Skip to main content

ପାଠୋଇ ବୋହୂ


ଢେର ବର୍ଷ ତଳର କଥା । ବାଲେଶ୍ୱର ସହର ଦକ୍ଷିଣାଧାର ସରଗଡ଼ିଆ ପଡ଼ାର ଉତ୍ତର ଦକ୍ଷିଣ ଲମ୍ବା ସଡ଼କର ଦୁଇ ତରଫ ଲମ୍ବାଲମ୍ବି ଦୁଇ ସାହାଲା ଘର । ସବୁଗୁଡ଼ିକ ଅମଲା ମୁକ୍ତାର ଓକିଲମାନଙ୍କ ବସା । ଗିରସ୍ତି ଘର ଗୋଟିଏ ବୋଲି ନାହିଁ । କଟକ, ପୁରୀ, ଯାଜପୁର ବାସିନ୍ଦା ବିଦେଶୀ ଅମଲାମାନେ ସେହି ପଡ଼ାରେ ବସା କରି ରହନ୍ତି ।
ମୁକ୍ତାର ବାବୁ ଗୋପାଳଚରଣ ପଟ୍ଟନାୟକଙ୍କ ବସା ପଶ୍ଚିମ ପଟ ସାହାଲର ମଝିରେ । ବସାରେ କୁଟୁମ୍ବ ବୋଇଲେ ବୁଢ଼ୀ ମାଆଟି, ଆଉ କେହି ନାହିଁ । ପାଖ ପଡ଼ିଶା ପେସ୍କାର ରାଜକିଶୋର ବାବୁ । ତାଙ୍କ ବସାରେ ବୁଢୀଢ଼ୀ, ସ୍ତ୍ରୀ ଆଉ ଆଠ ବର୍ଷର ଝିଅଟି ରାଧୀ । ପେସ୍କାର ଆଉ ମୁକ୍ତାର ବାବୁଙ୍କ ମାଆମାନଙ୍କର ଖୁବ୍ ମନ ମିଳେ । ତାହା ତ ମିଳିବ, ଦୁହେଁ ଏକ ବୟସୀ, ପୁଣି ବୁଢୀ । ବିଦେଶରେ ସାଙ୍ଗସୁଙ୍ଗା ଆଉ, କେହି ନାହିଁ । ଦୁଇ ବୁଢ଼ୀ ଭିତରେ ଏ ତା ବସାକୁ, ସେ ୟା ବସାକୁ ଦିନମାନରେ ଦୁଇ ତିନି ଥର ଯିବା ଆସିବା କରନ୍ତି । ପେସ୍କାର ମା କିନ୍ତୁ ମୁକ୍ତାର ବସାକୁ ଦିନ ଭିତରେ ଢେର ଥର ଆସନ୍ତି । ବୋହୂଟା କିଛି ପାଇଟି କରିବାକୁ ଦିଏ ନାହିଁ, ତୁଚ୍ଛା ବସାଟାରେ ବସି କଣ କରିବେ ? ପଛ ବାଡ଼ିପଟ ଓଳିଏ ଓଳିଏ ବାଟ, ସେ ପଟରେ ମଣିଷ ନାହିଁ । ଯେତେବେଳେ ଇଚ୍ଛା ଯା ଆସ କରନ୍ତି । ଆଉ ବେଳେ ଯାହାହେଉ - ବେଳବୁଡ଼, ଚଉଦ ଘଡିଆ ବୁଢ଼ୀ ଦୁଇଟା ଚମ ଧୁଡ଼ୁ ଧୁଡ଼ୁ ହାଡ଼ୁଆ ଗୋଡ଼ ପୁଞ୍ଜାକ ମେଲେଇ ଦେଇ ବସି ଢେର ସୁଖ ଦୁଃଖ କଥାଭାଷା ହୁଅନ୍ତି । ଦିନେ ଏଣୁ ତେଣୁ କଥା କୁହାକୁହି ହେଉଁ ହେଉଁ ନା' ପଚରାପଚରି ହେଲେ । ମୁକ୍ତାର ମା କହିଲେ, "ମୋ ନା' ପଦ୍ମା ।" ପେସ୍କାର ମା ହସି ହସି କହିଲେ, "ମଲା ଯା - ମୋ ବଡ ଅପା ନା' ଯେ ପଦ୍ମାବତୀ । ତୁମେ ଯେ ମୋ ଅପା ହେଲ, ମୁଁ ଏବେ ଅପା ବୋଲି ଡାକିବି । ମୋ ନା' ସୀତା, ମତେ ତୁମେ ସୀତା ବୋଲି ଡାକିବ । କଣ ଏଇ କଥା ହେଲା ନା ?" ପଦ୍ମା ଦେଈ ହସି ହସି କହିଲେ, "ହେଉ ତାହିଁ ହେବ ।"

ମୁକ୍ତାରବାବୁ ପାଞ୍ଚ ବରଷ କାଳୁଁ ବାପ ଛେଉଣ୍ଡିଆ । ତାଙ୍କ ବାପେ କମଳଲୋଚନ ପଟ୍ଟନାୟକେ ବରଷକୁ ଚାଳିଶ ଟଙ୍କା, ଦୁଇ ଯୋଡ଼ ଖଦି, ଯୋଡ଼ାଏ ଗାମୁଛା ଦରମାରେ ଜଣେ କାପୁଡ଼ିଆର ଗୁମାସ୍ତା ଥିଲେ । ଯାହା ଦରମା ଗଣ୍ଡାକ ପାଉଥିଲେ, ପେଟ ପିଠିକୁ ନିଅଣ୍ଟ, ବିଧବା ଲାଗି ସାଇତି ଯିବେ କଣ ?
ବିଧବା ପଦ୍ମା ଦେଈ ଗ୍ରାମର ୟା ତା ଘରେ ଢେଙ୍କି ମାଡ଼ି ପାଞ୍ଚ ପାଇଟି କରି ବଡ କଷ୍ଟରେ ପୁଅଟିକୁ ମଣିଷ କରାଇଥିଲେ । ପିଲା ଗୋପାଳଟି ବି ଖୁବ୍ ବୁଦ୍ଧିଆ ଥିଲା; ପାଠରେ ଖୁବ୍ ମନ ରଖିଥାଏ, ଏଥିପାଇଁ ମଣିଷ ହୋଇଥିଲା । ପିଲାଦିନୁ ଆପଣା ଅବସ୍ଥା ବୁଝିଲାଣି ! ମାଆର ଦୁଃଖ ଦେଖି ଉହାଡ଼ରେ ଯାଇ କାନ୍ଦେ । ମନରେ କହେ 'ମୁଁ ରୋଜଗାର କଲେ ମାକୁ ଖୁବ୍ ସୁଖରେ ରଖିବି ।' ଗୋପାଳବାବୁ ମୁକ୍ତାରୀ ପାସ୍ କରି ବାଲେଶ୍ୱରକୁ ଆସିବେ, ସୁଖରେ ରଖାଇବେ ବୋଲି ମାଙ୍କୁ ଗାଁରୁ ଅଣାଇ ବସାରେ ରଖାଇଥିଲେ, ମାତ୍ର ପାରିଲେ ନାହିଁ । ବାବୁଙ୍କର ଇଚ୍ଛା, ମା ଭଲ ଖାଇ ଭଲ ଖଣ୍ଡେ ପିନ୍ଧି ବସାରେ ତୁନି ହୋଇ ବସିଥାନ୍ତୁ, ମା ସେ କଥା ଶୁଣିବେ କ୍ୟାଁ ? ବସାରେ ସବୁ ପାଇଟି କରିବେ, ପନ୍ଧିବାକୁ ସେଇ ମୋଟା ଖଦିଟାଏ । ଭଲ ଲୁଗା ଆଣିଲେ କହିବେ, ଆରେ ଗୋପାଳ ଏଡେ ପାତଳ ଲୁଗା କ୍ୟାଁ ରେ - ମାସ ଚାରିଟାରେ ଚିରି ଫାଳ ଫାଳ ହୋଇଯିବ, ଦେହକୁ କନା ପରି ଲାଗିବ, ଲୁଗା ପିନ୍ଧିଲା ପରି ଜଣାପଡ଼ିବ ନାହିଁ । ମଲା ଯା - କେତେ ଓସାର ମ ! ଗୋଡ଼ରେ ଛନ୍ଦି ହେବ, ଚାଲିବି କିମିତି ରେ ?' ବୁଢୀର ଇଚ୍ଛା, ମୋ ଛୁଆଟା ପିଲାଦିନେ ବଡ଼ ଦୁଃଖ ପାଇଛି, ଭଲ ଖାଇ ନାହିଁ, ଭଲ ପିନ୍ଧି ନାହିଁ, ମୋର ତ ଚଳି ଯାଉଛି, ତା ଅର୍ଜନ ଟଙ୍କାଗୁଡାକ ଖର୍ଚ୍ଚ କରିବି କ୍ୟାଁ ? ଯେତେ ଗୋଡ଼ ହାତ ଧରି ନେହୁରା କଲେ ବି ଶୁଣିବାକୁ ନାହିଁ । ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦର ପୋଡ଼ା କାଠ ।' ଗୋପାଳବାବୁ କଚେରି ବାହୁଡା ସଞ୍ଜବେଳେ ମା' ପାଖରେ ଘଡିଏ ବସି ଦୁଃଖ ସୁଖ କଥା କହନ୍ତି । ଯେଉଁଦିନ ଯେତେ ରୋଜଗାର ହୁଏ, ମା ପାଖରେ ଥୋଇ ଦିଅନ୍ତି । ଟଙ୍କା ଦେଖି ବୁଢ଼ୀ ଛାତି କୁଣ୍ଢେ ହୋଇଯାଏ । ଭଲକରି ଓଲଟା ଓଲଟି କରି ଦେଖେ, ଠାକୁର ଦେବତା ନାମ ଡାକି ଟଙ୍କାଗୁଡିକ ଛ ଥର ମୁଣ୍ଡରେ ମାରେ; ଗଣି ପୋଛି ଭଲକରି ବାନ୍ଧି ପେଡ଼ିରେ ରଖେ । ନିଜପାଇଁ ପଇସାଏ ବି ଖରଚ କରେ ନାହିଁ । ପୁଅ ପାଇଁ ହେଲେ ପାଞ୍ଚଟା ଜିନିଷ ଅଣାଇ ପାଞ୍ଚ ତିଅଣ କରି ଖୁଆଏ, ପୁଅ ବି ତେତିକିବେଳେ ଅଡି ବସେ- "ନା, ମା, ତୁ ନ ଖାଇଲେ ମୁଁ ଖାଇବି ନାହିଁ ।"
ଗୋପାଳବାବୁ ଦିନେ ସଞ୍ଜବେଳେ ବହୁତ ସାକୁଲାସାକୁଲି କରି କହିଲେ, "ମା ତୁ ତ ରାନ୍ଧି ପାରିବୁ ନାହିଁ, ଗୋଟାଏ ପୁଝାରି ଆଣି ରଖିବି ।"
ମା- ପୁଝାରି କଣରେ ? କି ବାହ୍ମୁଣ ବୋଲି କି ବାହ୍ମୁଣ- ସୂତା ଗୋଛାଏ ବେକରେ ପକାଇଲେ ହେଲା ପରା ? ସେ ମୋ ଇଶାଣରେ ପଶି ହାଣ୍ଡି ଛୁଇଁବ, ତା ହାତରୁ ଖାଇବି ? ତିନି କାଳ ଗଲା, ଏବେ ଯଥାକାଳକୁ ବିଦେଶରେ ଜାତିପତି ହରେଇବି ପରା ?
