Skip to main content

କୁଣ୍ଢାକୁଣ୍ଢି ଅମାଵାସ୍ୟା

କଥା ରେ ଅଛି ଵାର ମାସେ ତେର ପର୍ଵ, କିନ୍ତୁ ଦେଖିଵାକୁ ଗଲେ ପ୍ରତ୍ୟେକ ମାସରେ ଓଡ଼ିଆଙ୍କ ଗୃହରେ ପାଳନ ହୋଇଥାଏ ଅତିକମ ରେ ଚାରିଟିରୁ ପାଞ୍ଚ ଟି ପର୍ଵ। ସମଗ୍ର ଓଡିଶା ର ପର୍ଵପର୍ଵାଣି ପରୋକ୍ଷ କିମ୍ଵା ପ୍ରତ୍ୟକ୍ଷ ଭାଵରେ ଜଗନ୍ନାଥ ସଂସ୍କୃତି ଓ କୃଷିକାର୍ଯ୍ୟ ସହ ଜଡ଼ିତ।

ଏହି ପରି ଏକ ପର୍ଵ ହେଉଛି ଭାଦ୍ରଵ ଅମାଵାସ୍ୟା ଯାହା ଉପକୂଳ ଓଡିଶାରେ ସପ୍ତପୁରୀ ଅମାଵାସ୍ୟା ରୂପେ ପରିଚିତ। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ଏହି ଦିନ ମହାପ୍ରଭୁ ଙ୍କ ନିକଟ ରେ ସପ୍ତପୁରୀ ଭୋଗ ଲାଗି ହୁଏ। ଏହି ଦିନ ରେ ଏକ ପିଠା ଭୋଗ ହୋଇଥାଏ। ଯହିଁରେ ସାତ ପରସ୍ତ ପୁର ମତାନ୍ତରେ ସାତ ପ୍ରକାର ପୁର ଦିଆ ଯାଇଥାଏ। ତେଣୁ ଏହାର ନାମ ସପ୍ତପୁରୀ ଅମାଵାସ୍ୟା।

ପଶ୍ଚିମ ଓଡିଶାରେ ଵିଶେଷ କରି ସୋନପୁର ,ଜୁନାଗଡ଼ ଆଦି ଅଞ୍ଚଳ ରେ ଏହାକୁ ପୂରା ଉଆଁସ ଵା କାଞ୍ଚିକୁଣ୍ଢି ପର୍ଵ କୁହନ୍ତି। ଏ ଦିନ ସେଠାରେ ଛୋଟ ଛୁଆମାନେ ଗାଈ, ଵଳଦ, ଘୋଡ଼ା ଆଦି କାଠ ତିଆରି ଖେଳନା ଵାଉଁଶ ତିଆରି କୁଲାରେ ନେଇ ଏକ ଜାଗା ରେ ଖେଳନ୍ତି।ଏହାକୁ କୌଶୀ ଅମାଵାସ୍ୟା ବି କୁହାଯାଏ। ତେଣୁ କରି ପିତୃ ତର୍ପଣ ନିମିତ୍ତ କୁଶ ଆଜି ସଂଗ୍ରହ କରାଯାଏ।ଏହି ଦିନ ପିତୃ ପୁରୁଷଙ୍କୁ ପିଣ୍ଡ ଦେଵାର ଵିଧି ରହିଛି। ସମଗ୍ର ଦକ୍ଷିଣ ଓଡିଶାରେ ଏହି ଦିନ ଟି କୁଣ୍ଢାକୁଣ୍ଢି ଅମାଵାସ୍ୟା ଭାଵେ ଖୁଵ୍ ପରିଚିତ।

ପ୍ରଥମେ କୁଣ୍ଢାକୁଣ୍ଢି ଶୁଣିଲେ ମନକୁ କୋଳାଗ୍ରତ ଅଵା ଆଲିଙ୍ଗନ ଶଵ୍ଦ ଟି ଆସେ। କିନ୍ତୁ ଏଠାରେ ଏହାର ଅର୍ଥ ତାହା ନୁହେଁ। ସାମାଜିକ ଦୃଷ୍ଟିକୋଣ ରୁ ଏହି ପର୍ଵ ଵିଶ୍ୱାସର ପର୍ଵ ରୂପେ ଜଣାଯାଏ। ଏହି ଦିନ ଗୟା ଶ୍ରାଦ୍ଧ ଵା ଜଗନ୍ନାଥ ଦର୍ଶନ ଲାଗି ପରିଣତ ଵୟସର ଲୋକ ମାନେ ତିର୍ଥାଟନ ରେ ଵାହାରୁ ଥିଲେ। ଯାତ୍ରା ପୁର୍ଵ ରୁ ନିଜ ଧନ ସମ୍ପତ୍ତି ଆଦି ଅଞ୍ଚଳ ର ଗୁଣୀ, ଧନୀ ଵା ପ୍ରତିପତ୍ତି ଥିଵା ଵ୍ୟକ୍ତି ଙ୍କ ଘରେ ରଖି ଯାଉଥିଲେ। ପୁଣି ତୀର୍ଥ ରୁ ଫେରିଲେ ସେ ଜିନିଷ ସଵୁ ଫେରସ୍ତ ନେଉଥିଲେ। ଦୈଵାତ୍ କାହାର ଯଦି ମୃତ୍ୟୁ ହୋଇଯାଏ, ତେଵେ ତାହା ଉକ୍ତ ପରିଵାର ର ଉତ୍ତର ଦାୟାଦ ମାନେ ପାଉଥିଲେ। ଏହା ଆମ ସମାଜ ର ଵିଶ୍ୱସନୀୟତା ର ପରିଚାୟକ। କେହି କେତେଵେଳେ ଆଗାମୀ ଦିନ ରେ ଏହି ନ୍ୟସ୍ତ ଧନ ଦେଵାରେ ପଛଘୁଞ୍ଚା କରିପାରେ ଏଥିଲାଗି, ଏହି ଅମାଵାସ୍ୟା ଦିନ ସନ୍ଧ୍ୟା ରେ ନିଜ ସମସ୍ତ ଆୟଅଳଙ୍କାର ମାନ ଘର ର ଝିଅ, ଵୋହୂ ମାନଙ୍କୁ ପିନ୍ଧାଇ ସାହି ରେ ସାତ ଘରେ ଵୁଲାଇ ଆଣୁଥିଲେ । ଭଵିଷ୍ୟତ ରେ କିଛି ମତାନ୍ତର ଵା ଦ୍ଵନ୍ଦ ଉଭା ହେଲେ ସାହି ପଡୋଶୀ ସାତ ଘର ଵିଶ୍ୱାସ ର ଏହି ପ୍ରଥା କୁ ସାକ୍ଷ୍ୟ ହିସାଵରେ ରଖୁଥିଲେ। ପ୍ରାଚୀନ ଦକ୍ଷିଣ ଓଡିଶା ଉପଭାଷା ରେ କୁଣ୍ଢା ଅର୍ଥ ମାଟି ହାଣ୍ଡି, କୁଣ୍ଢି ଅର୍ଥ ପନିକୀ ଵୋଲି ପଣ୍ଡିତ ଯୁଗଳ କିଶୋର ପାଣିଗ୍ରାହୀ ମତ ଦିଅନ୍ତି।ଘର ର ଯେଉଁ ଵଡ଼ ଲୋକ ମାନେ ଏହି ଦିନ ତୀର୍ଥ ଭ୍ରମଣ ରେ ଵାହାରନ୍ତି ସେମାନେ ସାଥିରେ ଵାଟ ରେ ରୋଷେଇ ପାଈଁ ହାଣ୍ଡି,ପନିପରିଵା ଓ ତାକୁ କାଟିଵାକୁ ପନିକୀ ଓ ଅଵଶ୍ୟକ ଗୃହ ଉପକରଣ ଘେନି ଯାଆନ୍ତି। ହେଲେ ଫେରିଲା ଵେଳେ କେତେକ ଫେରନ୍ତି ଆଉ କେତେକ ଵାହୁଡ଼ନ୍ତି ନାହିଁ। ସେହି ପୁର୍ଵଜ ଙ୍କ ସ୍ମୃତି ଚାରଣ କରିଵା ପାଇଁ ଏହି ଦିନ ଘର ର ଛୋଟ ମାନେ ମାଟି ରେ ତିଆରି ଗୃହ ଉପକରଣ ଯଥା ହାଣ୍ଡି(କୁଣ୍ଢା), ଵେଲା,ଚଢୁଆ, ଗିନା, ପନିକୀ(କୁଣ୍ଢି) ମତାନ୍ତରେ ପାତ୍ର ଭଳି ଜିନିଷ ତିଆରି କରି ପୂଜା କରନ୍ତି। ତେଣୁ କରି ଏହାର ନାମ କୁଣ୍ଢାକୁଣ୍ଢି ଅମାଵସ୍ୟା।

ପୁଣି ଏହି ଦିନ ଯେହେତୁ ଵୟୋଜ୍ୟେଷ୍ଠ ଲୋକ ମାନେ ଘର ଛାଡ଼ି ଯାଆନ୍ତି।ଘରେ ଥିଵା ଛୁଆ ମାନଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟ ରେ ଷଠି ଠାକୁରାଣୀ ଙ୍କୁ ପୂଜା କରି ଘରୁ ଵାହାରନ୍ତି। ସେଦିନ ଛୋଟ ଛୋଟ ଝିଅ ମାନେ ସଜଵାଜ ହୋଇ ଦକ୍ଷିଣ ଓଡିଶା ରେ ପରିଚିତ ପିଠା ଓ ମିଠା ସାହି ର ସାତ ଘରେ ଗୀତ ଗାନ କରି ଵାଣ୍ଟି ଥାଆନ୍ତି। ଉଖୁର ଖଜା, ରାଶି ଖଜା, ମୁଗୁଡ଼ି ଖଜା, ଠୁଲୁକା, ପାଗ ଉଖୁଡା ଓ ଚଲ୍ଲା ଆଦି ଏହି ଉତ୍ସଵ ର ପ୍ରଧାନ ପିଠାପଣା। ଗୀତ ଵୋଲି ଗାଆନ୍ତି:

