Skip to main content

ଜମଶେଦପୁରେ

ଜାମଶେଦପୁର ଆଜି ଏକ ଶିଳ୍ପ ନଗରୀ ଭାବେ ଵିଖ୍ଯାତ ତେବେ ଆଗେ ଏମନ୍ତ ନଥିଲା । କାଳିମାଟି ,ସାକ୍ନୀ ଆଦି ଅନେକ ଓଡ଼ିଆ ଗାଆଁ  ଏଠାରେ ରହିଥିଲା ।

ଟାଟା କମ୍ପାନୀ ଦ୍ଵାରା ସ୍ଥାନୀୟ ଲୋକଙ୍କ ପୈତୃକ ସମ୍ପତ୍ତି ଅଧିଗ୍ରହଣ ଓ କାରଖାନା ସ୍ଥାପନ ପରେ  ଏ ଅଞ୍ଚଳର ନାମ ଜାମଶେଦ ଟାଟାଙ୍କ ନାଆଁରେ ଜମଶେଦପୁର ରଖା ଯାଇଛି ।

ଏ ଵିଷୟରେ ଏକ ଓଡ଼ିଆ ଗୀତିକଵିତା ଏକ ପୁସ୍ତକରେ ଥରେ ପାଇଥିଲି କିନ୍ତୁ ଏ କଵିତାର କଵି କିଏ ତାହା ସେଠାରେ ଉଲ୍ଲେଖ ନଥିଲା ।

କଵିତାର ନାମ #ଜାମସେଦପୁରେ...

ଏହି ଯେ ନଗରୀ ଆଜି ମୁଁ ଦେଖେ ନୟନେ ଚାହିଁ
ଧନ ଦଉଲତେ ଡଉଲ ସରି ଏହାର କାହିଁ ?

ସଉଧୁ ସଉଧ ଗଗନେ ଶିର ଉଠିଛି ଟେକି,
ମରତୁ ରଖିଵା ପାହାଚ ବାନ୍ଧି ସରଗେ ନିକି !

ସୁଖ ସଉଭାଗ୍ଯେ ନିରତେ ହସି ରହନ୍ତି ଜନେ ।
ମର ଦୁଃଖ ଶୋକ ନାହାନ୍ତି ସତେ ଦେଖି ନୟନେ ।

କଳେ ନିତି ଧନ ସଂପଦ ଶିରୀ ଗଢ଼ନ୍ତି କରେ
ଲୁହାରେ କରନ୍ତି ସୁନା ସେ କର ପରଶେ ଖରେ ।

କି ଅଛି ଅପୂର୍ଵ ମର୍ତ୍ତ୍ଯେ ଯା ଧରି ନାହାନ୍ତି ବସି ?
ମନାସନ୍ତି ସତେ ଭୂଞ୍ଜିଵେ ସ୍ଵର୍ଗ ସମ୍ପଦ ହସି ।

ଏହି ଯେ ସମ୍ଭାର ନୟନେ ଦିନେ ଦେଖିଵା ପାଇଁ
ନିଖିଳ ଭୂଵନୁ ସରାଗେ ଜନେ ଆସନ୍ତି ଧାଇଁ ।

ମାଡି଼ ଯେ ଯାଅନ୍ତି ଚରଣେ ଶିଳା
ସରଣୀ ପରେ,
ଅଜାଣିତେ କେତେ ଦରିଦ୍ର ଆଶା ଵିଲୁପ୍ତ ଭାଲେ ।

କଳ ଘନ ମନ୍ଦ୍ର ଗର୍ଜନେ କର୍ଣ୍ଣେ ଶୁଣନ୍ତି ମିଶା
ଦୁଃଖିହୃଦ ଵୃଥା ଗୁପତ ଧୀର ନୀରଵ ଭାଷା ।

କେତେ ଆହା ପଲ୍ଲୀ କୃଷକେ ଚିତ୍ତ ଉଲ୍ଲାସ ତାନେ .
ହଳ ବାହି ଏହି ପ୍ରାନ୍ତର ଭରି ନ ଥିଵେ ଦିନେ ।

କେତେ ତ କୃଷକ ଘରଣୀ ଭୋକେ ଗିରସ୍ତ ଲାଗି
ଭାତ ଘେନି ବିଲେ ଥିଵଟି ଆସି ସରମେ ଭାଗୀ ।

ପ୍ରାଣପତି ପେଟୁ ବଳିଲେ ଲତା ଉଢ଼ାଳେ ବସି ,
ନିଜ ପେଟ ଅଳ୍ପେ ମଉନେ ଭରିଥିଵଟି ହସି ।

ଫେରନ୍ତେ କୁଟୀରେ ଚରଣ ଲାଗିଥିଵ ତା ଭାରି ,
ଗିରସ୍ତ ସଙ୍ଗରେ ନଥିଲେ ,କିଵା କୁଟୀର ଶିରୀ ?

