Skip to main content

ମୁକ୍ତିପଥ(ରବି ସିଂ)

‘ଦୁର୍ନୀତ’ ଏଠି ଜନ ଜୀବନର ହୋଇଛି ଜାଆଁଳା ଭାଇ
ଶୋଷଣ କଷଣ ଜାଲି ଜୁଆଚୋରୀ ସବୁରିକୁ ମାନିନେଇ
ନିଜେ କେଉଁପରି ମଣିଷ ହୋଇବ ବଡ ଦୁର୍ନୀତି ଖୋର,
ସେଥିପାଇଁ ଆଜି ପ୍ରତିଦ୍ୱନ୍ଦିତା ଚାଲିଅଛି ଅବିରଳ । ।
ସମାଜ ଜୀବନେ ଆଦିମ ଜଡତା କୁମ୍ଭକର୍ଣ୍ଣ ନିଦ
ସବିଦିନ ଏଠି ମଣିଷ ପାଲଟେ ସୁବିଧାବାଦର ଗଧ ।
ଦୁର୍ନୀତିଖୋର କବି ଓ ଲେଖକ ବୁଦ୍ଧିଜୀବୀର ଦଳ
ଲୋକଦେଖାଣିଆ ବୁଦ୍ଧିବଳରେ ରଚେ ନିତି ଅଭିସାର
ଭୋଟପ୍ରେମୀ ପେଟ୍ଟିବୁର୍ଜୁଆ ଏଠି ଭୁରୁ କୁଂଚିତ କରେ
ବଡ ଦୁର୍ନୀତିଖୋର ଯେତେବେଳେ ସବୁ ମାଲ ଲୁଟିନେଲେ
ସେଥିରୁ ତା ଭାଗ ମିଳିଲାଣି ଯେଣୁ ସେ ପାଇଁ ସେ ବିପ୍ଳବ-
କରିବାକୁ ଡାକଦିଏ ଜନଗଣେ ଚାପି ଆପଣାର ଲୋଭ!
ଶୋଷଣବାଦର ଛାଂଚରେ ଗଢା ସମାଜର ମୂଳଦୁଆ-
ଅକ୍ଷତ ଥାଉ; ଆଗରେ କେବଳ ନିର୍ବାଚନର ରାହା । ।
ଯେଉଁ କ୍ଷେତ୍ରରେ ଯିଏ ଥରେ ଯାଏ ପଶି,
ଆଉ ସିଏ ସେଠୁ ବାହାରେ ତ ନାହିଁ; ସରୁ ହସ ଦିଏ ହସି । ।
ବାପ-ଝିଅ-ଜୋଇଁ-ଷଢୁ ଓ ସମୁଦି ଭିଣୋଇ ଅଥବା ଶଳା,
ପ୍ରିୟାପୀରତି ର ଗତାଗତ ପାଇଁ ଏ ଦେଶେ ସାହାଣମେଲା ।
ଦୁର୍ନୀତି ହଟୁନି ଅନୀତି ହଟୁନି ଚାଲେ ପଶ୍ଚାତ୍‍ ଗତି,
ଶୋଷଣର ନବ ନବ ସଂତ୍ରାସ  ନୁଆ ରୂପ ଧରେ ନିତି ।
କେତେ ଗଢା ହେଉ ଲୋକପାଳ ଜନପାଳ ଅବା ‘କମିସନ’ ।
ଦୁର୍ନୀତି ଟିକେ ହଟିବା ପାଇଁ କି ଟିକିଏ କରୁନି ମନ!
ହସି ପେଟଫାଟେ ଧନ୍ୟ ବିଧାତା! ଧନ୍ୟ ଭାରତ ଭୂମି,
ଧନ୍ୟରେ ତୁମେ ଗାନ୍ଧୀର ବେଟା! ଧନ୍ୟରେ ଫୁଲ ପ୍ରେମୀ!
ଧନ୍ୟ ହୋ ଟାଟା, ଅମ୍ବାନି ଭ୍ରାତା! ଲୋଟା କମ୍ବଳ ଧାରୀ!
ପୁଞ୍ଜିବାଦର ବେଣୁ ବନେ ତୁମେ ଦ୍ୱାପର କୃଷ୍ଣ ପରି
ଭାରତବର୍ଷ ତମ ଶୋଷଣର ନବୀନ ବୃନ୍ଦାବନ
ତମ ବଂଶୀର ବେହାଗେ ଭରିଛି ଲଳିତ ସେମ୍ମୋହନ!
ମଣିଷ କେବଳ ଦଳିତ ନୁହଇ ଦଳିତ ଏ ଦେଶମାଟି
ଶୋଷଣବାଦର ଗଳିତ କୁଷ୍ଠ  ବିରାଟ ଏ କ୍ଷତ ଗୋଟି ।
ଉର୍ଦ୍ଧ୍ୱେ ଗଳିତ ଆକାଶର ଛାତ ତଳେ ଭଣ ଭଣ ମାଛି ,
ମୋବିଲ ପାଇଁକି ତହବିଲ୍ ଖୋଲା ସଦା ସର୍ବଦା ଅଛି ।
ଯିଏ ଯେତେ ଜୋର କରିବ ମାଲିସ ସିଏ ସବୁଠାରୁ ବଡ--