ଗୋପାଳବାବୁ ତୁନି । ଆଉ ଦିନେ ଗୋଟାଏ ମାଇକିନିଆ ବସାରେ ଉପସ୍ଥିତ ।
ମା- ଏ କିଏ ରେ ଗୋପାଳ ?
ଗୋପାଳ - ମା, ଏ ଗୋଟିଏ ଦାସୀ । ଆସିଛି ବାହାର ପାଇଟି କରିବ ।
ମା - ବାହାର ପାଇଟି କଣ ରେ ? ଆରେ ଅଇଣ୍ଠା ବାସନ ଦିଖଣ୍ଡ ପିଛୁଳି ପକାଇଲେ ଗଲା । ଘର ବାହାରଟା ଖର୍କାଖର୍କି କରି ଦେଇ ଛୁଞ୍ଚକନାଟା ବୁଲେଇ ଆଣିଲେ ପାଇଟି ଛିଡ଼ିଲା । ଦାସୀ କଣ ରେ ? ଦେ,ଦେ ବିଦାକରି ଦେ ।

ଏ କଥା ବି ସତ, ଏପରି ଅଭ୍ୟାସ ହୋଇ ଯାଇଛି ଯେ, ବୁଢ଼ୀ କାମ ପାଇଟିକୁ କଷ୍ଟ ମଣେ ନାହିଁ, କାମ ନ କରି ରହି ପାରେ ନାହିଁ ।
ଗୋପାଳ ବାବୁଙ୍କର ବାଇଶ ତେଇଶ ବର୍ଷ ପାରି ହୋଇଗଲାଣି, ଏହି ତ ବିଭା ବୟସ । ମା ବିଭାକଥା କେତେ ଥର କହିଲେଣି । ମାଆଙ୍କର କୌଣସି କଥା ତଳେ ପଡେ ନାହିଁ, ହେଲେ ବିଭାକଥା ଶୁଣି ଗୋପାଳବାବୁ ଶୁଣି ନ ଶୁଣିଲା ପରି ପିଠେଇ ଚାଲିଯାନ୍ତି । ଶେଷକୁ ପୁତୁରା ପେସ୍କାର ବାବୁଙ୍କୁ ଧରିଲେ, ତାଙ୍କ କଥା ବି ଶୁଣିବାକୁ ନାହିଁ । ଗୋପାଳବାବୁ ମନରେ ସ୍ଥିର କରିଛନ୍ତି, ମା ତ ବୁଢ଼ୀ ହେଲାଣି, ବସାରେ ତ ଆଉ କେହି ନାହିଁ । କଚେରି ଦରବାରରୁ ଆସି କାହା ସାଙ୍ଗରେ ବସି ଦି'ଟା କଥାଭାଷା ହେବେ ? ବସା ଖର୍ଚ୍ଚ ପତ୍ର ହିସାବ ବୁଝିପାରିବ, ଭାଷାପତ୍ର ଖଣ୍ଡେ ଲେଖି ପାରୁଥିବ, ଏପରି ପାଠୋଇ କନ୍ୟାଟିଏ ପାଇଲେ ବିଭା ହେବ । ମୂର୍ଖ କନ୍ୟାଟାଏ ବିଭା ହେଲେ କଣ ହେବ ?
ବୁଢୀ ଏବେ ଗୋଟାଏ ଫିକର ବାହାର କଲାଣି । ପୁଅକୁ ଶୁଣାଇ ଶୁଣାଇ ତୁଚ୍ଛାଟାରେ ହେଲେ କହେ "ଓହୋ ଚାଲି ପାରୁ ନାହିଁ, ପାଣି ଆଣି ପାରୁ ନାହି, ଆଜି ରାତିରେ କିମିତି ଦି'ଟା ଫୁଟାଫୁଟି କରି ଦେବି ।"
ଗୋପାଳ - ମୁଁ ତ ସେହି କଥା କହୁଛି ମା, ଏବେ ହେଲେ ଗୋଟାଏ ରାନ୍ଧୁଣୀ ଆଣେ ?
ମା - କଣ ଯଥାକାଳକୁ ଧର୍ମ ନଷ୍ଟ କରିବି ?
ଗୋପାଳବାବୁ ଏବେ ଅଥୟ । ଲାଗିଲା କନ୍ୟା ଖୋଜାଖୋଜି । ଏ ବିଷୟରେ ପେସ୍କାର ବାବୁଙ୍କର ଭାରି ତନଘନ ଲାଗିଛି । ଢେର ଖୋଜାଖୋଜିରେ କନ୍ୟାଟିଏ ଠିକଣା ହେଲା, ନୀଳଗିରି ଇଲାକା ମୟୂରଭଞ୍ଜ ଦୋସମାଳୀ ଭାଲୁକପୋଷି ଗାଁରେ । ଭାଲୁକପୋଷି ଗୋଟାଏ ପାହାଡ଼ମୂଳିଆ ବଣଭିତିରିଆ ଗାଁ, ଆଖପାଖ ଦୁଇ ତିନି କୋଶ ଭିତରେ ଆଉ ଗାଁ ନାହିଁ । ଗାଁରେ ସାନ୍ତାଳ ଚାଳିଶ କି ପଚାଶ ଘର । ବେପାରୀ ତେଲୀ ମହାଜନ ଦୋହରା ଘର ଯୋଡ଼ାଏ । ରାଜାଙ୍କ ଗଡ଼ ପାଖରୁ ଗାଁଟା ଢେର ଦୂର, ଖଜଣା ଅସୂଲ କରିବାପାଇଁ ପିଆଦା ପଇଦଳ ବାଘ ଭାଲୁ ଡରରେ ଏକୁଟିଆ ଯିବାକୁ ମଙ୍ଗନ୍ତି ନାହିଁ । ଦୁଇ ତିନି ଜଣ ସାଙ୍ଗସୁଙ୍ଗା ହୋଇ ଗଲେ ସାନ୍ତାଳଗୁଡାକ ବଣରେ ପଶିଯାନ୍ତି । ପିଆଦାମାନେ ଭେଟି ପାରନ୍ତି ନାହିଁ । ଦେବାକୁ ମରିବାକୁ କିଏ ସହଜରେ ରାଜି ହୁଏ ? ବଣୁଆଗୁଡ଼ାକ ଖଜଣା ଗଣ୍ଡାକ ଦେବାକୁ ନାରାଜ, ଟାକିଏ ଟାଣ କଲେ ଗାଁ ଛାଡ଼ି ପଳାଇବେ, ନୋହିଲେ ଅମାନିଆ ହୋଇ ଗଣ୍ଠି ଫେରାଇ ଦେବେ । ସେ ଗୁଡ଼ାଙ୍କୁ କରଗତ ରଖିବା ଲାଗି ରାଜାଙ୍କ ଛାମୁରୁ ଦଶମାଣ ହେତା ଜମି ଦେଇ ସେହି ଗାଁରେ ସବୁଦିନ ରହିବା ପାଇଁ ଜଣେ ପଧାନ ରଖିଲେ । ସେହି ହେତା ଜମି ଲୋଭରେ ଏବେକା ପଧାନ ଘନଶ୍ୟାମ ମହାନ୍ତିଙ୍କ ବାପେ ରାମ ମହାନ୍ତିଏ ଦୋହରା ଘର କରୁଁ କରୁଁ ସେ ଜାଗାରେ ରହି ଯାଇଛନ୍ତି ।
ଘନଶ୍ୟାମଙ୍କ ପରିବାର ବୋଇଲେ ମାମୁ ମାଇଁ ଦି'ପ୍ରାଣୀ, ଆଉ ପନ୍ଦର ବର୍ଷ ବୟସର ଗୋଟିଏ ଅଭିଆଡୀ ଝିଅ, ନାମ ସରସ୍ୱତୀ । ଗାଁଟା ବଡ଼ ବଣୁଆ, ସଞ୍ଜ ବାଜିଲା ତ ବାଘ ଭାଲୁ ମେଳା ମେଳା, ଦିନ ଥାଉଁ ଥାଉଁ ଲୋକମାନେ ଖାଇ ପିଇ ତାଟି କବାଟ କିଳି ଶୋଇ ପଡନ୍ତି । ସେହିଠାରେ କନ୍ୟା ଠିକଣା ହେଲା । ବୋଇଲା ବାର କଥାରେ ବାହା, ଢେର ଥର କଥାବାର୍ତ୍ତା ଚଳିଲା, ଶେଷକୁ ଧାଈ ଦେଖି ଆସି କହିଲା "କନ୍ୟାପରି କନ୍ୟାଟାଏ ଏକା, ନାମ ସରସ୍ୱତୀ, ଦେଖିବାକୁ ଲକ୍ଷ୍ମୀ ମୁର୍ତ୍ତିଟିଏ, ଗୋଟିଏ ଚାଉଳରେ ଗଡ଼ା, ଗୁଣର ସୀମା ନାହିଁ ।"
କନ୍ୟା କଥା ଶୁଣି ବୁଢ଼ୀ ତ ଅଥୟ । ରୂପ ଗୁଣ ଶୁଣି ଗୋପାଳବାବୁଙ୍କ ମନ ଟିକିଏ ତରଳିଲା, ବିଚାର କଲେ, ନ ପଢ଼ିଛି ତ ନାହିଁ, କଣ କରାଯିବ, ତାକୁ ନ ହୁଏ ବସାରେ ବସି ପଢ଼ାଇବି ।
ବିଭା ହୋଇଗଲା । ବସାରେ ହେଲେ ଚାରିଜଣ । ଗୋପାଳବାବୁ ବାର ଚଉଦ ବର୍ଷର ଗୋଟିଏ ଭଣ୍ଡାରୀ ପିଲାକୁ ଡାକହାକ ଶୁଣିବା, ବଜାରହାଟ ସଉଦା କରି ଦେବାଲାଗି ରଖି ଦେଇଛନ୍ତି । ଗୋପାଳବାବୁଙ୍କ ଇଚ୍ଛା, ବୋହୂ ସାଙ୍ଗରେ ଯେଉଁ ଦାସୀଟା ଆସିଛି, ତାକୁ ସବୁଦିନେ ବସାରେ ରଖିବେ । ମା ଡରରେ ରଖିଲେ ନାହିଁ । ବୁଢୀ ଏତେ ଢମଢମାଳି ବୁଝେ ନାହିଁ । କହିଲେ, "ଆଜି ଜାଣି ଟଙ୍କା ଯୋଡ଼ାଏ ଘରେ ପଶୁଛି, ଦାସୀଟାଏ ରଖି ପକାଇବା, କାଲି ଟଙ୍କା ନ ମିଳିଲା ! ନାହିଁ ରେ ବାପା, ଟଙ୍କା ଯୋଡ଼ାକ ସାଇତି ରଖିଥିଲେ ବେଳରେ 'ଓ' କରିବ ।"
