Skip to main content

ଓଡ଼ିଆ ଭାଷା: ସଙ୍କଟ ଓ ସମ୍ଭାବନା


ପଡ଼ୋଶୀ ଝାଡ଼ଖଣ୍ଡ ପ୍ରଦେଶରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଭାଷା ପ୍ରଥମ ରାଜଭାଷା ଭାବରେ ବ୍ୟବହୃତ ହେଉ ନ ଥିବା ବିଡ଼ମ୍ବନାର ବିଷୟ । ପୁନଶ୍ଚ ପଶ୍ଚିମବଙ୍ଗରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ପ୍ରଦାନ କରାଯାଉ ବୋଲି ଝାଡ଼ଖଣ୍ଡର ଜଣେ ମନ୍ତ୍ରୀ ଦାବି କରିଛନ୍ତି । ଅଥଚ ଆମ ରାଜ୍ୟରେ ଓଡ଼ିଆ ଭାଷାର ମର୍ଯ୍ୟାଦା ସଙ୍କଟାପନ୍ନ ବୋଲି ଯେଉଁମାନେ ମତବ୍ୟକ୍ତ କରୁଛନ୍ତି ସେମାନେ ବାଚାଳ ପଦବାଚ୍ୟ ହେଉଛନ୍ତି । ଓଡ଼ିଆ ଭାଷା କ୍ରମେ ଇତିହାସର ବିଷୟ ହୋଇଯିବ ବୋଲି ଗବେଷକମାନେ କଥା ବା ପ୍ରସଙ୍ଗ ଛଳରେ ବର୍ଣ୍ଣନା କରୁଥିଲେ ମଧ୍ୟ ସମସ୍ତ ଅବହେଳା ସତ୍ତ୍ଵେ ଏହି ଭାଷା ଲୋପ ପାଇବାର କୌଣସି ଆଶଙ୍କା ନାହିଁ ।

ତେବେ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶାରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ପ୍ରଦାନ ସପକ୍ଷରେ ମତ ପ୍ରକାଶନ ବାଚାଳତା ନୁହେଁ, ବରଂ ଏହା ଆଜିର ଏକ ପ୍ରଧାନ ଆବଶ୍ୟକତା । ଓଡ଼ିଆ ଭାଷା ଏକ କଥିତ ଭାଷା ହୋଇ ରହିଯିବାର କୌଣସି ଆଶଙ୍କା ନ ଥିଲେ ମଧ୍ୟ ନିତ୍ୟନୈମିତ୍ତିକ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ଏକାନ୍ତ ଆବଶ୍ୟକ । କେତେ ଚିନ୍ତାନାୟକଙ୍କର ବହୁମୂଲ୍ୟ ଅବଦାନର ପରିଣତିସ୍ୱରୂପ ଆଜି ଓଡ଼ିଆ ଭାଷା ସ୍ୱକୀୟ ଶୈଳୀରେ ମହିମା ମଣ୍ଡିତ ଓ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ, ତାହା ମର୍ଯ୍ୟାଦାଜନକ ଭାବରେ ସ୍ମରଣଯୋଗ୍ୟ ।

ଅଷ୍ଟମ ଶତାବ୍ଦୀରୁ “ସୃଷ୍ଟ” ଓଡ଼ିଆ ଭାଷା ଚତୁର୍ଦ୍ଦଶ ଶତାବ୍ଦୀରେ ଆଧୁନିକତାର ସ୍ପର୍ଶ ପାଇଥିଲା ବୋଲି ଗବେଷକମାନେ ମତପ୍ରକାଶ କରିଛନ୍ତି ।

ଅଷ୍ଟମ ଶତାବ୍ଦୀରେ ଅବିଭକ୍ତ ପୁରୀ ଜିଲ୍ଲାର କୋଙ୍କଦରେ ଏକ ଅତ୍ୟନ୍ତ ଉନ୍ନତ ଭାଷା ‘ଭାରତଲିପିରେ’ ପ୍ରଚଳିତ ଥିଲା ବୋଲି ହୁଏନ୍‌ସାଂଙ୍କ ବିବରଣୀରୁ ଜଣାଯାଏ ।

୪୦ ବିଶିଷ୍ଟ ଭାଷାତତ୍ତ୍ୱବିଦ୍‌ ଜନ୍‌ ଗ୍ରୀୟରସନ୍‌ଙ୍କ ବର୍ଣ୍ଣନାନୁସାରେ ତାମଲୁକଠାରୁ ବାଙ୍କୁଡ଼ା ପର୍ଯ୍ୟନ୍ତ ତଥା ଷଢ଼େଇକଳାରୁ ବସ୍ତର ପର୍ଯ୍ୟନ୍ତ ଏବଂ ଦକ୍ଷିଣରେ ବିଶାଖାପାଟଣା ତଥା ବାରୁଆ ବନ୍ଦର ପର୍ଯ୍ୟନ୍ତ ବିସ୍ତୃତ ଭୂଖଣ୍ଡରେ ଓଡ଼ିଆ ଭାଷା ପ୍ରଚଳିତ ଥିଲା ।