ଆସନପାଇବ, ହେବ ବଡ କବି ପିନ୍ଧିବ ପାଟ ଯୋଡ
ହେବ ବଡ ନେତା କବି ଓ ହାକିମ ବଡ ସେ ଅଧ୍ୟାପକ,
ସମାଜରେ ତାର ହେବ ବଡ ଥାନ ହୋଇବ ସେ ବଡ ଜୋକ ।
ଏଇପରି ପଚା ଗଳିତ ସମାଜ ଜୀବନର ଯେତେ ମାଛି
ଦୁର୍ନୀତିମୁକ୍ତ ରାଷ୍ଟ୍ରଗଠନ ସେଇମାନେ ନେବେ ବାଛି??
ଶାୟିତ ସମାଜ ଜୀବନେ ପ୍ରଥମେ ନ ମାରିଲେ କେହି ଚୋଟ,
ସୃଷ୍ଟି ନ କଲେ ଜନଜୀବନରେ ନିଜେ ଏକ ସଙ୍କଟ
ଡିନାମାଇଟ୍ ରେ କେହି ସଂଯୋଗ ନ କରିଲେ ଜଣେ ନିଆଁ
ଫାଟିବନି କେବେ ଜଡତା ପାହାଡ, ସଦା ହୋଇଥିବ ଠିଆ ।
ଶାସକ ବୁକୁରେ ଯେତେଦିନ ଯାଏଁ ବିଦ୍ଧ ହୋଇନି ଗୁଳି
ଶୋଷକ ପରାଣେ ମରଣର ମେଘ ଯେ ଯାଏଁ ପଡିନି ଢଳି;
ପୋଡାବାରୁଦର ଗନ୍ଧେ ଯେ ଯାଏଁ ଭରିନି ସଚିବାଳୟ
ସେତେଦିନ ଯାଏଁ ଶୋଷକ ସମାଜ ଥିବ ଅତି ନିର୍ଭୟ । ।
ବେକାରୀ ଖାଉଛି ଶ୍ରମିକକୁ ଝୁଣି ଚାଷୀ ପେଟେ ନାହିଁ ଦାନା
ଆଗରେ ତାହାର ଫାଶୀକାଠ ଶୂଳୀ, ଠିଆ ପୁଣି ଜେଲଖାନା ।
ସବୁ ବିପ୍ଳବୀ ଚେତନା ତାହାର ଅଚେତନ କେଉଁ କାଳୁ,
ମରିପାରୁନାହିଁ, ବଂଚି ପାରୁନି, ଅନାଇଛି ଜୁଳୁ ଜୁଳୁ!!
କଂଟକମୟ ବିପ୍ଳବପଥେ ତାକୁ ହେବା ପାଇଁ ଠିଆ
ତମେ ଯିଏ ଡାକ, ତମେ ନିଜେ ଯ୍‌ାଇ ଲଗାଅ ପ୍ରଥମେ ନିଆଁ
ପ୍ରତିକ୍ରିୟାର ବାରୁଦ ଗୋଦାମେ, ଶାସକ ବୈଠକରେ
ନିଜେ ହୋଇ ବୋମା ଆମେ କେତେଜଣ ଥରେ ଯେବେ ଫୁଟିବାରେ
ଫିଟି ଯିବ ଆପେ ମଣିଷର ଆଖି , ଚେତନା ଲଭିବ ଜଡ
ସେ ଦିନ ଉଠିବ ଭାରତ ଆକାଶେ ନବ ଚେତନାର ଝଡ!!
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

©ରବି ସିଂ

Comments

Popular posts from this blog

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥା...

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍...

ବହୁଳ ବ୍ୟବହାରରେ ଇଂରାଜୀ ଶବ୍ଦ Ok

ଇଂରାଜୀ ଭାଷାରେ ବହୁଳ ବ୍ୟବହାରରେ ଥିବା କେତୋଟି ଶବ୍ଦ ମଧ୍ୟରୁ Ok ଶବ୍ଦଟି ଗୋଟିଏ । ଇଂରାଜୀ କାହିଁକି, ପୃଥ୍ବୀର ପ୍ରତିଟି ଆଧୁନିକ ଭାଷାରେ ଏହାର ବହୁଳ ବ୍ୟବହାର ଦେଖାଯାଏ । ଆମ କଥିତ ଓଡ଼ିଆ ଭାଷାରେ Ok କୁ ...