ବୋହୂର ରୂପ ଗୁଣ ଦେଖି ବୁଢୀ ଦିନ ରାତି ତାହାରି ପ୍ରଶଂସା ଗାଉଛି, ମୁହଁରେ ସବୁବେଳେ ହାତେ ଲମ୍ବ ଓଢ଼ଣା, ନଇଁ ନଇଁ ଚାଲେ, ପନ୍ଦର ଦିନ ହେଲା ଆସିଲା, ପଦେ ବୋଲି କଥା କେହି ଶୁଣି ନାହିଁ । ଭାଲ ଘର ଝିଅଟିଏ ଏକା, ମା ଭଲ ଗୁଡ଼ିଏ ଶିଖାଇଛି, ଇତ୍ୟାଦି ଇତ୍ୟାଦି ।
ବୁଢ଼ୀଟା ଯେମନ୍ତ ବୋହୂକୁ ଚାହିଁ ବସିଥିଲା, ବିଭାଘର ଅଷ୍ଟମଙ୍ଗଳା ଯାଇ ନାହିଁ, ବୁଢ଼ୀ ବାଧିକା ପଡିଲା ଯେ, ବିଛଣା ଧରିଛି; ଆଉ ଉଠିବାକୁ ନାହିଁ । ଦିନ ପନ୍ଦରଟା ମଧ୍ୟରେ ଆପଣା ନିଜ ଯାଗାକୁ ଚାଲିଗଲା ।
ମରିବା ଦି'ଦିନ ଆଗରୁ ପୁଅକୁ ପାଖରେ ବସାଇ ଢେର ଉପଦେଶ ଦେଲା । "ବାପା ! ବେଳ ମାଫିକେ ଖାଇବୁ, ଟଙ୍କାକଉଡ଼ି ସାଇତିବୁ, ବୋହୂକୁ ଭଲ ପାଇବୁ, ମୋର ଢେର ଦିନରୁ ମନ, ଗୋଟିଏ ସୁନା ଅଳକା ବନାଇ ଦେବୁ, ବୋହୂ ମୁଣ୍ଡରେ ଲଗାଇବ ।" ସୀତା ଦେଈଙ୍କୁ ଡକାଇ କହିଲା, "ଆଲୋ ସୀତା, ବୋହୂଟା ତତେ ଲାଗିଲା, ପିଲାଟା କିଛି ଜାଣେ ନାହିଁ ।" ବୁଢ଼ୀର ପାଟି ପଡ଼ିଗଲା, ଆଉ କିଛି କହି ପାରିଲା ନାହିଁ । ମାଉସୀ ପୁତୁରା ଦି'ଜଣ ଗୋଡ଼ ପାଖରେ ବସି ଢେର କାନ୍ଦିଲେ ।
ବୁଢ଼ୀର ତ କ୍ରି୍ୟାକର୍ମ ସବୁ ଛିଡ଼ିଲା । ଗୋପାଳବାବୁ ଏବେ ବୋହୂଟାକୁ ପାଠ ପଢ଼ାଇବାକୁ ଆରମ୍ଭ କରି ଦେଲେ । ରୋଜ ସଞ୍ଜବେଳୁଁ ପାଖରେ ବସାଇ ରାତି ଦୁଇ ଘଡ଼ି ଯାଏ ପଢ଼ାନ୍ତି । ଅ ଅକ୍ଷରଟା ଲେଖି ଶିଖିବାକୁ ମାସେ କାଳ ବିତିଗଲା । ମାସ ଦି'ଟା ଭିତରେ ବୋହୂ ଅ-ଆ ଦିଟା ପୂରାପୂରି ଶିଖିଗଲାଣି, ଇ ଅକ୍ଷରଟା କିନ୍ତୁ ସହଜରେ ହେଉନାହିଁ, ହ୍ରସ୍ୱଇ ଟା ଶିଖିବାକୁ ଛ ସାତ ଦିନ ଗଲା, ଲେଖି ଆସୁ ନାହିଁ । ବୋହୂ କହୁଛି, "ଏ ଅକ୍ଷରଟା ବଡ ମୋଡ, ଲେଖି ଆସୁନାହିଁ ।" ପନ୍ଦର ଦିନକାଳ ମେହନତ କରି ଶିଖାଇ ନ ପାରିବାରୁ ଗୋପାଳବାବୁ ବଡ଼ ଦିକଦାର ହେଲେଣି । ବୋହୂଟା ବି ଠାଁ ଏକ ଜାଗାରେ ଦୁଇ ଘଣ୍ଟାକାଳ ବସି ପଢ଼ି ପଢ଼ି ଦିକଦାର । ଗୋପାଳବାବୁ ମନରେ କଲେ - ବୁଢ଼ୀ ଶାରୀକୁ ରାମ ରାମ ଶଖାଇବା ସହଜ କଥା ନୁହେ ।
ସରସ୍ୱତୀ ଦେଈ ମନରେ କହିଲେ - ସେ ଏତେ ମେହେନତ କ୍ୟାଁ ପାଠ ପଢ଼ିବେ, ବାବୁଙ୍କୁ ପଚାରିବେ ପଚାରିବେ ମନରେ କରନ୍ତି, ହେଲେ ଭରସା ଖଟେ ନାହିଁ । ଆଜି ଖୁବ୍ ସାହାସ କରି ପଚାରିଲେ, "ହଁ ହେ, ତୁମେ ସିନା କଚେରି ଦରବାରକୁ ଯିବ, ପାଠ ପଢ଼ିବ, ମୁଁ କ୍ୟାଁ ପାଠ ପଢିବି ?"

ଗୋପାଳ - "କଚେରି ଦରବାର ନାହିଁ, ତୁମେ ପାଠ ପଢ଼ିଲେ ବୁଦ୍ଧି ହେବ ।" ଏ କଥା ଶୁଣି ସରସ୍ୱତୀ ଦେଈ ତ ଖୁବ୍ ଗୋଟାଏ ହସିଲେ । ଗୋପାଳବାବୁ ମନରେ କଲେ, ତାଙ୍କ କଥା ମନକୁ ନ ପାଇବାରୁ ବୋହୂ ଅବଜ୍ଞା କରି ହସିଲେ । ହେଲେ ଗୋପାଳବାବୁଙ୍କର ଏଟା ଭୁଲ, ପୁରାପୁରି ଭୁଲ । ଅସଲ କଥା କଣ କି, ସରସ୍ୱତୀ ଦେଈ ଭଲ କରି ଜାଣନ୍ତି, ତାଙ୍କର ବୁଦ୍ଧି ଢେର । ରୂପରେ ଗୁଣରେ ତାଙ୍କ କଛରେ ମୂଲକରେ କେହି ନାହିଁ, ତେବେ ଆଉ ପାଠ ପଢିବେ କ୍ୟାଁ ? ତାଙ୍କର ଯେ ବୁଦ୍ଧି ଢେର, ତାହା ଗାଁ ସାନ୍ତାଳ ମାଇକିନିଆମାନଙ୍କ କତିରୁ କେତେଥର ଶୁଣିଛନ୍ତି । ତାଙ୍କ ବୋଉ ବି ଢେରଲୋକ ପାଖରେ କହିଛନ୍ତି, "ବୁଦ୍ଧିରେ ମୋ ଝିଅ କଛରେ ଆଉ ଗୋଟାଏ ଝିଅ ମୂଲକରୁ କାଢ଼ିଲ ଭଲା ? ଭାତ ରନ୍ଧାରେ କିଏ ବାଛିବ ? ଶାଗ ଶନ୍ତୁଳିଲେ ଗାଁ ଗୋଟାକ ମହକି ଯାଏ । ସବୁ ଗୁଣରେ ମୋ ଝିଅ ଫରାକିତ । ଚିତଉପିଠା କରିବାରେ ତା ଆଗରେ କେଉଁ ଝିଅଟା ଠିଆ ହେବ ହେଉ ତ ଦେଖେଁ । ଦୁଆର ଝୋଟି ଦେଇଥିଲେ ଦାଣ୍ଡଗଲା ଲୋକ ଚାହିଁ ଚାହିଁ ଯାନ୍ତି ।" ସେ ମନରେ କଲା, ବାବୁଙ୍କୁ ମୋ ବୁଦ୍ଧି କଥା ଅଜଣା, ସେଇଥି ଲାଗି ପାଠ ପଢ଼ିବାକୁ କହୁଛନ୍ତି । ସବୁ କାମଦାମ ଛାଡ଼ି ମୁଁ ତ ଆଉ ହର୍ସଇ ହର୍ସଇ ଦି ଘଣ୍ଟା ବସି କହି ପାରିବି ନାହିଁ ।
ଏଣିକି ବାବୁ ପାଠ ପଢ଼ିବାଲାଗି ଡାକିଲେ, "ମୋ ହାତରେ ପାଇଟି ଅଛି" କହି ମୁହଁ ବୁଲାଇ ଚାଲିଯାନ୍ତି । ଗୋପାଳବାବୁ ଏଥିପାଇଁ ବଡ଼ ବିରକ୍ତ ।
ଗୋପାଳବାବୁ ମନରେ କଲେ, ଏଟା ତ ପଢ଼ିଲା ନାହିଁ, ତୁଚ୍ଛାରେ ବସାଟାରେ ବସି ବସି କଣ କରିବି ? ଗାଁ ମୁଣ୍ଡରେ ରାଧେ ବାବାଜୀ ମଠ - ଅମଲାମାନେ ମିଳି ସେଠାରେ ଗୋଟିଏ ସଭା କରିଛନ୍ତି, ନାମ 'ଭକ୍ତିଦାୟିନୀ ସଭା'। ସଭାରେ ପୁରାଣ ପାଠ ଓ ଧର୍ମ ବିଷୟ ଚର୍ଚ୍ଚା ହୁଏ । ସଞ୍ଜ ବାଜିଗଲେ ବାବୁ ସେହି ସଭାକୁ ଚାଲିଯାନ୍ତି ।
ସରସ୍ୱତୀ ଦେଈ ପ୍ରଥମରୁ ବିରକ୍ତ ଥିଲେ । "ସଞ୍ଜ ବାଜିଲା, ଖାଇ ପିଇ ଶୋଇ ପଡ଼ିବ, ୟାଙ୍କ ଘରେ ରାତି ପହରକେ ଭାତ ଖାଇବେ, ଏଟା କଣ ମ ?" ସରସ୍ୱତୀ ଦେଇଙ୍କର ଏଣିକି ମନ ମଧ୍ୟରେ ଭୟାନକ ଚିନ୍ତା ।
ପ୍ରଥମ ଚିନ୍ତା - ଗାଁରେ ତ ସମସ୍ତେ ତାଟି କବାଟ ଦେଇ ଶୋଇ ପଡ଼ିଲେଣି, ବାବୁ ଆଉ ଏକୁଟିଆ କୁଆଡ଼େ ଯାନ୍ତି ? ବାଘଟାଏ ଭାଲୁଟାଏ ବାହାରି ପଡ଼ିଲେ କଣ ହେବ ? ସବୁବେଳେ ଘୋଡ଼ିଘାଡ଼ି ହୋଇ କୋଣରେ ବସିଥିବେ, କାହାରି ସାଙ୍ଗରେ ତ କଥା କହିବେ ନାହିଁ । ଦାଣ୍ଡ ଲୋକ ତ ଘର ଭିତରକୁ କେହି ଆସନ୍ତି ନାହିଁ, ଏ ଗାଁ ହାଲ କାହୁଁ ଜାଣିବେ ?