ଏଚ୍‌.ଟି.କୋଲ୍‌ବୃକ୍‌ ୧୮୦୧ରେ ଲେଖିଛନ୍ତି ଯେ ମେଦିନୀପୁରଠାରୁ ମାଣିକପାଟଣା ଏବଂ ବଙ୍ଗୋପସାଗର ତଟବର୍ତ୍ତୀ ଅଞ୍ଚଳରୁ ସମ୍ବଲପୁର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଅଞ୍ଚଳରେ ଓଡ଼ିଆ ଭାଷା ପ୍ରଚଳିତ ଥିଲା ।

ଓଡ଼ିଆ ଭାଷାରେ ଖୋଦିତ ପ୍ରଥମ ଶିଳାଲେଖ ଉର୍‌ଜାମ୍‌ ଶିଳାଲେଖ ୧୦୫୧ ଖ୍ରୀଷ୍ଟାବ୍ଦର ବୋଲି ନିର୍ଣ୍ଣିତ ହୋଇଛି । ଜନ୍‌ ବିମ୍‌ସଙ୍କ ମତାନୁସାରେ ବଙ୍ଗଳାଭାଷାର ସତ୍ତା ମିଳି ନଥିବା କାଳରେ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଭାବରେ ପ୍ରତିଷ୍ଠିତ ହୋଇସାରିଥିଲା । ତାମିଲଭାଷା ବ୍ୟତୀତ ଅନ୍ୟ କୌଣସି ଆଞ୍ଚଳିକ ଭାଷା ଓଡ଼ିଆ ଭାଷାଠାରୁ ପ୍ରାଚୀନ ନୁହେଁ । ହଣ୍ଟରଙ୍କ “ଓଡ଼ିଶା ଇତିହାସ’’ରୁ ମଧ୍ୟ ଓଡ଼ିଆ ଭାଷାର ପ୍ରାଚୀନତା ସଂପର୍କରେ ବହୁ ତଥ୍ୟ ଉପଲବ୍‌ଧ । ଜର୍ଜ ଗ୍ରୀୟରସନଙ୍କ ମତରେ ଓଡ଼ିଆ ଭାଷାର ଶବ୍ଦଭଣ୍ଡାର ବଙ୍ଗଳା, ହିନ୍ଦୀ ତଥା ତେଲୁଗୁ ଭାଷାର ଶବ୍ଦଭଣ୍ଡାର ତୁଳନାରେ ଅଧିକ ସମୃଦ୍ଧ । ଏପରିକି ସଂସ୍କୃତ ଭାଷାର ବିକାଶ କ୍ଷେତ୍ରରେ ମଧ୍ୟ ପ୍ରାଚୀନ ଉତ୍କଳର ଗୌରବମୟ ସ୍ଥାନ ରହିଥିଲା ବୋଲି ଐତିହାସିକ ତଥା ଗବେଷକ ଡ. କୃଷ୍ଣଦତ୍ତ ବାଜପେୟୀ ଉଲ୍ଲେଖ କରିଛନ୍ତି ।

ଉପରୋକ୍ତ ତଥ୍ୟାବଳୀ ଭିତ୍ତିରେ ଓଡ଼ିଆ ଭାଷା ଏକ ବିକଶିତ ତଥା ସମୃଦ୍ଧ ଭାଷା ତଥା ଏହି ପରିପ୍ରେକ୍ଷୀରେ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିରେ କୌଣସି ଅନ୍ତରାୟ ନାହିଁ ବୋଲାଯାଇପାରେ । “ଆଶ୍ଚର୍ଯ୍ୟ ଚର୍ଯ୍ୟାପଦ’’ ବା “ଚର୍ଯ୍ୟାଗୀତିକା’’ ଠାରୁ ଏଯାବତ୍‌ ଓଡ଼ିଆ ଭାଷାର ବିକାଶ ପର୍ବର ଯଥାଯଥ ପର୍ଯ୍ୟାଲୋଚନା ସାଙ୍ଗକୁ ଓଡ଼ିଆ ଭାଷାର କ୍ରମ ଇତିହାସ ପ୍ରଣୟନ ଓ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି ।

ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ସମସ୍ତ ସରକାରୀ ଫାଇଲପତ୍ର ଓଡ଼ିଆ ଭାଷାରେ ପରିଚାଳିତ ହେବ ବୋଲି କୁହାଯାଇଛି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହି କାର୍ଯ୍ୟ ନିମନ୍ତେ ସ୍ୱତନ୍ତ୍ର ସହାୟତା ପ୍ରଦାନ କରୁଛି । ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଓଡ଼ିଆ ଭାଷା ମାଧ୍ୟମରେ କରାଯାଉ ବୋଲି ଉତ୍କଳ ସମ୍ମିଳନୀ ପକ୍ଷରୁ ପୁନର୍ବାର ଦାବି କରାଯାଇଛି ।

ଓଡ଼ିଆ ଭାଷାର ବହୁଳ ବ୍ୟବହାର ଏବଂ ଓଡ଼ିଆ ଭାଷା ମାଧ୍ୟମରେ ଶିକ୍ଷାଲାଭ କରିଥିବା ଯୁବକର କର୍ମନିଯୁକ୍ତି ସମ୍ଭାବନା ସୃଷ୍ଟି ନିମନ୍ତେ ଦାବି ହୋଇଆସୁଛି । ଏଭଳି ଦାବି ଉପସ୍ଥାପନ ଓ ସରକାରୀ ଆଶ୍ୱାସନାର ତାଲିକା ସୁଦୀର୍ଘ । ୧୯୫୪ରେ ପ୍ରଣୀତ ଓଡ଼ିଶା ସରକାରୀ ଭାଷା ଆଇନ୍‌ ବଳରେ ୧୯୮୫ ଏପ୍ରିଲ ପହିଲାରୁ ଓଡ଼ିଆ ଭାଷାକୁ ଓଡ଼ିଶାରେ ସରକାରୀ ଭାଷାର ମାନ୍ୟତା ପ୍ରଦାନ ଏବଂ ସରକାରୀ ଫାଇଲ୍‌ରେ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ମାର୍ଚ୍ଚ ମାସ ୨୯ ତାରିଖ ଦିନ ୭୧୫୨ କ୍ରମାଙ୍କ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିଲା ।

ଏହା ପରେ ଓଡ଼ିଆ ଟାଇପ ମେସିନ କିଣା ଏବଂ କର୍ମଚାରୀମାନଙ୍କୁ ଓଡ଼ିଆ ଟାଇପ୍‌ ଶିକ୍ଷାଦାନରେ ବିପୁଳ ଅର୍ଥ ବ୍ୟୟ କରାଯାଇଥିଲା । ଓଡ଼ିଆ ଭାଷାରେ ଟାଇପ କରିବା ନିମନ୍ତେ ତାଲିମ ପାଇଥିବା ଅଧିକାଂଶ କର୍ମଚାରୀ ଏହି କାର୍ଯ୍ୟ ଭୁଲିଗଲେଣି । ରାଜ୍ୟ ସରକାରଙ୍କ ସର୍ବଶେଷ ଘୋଷଣାନୁସାରେ ଏଣିକି ସରକାରୀ ଗେଜେଟ୍‌ ଓଡ଼ିଆ ଭାଷାରେ ପ୍ରକାଶ ପାଇବ ।

ସଂପ୍ରତି ଏକମାତ୍ର ଆଶ୍ୱାସନାର ବିଷୟ ଇଂରାଜୀରେ ‘ଓରିଶା’ ବଦଳରେ ଓଡ଼ିଶା ଏବଂ ଓରିୟା ବଦଳରେ ‘ଓଡ଼ିଆ’ ତଥା ହିନ୍ଦୀରେ ‘ଉଡ଼ିଶା’ ବଦଳରେ ‘ଓଡ଼ିଶା’ ତଥା ‘ଉରିଆ’ ବଦଳରେ ‘ଓଡ଼ିଆ’ ପ୍ରଚଳିତ ହୋଇଛି । ଇଂରାଜୀ ଓ ହିନ୍ଦୀ ଭାଷାରେ ବ୍ୟବହୃତ ବିକୃତିରୁ ନିବୃତ୍ତି ନିମନ୍ତେ ଲାଗିଗଲା ସୁଦୀର୍ଘ ୭୫ ବର୍ଷ । ତାହା ପୁଣି ସମ୍ଭବ ହେଲା ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଅମଳରେ । ଅନ୍ୟ ପକ୍ଷରେ ସରକାରୀ ଫାଇଲ୍‌ରେ ସମ୍ପୂର୍ଣ୍ଣ ଭାବରେ ଓଡ଼ିଆ ଭାଷାର ବ୍ୟବହାର ମଧ୍ୟ ଏକ କାଠିକର ପାଠ । ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା କର୍ତ୍ତୃକ ପ୍ରକାଶିତ “ପ୍ରଶାସନ ପରିଭାଷା (ଇଂରାଜୀ- ଓଡ଼ିଆ)’’ରେ ଉଲ୍ଲିଖିତ ଅନେକ ଶବ୍ଦାବଳୀ ନେଇ ସରକାରୀ ଅଧିକାରୀ ତଥା କର୍ମଚାରୀ ଓଡ଼ିଆ ଭାଷାରେ ଚିଠି ଲେଖିବାରେ ଗୁରୁତର ଅସୁବିଧାର ସମ୍ମୁଖୀନ ହେବେ ।

ତେଣୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଶବ୍ଦାବଳୀକୁ ସମ୍ପୂର୍ଣ୍ଣ ଅଥବା ଅବିକଳ ଭାବରେ ବ୍ୟବହାର ନ କରି ବୋଧଗମ୍ୟ ଓ ମୂଳତଥ୍ୟକୁ ଅକ୍ଷୁଣ୍ଣ ରଖୁଥିବା ଶବ୍ଦାବଳୀ ବ୍ୟବହାର କରାଯିବା ଆବଶ୍ୟକ । ଓଡ଼ିଆ ଭାଷାରେ ବହୁଳ ଭାବରେ ବ୍ୟବହୃତ ଅନ୍ୟ ଭାଷାର ଶବ୍ଦାବଳୀର ପ୍ରୟୋଗ ମଧ୍ୟ ଗ୍ରହଣୀୟ ବିବେଚିତ ହେବା ଆବଶ୍ୟକ । ପୁନଶ୍ଚ ଅଣଓଡ଼ିଆ ଶବ୍ଦର ମାତ୍ରାଧିକ ପ୍ରୟୋଗ ମଧ୍ୟ ସମସ୍ୟା ସୃଷ୍ଟି କରିବ । ସଂପ୍ରତି ଓଡ଼ିଆ ଭାଷାରେ ଅନ୍ୟ ଭାଷାର ଶବ୍ଦାବଳୀର ବ୍ୟାପକ ବ୍ୟବହାର ଓ ଅପବ୍ୟବହାର ସାଙ୍ଗକୁ ବ୍ୟାକରଣ ଓ ବର୍ଣ୍ଣାଶୁଦ୍ଧି ପ୍ରତି ଆବଶ୍ୟକୀୟ ଧ୍ୟାନ ଦିଆଯାଉ ନ ଥିବା ପରିଲକ୍ଷିତ ହୁଏ ।

“ଶୁଦ୍ଧ ଅଶୁଦ୍ଧ ନ ଧରିବ, ସାଙ୍ଗରେ ମିଶାଇ ଗାଇବ’’ ନ୍ୟାୟରେ ଏହି ଧାରା ବହିଚାଲିଛି । ଏହି ଧାରା ଅବ୍ୟାହତ ରହିଲେ “ତାଙ୍ଗ୍‌ଲିଶ୍‌’’ ପରି ଏକ ଅପଭାଷା ସୃଷ୍ଟି ହୋଇ ଓଡ଼ିଆ ଭାଷା କ୍ରମେ ‘କୋଲାବେରି ଡି’ ହୋଇଯିବ । ନୈରାଶ୍ୟର ପରିପ୍ରକାଶକୁ ଓଡ଼ିଶାର ସଚେତନ ଭାଷାପ୍ରେମୀ ବିଦ୍ୱାନ୍‌ ସଂପ୍ରଦାୟ ପ୍ରତିହତ କରିବାରେ ନିଶ୍ଚିତ ଭାବରେ ସମର୍ଥ ହେବେ । ଏହା ଓଡ଼ିଆ ସ୍ୱାଭିମାନ ଏବଂ ଅସ୍ମିତା ସହ ଜଡ଼ିତ । ଏହା ଓଡ଼ିଆ ଭାଷାର ଜାତକ ଅଥବା ନବଜାତକ ନୁହେଁ, ବରଂ ଏହାହିଁ ସ୍ୱତଃସିଦ୍ଧ ।

©ଶିବ ପ୍ରସାଦ ତ୍ରୀପାଠୀ
ବଡ଼ବଜାର, ସମ୍ବଲପୁର-୩

Comments

  1. ପ୍ରକୃତରେ ଅଷ୍ଟମ ଶତାବ୍ଦୀରେ ଓଡ଼ିଆ ଭାଷା ସୃଷ୍ଟି ହୋଇନାହିଁ । ଓଡ଼ିଆ ଭାଷାର ଉଲ୍ଲେଖ ଉଡ୍ର ଵିଭାଷା ଭାଵେ ୨୪୦୦ ଵର୍ଷ ପୁରାତନ ଭରତକୃତ ନାଟ୍ଯଶାସ୍ତ୍ରରେ ରହିଛି । ତେଵେ ପ୍ରାବନ୍ଧିକଙ୍କର ପ୍ରବନ୍ଧ ଅନେକଙ୍କୁ ଗମ୍ଭୀର ଭାଵେ ଵିଚାର ଅରିଵାକୁ ଵାଧ୍ଯ କରିପାରିଵାରେ ସକ୍ଷମ ।

    ReplyDelete

Post a Comment

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...