି ବଡ଼ଦାଣ୍ଡରେ ଗଜପତିଙ୍କ ତତୁଲ୍ୟ ରାଜକୀୟ ଆଡ଼ମ୍ବରରେ ଗମନ କରିବା, ଗଜପତିଙ୍କ ସିଂହାସନ ନିକଟରେ ମର୍ଯ୍ୟାଦାପୂର୍ଣ୍ଣ ଆସନ, ମୁକ୍ତି ମଣ୍ଡପରେ ଷୋଢ଼ଶ ସ୍ତମ୍ଭର ଅଧିକାର, ରଥ ଓ ଚାପ ଯାତ୍ରାରେ ଚାମର ଦାନର ସୁଯୋଗ, ପୁରୀରେ ଆଠଗଡ଼ିଆ ସାହି ପ୍ରତିଷ୍ଠା ଆଦି ବହୁ ସମ୍ମାନର ଅଧିକାର ପ୍ରାପ୍ତ କରାଯାଇଛି। ମାଦଳା ପାଞ୍ଜିରେ ମାରଦା ଜଗନ୍ନାଥ ମନ୍ଦିର ବିଷୟରେ ଦୁଇଥର ଉଲ୍ଲେଖ କରାଯାଇଛି। ଏଥିରୁ ଜଣାଯାଇଛି ଯେ ବହୁବାର ମୁସଲ୍‌ମାନ୍‌ମାନେ ଆମ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଏଥିପାଇଁ ଠାକୁରମାନଙ୍କୁ ବହୁବାର ସ୍ଥାନାନ୍ତର କରାଯାଇଛି ଏବଂ ଶେଷଥର ପାଇଁ ତକିଖାଁ ଆକ୍ରମଣ ଆଶଙ୍କାରେ ପ୍ରଭୁମାନଙ୍କର ଅଳଙ୍କାର ସବୁକୁ ପାତାଳେଶ୍ୱରଙ୍କ ମନ୍ଦିରରେ ଲୁଚାଇ ରଖି ଠାକୁରମାନଙ୍କୁ ମାରଦାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟତ୍ର ମାଦଳା ପାଞ୍ଜିର ରାଜଭୋଗ ଇତିହାସ ନରସିଂହ ଦେବଙ୍କ ରାଜତ୍ୱରେ ବର୍ଣ୍ଣନା ରହିଛି ଯେ: ‘ମହାରାଜାଙ୍କ ୧୨ଙ୍କ ସାହାଜାହାନ୍‌ ପାତିଶା ପାଟଣାରୁ ଭାଗି ଓହଲାରୁ ପରମେଶ୍ୱରଙ୍କୁ ଖୁରୁଧା କଟକ ନେଇ ମେରେଦାରେ ବିଜେ କରାଇଲେ’। ପୁଣି ଖୁରୁଧା ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ମାଦଳା ପାଞ୍ଜିରେ ଉଲେଖ ରହିଛି ଯେ ଧନୁ ୨୯ଦିନେ ନବାବ୍‌ ରସୁଲଖାଁ ଆସି ଖୁରୁଧା ଘେନିଲାକୁ ପରମେଶ୍ୱଙ୍କ ନଇରୁ ଆଠଗଡ଼ ସୀମାରେ ମାରେଦା ବିଜେ କରାଇଲେ’।

