ଦିନେ ଜଳୁଥିଲା ପରାଧୀନତାର କାଳ ସନ୍ଧ୍ୟାରେ
ଘନ‐ଅନ୍ଧକାରେ
ଶତ‐ଶିଖାୟିତ ମୁକ୍ତି‐ଆକୁଳ‐ବହ୍ନି,
ଦିନେ ଉଠିଥିଲା
ଲୋଲୁପୀ‐ରାଜ୍ୟ‐ଲୋଭୀ ଦାନବର ସଂହାର ପାଇଁ
ଭୀମ ବେଗାନିଳ ଘୂର୍ଣ୍ଣି ।
ଫାଶୀମଞ୍ଚର ରକ୍ତ‐ଗଗନେ
ଦିନେ ଫୁଟିଥିଲା ଶହୀଦର ତାରା‐ଫୁଲ,
ଆଜି ଈପ୍ସିତ ସେହି ସ୍ୱାଧୀନତା‐ସ୍ୱର୍ଣ୍ଣ‐ଲଗନେ
କିଏ ଦେଲା ତାର ମୂଲ୍ୟ ?
ଦିନ ଥିଲା, ଯେବେ ଅନାଇଁ ଥିଲି ମୁଁ ସ୍ୱରାଜ‐ସୂର୍ଯ୍ୟେ
ଦିଗ୍ ବଳୟର ଭାଲେ,
ପାତିଥିଲି କାନ ଶୁଣିବାକୁ ସେବେ ପ୍ରଭାତୀ‐ପକ୍ଷୀର ଗାନ
ମୁକ୍ତି‐ଆକୁଳ ମହା‐ଜନତାର କଂଠ ଐକ୍ୟତାନ
ତା ହେଲେ ମୁଁ କ'ଣ ଥିଲି କବଳିତ ସେବେଳେ ଇନ୍ଦ୍ରଜାଲେ ?
ସେ ବେଳର ସେହି ମୁକ୍ତି‐ପିପାସା
ସେ ବେଳର ସେହି ସ୍ୱାଧୀନତ‐ଆଶା
ଲକ୍ଷ୍ମଣ ପୁଣି ଉଚ୍ଛବ କିବା ବାଜିରାଉତର ହତ୍ୟା,
ଜାଲିଆନାବାଗେ ରକ୍ତର ନଦୀ ସବୁକି ବନ୍ଧୁ ମିଥ୍ୟା ?
ବାଘାଜତୀନ୍ ର ବାଘ‐ଗର୍ଜନ
କୋଟି ଶହୀଦର ପ୍ରାଣ‐ବର୍ଜନ
ସବୁ କି ଛଳନା,ସବୁ ପ୍ରତାରଣା ?
ଗାନ୍ଧି କି ତେବେ ବିରାଟ ଗୋଟିଏ ଫନ୍ଦି ?
'ସ୍ୱାଧୀନତା' ନାମେ ପୁଣି କରିଗଲା
ଏ ମହା‐ଜାତିକୁ
ପରାଧୀନତାରଶୃଙ୍ଖଳ‐ବୁକେ ବଂଦୀ ?
ମନେ ପଡେ ସବୁ, ସବୁ ମନେ ପଡେ
ଯେ ଦିନ ଆସିଲି ଜନନୀ ଜଠର ମନ୍ଥି,
ସେଦିନ ଥିଲା ମୋ' ଦେଶ‐ମାତୃକା
ହାତେ ପରାଧୀନ‐ଗ୍ରନ୍ଥି ।
ଦୂରେ ଫୁଟୁଥିଲା କମାଣର ଗୋଳା
ଜଳିଯାଉଥିଲା କେତେ ଖେତ‐ଖଳା
ଖେଳ‐ତୋଟା ତଳେ ସୈନ୍ୟ‐ଛାଉଣି, ହତ୍ୟାର ମଂତ୍ରଣା
ଶହୀଦର ହୃତ୍ ପିଣ୍ତେ ସେବେଳେ ମୃତ୍ୟୁର ଯଂତ୍ରଣା ।
ସେହି ଘୂର୍ଣ୍ଣିର ଗରଭେ ଜନ୍ମି କରିଥିଲି ମନେ ଆଶା‐
ଶୁଣିବି ନିଶ୍ଚେଁ ଶୋଷଣ‐ବିହୀନ ରାଷ୍ଟ୍ର‐ମଣିଷ‐ଭାଷା !
ରକ୍ତ‐ପ୍ରଭାତେ ଜନ୍ମ ଅରୁଣ
ଜୀବନଟା ତା'ର ନୁହଇ କରୁଣ
ଏ ସକାଳେ ଯେବେ ଜନ୍ମ ନାହିଁ ସମ୍ଭବ ହୁଏ
ପୁଣି କେଉଁ ଏକ ଅଜଣା ‐ସକାଳେ ଜନ୍ମ ଲଭିବ ସିଏ !
ସେହି ସେ ସୂର୍ଯ୍ୟ ହସି, ହସିଲାନି
କିନ୍ତୁ ସ୍ୱରାଜ ଆସି, ଆସିଲାନି
ଦର୍ଶନ ନାହିଁ ପ୍ରଭାତି ପଖୀର
ପେଚକ ଡାକୁଛି ବସି ;
ଭ୍ରଷ୍ଟ‐ଜନ୍ମା, ନିପଟ ଛଦ୍ମବେଶୀ ।
©ରବି ସିଂ
Comments
Post a Comment