ଦ୍ୱିତୀୟ ଚିନ୍ତା - ବାବୁ ଏଣିକି ମତେ ଆଉ ଭଲ ପାଉ ନାହାନ୍ତି - ନିଶ୍ଚେ ଆଉ କାହାକୁ ଭଲ ପାଉଛନ୍ତି - ସେ କିଏ ?
ତୃତୀୟ ଚିନ୍ତା - ବାବୁ କଣ ରୋଜ ତାହାରି ପାଖକୁ ଯାନ୍ତି ? ଅବଶ୍ୟ ତାହାରି ପାଖକୁ ଯାନ୍ତି ।
ସବୁବେଳେ ଚିନ୍ତାରେ ଦେହ ଶୁଖି ଗଲାଣି । ଶେଷରେ ସ୍ଥିର କଲେ, ବାବୁଙ୍କୁ ପଚାରିବେ, କୁଆଡ଼େ ଯାନ୍ତି । ହେଲେ, ପଚାରିବାକୁ ଭରସା ଖଟୁ ନାହିଁ ।
ଶାଶୁ ମଲା ଦିନ ପାଖରୁ ମାଉସୀଶାଶୁ ରୋଜ ବେଳବୁଡ଼େ ବୋହୂକୁ ଦେଖିବାକୁ ଆସନ୍ତି । ଏବେ ରୋଜ ଥରେ ବୁଝାନ୍ତି, "ଶାଶୁ ଲାଗି ଏତେ ଚିନ୍ତା

କରନା; ତୋ ଦେହ ଶୁଖି ଗଲାଣି ରେ । ଶାଶୁ ବୁଢ଼ୀ ହୋଇଥିଲା, ମରିଗଲା, କଣ କରିବୁ ? ଶାଶୁ ଶଶୁରକୁ ଘେନି କଣ ବୋହୂମାନେ ସବୁଦିନେ ଘର କରନ୍ତି ? ଯା ମା, ଆଉ ଚିନ୍ତା କରନା ।" ବୁଢ଼ୀ ମନରେ କଲା, ବୋହୂ ଶାଶୁ ଲାଗି ଭାଳି ଭାଳି ଶୁଖି ଗଲାଣି ।
ଆଜି ମାସର ଶେଷ ଶନିବାର । ବାବୁ ଚଞ୍ଚଳ କଚେରିରୁ ଆସିଥିଲେ । ସଞ୍ଜ ନ ବାଜୁଣୁ ସଭାକୁ ବାହାରିଛନ୍ତି । ସରସ୍ୱତୀ ଦେଈ ଖୁବ୍ ହେମତ କରି ପାଖକୁ ଯାଇ ପଚାରିଲେ, "ହୋଇ ହେ, ରୋଜ ରାତିରେ ତୁମେ କାହା ପାଖକୁ ଯାଅ ?"
ବାବୁ - ଭକ୍ତି-ଦାୟିନୀ ସଭାକୁ ।
ସରସ୍ୱତୀ - କଣ-କଣ କହିଲେ ? ଭଗବତୀ ଡାହାଣୀ ?
ବାବୁ ହସି ହସି କହିଲେ - ହଁ ହଁ, ଭଗବତୀ ଡାହାଣୀ ।
ସରସ୍ୱତୀ - ଶୋଭା କଣ କହିଲ, ସେ କଣ ବଡ଼ ଶୋଭାକାର ।
ବାବୁ ଟାହୁଲି କରି କହିଲେ - ହଁ, ହଁ, ଭାରି ଶୋଭାକାର ।
ବାବୁ ହସି ହସି ଚାଲିଗଲେ, ମନ ମଧ୍ୟରେ ଭାରି ଦିକ୍‌ଦାର ବି ହେଲେ । ବଣ ସାନ୍ତାଳ ଗାଁରୁ କି ବଣଜନ୍ତୁଟାଏ ଆସିଛି, ଭକ୍ତିଦାୟିନୀ କଥାଟା କହି ଆସୁନାହିଁ, କହୁଛି କଣ ନା, ଭଗବତୀ ଡାଆଣୀ । କଣ ଖୋଜୁଥିଲି, କଣ ପାଇଲି- କପାଳ କଥା ! ସରସ୍ୱତୀ ଦେଈ ଯେ ଜାଗାରେ ଛିଡ଼ା ହୋଇଥିଲେ, ଠିକ ସେହି ଜାଗାରେ ଖୁମ୍ବଟିପରି କାନ୍ଥକୁ ଆଉଜି ଛିଡ଼ା ହୋଇଛନ୍ତି । ରାତି ଘଡ଼ିଏ ହୋଇଗଲାଣି, ଅର୍ଜୁନା ଡାକିଦେଲା, "ମା ଇମିତିଟା ହୋଇ ଛିଡ଼ା ହୋଇଛନ୍ତି କ୍ୟାଁ ? ହାଣ୍ଡିଶାଳ ଦୁଆରେ ଘସି କୁହୁଳା ଥୋଇ ଦେଇଛି, ପାଣି ଦି ମାଠିଆ ରଖି ଦେଲିଣି, ଯାଉନ୍ତୁ, ଭାତ ରାନ୍ଧିବେ ଯାଆନ୍ତୁ ।" ଅର୍ଜୁନାର ଦୁଇ ତିନି ଡାକରେ ସରସ୍ୱତୀ 'ହୁଁ' ବୋଲି କହି ହାଣ୍ଡିଶାଳକୁ ବାହାରିଲେ, ଚୁଲୀରେ କୁହୁଳାଟା ପକାଇ ଦେଇ ହାଣ୍ଡି ବସାଇ ଦେଲେ । ରୋଜିନା ତିନି ଜଣ ପାଇଁ ରନ୍ଧା ସେରେ ଚାଉଳ । ସରସ୍ୱତୀ ଦେଈ ଅମପା ଅପୋଛା ଚାଉଳଧୂଆଏ ଚାଉଳ ଆଣି ହାଣ୍ଡିରେ ଢାଳିଦେଲେ । ଚାଉଳଟା ଅଧୂଆ । ଲୋଟାଏ ପାଣି ଢାଳିଦେଇ ଚୁଲ୍ଲୀ ଜଳା ଲଗାଇଛନ୍ତି । ଅର୍ଜୁନା ଅନାଇ ଥାଏ । ଦେଖି ଦେଖି ମନରେ କଲା, ଆଜି ଏ କଣ ହେଉଛି । ଦଣ୍ଡକ ବାଦେ ଅରଜୁନା ଡାକିଦେଲା, "ମା ମା, ଦେଖନ୍ତୁ- ଦେଖନ୍ତୁ ଭାତ ତଳି ଲାଗିଗଲା ପରା- ଚାଉଳ ପୋଡ଼ା ଗନ୍ଧାଉଛି ।" 'ହୁଁ' ବୋଲି କହି ସରସ୍ୱତୀ ଦେଈ ଆଉ ଅଧ ମାଠିଆଏ ପାଣି ଗବ ଗବ କରି ହାଣ୍ଡିରେ ଢାଳି ଦେଲେ । ଦଣ୍ଡକ ବାଦେ ମେଞ୍ଚାଏ ହଳଦି ଓ ମୁଠାଏ ଲୁଣ ହାଣ୍ଡିରେ ପକାଇ ଦେଇ ଘାଣ୍ଟି ବସିଲେ । ଅର୍ଜୁନା ଡାକିଲା, "ମା ମା, ଭାତରେ ହଳଦି ପକାଇଲେ କ୍ୟାଁ ?" ଅର୍ଜୁନାର କଥା କଣ କାନରେ ପଶୁଛି ? ଆକାଶ ପାତାଳ ଭାବନା, ଚିନ୍ତାର ସୀମା ନାହିଁ । ଆଖି ଆଗରେ ପୃଥିବୀଟା ଯେମନ୍ତ ଘୂରି ଯାଉଛି, ଭଗବତୀ ଡାହାଣୀ ନାଚି ନାଚି ତାଙ୍କ ପାଖକୁ ଧାଇଁ ଆସୁଛି ।
ସରସ୍ୱତୀ ମନରେ କଲେ, ଭଗବତୀ ଡାହାଣୀ କଥା ଅର୍ଜୁନାକୁ ପଚାରି ବୁଝିବେ । ସ୍ୱାମୀ କଥା- ଅସୁନ୍ଦର କଥା । ଟୋକାଟାକୁ ପଚାରିବାକୁ ବଡ଼ ଲାଜ ମାଡ଼ୁଛି । ଅର୍ଜୁନାକୁ ଦୁଇ ତିନି ଥର ଅନାଇଲେ, ପଚାରି ପାରୁ ନାହାନ୍ତି । ଆଉ ସମ୍ଭାଳି ହୋଇ ପାରିଲେ ନାହିଁ, ପଚାରିଲେ, "ହୋଇରେ ଅର୍ଜୁନା, ତୁ ଭଗବତୀ ଡାହାଣୀକୁ ଦେଖିଛୁ ?"

