Skip to main content

ଅବତାର ପ୍ରସଙ୍ଗ ଓ ଶ୍ରୀଜଗନ୍ନାଥ

ଈଶ୍ବର ମର୍ତ୍ତ୍ୟରେ ବିବିଧ ଅବତାର ଛଳରେ ଅବତରିବାର ରହିଛି ଅନେକ ହେତୁ । ଶ୍ରୀମଦଭାଗବତ ଗୀତା ମତରେ ଯେତେବେଳେ ଧର୍ମର ଗ୍ଳାନି ଓ ଅଧର୍ମର ଅଭ୍ୟୁତ୍ଥାନ ହୋଇଥାଏ, ସେତିକିବେଳେ ଧର୍ମର ପ୍ରତୀକ ସାଧୁମାନଙ୍କ ପରିତ୍ରାଣ, ଅଧର୍ମର ପ୍ରତୀକ ଦୁରାଚାରିମାନଙ୍କ ବିନାଶ ଓ ଧର୍ମସଂସ୍ଥାପନ ନିମନ୍ତେ ପରମେଶ୍ଵର ଅବତାର ଗ୍ରହଣ କରନ୍ତି । କିନ୍ତୁ ଭକ୍ତିମୂଳକ ସୂକ୍ଷ୍ମ-ଦୃଷ୍ଟିକୋଣରୁ ଏହି କଥାର ମର୍ମକୁ ବିଚାର କଲେ ଜଣାଯାଏ ଯେ ସାଧୁ ସ୍ବରୂପ ଭକ୍ତମାନଙ୍କ ଉଦ୍ଧାର, ଭକ୍ତିରେ ବାଧା ସୃଷ୍ଟିକାରୀ ଶକ୍ତିମାନଙ୍କ ବିନାଶ ତଥା ଭକ୍ତ ସହିତ ବିଭିନ୍ନ ଲୀଳା ମାଧ୍ୟମରେ ଅପ୍ରାକୃତ-ପ୍ରେମ ଧର୍ମର ସ୍ଥାପନ ନିମନ୍ତେ ତାଙ୍କ ଅବତାର ଉଦ୍ଦିଷ୍ଟ ।

ଶ୍ରୀମଦ୍ଭାଗବତ ମହାପୁରାଣ ମତରେ ଅବତାରର କାରଣ କେବଳ ମାତ୍ର ଆସୁରୀଙ୍କ ଶକ୍ତିର ବିଲୋପ ନୁହେଁ ବରଂ ମର୍ତ୍ତ୍ୟରେ ଲୋକ ଶିକ୍ଷାର ଅବତାରଣା ଓ ବିତରଣ । ଯଦ୍ୟଦାଚରତି ଶ୍ରେଷ୍ଠ-ନ୍ୟାୟରେ ଅବତୀର୍ଣ୍ଣ ଈଶ୍ବର ନିଜେ ଆଚରଣ ଓ ଉଚ୍ଚାରଣରେ ମର୍ଯ୍ୟାଦା ପ୍ରକାଶ କରି ଜୀବଜଗତକୁ ସତ୍ଶିକ୍ଷା ଓ ସତ୍-ଚେତନା ଦେବାର ପ୍ରକ୍ରିୟାଟି ହେଉଛି ଅବତାର ଗ୍ରହଣ । ଭାକ୍ତିକ ବିବେଚନାରେ ଭକ୍ତ ସହ ବିନୋଦ, ଭକ୍ତ ସହିତ ବିଳାସ ଓ ଭକ୍ତ ପ୍ରତି ଅନୁଗ୍ରହର ଅନନ୍ୟ-ଆବେଗ ହିଁ ଅବତାରର ମୌଳିକ-କାରଣ ହୋଇପାରେ । ଏହି ଅବତାରର ସଂଖ୍ୟା ନିରୂପଣ କରିବା ଦୁରୂହ । ବିଭିନ୍ନ ଶାସ୍ତ୍ରରେ ଏହି ସଂଖ୍ୟା ଭିନ୍ନ ଭିନ୍ନ ହେଲେ ସୁଦ୍ଧା ସମସ୍ତ ମତ-ଅବତାରା ହ୍ୟସଂଖ୍ୟେୟାଃ—ଉକ୍ତିରେ ସମ୍ମିଳିତ ହୋଇଛନ୍ତି ।

ଯେପରି ଗୋସ୍ଵାମୀ ତୁଳସୀଙ୍କ ଭାଷାରେ–ହରି ଅନନ୍ତ ହରି କଥା ଅନନ୍ତ । ଅନନ୍ତ ହରିଙ୍କ ଅବତାରକୁ ବା କିଏ ସଂଖ୍ୟାରେ ସୀମିତ କରିପାରିବ ?