ସେହୀ ଶିରୀମାନ ଭାଙ୍ଗି ତ ଗଢ଼ା ଏ ପୁରୀ ଆଜି ,
ସେହି ପଲ୍ଲୀ ସୁଖଶରଧା ଏଥି ରହିଛି ଭାଜି ।

ଖୋଳିଲେ ମୃତ୍ତିକା ପାଇଵ ହଳ ଲଙ୍ଗଳ ଗାର ,
ଦୁଃଖୀ ହୃଦେ ଦେଖି ପାରିଵ ଧନ ପେଷଣ ଭାର ।

ଗଛ ଲତା ମୂଳ ନିକାଶେ ଆଜି ନଥିଵ ଶୁଖି ,
ଦିନେ ଯହିଁ କାଟି ଫସଲ ଚଷା ଥିଵଟି ରଖି ।

କେଦାର କନକ ସମ୍ଭାରେ ଭରିଥିଵ ତା ମନ,
ତୋଷେ ବରଷଟି ଖାଇ ,ସେ ଯାପିପାରିବ ଦିନ ।

ଆଜି ଏବେ ଯାଇ କେଵଣ ଦୂର ଦୁର୍ଗମ ପଥେ ,
ଧରି ସ୍ତିରୀ ପୁତ୍ର ଅନ୍ଦୁଟି ଥିବ ନିଶୂନ୍ଯ ପେଟେ ।

ସୁମରୁ ଥିବ ତା ଅତୀତ ଭଵ ସମ୍ପଦ କଥା
ଶମନ ଜୀଵନ୍ତ ପୀଡନେ ନୋଇଁ ଦଇନେ
ମଥା ।

ନିଦାରୁଣ ଏହି ଛଵି କେ ଯେବେ ଦେଖିଵ ଲୋଡ଼ି ,
ଏ କୁଵେର ପୁରେ କିପାଇଁ ବାରେ ଆସିଵ ବରି ?

କୁଲିବାର ଯାଇ ଆସେ ତ ମରୁ ପଦା କାନନେ ,
ଅନଶନେ ଯହିଁ ଉଦର ଜାଳି ଭ୍ରମନ୍ତି ଜନେ ।

ରହ , ହେ ନଗରନିବାସି ,ଅର୍ଦ୍ଧ ନୃପତିରାଜି;
ନ ଫେରିବି ଦିନେ ଏ ପୁରେ ,ତେଜି ଯାଉଛି ଆଜି ।

(ଦ୍ରଷ୍ଟଵ୍ଯ—ଏ କଵିତାଟିର କିଏ ରଚୟିତା ଜାଣିଥିଲେ ଏଠାରେ ଜଣାଇଵାକୁ ଵିଶେଷ ଅନୁରୋଧ ରହିଲା)

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ଏଇ ଆମରି ଗାଁ(ଅଦିନ ମେଘ)

ଏଇ ଆମରି ଗାଁ’  ସୁଜଳା ସୁଫଳା ଶସ୍ୟଶ୍ୟାମଳା ସ୍ଵର୍ଣପ୍ରସୂ ମା’ ଏଇଠି ନିତି ସଞ୍ଜେ ସଞ୍ଜେ କନକଚମ୍ପା ଫୁଟେ  ଆମ୍ରଵନର ପତ୍ର ପୁଞ୍ଜେ କୋଇଲି ଡାକି ଉଠେ  ନାରିକେଳର କୁଞ୍ଜେ କୁଞ୍ଜେ ପରଶି ଯାଏ ବାଆ  ଏଇ ଆମରି ଗାଁ’ ॥ ମୁଣ୍ଡର ଝାଳ ତୁଣ୍ଡରେ ମାରି ଏଇ ଗାଁ’ ଚଷାଭାଇ  ବିଲ କାମରେ ଲାଗିଥାଏ ସେ ଖରା ବରଷା ସହି  ପଉଷ ମାସେ ପାଚିଲା ଧାନ କାଟଇ ଧରି ଦା’ ଏଇ ଆମରି ଗାଁ’ ॥ ଏଇ ଗାଁ’ର ସକଳ ପିଲା ଆମେ ଭଉଣୀ ଭାଇ ପାଠ ପଢ଼ିଵା ଦେଶ ଗଢ଼ିଵା ପରାଣ ମନ ଦେଇ ଆମ ଧରମ କରମ ହେଵ ରଖିଵାକୁ ତା’ ନାଁ’ ଏଇ ଆମରି ଗାଁ’ ॥ ଏଇ ଗାଁରେ ଗଢ଼ାହୋଇଛି ମୋର ଏ’ ମର ପିଣ୍ଡ  ଜୀଵନ ଶେଷେ ତା’ରି କୋଳେ ଗଡ଼ିଵ ଦିନେ ମୁଣ୍ଡ  ମମତାମୟୀ କଲ୍ୟାଣମୟୀ ଦୁଃଖେ ସୁଖେ ସାହା ଏଇ ଆମରି ଗାଁ’ ॥ ••••••••••••••••••••••••••••••• ଚଳଚ୍ଚିତ୍ର: ଅଦିନମେଘ(୧୯୭୦) ଗୀତ : ଵୈକୁଣ୍ଠନାଥ ମହାନ୍ତି  ଗାୟନ : ଗୀତା, ତୃପ୍ତି, ଵିଦ୍ୟୁତ, ଶୁକ୍ଳ ଓ ପ୍ରତିମା