ଅର୍ଜୁନା - କୋଉଁ ଡାହାଣୀ ମା ?
ସରସ୍ୱତୀ - ଆରେ ସେଇ ଭଗବତୀ - ସେ କଣ ବଡ଼ ଶୋଭାକାର ?
ସରସ୍ୱତୀ ମନରେ କରିଛନ୍ତି, ଅର୍ଜୁନା ସବୁ ଜାଣେ, ଅବଶ୍ୟ ଜାଣେ । ଅର୍ଜୁନା ଦଣ୍ଡେଯାଏ ତୁନି ହୋଇ ରହିଲା, ସେ ଚଲାକ ଭଣ୍ଡାରି ପିଲା, ଆପଣା ଅଜଣାପଣିଆ କ୍ୟାଁ ପ୍ରକାଶ କରିବ ? ଖୁବ୍ ପାଟିଟାଏ କରି କହିଲା,"ହଁ ମା, ଦେଖିଛି, ଦେଖିଛି ।" ନିଶ୍ଚୟ ସେ ଜାଣିଶୁଣି ମିଛ କହି ନାହିଁ । କଥା କଣ କି, ସେ ବାବୁଙ୍କ ସାଙ୍ଗରେ ଦିନେ ରାତିରେ ଶ୍ୟାମସୁନ୍ଦର ମନ୍ଦିରକୁ ଝୁଲଣ ଯାତ୍ରା ଦେଖିବାକୁ ଯାଇଥିଲା । ଗୋଟିଏ ସୁନ୍ଦରୀ ମାଇକିନିଆ ଠାକୁର ଆଗରେ ନାଚି ନାଚି ଗୀତ ଗାଉଥିଲା, ଦେଖି ଆସିଛି । ଅର୍ଜୁନା ଘର ଢାମରା ଯୋର ଲୁଣା ଦଣ୍ଡି ସମୁଦ୍ରକୂଳ ମଫସଲ - ମାଇକିନିଆ ନାଚନ୍ତି, ଆଉ ଏଡ଼େ ସୁନ୍ଦର ମାଇକିନିଆ ତାହାର କୌଣସି ପୁରୁଷରେ କେହି ଦେଖି ନାହିଁ । ମନରେ କଲା, ତାହାରି କଥା ମା ପଚାରୁଛନ୍ତି ।
ସରସ୍ୱତୀ - ବାବୁ କଣ ତା ପାଖରେ ବସିଥିଲେ ?
ଅର୍ଜୁନା - "ହଁ, ତା ପାଖରେ ବସିଥିଲେ ।" ତାହା ବାଦେ ଆପଣାର ଜାଣନ୍ତାପଣିଆ ପ୍ରକାଶ କରିବା ଲାଗି ବର୍ଣ୍ଣନା କଲା, "ସେ ଭଗବତୀ ଡାହାଣୀ କେଡେ ସୁନ୍ଦର, କିମିତି ବଡ଼ ସୁନ୍ଦର ଲୁଗା ପିନ୍ଧିଛି, ଦିହରେ ମୁଣ୍ଡରେ କେତେ ସୁନା ଅଳଙ୍କାର ଲଗାଇଛି ।"
ସାନ୍ତାଣୀ ଗୋଟାଏ ଲୁହା ଚଟୁ ଧରି ଭାତ ଘାଣ୍ଟୁ ଥିଲେ, ମୁହଁ ଫେରାଇ ଅର୍ଜୁନାକୁ ପଚାରିଲେ, "କଣ କଣ, ସେ ମୁଣ୍ଡରେ ସୁନା ଅଳକା ଲଗେଇଛି ?"
ଅର୍ଜୁନା - ହଁ ମା ସୁନା ଅଳକା ଲଗାଇଛି, ମୁଁ ଦେଖିଛି ପରା !
ସରସ୍ୱତୀଙ୍କ ମୁଣ୍ଡରେ ଯିମିତି ନିଆଁ ପାଛିଆଏ କିଏ ଅଜାଡ଼ି ଦେଲା । ରଡ଼ିଟାଏ ଛାଡ଼ି ଛିଡ଼ା ହୋଇପଡ଼ିଲେ, "ଏଁ କଣ ? ମୋ ଶାଶୁ କହି ଯାଇଥିଲେ, ମୁଁ ସୁନା ଅଳକା ମୁଣ୍ଡରେ ଲଗାଇବି, ତାକୁ ଡାହାଣୀ ମୁଣ୍ଡରେ ଲଗାଇ ସାରିଲାଣି ? ମୁଁ ଜୀବନ ରଖିବି ନାହିଁ, ଆଜି ଜୀବନ ହରାଇ ଦେବି ।" ହାତରେ ଲୁହା ଚଟୁ ଥିଲା, ଦୁମାଦୁମ୍ ଭାତ ହାଣ୍ଡିରେ ବାଡ଼େଇଲେ । ଚାଉଳିଆ ଭାତ ପେଜ ଖପରାରେ ଚୂଲୀ ପୁରିଗଲା, ନିଆଁ ଗୁଡ଼ାକ ନିଭିଯାଇ ସେଁ -ସେଁ କରୁଛି, ତତଲା ପେଜ ଛିଟିକି ଗୋଡ଼ ହାତରେ ପଡ଼ି ଗୁଆ ପରି ଗୋଟା ଗୋଟା ଫୋଟକା ବାହାରି ପଡିଲାଣି । ସେଥିକି ନଜର ନାହିଁ । ଘରେ ଯେତେ ପାଣିକଳସୀ, ତରକାରି ହାଣ୍ଡି, ଚାଉଳ ହାଣ୍ଡି ଥିଲା, ଚଟୁରେ ବାଡ଼େଇ ଗଲେ, ହାଣ୍ଡିଶାଳ ଗୋଟାକଯାକ ଖପରା, ପାଣି ଚାଉଳ, ପେଜରେ ପୁରି ଗଲାଣି । "କଣ ହେଲା, କଣ ହେଲା" କହି ଅର୍ଜୁନା ରଡ଼ି ଛାଡ଼ିଛି । ବାହାରକୁ ବାହାରି ଆସି ଅର୍ଜୁନା ଧରୁ ଧରୁ ଭୂଇଁରେ ମୁଣ୍ଡ ବାଡ଼େଇ ହେଲେ । ମୁଣ୍ଡ ଫାଟିଯାଇ ରକ୍ତଧାର ଛୁଟିଛି, ପିଣ୍ଡାରେ ବସିପଡ଼ି ବାହୁନିବାକୁ ଲାଗିଲେ -
"ବୋଉଲୋ ! ମତେ କଁସେଇ ଖୁଣ୍ଟରେ ବାନ୍ଧି ଦେଇଛୁ ମୋ ବୋଉଲୋ ! ମୁଁ ମରିବାବେଳେ ତୋ ମୁହଁ ଚାହିଁଲି ନାହିଁ, ମୋ ବୋଉ ଲୋ ! ମତେ ନିଆଁ ଖାତକୁ ପେଲି ଦେଲୁ, ବୋଉ ଲୋ !"
ଅର୍ଜୁନା ଦୁଇ ହାତରେ ବାହୁଟା ଯାବଡ଼ି ଧରି ବସି ଡକା ପାରୁଛି । ଘଡ଼ିଏ ଯାଏ ବାହୁନି ବାହୁନି ହାଲିଆ ହୋଇ ପଡିଲେଣି । ଟିକିଏ ଅଚେତ ହୋଇ ଯିମିତି ତଳେ ପଡ଼ି ଯାଇଛନ୍ତି, ଅର୍ଜୁନା ଧୀରେ ଧୀରେ ହାତ ଛାଡି ଦେଇ ରାଧେ ବାବାଜୀ ମଠକୁ ଧାଇଁଲା । ଅଧବାଟରୁ ପାଟିକରି ଧାଇଁଛି- "ସାନ୍ତେ, ଦଉଡ଼ି ଆସ, ଘର ବୁଡ଼ିଲା, ଘର ବୁଡ଼ିଲା, ମା ମରିଗଲେଣି ।"
ସଭାରେ ପୁରାଣପାଠ ଚର୍ଚ୍ଚା ଲାଗିଛି । ଅର୍ଜୁନାର ପାଟି ଖନି ବାଜିଗଲାଣି, ଭଲକରି କଥା କହି ପାରୁନାହିଁ । ସମସ୍ତେ ବୁଝିଲେ, ମୁକ୍ତାର ଘର ପୋଡ଼ିଗଲା, ସାଆନ୍ତାଣୀ ମରିଗଲେଣି । ମୁକ୍ତାରଙ୍କୁ ତ ବାଟ ଦିଶୁ ନାହିଁ, ଧାଇଁଛନ୍ତି । ଆଉ ଅମଲା, ଓକିଲ ମୁକ୍ତାର ଯେତେଥିଲେ ସମସ୍ତେ ଧାଇଁଛନ୍ତି; ପୁରାଣପଣ୍ଡା ବୁଢ଼ା ହରି ମିଶ୍ରେ ପୁରାଣ ଖେଦା ତଳେ ଫୋପାଡି ଦେଇ ସମସ୍ତଙ୍କ ପଛରେ ନସରପସର ହୋଇ ଧାଇଁଛନ୍ତି । ଦଣ୍ଡକ ମଧ୍ୟରେ ବାଟୋଇ, ଆଉ ଆଖ ପାଖ ପଡ଼ିଶା ଶକଡ଼ା ଲୋକ ଘରର ଚଉପିଠି ବେଢ଼ି ଗଲେଣି । ସମସ୍ତେ ପଚାରୁଛନ୍ତି, "କଣ ହେଲା ?" ଭିତର କଥା ଜାଣୁଛି କିଏ, ଜବାବ ଦେଉଛି କିଏ ?