ବୈଦିକ ଭାଷାରେ–ଅଜାୟମାନୋ ବହୁଧା ବିଜାୟତେ । ଏଠାରେ ବହୁଧାପଦରେ ଅବତାରର ସଂଖ୍ୟାତୀତତା ସୁସ୍ପଷ୍ଟ । ଏହାକୁ ୧୬,୨୨,୨୪,୩୨,୧୦ଆଦି ସଂଖ୍ୟାରେ ଗଣିବା ତାତ୍ଵିକ ଚିନ୍ତାରେ ନିରର୍ଥକ ମନେହୁଏ । ଏହି ଅବତାରୀ ମାଧୁର୍ଯ୍ୟମୟ ଲୀଳା ରଚନା କରି ମର୍ତ୍ତ୍ୟରେ ମର୍ଯ୍ୟାଦା ପୁରୁଷ ଓ ଲୀଳା ପୁରୁଷ ଭାବରେ ଅବତରି ବିତରନ୍ତି ଅପାର ଆନନ୍ଦ ।

ରାମାନନ୍ଦୀଙ୍କ ମତରେ ମର୍ଯ୍ୟାଦାମୟ ଶ୍ରୀରାମ ହିଁ ପୂର୍ଣକଳାପ୍ରାପ୍ତ ଭଗବାନ୍–

ରାମସ୍ତୁ ଭଗବାନ୍ ସ୍ଵୟଂ ଓ ବୈଷ୍ଣବମାନଙ୍କ ମତରେ ମଧୁରଲୀଳାମୟ-ଶ୍ରୀକୃଷ୍ଣ ହିଁ ହିଁ ସଂପୂର୍ଣ ଈଶ୍ବର-କୃଷ୍ଣସ୍ତୁ ଭଗବାନ୍ ସ୍ଵୟଂ।

ଅର୍ଥାତ୍ ଏ ଉଭୟେ ଅବତାରୀ ଓ ଅବତାର । ଉଭୟଙ୍କ ଆଚରିତ ସ୍ବୟଂଲୀଳା ମାଧ୍ୟମରେ ଏହି ତତ୍ତ୍ବ ପ୍ରତିଷ୍ଠିତ । ଯାହାର ମର୍ଯ୍ୟାଦା ଓ ଲୀଳା ଉଭୟ ରହିଛି ସେ ଏକାଧାରରେ ଅବତାରୀ ଓ ଅବତାର ମଧ୍ୟ । ଆଉ ଟିକିଏ ସରଳରେ ବୁଝିଲେ ହେବ ଯେଉଁ ଅବତାରୀ ଦେବ –ମାନବେ ଅଗୋଚର ସେ ଅବତାର ଗ୍ରହଣ ଦ୍ଵାରା ହୁଅନ୍ତି ଲୀଳାବିଧୃତ କଳେବର ।

ଏହି ଆଧାରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ବିଚାର୍ଯ୍ୟ ଉଭୟ ମର୍ଯ୍ୟାଦା ଓ ଲୀଳାର ରସଘନ—ବିଗ୍ରହ ହେଉଛନ୍ତି ସେ । ଏହି କଳି ଯୁଗରେ ଏହାଙ୍କ ଦାରୁ-ଅବତାର ବିରାଜିତ ଶ୍ରୀମନ୍ଦିରରେ। ଅବତାରି ଛଳରେ ନିରାକାରତ୍ବକୁ ସୂଚାଉ ଥିବା ତାଙ୍କର ଏହି ରୂପ ପୁଣି ଅବତାର ଛଳରେ ସାକାରତ୍ଵର ପରିପ୍ରକାଶ ମଧ୍ୟ କରିଛି ।

ରୂପ ପୁଣି ଏତେ ସୁନ୍ଦର ଯେ ଶ୍ରୀଭାଗବତ କୁହନ୍ତି-ସଚ୍ଚିଦାନନ୍ଦରୂପାୟ ବୋଲି, ଗୋସ୍ୱାମୀ ତୁଳସୀ ମତ ରଖନ୍ତି-ଚିଦାନନ୍ଦମୟ ଦେହ ତୁହ୍ମାରା– ବୋଲି ଓ କବିସମ୍ରାଟ୍ ଭଞ୍ଜଙ୍କ ଭାଷାରେ–ସ୍ୱରୂପରେ ନାସା କଣ୍ଠ ହସ୍ତ ପାଦ ହୀନ, ସ୍ମରକୋଟି ନୁହେଁ ତେବେ ଶୋଭାକୁ ସମାନ ଯେ ।

ଅବତାର ହୋଇ ନ ଥିଲେ ରୂପ ଆସିବ ବା କିପରି ?