ଅତୀତର କିମ୍ବଦନ୍ତୀ, ଧର୍ମୀୟମହତ୍ତ୍ଵଯୁକ୍ତ ଓ ଐତିହ୍ୟପୂର୍ଣ୍ଣ ମାରଦା ମନ୍ଦିର ଆଜି ଜନଶୁନ୍ୟ ଓ ହିଂସ୍ରଜନ୍ତୁଙ୍କ ବାସସ୍ଥଳୀ। ରକ୍ଷଣାବେକ୍ଷଣ ପ୍ରତି କେହି ଧ୍ୟାନ ନଦେବାରୁ ଭାଲୁମାନେ କବାଟ ଦୁଇଟିକୁ (ରାମ୍ପୁଡ଼ି) ନଷ୍ଟ କରିଦେଇ ଶୂନ୍ୟ ମନ୍ଦିର ମଧ୍ୟରେ ଆସ୍ଥାନ ଜମେଇ ସାରିଲେଣି। ସ୍ଥାନୀୟ ବ୍ୟକ୍ତି-ବିଶେଷ ବିଶେଷରେ ଯୁବ ଗୋଷ୍ଠୀମାନଙ୍କ ଉଦ୍ୟମ ଫଳରେ ୨୦୦୬ ମସିହାରୁ ପୋଲସରା ବୁଢ଼ାଆମ୍ବ ମୁଖ୍ୟରାସ୍ତାରୁ ଶରଣ ଶ୍ରୀକ୍ଷେତ୍ର ଛକଠାରୁ ମନ୍ଦିରକୁ ଏକ ସବୁଦିନିଆ ରାସ୍ତା ତିଆରି କରାଯାଇଛି। ଗଂଜାମ ଜିଲା ପ୍ରଶାସନ ଓ ପୁରୀ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଏଠାରେ ପୂଜାନୀତିର ପରିଚାଳନା ପାଇଁ ଆର୍ଥିକ ସହାୟତା ପାଇଁ ବହୁଦିନରୁ ନିବେଦନ କରାଯାଇଥିଲେ ମଧ୍ୟ ସେମିତି କିଛି ସୁଫଳ ମିଳିନି। ପୁରୀ ମନ୍ଦିର ପ୍ରଶାସନଙ୍କଠାରୁ ୨୦୦୮ ମସିହାରେ ଦୈନିକ ଏକଶହ ଟଙ୍କା ପୂଜାର୍ଚ୍ଚନା ପାଇଁ ଯୋଗାଇ ଦିଆଯାଉଥିଲା।ଯଦିଚ ଠାକୁରଙ୍କ ନୀତି ବାଳଭୋଗ, ଅନ୍ନଭୋଗ ସମେତ ଯାନିଯାତ୍ରା ପାଇଁ ଏହା ସମୁଦ୍ରକୁ ଶଂଖେ। ପୁଣି ୨୦୧୩ କାର୍ତ୍ତିକ ମାସଠାରୁ ଏହି ଶହେଟଙ୍କା ମଧ୍ୟ ଆଉ ପୁରୀ ମନ୍ଦିର ପ୍ରଶାସକଙ୍କଠାରୁ କୈଣସି କାରଣ ନଦର୍ଶାଇ ବନ୍ଦ କରିଦିଆଯାଇଛି। ଏପରି ସ୍ଥଳେ ଓଡ଼ିଆଙ୍କ ସ୍ମୃତିତରଙ୍ଗ ଅବଗାହାନକୁ ଥିବା ଶରଣ ଶ୍ରୀକ୍ଷେତ୍ରର ଅବସ୍ଥା ଏବେ ସଂକଟାପନ୍ନ। ସରକାରୀ ସ୍ତରରେ ଠାକୁରଙ୍କୁ ଦିଆଯାଇଥିବା ୨୫ଏକର ଭୂସମ୍ପତ୍ତି ଓ ଅନ୍ୟାନ୍ୟ ସଂପତ୍ତିର ସୁରକ୍ଷା ପାଇଁ ପଦକ୍ଷେପ ନିଆଗଲେ ରୟତମାନଙ୍କଠାରୁ ମନ୍ଦିର ପରିଚାଳନା ଖର୍ଚ୍ଚ ତୁଲା ଯାଇପାରିବ। ଏହା ବ୍ୟତୀତ ପ୍ରତ୍ନତାତ୍ଵିକ ବିଭାଗ, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଗଞ୍ଜାମର ଏହି ମାରଦା ମନ୍ଦିର ପରିଚାଳନା, ମନ୍ଦିର ସୁରକ୍ଷାଦି ପ୍ରତି ଦୃଷ୍ଟିନଦେଲେ: ଏଡ଼େ ସୁନ୍ଦର ଚତୁର୍ଦ୍ଧାମୁର୍ତ୍ତିଙ୍କ ସ୍ମୃତି ବିଜଡ଼ିତ-ଓଡ଼ିଶା ଇତିହାସର ଏକ ବିଶେଷ ଅଧ୍ୟାୟ ପରପିଢ଼ିଙ୍କ ଦୃଷ୍ଟିରୁ ସବୁକାଳ ପାଇଁ ଲୋପ ପାଇଯିବ ଏଥିରେ ସନ୍ଦେହ ନାହିଁ।

©ପ୍ରାବନ୍ଧିକ ଐତିହାସିକ --- ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରୀପାଠୀ (ହରିତସ୍)

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...