ମୁକ୍ତାର ବାବୁ ଘର ଭିତରକୁ ଯାଇ ଦେଖିଲେ, ସରସ୍ୱତୀ ଦେଈ ଭୂଇଁରେ ପଡି ଗଁ ଗଁ ଗର୍ଜୁଛନ୍ତି । ହାଣ୍ଡିଶାଳର ହାଲ ଦେଖିଲେ, ଅର୍ଜୁନାକୁ ଢେର କଥା ପଚାରିଲେ, ବସାକୁ କିଏ ଆସିଥିଲା, କିଏ କଣ କହିଲା, ସାନ୍ତାଣୀ କଣ ଖାଇଲେ ଇତ୍ୟାଦି ଢେର କଥା ପଚାରିଲେ । ଗୋଟିଏ ଉତ୍ତର, "ନା, ମୁଁ କିଛି ଜାଣେ ନାହିଁ ।"
ବାବୁ- ତୋତେ କିଛି କଥା କହିଥିଲେ ?
ଅର୍ଜୁନା ଟିକିଏ ଛେପ ଢୋକି କହିଲା, 'ନା' । ଅର୍ଜୁନା କିନ୍ତୁ କଥାଟା ଜାଣୁ ଜାଣୁ ମିଛ କହିଲା, ଭଗବତୀ ଡାହାଣୀ କଥା, ସୁନା ଅଳକା କଥା, କହିଲେ କେଜାଣି ଉପରକୁ କିଛି ବଟା ଆସିବ ।
ଗୋପାଳବାବୁ ବାହାରକୁ ବାହାରି ଯାଇ ଭିତରର ହାଲ ସବୁ କହିଲେ । ବାବୁମାନେ ବିଚାର କରି ସ୍ଥିର କଲେ, ଏଟା ଏକ ରକମ ବ୍ୟାଧି । 'ଚଞ୍ଚଳ ଚାରିଜଣ ଧାଅଁ - ଯେଉଁଠି ଯେଉଁ ଡାକ୍ତରକୁ ପାଇବ, ଧରି ନେଇଆସ ।' ହରି ମିଶ୍ରେ ଟିକିଏ ଖପପା ହୋଇ କହିଲେ, "କଣ ହେ,ଆମକୁ ନ ପଚାରି ଡାକ୍ତର ଆଣି ଧାଇଁଛ; ଏ ରୋଗକୁ ଡାକ୍ତର ତ ଡାକ୍ତର, ଡାକ୍ତରର ବାପା ! ପିତାସୁଣୀ ପବନ ଲାଗିଛି । ଡାକ, ଗୁଣିଆ ଶୁକ୍ରିଆ ମୁଖୀକୁ, ସାଙ୍ଗେ ସାଙ୍ଗେ କାନିରେ ବାନ୍ଧି ଘେନିଯିବ । ଦଶଜାଗା ଆମର ଏ ଅଙ୍ଗେ ନିଭାଇବା କଥା ।" ହରି ମିଶ୍ରେ ପୁରୁଣା ପୁରୁଖା ଲୋକ ଭାଷା ଭାଗବତର ଭଲ ଅର୍ଥ ଜାଣନ୍ତି, ତାଙ୍କ କଥା କଣ ତଳେ ପଡିବ ? କାହାରିକୁ ନ କହି ମୁକ୍ତାର ବାବୁ ଗୁଣିଆକୁ ଡାକିବା ଲାଗି ଏକ-କାନିଆ ଆପେ ଧାଇଁଲେ । ଅନ୍ଧାର ରାତି ଦଶ ଜାଗାରେ ହାବୁଡ଼ି ଆଣ୍ଠୁ ଗଣ୍ଠି ଛିଡ଼ି ଝରଝର ରକ୍ତ ବହି ପଡୁଛି । ପଛ ସାଙ୍ଗ ମଣିଷ ଧରି ଉଠାଇ ନେଉ ନ ଥିଲେ କେଜାଣି କି ହାଲ ହୁଅନ୍ତା !
ଶୁକ୍ରିଆ ମୁଖୀ ଏ ଅଞ୍ଚଳରେ ଜଣେ ଡାକନାମ ଗୁଣୀ । ଲୋକଟା ବାଙ୍ଗରା, ଥୋଥମା ଥୁଥମୀ, ବାହୁ ଯୋଡ଼ାକ ଦେହକୁ ଚାହିଁ ବେଶି ଲମ୍ବା ମୋଟା, କହୁଣୀ କତିରୁ ହାତ ପାପୁଲି ଯାଏ କିଛି ସାନ ଜଣାଯାଏ । ମୁହଁଟି ଖବ୍ ଚେପଟା, ବସନ୍ତ ଦାଗ ପୁରା, ନାକଟି ବେଶି ଚେପା ଆଉ ମୋଟା ।ଚାଲିବା ବେଳେ ଜଙ୍ଘକୁ ଜଙ୍ଘ ଘଷିଯାଏ, ମୁଣ୍ଡରେ ଗୋଟାଏ ଅଧୁଲିଟା ପରି ସିନ୍ଦୁର ଟିପା । ଆଖିରେ ମନ୍ତ୍ରା କଜ୍ୱଳ କଳା, ହେଲେ ଦେହ ରଙ୍ଗ ସହିତ ମିଶି ଯାଇଛି, ଜଣା ପଡ଼େ ନାହିଁ । ମୁଣ୍ଡରେ ସାନ ପେଣ୍ଡା ବାଳରେ ଅଷ୍ଟଲୋହି ଚେର ବୁଟି ପୂରା ପାଞ୍ଚଟା ଡେଉଁରିଆ । ଟାଣ ଗୁଣିଆ କି ନା, ଆଉ ଗୁଣିଏ ସହି ନ ପାରି ବାଣ ମାରନ୍ତି, କେହି ଜଣେ ବାଣ ମାରିଲେ ଗୋଟାଏ ଡେଉଁରିଆ ଫଟକରି ଫାଟିଯାଏ । ଶୁକ୍ରିଆ ମୁହଁରୁ ଏହା ଶୁଣିବା କଥା, ଖଣ୍ଡେ ମଇଳା କସ୍ତାଖଦି ପିନ୍ଧି ଅଣ୍ଟାରେ ମଇଳା ଗାମୁଛା ଭିଡି ବାନ୍ଧିଛି, ବାଁ କାନ୍ଧରେ ମୂଳମୂଳିକାପୂରା ଗୋଟାଏ ଲମ୍ବା ମୁଣି, ଏଥିରେ ଖଣ୍ଡେ କାଉଁରି ହାଡ଼ ଅଛି, ସେପରି ଟାଣ ଭୂତ ପ୍ରେତ ଡାହାଣୀ ଚିରିଗୁଣୀ ବେଳକୁ କାଢ଼େ, ହାତରେ ଗୋଟାଏ ମୋଟା ବାଉଁଶ ବାଡ଼ି ।

ଶୁକ୍ରିଆ ଲୋକମାନଙ୍କୁ ଶୁଣାଇ ଖୁବ୍ ଟାଣରେ କହିଲା, "କିଛି ଚିନ୍ତା ନାହିଁ । ଦେଖନ୍ତୁ, ଏହିଲାଗେ ଡାହାଣୀ ଚିରିଗୁଣୀ ଯାହାଥିବ ବାନ୍ଧି ଘେନିଯିବି ।" ମୁଠାଏ ମନ୍ତ୍ରା ବିରୀ ଘର ଚାରିପିଠି ବୁଣି ଦେଇ ଘର ଚାରି କୋଣରେ ଚାରିଟା ଲୁହା କଣ୍ଟା ପୋତି ଦେଲା । ଅଧିକା ଆଉ କେହି ଭୂତ ପ୍ରେତ ଘର ଭିତରକୁ ପଶି ପାରିବେ ନାହିଁ ।" ଚାଲନ୍ତୁ ଏବେ ରୋଗୀ ଦେଖାନ୍ତୁ !"
ଘର ଭିତର ପିଣ୍ଡାରେ ପଣନ୍ତ କାନିଟାରେ ଭଲକରି ମୁଣ୍ଡ ପିଠି ଘୋଡାଇ ହୋଇ ଆଣ୍ଠୁ ଯୋଡ଼ିକ କୁଣ୍ଢେଇ ଆଣ୍ଠୁ ଉପରେ ମୁଣ୍ଡ ଥୋଇ ସରସ୍ୱତୀ ଦେଈ ବସିଛନ୍ତି, ଟିକିଏ ଛାଇ ନିଦ ଲାଗିଲା ପରି ଜଣାଯାଏ । ଅର୍ଜୁନା ଏକା ଧ୍ୟାନରେ ତାଙ୍କୁ ଅନାଇ ବସିଛି । ଗୁଣୀ ଯାଇ ପାଞ୍ଚହାତ ଦୂରରେ ଛିଡ଼ା ହେଲା, ରୋଗିଣୀକୁ ତରାଟି-ମରାଟି ଭଲ କରି ଦଣ୍ଡେଯାଏ ଅନାଇଲା, ଘର ଚାଳବାଡ଼କୁ ବି ଅନାଇଲା, ତାହା ବାଦେ ଗୋପାଳବାବୁଙ୍କୁ ଚାହିଁ ଏଣ୍ଡୁଅ ପରି ଖୁବ୍ ଗର୍ବରେ ମୁଣ୍ଡ ହଲାଇ କହିଲା, "ହୁଁ, ଅନେଇ ଥାଆନ୍ତୁ ବାବୁ, ମୁଁ କଣ କରୁଛି ଦେଖିବେ।" ଜଣାଯାଏ କଥାଟା ଅଳ୍ପ; ମାତ୍ର ସରସ୍ଵତୀ ଦେଈଙ୍କ କାନକୁ ବାଜି ଯାଇଥିବ । ଟିକିଏ ତାଙ୍କ ଦେହ ହଲିଗଲା । ତହିଁ ଉତ୍ତାରେ ଗୁଣିଆ ପାଞ୍ଚହାତ ଦୂରରେ ବାଆଁ ଆଣ୍ଠୁ ମାଡି ବସି ଆଣ୍ଟରେ ମନ୍ତ୍ର ଡାକିଲା-
"ବୀର ବୀର ହନୁମାନ ତୁ ବୀର ଥିଲୁ କାହିଁ, ମୋ ଡାକ ଶୁଣି ଅଇଲୁ ଧାଇଁ, ବାନ୍ଧ ବାନ୍ଧ ଭୂତ ବାନ୍ଧ, ପ୍ରେତ ବାନ୍ଧ, କାହାର ଆଜ୍ଞା, କାଉଁରୀ କାମଚଣ୍ଡୀ, ଭଗବତୀ ବାଶୁଳିଙ୍କ କୋଟି କୋଟି ଆଜ୍ଞା । ଆ-ଫୁଃ, ଆ-ଫୁଃ, ଆ-ଫୁଃ" ତିନିଥର ଫୁଙ୍କା ମୁଠାଏ ମନ୍ତ୍ରା ବିରୀ ସରସ୍ଵତୀ ଦେଈ ଉପରକୁ ଛାଟି ମାରିଲା ।
ସରସ୍ୱତୀ ମନ୍ତ୍ର ସବୁ ଶୁଣିଲେ । ଆଉ କିଛି ବୁଝିଲେ ନାହିଁ, ନାମ ଶୁଣିଲେ ଭଗବତୀ ଡାହାଣୀ- ଆଉ ବିରୀଗୁଡ଼ାକ ଝର ଝର କରି ଉପରେ ପଡ଼ିବାରୁ ଚମକି ପଡି ଚାହିଁ ଦେଲେ, ପାଖରେ ଭୂତଟାଏ, ଠେଙ୍ଗାଟାଏ କାନ୍ଧରେ ପକାଇ ବାନ୍ଧିବ କହୁଛି । ଭାରି ରଡ଼ିଟାଏ କଲେ, "ଆଲୋ ମୋ ବୋଉ ଲୋ, ଭୂତ ମତେ ଖାଇଗଲାଲୋ, ଡାହାଣୀ ମତେ ବାନ୍ଧିବ କହୁଛି ଲୋ" ରଡ଼ି ଛାଡ଼ି ପଡ଼ିଗଲେ । ଗୁଣିଆ ବାବୁଙ୍କୁ କହିଲା, "ଆଜ୍ଞା, ଭାରି ଛନ୍ଦୁଆ ଭୂତ, ଆଉ ଡାହାଣୀ ଯୋଡାଏ ବିଶ୍ରାମ କରିଛନ୍ତି । ଶୁଣିଲେ ନାହିଁ, ସାଆନ୍ତାଣୀ ଭୂତ ଆଉ ଡାହାଣୀ ଯୋଡାଏ ନାମ କହିଲେ ।" ନିଶରେ ହାତ ବୁଲାଇ(ନିଶ କିନ୍ତୁ ନାହିଁ)ଖୁବ୍ ଆଣ୍ଟରେ କହିଲା, "ସା'ନ୍ତ କିଛି ଚିନ୍ତା ନାହିଁ; ଶୁକ୍ରିଆକୁ କଣ ବଳେଇବ ? ଯୋଡ଼ାକୁ ଯୋଡ଼ା ବାନ୍ଧି(ମୁଣି ଟେକି କହିଲା)ଏହା ଭିତରେ ପୂରାଇ ଘେନିଯିବି ।ଆପଣ ଅଢେଇଟା ଅଫୁଟା ମନ୍ଦାର ଫୁଲ, ଗୋଟାଏ ଅଫୁଟା କଦଳୀ ମଞ୍ଜ, ଜିସୁ ପଞ୍ଚୁବର୍ଣ୍ଣି ଭୋଗ ବେଗି ବେଗି ଅଣାନ୍ତୁ ।ମୁଁ ଯାଉଛି, ଅମୁହାଁ ପୋଖରୀରୁ ଲୋଟାଏ ପାଣି ଆଣିବି । ଦେଲେ ଦେଲେ, ପୁଞ୍ଜାଏ ପଇସା ଦେଲେ, ସେଇଆଡ଼ୁ ଯୋଡ଼ାଏ ଡାକୁଣୀ ଫଳ ଘେନି ଆସିବି ।"
ସରସ୍ୱତୀ ଦେଈ ଏତିକି ଶୁଣି ପାରିଲେ, ବାନ୍ଧି ମୁଣିରେ ପୁରାଇ ଘେନିଯିବ । ରଡ଼ିଟାଏ ଛାଡ଼ି ଝାମ ଯାଇ ପଡ଼ି ଗଲେ, ଚେତା ମୋଷ ।
ଏତିକି ବେଳେ ରାଧୀ ଦୀପଟାଏ ଧରିଛି, ପେଷ୍କାର ବାବୁଙ୍କ ବୁଢୀମା ନଇଁ ନଇଁ ବାଡ଼ି ପଛ ପଟରୁ ବାହାରି ପ‌ହ‌ଞ୍ଚି ଗଲେ । ସରସ୍ୱତୀଙ୍କୁ ଭଲକରି ଅନାଇ ରଡ଼ିଟାଏ ଛାଡ଼ିଲେ, "ଆରେ ମୋ ଝିଅକୁ ସାରି ଦେଲେଣି, ଆରେ ମୋ ଛୁଆଟିକୁ ମାରି ପକାଇଲେଣି ରେ ।" ବୁଢ଼ୀ ରଡ଼ି ଛାଡି - "ଆରେ ଗୋପାଳ, ସବୁ ମିଣିପ ପିଲାଏ ବାହାରି ଯାଅ- ଆରେ ଅର୍ଜୁନା, କବାଟ କିଳି ଦେ ।"

ସରସ୍ୱତୀଙ୍କର ଚେତା ନାହିଁ । ପାଖରେ ବସି ଧୀରେ ଧୀରେ ମୁଣ୍ଡରେ ହାତ ବୁଲାଇଲେ ।" ହାତକୁ ଚଟ୍ ଚଟ୍ କଣ ଲାଗୁଛି ରେ ? ଆଲୋ ରାଧୀ ! ଦୀପଟା ତେଜି ଦେଲୁ । ଏଁ-ଏଁ କଣ, ଆରେ ରକ୍ତ ଭାସି ଯାଉଛି ରେ - ମଲା ମଲା ମଲା, ମୁଣ୍ଡ ଫାଟି ଯାଇଛି ରେ !" ଚୂନ କନାପୋଡା ମୁଣ୍ଡରେ ପଟି ବାନ୍ଧିଦେଲେ, ଏଁ - ଦେହଯାକ ଫୋଟକା କଣ ରେ !" ଫୋଟକା ସବୁରେ ଧୀରେ ଧୀରେ ନଡିଆ ତେଲ ଲଗାଇ ଦେଲେ । ଠାକୁମା କାନ୍ଦଣା ଦେଖି ରାଧୀ କାନ୍ଦିକାନ୍ଦି ଖୁଡ଼ି ଦେହରେ ହାତ ବୁଲାଉଛି । ଅରଜୁନା ପଙ୍ଖା ପକାଉଥାଏ । ବୁଢ଼ୀ ଖଣ୍ଡେ ଭିଜା ଗାମୁଛାରେ ଦେହର ରକ୍ତ, ଧୂଳି, କାଦୁଅ ସବୁ ପୋଛି ପକାଇ, ରକ୍ତ ପେଜଲଗା ପିନ୍ଧିଲା ଲୁଗା ପାଲଟାଇ, ଖଣ୍ଡେ ବାସିକଚା ଶାଢ଼ୀ ପିନ୍ଧାଇ ଦେଲେ । ସରସ୍ୱତୀଙ୍କର ଟିକିଏ ଚେତା ବସିଲାଣି । ଦେଖିଲେ ମାଶାଶୁ, ରାଧୀ, ଅର୍ଜୁନା ବେଢ଼ି ବସିଛନ୍ତି । ଘରର ସବୁ ଆଡ଼କୁ ଅନାଇ ଦେଖିଲେ, ଭୂତ ପଳାଇଲାଣି ।
ବୁଢୀ - "ଆରେ ମୋ ମା ରେ ଆରେ ମୋ ସୁନା ରେ-ଆରେ ମୋ ଚାନ୍ଦ ରେ -ଆରେ ମୋ ମାଣିକ ରେ" ସାକୁଲେଇ ସାକୁଲେଇ ଢେର ଗେଲ କଲେ । ଥଣ୍ଡା ପବନ, ରାଧୀର ହାତ ବୁଲା ଓ ବୁଢୀର କଅଁଳ କଥାରେ ସରସ୍ୱତୀଙ୍କ ଚେତା ବସିଲାଣି, ଆଉ ଡର ନାହିଁ । ବୁଢୀ ଖାଲି ମନରେ ବିଚାରୁଛି, କଥା କଣ ? ଗୋପାଳ ତ ମାରି ନାହିଁ, କଳି କଜିଆ ନାହିଁ, କଣ ହେଲା ? ବୁଢ଼ୀ ପଚାରିଲେ, "କହ ନା ରେ ମା, କଣ କହୁଛୁ ?" ଶାଶୁ କଥାରେ କଣ ଜବାବ ଦେବେ ? ରାଧୀକୁ ପାଖକୁ ଟାଣି ନେଇ କାନରେ ତୁନି ତୁନି କହିଲେ, "ମୁଁ ବୋଉ ପାଖକୁ ଯିବି ।"
ବୁଢୀ - ହଁ ଅବଶ୍ୟ ଯିବୁଁ । ମୋର ବି ତୋ ବୋଉକୁ ଦେଖିବାକୁ ବଡ଼ ମନ ଅଛି । ଭାଲୁକପୋଷି ଗାଁଟା ବି ଦେଖି ଆସିବି । କାଲି ସକାଳେ ଯୋଡ଼ାଏ ଡୋଲି କରି ଦୁଇ ଜଣ ବସି ଯିବା ।
ରାଧୀ - ଉଁ ଉଁ ଠାକୁରମା, ମୁଁ ବି ତୋ ସାଙ୍ଗରେ ଯିବି ।
ବୁଢୀ - ନାହିଁ ନାହିଁ, ମୋ ଡୋଲିରେ ଜାଗା ହେବ ନାହିଁ, ତୋ ଖୁଡ଼ି ସାଙ୍ଗରେ ନେବ କି ପଚାର ?