ସ୍କନ୍ଦପୁରାଣ କହନ୍ତି-

ଦାରବୀ ମୂର୍ତ୍ତିରେଷେତି ପ୍ରତିମାବୁଦ୍ଧିରତ୍ର ବୈ ।
ମାଭୂତ୍ତେ ନୃପଶାର୍ଦୁଳ ପରଂବ୍ରହ୍ମାକୃତିସ୍ତ୍ଵିୟମ୍ ।।

ଅର୍ଥାତ୍‌ ହେ ଇନ୍ଦ୍ରଦ୍ୟୁମ୍ନ ! ଇଏ ସ୍ଵୟଂ ଦାରୁମୂର୍ତ୍ତିରେ ଅବତୀର୍ଣ୍ଣ ପରଂବ୍ରହ୍ମ । ତେଣୁ ସାଧାରଣ ପ୍ରତିମା ବୋଲି ଏହାଙ୍କୁ ଭାବିବ ନାହିଁ । ଏହି ଦାରୁରୂପକ-ଅବତାରଦ୍ୱାରା
ଲୋକଶିକ୍ଷା ଓ ଭକ୍ତାନୁଗ୍ରହ ପାଇଁ ମଣିଷଲୀଳା କରୁଛନ୍ତି ପ୍ରଭୁ ଶ୍ରୀଶୋ ମାନୁଷଲୀଳୟା । କେବଳ ସେତିକି ନୁହେଁ ବରଂ ଏହି ପ୍ରତିମା କଥା କହିପାରନ୍ତି ବୋଲି ସ୍କନ୍ଦପୁରାଣର-ପ୍ରତିମା ଉବାଚ–ଉକ୍ତିରୁ ପ୍ରମାଣିତ । ଆହୁରି ମଧ୍ୟ ଏହି ଦାରୁପ୍ରତିମା ବିଶାଳ-ରଙ୍ଗାଧରରେ ହସି ଭକ୍ତକୁ ଅଭିଭୂତ କରନ୍ତି ବୋଲି ଏହି ପୁରାଣର-ଦାରୁଦେହୋଦ୍ଧପି ବିହସନ୍‌ ପ୍ରାହ ଗମ୍ଭୀରୟା ଗିରା-ପଦରୁ ସ୍ପଷ୍ଟ ହୁଏ । ଦାରୁଶରୀର ଧାରଣର ରହିଥିବା ଅନେକ କାରଣ ମଧ୍ୟରୁ ପ୍ରମୁଖ କାରଣ ହେଉଛି ଯେ-ଦାରଣାତ୍ ସର୍ବଦୁଃଖାନାମଖଣ୍ଡାନନ୍ଦ ଦାନତଃ—ଅର୍ଥାତ୍ ସେ ଏହି ଦାରୁ ଦେହରେ ଏକ ସମୟରେ ଦୁଇଟି କ୍ରିୟା କରନ୍ତି, ଯଥା ସମସ୍ତ ଦୁଃଖର ଖଣ୍ଡନ ଓ ଅଖଣ୍ଡ ଆନନ୍ଦର ଦାନ । ଦେହ ବିନା ଅନୁଭବର ସ୍ଥିତି ନ ଥିବାକୁ ସ୍ବୀକାର କରି ପ୍ରଭୁ ଦାରୁକଳେବରରେ ଭକ୍ତ ବାଢୁଥିବା ଷାଠିଏ ପଉଟି ଭୋଗକୁ ବ୍ରହ୍ମପୁରାଣ ମତରେ – ନୈବେଦ୍ୟ ପୁରତୋ ନ୍ୟସ୍ତଂ ଦୃଷ୍ଟିବ ସ୍ଵୀକୃତଂ ମୟା-ଉକ୍ତି ଅନୁସାରେ ନିଜର ବିଶାଳ ଚକା ଆଖରେ ଗ୍ରହଣ କରନ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ ଭାବରେ ପ୍ରତିଦିନ ସାଧାରଣ ମଣିଷ ଭଳି ନିତ୍ୟକର୍ମ ବା ଅବକାଶ ସଂପାଦିତ କରିବା ସଙ୍ଗେ ସଙ୍ଗେ ସମାଗତ ଭକ୍ତଙ୍କୁ ସାହାଣମେଲା ଦର୍ଶନ ନ ଦେଇ ନିଜେ ଭୋଗ ଗ୍ରହଣ କରନ୍ତି ନାହିଁ । ଅତିଥ୍‌ଦେବୋ ଭବ-ଉକ୍ତିକୁ ଆଚରୁ ଥିବା ଏହି ପ୍ରଭୁ ଦେବଦୀପାବଳୀରେ ପିତୃପୁରୁଷଙ୍କୁ ଶ୍ରାଦ୍ଧବେଶରେ ପିଣ୍ଡଦାନ କରି ମାତୃଦେବୋ ଭବ ଓ ପିତୃଦେବୋ ଭବ–ଉକ୍ତିର ସମୁଚିତ ପାଳନ କରନ୍ତି । ପୁନଶ୍ଚ ନିଜ ସେବକ-ଦ୍ବାରପାଳ ପ୍ରମୁଖଙ୍କୁ ଭୋଗ ଦେଇସାରିବା ପରେ ନିଜେ ଖାଦ୍ୟ ଗ୍ରହଣ କରିବାର ଅନୁପମ ପରଂପରା ରହିଛି ତାଙ୍କର । ଆହାର ପ୍ରସ୍ତୁତି ପାଇଁ ହୋମ ମଧ୍ୟ କରାନ୍ତି ପ୍ରଭୁ । ସ୍ନାନଯାତ୍ରା ଓ ରଥଯାତ୍ରାର ସ୍ଵୟଂଲୀଳାରେ ଅହଂପୂର୍ବକାଭାବ ନ ରଖ୍ ନିଜେ ଆଗରେ ନ ଯାଇ ବଡଭାଇ ବଳଭଦ୍ର, ସାନଭଉଣୀ ସୁଭଦ୍ରା ପହଣ୍ଡିରେ ଯିବାପରେ ଯାଇଁ ନିଜେ ଆସନ୍ତି ଓସାନଭଉଣୀଙ୍କ ସୁରକ୍ଷାର ଦାୟିତ୍ବ ସ୍ବରୂପ ନିଜ ପ୍ରିୟତମ-ଆୟୁଧ ସୁଦର୍ଶନଙ୍କୁ ସୁଭଦ୍ରାଙ୍କ ରଥରେ ରଖିଥାନ୍ତି । ସମତାର ପ୍ରତୀକକୁ ନିଜର ଚକା-ଆଖରେ ସ୍ଥାନିତ କରି ବିପୁଳଭୁଜ ପ୍ରସାରି ଶତ୍ରୁ-ମିତ୍ର, ରାଜା-ରଙ୍କ, ମୂର୍ଖ-ପଣ୍ଡିତ ନିର୍ବିଶେଷରେ ସଭିଙ୍କୁ ପ୍ରୀତିଭରା – ଆଲିଙ୍ଗନ କରିବାର ମହାନ୍ ସଂକେତରେ ଫୁଟିଛି ତାଙ୍କର ଦାରୁମୂର୍ତ୍ତି ମଙ୍ଗଳମୟ ଓ ସର୍ବମୟ କର୍ତ୍ତାଭାବରେ ସେ ଶୈବ-ଶାକ୍ତ ଗାଣପତ୍ୟ-ଆଦି ସମସ୍ତ ମତବାଦକୁ ନିଜ ରୂପରେ, ନିଜ କାର୍ଯ୍ୟରେ ତଥା ନିଜଲୀଳାରେ ନିଜେ ନିଜଠାରେ ମିଶାଇ ଦେଇ ସ୍ଵକୀୟ ଦାରୁଦେହର ନାମ ରଖୁଛନ୍ତି ଜଗନ୍ନାଥ । ଅଭିମାନିନୀ ପତ୍ନୀଙ୍କୁ ସଂତୁଷ୍ଟ କରି ସଫଳ–ଦାମ୍ପତ୍ୟ–ଧର୍ମର ନିର୍ବାହରେ ମଧ୍ୟ ତାଙ୍କର ରହିଛି ବେଶ୍ ଦକ୍ଷତା । ସାମାଜିକ ବ୍ୟବସ୍ଥାର ଶୃଙ୍ଖଳାକୁ ମର୍ଯ୍ୟାଦାଯୁକ୍ତ ତଥା ସରସ ସୁନ୍ଦର କରିବା ପାଇଁ ସେ ସତତ ଯଶୀଳ । ଏହିପରି ଶୁଚି-ଶୁଦ୍ଧ ଉଚ୍ଚାଙ୍ଗ-ଜୀବନ ଚର୍ଯ୍ୟାର ମର୍ଯ୍ୟାଦାପୂର୍ଣ ରୀତିନୀତିମାନ ତାଙ୍କର ଅବତାର ଗ୍ରହଣର ଉଦ୍ଦେଶ୍ୟକୁ ପରିପୁଷ୍ଟ କଲାବେଳେ ଲୀଳାପୁରୁଷୋତ୍ତମ ଭାବରେ ସେ ବିସ୍ତାରନ୍ତି ଅନେକ ଲୀଳାକ୍ରମ । ସ୍ଵୟଂଲୀଳା ଦୁଇଟିରେ ନିଜେ ସମସ୍ତ ଭୋଗ ଐଶ୍ବର୍ଯ୍ୟ ଏପରି କି ପ୍ରାଣପ୍ରିୟା ମହାଲକ୍ଷ୍ମୀଙ୍କୁ ଛାଡି ଭକ୍ତର ଅଧୀନତ୍ବ ସ୍ଵୀକାର କରି ଶ୍ରୀମନ୍ଦିରରୁ ବାହାରି ଆସନ୍ତି ସେ । ସ୍ନାନଜଳରେ ଜଗତର କଳୁଷକ୍ଷାଳନ, ରଥ ଶବ୍ଦରେ ଜଡତାର ବିଲୋପ, ରଥଧୂଳିରେ ମାନସିକ-ଦର୍ପଣର ମାର୍ଜନା, ରଥଛାୟାରେ ବ୍ରହ୍ମହତ୍ୟା ପାତକର ବିନାଶ, ଦାରୁଦେହର ସୁଗନ୍ଧରେ ପ୍ରକୃତିର ପୋଷଣ ତୁଲ୍ୟ ଅନୁଗ୍ରହମୂଳକ କ୍ରିୟାରେ ଅପ୍ରାକୃତ-ପ୍ରେମମୟ ପରଶି ଦିଅନ୍ତି ଦିବ୍ୟ ଲୀଳାମୃତ । ଏହାର ଆସ୍ବାଦନରେ ଭକ୍ତ ହୁଏ ଭାବବିହ୍ଵଳ । ଏଣୁ ସ୍କନ୍ଦ ପୁରାଣ ମତ ରେ – ଅବ ତାରଃ କୃତୋ ହ୍ୟେଷ ଲୋକାନୁଗ୍ରହକାମ୍ୟୟା । ଜଗତରେ ଅନୁକମ୍ପାର ପସରା ମେଲି ଜୀବ ସହ ଜୀବପ୍ରାୟ ହୋଇ ଉଭୟ ମର୍ଯ୍ୟାଦା ଓ ଲୀଳାର ସମନ୍ବିତ ସ୍ଵରୂପରେ ମହାପ୍ରଭୁ ଆବିର୍ଭୂତ । ଅବତାରୀ ଭାବରେ ଯେଉଁ ଶ୍ରୀଜଗନ୍ନାଥ ହେଉଛନ୍ତି ଅବ୍ୟକ୍ତ—ବ୍ରହ୍ମତତ୍ତ୍ଵ ବା ଅପାଣିପାଦ, ଅଚକ୍ଷୁ, ଅକର୍ଣ, ବ୍ୟାପ୍ତ- ପରମାତ୍ମ- ତତ୍ତ୍ଵରେ ଯିଏ– ମମୈବାଂଶୋ ଜୀବଲୋକ ଜୀବଭୂତଃ ସନାତନଃ– ନ୍ୟାୟରେ ସମଗ୍ର ଜୀବଜଗତର ସ୍ରଷ୍ଟା ଓ ବିନାଶକ, ସେ ଅନୁଭବସିଦ୍ଧ–ଲୀଳାଯୁକ୍ତ ଭଗବତ୍ତତ୍ତ୍ବରେ– ଯତ୍ରାସ୍ତେ ଦାରବତନୁଃ ଶ୍ରୀଶୋ ମାନୁଷଲୀଳୟା-ନ୍ୟାୟରେ ଉଭୟ ମର୍ଯ୍ୟାଦାପୁରୁଷୋତ୍ତମ ଓ ଲୀଳାପୁରୁଷୋତ୍ତମ । ସେଥିପାଇଁ ତ ଶ୍ରୀମଦ୍ଭାଗବତ ମହାପୁରାଣ ମତରେ ତାଙ୍କୁ-ମହାନୁଭାବଂ ପୁରୁଷୋତ୍ତମୋତ୍ତମମ୍– ବୋଲି କୁହାଯାଇଅଛି । ଅର୍ଥାତ୍ ସେ ଉଭୟ ପୁରୁଷୋତ୍ତମଙ୍କଠାରୁ ଉତ୍ତମ-ପୁରୁଷୋତ୍ତମୋତ୍ତମ ବା ମହାବିଷ୍ଣୁ । ଯିଏ ମାନୁଷଲୀଳା କରିବେ, ସେ କିପରି ବା ଅବତାର ନ ଧରିବେ ? ଆହୁରି ମଧ୍ୟ ଗୋସ୍ଵାମ ତୁଳସୀଙ୍କ ମତରେ-ଯୋଈ ରାମ ସୋଇ ଜଗଦୀଶା । ଅର୍ଥାତ୍ ଯିଏ ମର୍ଯ୍ୟାଦା ପୁରୁଷ ରାମ, ସେ ହିଁ ଜଗଦୀଶ– ଜଗନ୍ନାଥ । ଠିକ୍ ସେପରି ଭଗବାନ୍ କୃଷ୍ଣଙ୍କ ଆବିର୍ଭାବ ସମୟର ବ୍ରହ୍ମସ୍ତୁତିରେ ମଧ୍ୟ–ତତ୍ର ଗଙ୍ଗା ଜଗନ୍ନାଥ ଦେବଦେବଂ ବୃଷାକପିଂ, ପୁରୁତଂ ପୁରୁଷସୂକ୍ତେନ ଉପତୟେ ସମାହିତଃ–ବୋଲି ବକ୍ତବ୍ୟରେ କୃଷ୍ଣ ଓ ଜଗନ୍ନାଥଙ୍କ ଅଭେଦ ପ୍ରକାଶିତ । ତେଣୁ ଯଦି ରାମ ଓ କୃଷ୍ଣ ଉଭୟ ପୁରୁଷୋତ୍ତମ, ଅବତାରୀ ଓ ଅବତାର ଭାବରେ ଶାସ୍ତ୍ରରେ ଗୃହୀତ, ତେବେ ରାମ-କୃଷ୍ଣ-ତତ୍ତ୍ୱକୁ ନିଜଠାରେ ସ୍ଥାପିତ କରିଥିବା ପୁରୁଷୋତ୍ତମୋତ୍ତମ ଶ୍ରୀଜଗନ୍ନାଥ ମଧ୍ୟ ଉଭୟ ଅବତାରୀ ଓ ଅବତାର ଭାବରେ ବ୍ରହ୍ମା-ରୁଦ୍ର-ଇନ୍ଦ୍ରଙ୍କ ଦ୍ବାରା ବନ୍ଦନୀୟ ଓ ସେବ୍ୟମାନ । ପୁନଶ୍ଚ ସ୍କନ୍ଦପୁରାଣ ମତରେ-ଜକାରସ୍ତୁ ଜଗନ୍ନାଥୋ ଗକାରୋ ବଳଦେବକ, ଭଦ୍ରା ନକାରଭାବେନ ଥକାରସ୍ତୁ ସୁଦର୍ଶନଃ–ଅର୍ଥାତ୍ ଅବତାରୀ ପରମାତ୍ମା ରବେଦୀରେ ଚାରି ରୂପରେ ଅବତୀର୍ଣ୍ଣ ହୋଇଛନ୍ତି ଓ ଏହା ତାଙ୍କ ନାମରୁ ମଧ୍ୟ ସ୍ପଷ୍ଟ ହେଉଛି । ନିଜ ଶରୀରଭୂତ ମହାଦାରୁଙ୍କ ଆବିର୍ଭାବ ତିଥ୍-ଜ୍ୟେଷ୍ଠ ପୂର୍ଣ୍ଣମୀରେ ମହାପ୍ରଭୁ ଭକ୍ତପ୍ରଦତ୍ତ ଜଳରେ ଆପାଦ ମସ୍ତକ ସ୍ନାନ କରିବାର ନିୟମ ରହିଛି ଓ ଦାରୁ ନିର୍ମିତ ଚତୁର୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ଦିବସକୁ ବୈଶାଖ ଶୁକ୍ଳଅଷ୍ଟମୀ ତିଥିରେ ନୀଳାଦ୍ରି ମହୋଦୟାଷ୍ଟମୀ ନାମରେ ପାଳିବାର ମଧ୍ୟ ନୀତି ରହିଛି ଶ୍ରୀମନ୍ଦିରରେ । ଅବତାର ହୋଇ ନ ଥିଲେ, ଆବିର୍ଭାବ ଦିବସ ପାଳନ କରାଯିବାର ଆବଶ୍ୟକତା ବା କ’ଣ ? ଏହି କଳେବର ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ-ବାସାଂସି ଜୀର୍ଣାନି ଯଥା ବିହାୟ ନବାନି ଗୃହ୍ନାତି ନରୋପରାଣି-ଅନୁଯାୟୀ ବଦଳିବାର ପରଂପରା ରହିଛି । ସବୁ ଅବତାର ନିଜ ହେତୁ ପୂରଣ ହେବାପରେ ଯେପରି ମର୍ତ୍ତ୍ୟରୁ ଅପସରି ବ୍ରହ୍ମଲୀନ ହୁଅନ୍ତି ଓ ପରସ୍ତ୍ରୀ ସମୟରେ ପୁନର୍ବାର ନୂତନ କଳେବରରେ ଅବତୀର୍ଣ୍ଣ ହୋଇ ଲୀଳା କରନ୍ତି, ଠିକ୍ ସେହିପରି ଏହି ଦାରୁରୂପୀ ମହାପ୍ରଭୁଙ୍କ ଦାରୁଦେହ ପରିବର୍ତ୍ତିତ ହେବା ସହିତ ବ୍ରହ୍ମ ପରିବର୍ତ୍ତନର ମଧ୍ୟ ପର୍ବ ପାଳିତ ହୁଏ । ଅବତାର ନ ହୋଇଥିଲେ ଏହି ଧରାଧୂଳିରୁ ଅପସରିବାର ନୀତିଟି କେମିତି ବା ଯଥାର୍ଥ ହୋଇପାରିବ ? ପଞ୍ଚସଖା ଯୁଗର ସିଦ୍ଧସାଧକ ଅନନ୍ତ ଦାସଙ୍କ ମତରେ ନିଜ ମାୟା ଛାଡି ଜୀବପ୍ରାୟ ହୋଇ କରଇ ମୁଁ ଲୀଳାଖେଳା, ଜୀବ ହିଁ ପରମ ପରମଟି ଜୀବ ଅନନ୍ତ ତତ୍ତ୍ବର ଭେଳା । ଅର୍ଥାତ୍ ଅବତାରର ଆବଶ୍ୟକତା ରହିଛି ଜୀବ ଓ ପରମ ମଧ୍ୟରେ ଥିବା ମାୟାର ପଟଳ ଫେଡିବା ଓ ଜୀବକୁ ପରମ ସହିତ ଯୋଗ କରିବା ନିମନ୍ତେ । ଏହି ଦୁଇଟି କାର୍ଯ୍ୟରେ ନିପୁଣ ମହାପ୍ରଭୁ ଯେ ଅବତାର ଧରିଛନ୍ତି, ଏହା କହିବା ବାହୁଲ୍ୟ । ଭକ୍ତ ସହ ମିଶିବାର ଦୁର୍ବାର–ଅଭିଳାଷରେ ସେ ଚାଲି ଆସନ୍ତି ପହଣ୍ଡିରେ ପ୍ରାସାଦ ବାହାରକୁ । ଭକ୍ତର ପାଟିରେ ନିଜଠାରେ ଅର୍ପିତ ମହାପ୍ରସାଦକୁ ସାଦରେ ଗ୍ରହଣ କରନ୍ତି ବୋଲି ବ୍ରହ୍ମପୁରାଣରେ– ଭକ୍ତାନାଂ ରସନାଗ୍ରେଣ ରସମର୍ଶାମି ପଦ୍ମଜ– ଉକ୍ତି ରହିଛି । ଏଣୁ ବ୍ରହ୍ମଙ୍କ ଏହି ଅବତାର ଭକ୍ତ ପାଇଁ ଓ ଭକ୍ତଦ୍ୱାରା ବୋଲି