Skip to main content

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok


ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ଆମେ ସମସ୍ତେ ବ୍ୟବହାର କରୁ ।

ଏକବିଂଶ ଶତାବ୍ଦୀରେ ବିଭିନ୍ନ ପ୍ରସଙ୍ଗରେ ଆମେ କହୁଥିବା ଓଡ଼ିଆକୁ ଅନୁଧ୍ୟାନ କଲେ Ok ଶବ୍ଦର ବହୁଳ ବ୍ୟବହାର କଥା ଜଣାପଡ଼େ । ଶ୍ରେଣୀଗୃହ ଭିତରେ ଶିକ୍ଷକ ଶିକ୍ଷାଦାନ କଲାବେଳେ ଛାତ୍ରଛାତ୍ରୀ କଥାବାର୍ତ୍ତା କଲାବେଳେ, ସାଙ୍ଗମାନଙ୍କ ଗହଣରେ, ଘରେ ବାପା, ମା’ ସହ କଥାବାର୍ତ୍ତା କଲାବେଳେ, ମୋବାଇଲ୍‌ରେ ମେସେଜ୍ ଦେଲାବେଳେ କି ମୋବାଇଲରେ କଥାହେଲା ବେଳେ, ଇ-ମେଲ୍ ଲେଖିଲା ବେଳେ, ଚାର୍ଟ କଲାବେଳେ, ଚଳଚ୍ଚିତ୍ର ବା ନାଟକରେ ଚରିତ୍ରର ସଂଳାପରେ ଆମେ Ok ଶବ୍ଦଟିକୁ ବ୍ୟବହାର କରିଥାଉ ।

ବୈଷୟିକ ବିଜ୍ଞାନ ଏବଂ ବୈଷୟିକ କୌଶଳ ଜାଣିଥିବା ବା ବ୍ୟବହାର କରୁଥିବା ମଣିଷର ଦୈନନ୍ଦିନ ଜୀବନରେ Ok ଶବ୍ଦର ବ୍ୟବହାର ବହୁଳଭାବରେ ଦେଖାଯାଏ । କେତୋଟି ପ୍ରସଙ୍ଗରେ ଏହି ଶବ୍ଦଟିର ଅର୍ଥ ହେଉଛି ସବୁଠିକ୍ ବା ହଁ ସ୍ଵୀକାର କରିବା ଅର୍ଥରେ , ସମ୍ମତି ଅର୍ଥରେ Ok ଶବ୍ଦଟି ଆମେ ପ୍ରୟୋଗ କରୁ ।

ଏହି ଶବ୍ଦଟି ଲିଖିତ ଇଂରାଜୀ ଭାଷାରେ ଆଜି ୧୭୫ ବର୍ଷ ପୁରୁଣା ଅଟେ । ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାର ସେତେବେଳର ସମ୍ବାଦପତ୍ର ଦି ବୋଷ୍ଟନ ମର୍ଣ୍ଣିଙ୍ଗ ପୋଷ୍ଟରେ ଏହି ଶବ୍ଦଟିର ବ୍ୟବହାର ଦେଖାଯାଏ ।

ଆଲାନ ମେଟକଫ୍ ଜଣେ ଇଂରାଜୀ ପ୍ରାଧ୍ୟାପକ ଏବଂ ଏହି ଶବ୍ଦର ଇତିହାସ ବିଷୟରେ ଇଲିନଏସ୍‌ରେ ଯିଏ ଗବେଷଣାରତ, ତାଙ୍କର ପୁସ୍ତକ Ok ଦି ଇମପ୍ରୋବେବୁଲ୍ ଷ୍ଟୋରୀ ଅଫ ଆମେରିକାସ୍ ଗ୍ରେଟେଷ୍ଟ ୱାର୍ଡ଼ରେ ଠkକୁ କଥିତ ଭାଷାରେ ସବୁଠୁ ବେଶୀ ପ୍ରଚଳିତ ଶବ୍ଦ ବୋଲି ଉଲ୍ଲେଖ କରିଛନ୍ତି ଏହି ଶବ୍ଦଟିର ବ୍ୟୁତ୍ପତ୍ତି ଲାଟିନ୍ ବା ଗ୍ରୀକ୍ ଭାଷାରେ ନାହିଁ ବରଂ ଏହା ୧୮୩୦ର ଅଲ୍ କରେକ୍ଟର(Oll karrect)ର ଅପଉଚ୍ଚାରଣରୁ ଆସିଛି ବୋଲି ମେଟକଫ୍ କହନ୍ତି ।

ଆଲାନ ୱାକର୍ ରିଡ଼ ମଧ୍ୟ ଏହା ଉପରେ ଗବେଷଣା କରି ୧୮୩୯ ମସିହାର ବୋଷ୍ଟନ ମର୍ଣ୍ଣିଙ୍ଗରେ ପ୍ରଥମେ ଲେଖା ହୋଇଥିବାର ପ୍ରକାଶ କରିଥିଲେ ।

ଏହି ଶବ୍ଦଟିର ବହୁଳ ବ୍ୟବହାର ୧୮୪୦ର ଆମେରିକୀୟ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳେ । ସେତେବେଳେ ରାଷ୍ଟ୍ରପତି ମାର୍ଟିନ ଭନ ବୁରେନ୍ ଯାହାଙ୍କ ଡ଼ାକ ନାମ ଥିଲା ଓଲଡ଼ କାଇଣ୍ଡର ହୁକ୍,ତାଙ୍କର ସମର୍ଥକମାନେ ମାର୍ଟିନଙ୍କ ପ୍ରଚାର ପାଇଁ Ok କ୍ଲବ୍‌ ଗଠନ କରିଥିଲେ ।

ଯଦିଓ ମାର୍ଟିନ ନିର୍ବାଚନ ଜିତିନଥିଲେ Ok ଶବ୍ଦଟି ସମସ୍ତଙ୍କ ସ୍ମୃତିରେ ରହିଯାଇଥିଲା । ଏହାର ବ୍ୟୁତ୍ପତ୍ତି ଉପରେ ବହୁ ବିବାଦୀୟ ତତ୍ତ୍ଵ ରହିଥିଲେ ହେଁ ବିଂଶ ଏବଂ ଏକବିଂଶ ଶତାବ୍ଦୀରେ ଏହି ଶବ୍ଦଟିର ବ୍ୟବହାର ବହୁଗୁଣରେ ବଢ଼ିଯାଇଛି ।

ଗୋଟିଏ ସ୍ଵରବର୍ଣ୍ଣ ଏବଂ ଗୋଟିଏ ବ୍ୟଞ୍ଜନ ବର୍ଣ୍ଣରେ ଗଠିତ ଏହି ଶବ୍ଦଟି ବ୍ୟବହାର କରିବାକୁ ଖୁବ୍ ସହଜ, କହିବାକୁ ସରଳ ଏବଂ ଲେଖିବାରେ ବି ସଂକ୍ଷିପ୍ତ । କଥିତ ଓଡ଼ିଆ ଭାଷାରେ Ok ଶବ୍ଦଟି ଏମିତି ମିଶିଗଲାଣି ଯେ ବ୍ୟବହାର କଲାବେଳେ ବିଦେଶୀୟ ଶବ୍ଦ ବୋଲି ଜଣା ବି ପଡ଼େନି ।

ଅନୌପଚାରିକ କଥିତ ଭାଷାରେ ଏହାର ବ୍ୟବହାର ବେଶି । ୧୮୩୯ ମାର୍ଚ୍ଚ ୨୩ ତାରିଖର ଦି ବୋଷ୍ଟନ ମର୍ଣ୍ଣିଙ୍ଗ ପୋଷ୍ଟରେ ଏହି ଶବ୍ଦଟି ପ୍ରଥମେ ଲେଖା ହୋଇଥିବାରୁ ଏହି ତାରିଖକୁ ତା’ର ଜନ୍ମଦିନ ବୋଲି ଗ୍ରହଣ କରାଯାଏ ।

⚫⚫⚫⚫⚫⚫⚫⚫⚫⚫⚫⚫⚫
📝 ଆଦିତ୍ୟ କୁମାର ପଣ୍ଡା
🏫ଭାରତୀୟ ଭାଷା ସଂସ୍ଥା ,ମହୀଶୂର
⚫⚫⚫⚫⚫⚫⚫⚫⚫⚫⚫⚫⚫

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...