“ଓଡିଶା କୁ ଯିଵି ଵୋଲି ପିନ୍ଧିଥିଲି ପାଟ

ଓଡିଶା ର ଲୋକେ ନ ଛାଡ଼ିଲେ ଵାଟ।

ଆସ ଗୋ ଗଙ୍ଗା ଯିଵା, ଗୟା ଯିଵା ,ଜଗନ୍ନାଥ ଦରଶନ କରିଵା।।

ଏହି ପରମ୍ପରା କେଉଁ କାଳ ରୁ ଦକ୍ଷିଣ ଓଡିଶା ରେ ପ୍ରଚଳିତ ହୋଇ ଆସୁଅଛି। ଇତିହାସ କୁହେ ପଣ୍ଡିତ ଗୋପଵନ୍ଧୁ ଦାସ ଥରେ ପ୍ରାଚୀନ ଗଞ୍ଜାମ ଜିଲ୍ଲା ର ପାରଳା ସହର ଆସିଥିଵା ସମୟ ରେ ଏହି ପର୍ଵ ଟି ପଡ଼ିଥିଲା। ସେ ଏହି ଵିଷୟ ରେ ଅଵଗତ ନଥିଲେ, ସେଠାରେ ଥିଵା ଆନନ୍ଦ ମଠ ରେ ଗୋପଵନ୍ଧୁ ଙ୍କ ରହଣି ସମୟ ରେ କିଛି ଲୋକ ଆସି ଜାତିପ୍ରାଣ ଆପନ୍ନା ପାରିଚ୍ଛା ଙ୍କୁ କିଛି ଗଣ୍ଠିଲି ଦେଇ ଯାଆନ୍ତି। ପରିଚ୍ଛା ମହୋଦୟ ତାକୁ ଏକ କଠୋରୀ ରେ ରଖିଆସି ଉକ୍ତ ଵ୍ୟକ୍ତି ଙ୍କୁ “ରହିଲା” ଵୋଲି ଉତ୍ତର ଦିଅନ୍ତି। ପରେ ଏ ଵିଷୟ ରେ ପଣ୍ଡିତ ଗୋପଵନ୍ଧୁ ଆପନ୍ନା ଙ୍କୁ ପଚାରନ୍ତେ ସେ କୁଣ୍ଢାକୁଣ୍ଢି ଅମାଵାସ୍ୟା ଵିଷୟ ରେ ଵିସ୍ତାର କରି କୁହନ୍ତି। ଏହା ଶୁଣି ଗୋପଵନ୍ଧୁ ଉକ୍ତ ପରମ୍ପରା କୁ ଆଦିମ କାଳ ର ” insurance” ଵା ଵୀମା ଵୋଲି ତୁଳନା କରିଥିଲେ। ଏହି ସଂକ୍ରାନ୍ତ ରେ ଲେଖକ ଵିଷ୍ଣୁ ଚରଣ ମହାନ୍ତି ତାଙ୍କ ସ୍ଵଲିଖିତ ପୁସ୍ତକ ରେ ସ୍ଥାନ ଦେଇଛନ୍ତି। ଆଜି କାଲି ଆଉ ସେ କାଳ ର ଵିଶ୍ଵସନୀୟତା ନାହିଁ କି ଆଉ ସେ ପ୍ରଥା ନାହିଁ । ସମୟ ର ପ୍ରଵାହ ରେ ଏହି ଉଚ୍ଚ ପରମ୍ପରା ଟି କ୍ଷୟ ହୋଇଛି। କର୍ପୁର ଉଡି ଯାଇଛି, କେଵଳ କନା ଖଣ୍ଡେ ପଡ଼ି ରହିଲା ଭଳି କିଛି ଅଞ୍ଚଳ ରେ ଏହି ପର୍ଵ କେଵଳ ଵିଧି କୁ ଵଞ୍ଚାଇଵା ପାଈଁ ନୂଆଁ ମାଟି ଖେଳନା ପୂଜା , ପିଠା ପଣା ଓ ଷଠି ଠାକୁରାଣୀ ଉପାସନା ରେ ସୀମିତ ହୋଇ ରହିଛି।

ଲେଖକ ©ଵିଷ୍ଣୁମୋହନ ଅଧିକାରୀ

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...