ବୁଝିବାକୁ ହେବ । ପ୍ରମାଣ ରହିଛି ପ୍ରଭୁ ରାମ ରୂପରେ ଭରତଙ୍କ ପ୍ରତି ଚିତ୍ରକୂଟରେ ଅନୁଗ୍ରହ ପ୍ରଦାନ ପୂର୍ବକ ଧରିଥିଲେ ପାଦୁକା-ଅବତାର । ଯେଉଁ ଶ୍ରୀରାମଚନ୍ଦ୍ର ସୀତା ଓ ଲକ୍ଷଣଙ୍କ ସହିତ ବିନା ପାଦୁକାରେ ବନବାସରେ ଆସିଥିଲେ ଯାହା ଗୋସ୍ଵାମୀତୁଳସୀଙ୍କ ଭାଷାରେ– ରାମଲଖନସୀୟ ବିଜୁ ପଗପନ ହୀଁ, ଧରି ମୁନିବେସ ଫିର ହିଁ ବନ ବନ ହୀଁ-ବୋଲି କୁହା ଯାଇଅଛି, ସେ ପ୍ରଭୁ ଭରତଙ୍କୁ ପାଦୁକା ଦେଲେ କିପରି ? ସେହି ତୁଳସୀଙ୍କ ଭାଷାରେ–ପ୍ରଭୁ କରି କୃପା ପାବରୀ ଦୀହ୍ନୀ,ସାଦର ଭରତ ସୀସ ଧରି ଲୀହ୍ନୀ । ଅର୍ଥାତ୍ ପ୍ରଭୁ ଶ୍ରୀରାମ ତତ୍‌କ୍ଷଣ ପାଦୁକା ରୂପ ଧାରଣ କରି ଭରତଙ୍କ ମନସ୍କାମନା ପୂରଣ କରିଥିଲେ । ଠିକ୍ ସେହିପରି ପ୍ରଭୁ କଳିଯୁଗରେ ପାପହତ-ଜୀବମାନଙ୍କ ପରିତ୍ରାଣ ଓ ଶରଣାଗତ ଭକ୍ତମାନଙ୍କ ସ୍ପର୍ଶଦର୍ଶନର ଇଚ୍ଛାକୁ ପୂରଣ କରିବା ନିମନ୍ତେ ଧରିଛନ୍ତି ଦାରବ– ଅବତାର । ଅପୂର୍ଣ-କଳେବର ଏହି ଦାରୁ-ଅବତାରର ବିଶେଷତ୍ଵ ହେଲେ ସୁଦ୍ଧା ଭକ୍ତ ପାଇଁ ସେ ପରିପୂର୍ଣ ଭଗବାନ୍, ଷୋଳକଳାଯୁକ୍ତ ଈଶ୍ବର, କୋଟିକନ୍ଦର୍ପ ଶୋଭାଜିଣି କାନ୍ତିଧର, ଅଶରଣ-ଶରଣ । ସେଥ୍ପାଇଁ ଉତ୍କଳମଣିଙ୍କ ଭାଷାରେ ଭକ୍ତ କହେ-ପ୍ରଭୁ ଜଗନ୍ନାଥ ପତିତପାବନ, ଜୀବନେ ମରଣେ ତୁମ୍ଭେ ମୋ ଶରଣ । ଇହ ଓ ପରଲୋକରେ ମଧ୍ୟ ଏହି ମହାଭାବରୁ ଉତ୍ପନ୍ନ ଏକ ଅଦୁର୍ବଳ ସଂପର୍କର ରଜ୍ଜୁରେ ପରସ୍ପର ସହିତ ବନ୍ଧା ଭକ୍ତ ଓ ଭଗବାନ୍ । ବ୍ୟାକରଣ ଦୃଷ୍ଟିରୁ ଅବତାରୀ ଶବ୍ଦଟି ବିଶେଷଣବାଚକ ଓ ଏହାର ଅର୍ଥ ଅବତାର ଯାହାର ଅଛି । ଯେପରି ଧନ ଯାହାର ଅଛି ଧନୀ ଓ ଗୁଣ ଯାହାର ଅଛି ଗୁଣୀ ଇତ୍ୟାଦି । ସେହିପରି ଅବତାର ଶବ୍ଦଟି ବିଶେଷ୍ୟ ଓ ଏହାର ଅର୍ଥ ଯାହା ଅବତରେ ତାହା । ଏହି ପରିପ୍ରେକ୍ଷୀରେ ଦେଖିଲେ ଜଗନ୍ନାଥ ଶବ୍ଦଟି ଉଭୟ ବିଶେଷଣ ଓ ବିଶେଷ୍ୟ ମଧ୍ୟ । ବିଶେଷଣ ଭାବରେ ଏହାର ଅର୍ଥ ଜଗତର ନାଥ ଯିଏ । ଏପରି ବ୍ୟବହାର ଶାସ୍ତ୍ରରେ ବହୁଧା ଦେଖାଯାଏ, ଯଥା ବାଲ୍ମୀକି ରାମାୟଣରେ ପ୍ରୋଦ୍ୟମାନେ ଜଗନ୍ନାଥ ସର୍ବଲୋକ ନମସ୍କୃତମ୍–ଏଠାରେ ଶ୍ରୀରାମଙ୍କୁ ଜଗନ୍ନାଥ ଓ ଆରାଧୟ ଜଗନ୍ନାଥ ମିୟାକୁକୁଳ ଦୈବତମ୍– ଏଠାରେ ସୂର୍ଯ୍ୟ ଶେଷଶାୟୀ ବିଷ୍ଣୁଙ୍କୁ ଜଗନ୍ନାଥ ବୋଲି କୁହାଯାଇଛି । ଶ୍ରୀହନୁମତ୍ ସହସ୍ର ନାମରେ-ଜଗତ୍ତା ଜଗନ୍ନାଥୋ ଜଗଦୀଶୋ ଜନେଶ୍ୱରଃ– ପ୍ରୋଦ୍ୟମାନେ ଜଗନ୍ନାଥ ସର୍ବଲୋକ ନମସ୍କୃତମ୍–ଏଠାରେ ଶ୍ରୀରାମଙ୍କୁ ଜଗନ୍ନାଥ ଓ ଆରାଧୟ ଜଗନ୍ନାଥ ମିୟାକୁକୁଳ ଦୈବତମ୍– ଏଠାରେ ସୂର୍ଯ୍ୟ ଶେଷଶାୟୀ ବିଷ୍ଣୁଙ୍କୁ ଜଗନ୍ନାଥ ବୋଲି କୁହାଯାଇଛି । ଶ୍ରୀହନୁମତ୍ ସହସ୍ର ନାମରେ–ଜଗତ୍ତାତା ଜଗନ୍ନାଥୋ ଜଗଦୀଶୋ ଜନେଶ୍ୱରଃ– ଶ୍ଳୋକରେ ହନୁମାନଙ୍କୁ ଜଗନ୍ନାଥ କୁହାଯାଇଛି । ଶ୍ରୀରାମ ସହସ୍ର ନାମରେ ମଧ୍ୟ–ନୈକରୂପୋ ଜଗନ୍ନାଥ ସୁରକାର୍ଯ୍ୟହିତଃ ସ୍ଵଭୂ ଶ୍ଳୋକରେ ଶ୍ରୀରାମଙ୍କୁ ଜଗନ୍ନାଥ ବୋଲି କୁହାଯାଇଛି । କିନ୍ତୁ ବିଶେଷ୍ୟ ଭାବରେ ଜଗନ୍ନାଥ କହିଲେ ଶ୍ରୀମନ୍ଦିରର ଦାରୁଦିଅଁଙ୍କ ବ୍ୟତୀତ ଆଉ କାହାକୁ ବୁଝାଯାଏ କି ? ଏଣୁ ପରିଶେଷରେ ଏତିକି କୁହାଯାଇପାରେ ଯେ ଜଗନ୍ନାଥ ମହାପ୍ରଭୁ ଉଭୟ ଅପ୍ରକଟ-ତତ୍ତ୍ବରେ ଅବତାରୀ ଓ ପ୍ରକଟ-ତତ୍ତ୍ୱରେ ଅବତାର ମଧ୍ୟ ।

🟠🟠🟠🟠🟠🟠🟠🟠🟠🟠🟠🟠🟠🟠
ଲେଖକ—ନୀଳାଦ୍ରି ମୋହନ ଶତପଥୀ
ପ୍ଲଟ୍ ନଂ-୭୫୪, ସେକ୍ଟର-୩, ନୀଳାଦ୍ରିବାସ, ନୀଳାଦ୍ରିବିହାର, ଭୁବନେଶ୍ବର-୨୧
🟠🟠🟠🟠🟠🟠🟠🟠🟠🟠🟠🟠🟠🟠

Comments

Popular posts from this blog

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥାଏ ନିତି ଉପଦେଶ । ଯାହା ଦେଖ ଅଛି ତହିଁ ଶିଖିଵାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା । ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ । ଯାଵତ ନ ହେଵ ନର ଅଵନୀରେ ଲୀନ, ଶିଖିଵା ଵିଷୟ ତାର ଅଛି ତେତେ ଦିନ । ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ, ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ । ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ । @ସ୍ଵଭାଵକଵି ଗଙ୍ଗାଧର ମେହେର

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି । ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