ରାଧୀ ନ ପଚାରୁଣୁ ଖୁଡ଼ି ତା ହାତ ଚିପିଦେଲେ - ଅର୍ଥାତ, ହଁ ସାଙ୍ଗରେ ନେବେ ।
ରାଧୀ -ଏଁ -ଏଁ ଖୁଡ଼ି ! ତୁମ ଗାଁରେ କଣ ଭାଲୁ ପୋଷା ଥାନ୍ତି, ମତେ କାମୁଡ଼ିବ ?
ଖୁଡ଼ି ଝିଆରୀ ହାତ ଧରି ହଲାଇ ଦେଲେ - ଅର୍ଥାତ୍, ଭାଲୁ କାମୁଡ଼ିବ ନାହିଁ ।
"ଆରେ ଅର୍ଜୁନା, ବସାରେ କିଛି ଜଳଖିଆ ଅଛି ?" ଅର୍ଜୁନା ତାଟିଆଟିରେ ଯୋଡ଼ାଏ ମିଠାଇ, ଗିଲାସେ ପାଣି ପାଖରେ ଥୋଇଦେଲା । "ଆଲୋ ରାଧି, ଖୁଡ଼ିକୁ ଖୁଆ" ଏତିକି କହି ମେଲାକୁ ଉଠିଗଲେ ।
ରାଧୀ - ଠାକୁର ମା, ଖୁଡ଼ି ଖାଉ ନାହାନ୍ତି ।
"ଏଁ, କଣ ଖାଉ ନାହାନ୍ତି ? ତେବେ ତ ତା ବୋଉକୁ ଦେଖିବାକୁ ଯିବି ନାହିଁ । ଆଲୋ ରାଧି, ଖୁଡ଼ି ନ ଖାଇଲେ ତୁ ବି ଯିବୁ ନାହିଁ ।" ଆଉ ଖୁଡ଼ି କୁଆଡ଼େ ଯାଏ । ରାଧୀ ତ ଯୋକ ପରି ଲାଗିପଡ଼ି ହେଣ୍ଟେରେଇ ହେଣ୍ଟେରେଇ ମିଠାଇ ଯୋଡ଼ାକ ଖୁଆଇଲା, ଗିଲାସେ କଣ, ଖୁଡ଼ି ଚଁ ଚଁ କରି ଏକ ନିଶ୍ୱାସକେ ତିନି ଅବୁଖୁରା ପାଣି ପିଇଗଲେ ।
ବୁଢ଼ୀ ପାଖରେ ଆସି ବସିଲେ । ଧୀରେ ଧୀରେ ବୋହୂ ମୁଣ୍ଡରେ ପିଠିରେ ହାତ ବୁଲାଉଥାନ୍ତି । ଖାଲି ତାଙ୍କ ମନ ଘାଣ୍ଟି ହେଉଛି, କଥା କଣ ? ଏତେ
କାଣ୍ଡ କ୍ୟାଁ ହେଲା ? ହେଲେ, ଝିଅଟାକୁ ଟାଉକରି ପଚାରି ଦେଲେ ତ କିଛି କହିବ ନାହିଁ, ସବୁ ଭଣ୍ଡୁର ହେବ ।
ବୁଢ଼ୀ ପାଖରେ ବସି କଅଁଳେଇ କଅଁଳେଇ ଢେର କଥା କହି ବୋହୂର ମନ ବହଲାଉଥାନ୍ତି । ଶେଷରେ ବେଳ ଉଣ୍ଡି କହିଲେ, "ହଁ -ସତ କଥା, ଆରେ ମା ! ଗୋପାଳ ପଚାରିବ, କ୍ୟାଁ ଭାଲୁକପୋଷି ଯିବ ? ସତ କଥାଟା ତାକୁ ନ କହିଲେ ତ ସେ ଯିବାକୁ ଦେବ ନାହିଁ - କଥା କଣ କହିଲୁ ରେ ମା ?" ସରସ୍ୱତୀ ତ ନିହାତି ସନ୍ତପନ୍ତରେ ପଡ଼ିଗଲାଣି - ସ୍ୱାମୀ କଥା ଅସୁନ୍ଦର କଥା, ଶାଶୁଟାକୁ କିମିତି କହିବେ । ବୁଢ଼ୀ ବୁଝିପାରି ବାହାରକୁ ଉଠିଗଲେ - "ଆଚ୍ଛା ମା, ତୁ ରାଧୀକୁ କହ ।"
ରାଧୀ - ଠାକୁରମା, ଖୁଡ଼ି କିଛି କହୁନାହି ।
ବୁଢୀ - ତେବେ, କଥା ଫେଇ ନ କହିଲେ ଗୋପାଳ ତ ଛାଡ଼ି ଦେବ ନାହିଁ । ରାଧୀ, ତୁ ଆଉ ତୋ ଆଈକୁ ଦେଖିବାକୁ ଯାଇ ପାରିବୁ ନାହିଁ ।
ରାଧୀ ତ ଚମଚଟା ପରି ଖୁଡ଼ି ସାଙ୍ଗରେ ଲାଗିଛି - "ଖୁଡି, କହ - ହଁ କହ - ଦାଦା ପଠାଇବେ ନାହିଁ, ତୁ କହ !"
ରାଧୀ ଡାକି ଦେଲା "ଠାକୁର ମା,ଖୁଡି କହୁଛି ଡାହାଣୀ ।"
ବୁଢୀ ପଚାରିଲା - କିଏ ଡାହାଣୀରେ ?
ରାଧୀ ବୁଝି କହିଲା - ସେଇ ଭଗବତୀ ଡାହାଣୀ ।
ବୁଢୀ ଅର୍ଜୁନାକୁ ପାଖକୁ ଡାକି ପଚାରିଲେ - ଢେର କଥା ପଚାରିଲେ, ସବୁ କଥାରେ ଉତ୍ତର - "ନା" । ସେ ଯେପରି ସନ୍ତପନ୍ତ ହୋଇ "ନା" କରୁଥାଏ ବୁଢ଼ୀ ବୁଝିଲେ ଏ ସବୁ କଥା ଜାଣେ, ଡରରେ କହୁନାହିଁ । ତାକୁ ଖୁବ୍ ଡରେଇଲେ, ଖୁବ୍ ଭରସା ଦେଲେ । ଅର୍ଜୁନା ଗୋଟାଏ କଥା ଲୁଚାଉଥିଲା - ହେଲେ, ବୁଢ଼ୀ ଜେରାରେ ପଡ଼ିଗଲା ।
ସବୁ କଥା ମଧ୍ୟରୁ ବୁଢୀ ଏହି କେତୋଟି ସାରକଥା ବାଛି ନେଲେ । ଗୋପାଳ ରୋଜ ସଞ୍ଜବେଳେ ଭଗବତୀ ଡାହାଣୀ ପାଖକୁ ଯାଆନ୍ତି, ବୋହୂକୁ ଆଗପରି ଭଲ ପାଆନ୍ତି ନାହିଁ; ସେଥିପାଇଁ ଏତେ କାଣ୍ଡ ।
ବୁଢୀ ଗୋପାଳ ବାବୁଙ୍କୁ ଦାଣ୍ଡ ପଟରୁ ଡାକି ପଠେଇଲେ । ପୁଅଟାକୁ ଏଡେ ଅସୁନ୍ଦର କଥା କିପରି କହିବେ - ଟିକିଏ ଅଡେଇ ଛିଡ଼ା ହେଲେ । ବୁଢ଼ୀ କହିଲା ପରି ଅର୍ଜୁନା ବାବୁଙ୍କୁ ଏହିପରି କହିଲା -
"ଆପଣ ଆଗପରି ମା'କୁ ଭଲ ପାଉ ନାହାନ୍ତି, ରୋଜ ସଞ୍ଜବେଳେ ଭଗବତୀ ଡାହାଣୀ ପାଖକୁ ଯାଆନ୍ତି, ତାକୁ ସୁନା ଅଳକା ଦେଇଛନ୍ତି, ସେଥିପାଇଁ ମା ମନରେ ଦୁଃଖ,ଏତେ କାଣ୍ଡ ।"
ଗୋପାଳ ବାବୁ ଭଗବତୀ ଡାହାଣୀ ନାମ ଚଟ୍ ବୁଝିଗଲେ । ସେ ଏବେ ହସିବେ, ନା ମୁଣ୍ଡ ବାଡେଇ ହେବେ ? କି ବଣ ପଶୁଟାଏ - କି କଥାକୁ କ'ଣ କରି ପକାଇଲା । ଦଶ ଭଲଲୋକରେ କଥାଟା ହଟହଟା ହେଲା, ଏଥିଲାଗି ଭାରି ମନ ଦୁଃଖ ।
ବୁଢୀ ଆଉ ରାଧୀ ଦୁଇ ଜଣ ଦୁଇ ପାଖରେ ଶୋଇ ବୋହୂକୁ ମଝିରେ ଶୁଆଇଲେ । ସେ ରାତିରେ ଗୋପାଳ ବାବୁଙ୍କ ବସାରେ ସମସ୍ତଙ୍କର ନିଶାପାଳନ ।
ବୋହୂ ଭଲ ହୋଇଗଲାଣି ଶୁଣି ଦାଣ୍ଡଲୋକେ ସମସ୍ତେ ଖୁସି ହୋଇ ଆପଣା ଆପଣା ଘରକୁ ଚାଲିଗଲେ । ହେଲେ ଭିତର କଥାଟା କଣ, କେହି ବୁଝିଲେ ନାହିଁ । ଗୋପାଳବାବୁ ଚାଣକ୍ୟରେ ପଢ଼ିଥିଲେ, ଘର ଛିଦ୍ର କଥା ଦାଣ୍ଡରେ ପକାଇବ ନାହିଁ ।

ପ୍ରଥମରେ ଡାକ୍ତର ଡାକିବାର ପ୍ରସ୍ତାବ ହୋଇଥିଲା ଶେଷରେ ଡାକ୍ତର ଆସିବାକୁ ହେଲା । ବୋହୁର ମୁଣ୍ଡଘା ଆଉ ଗୋଡ ହାତ ଫୋଟୋକା , ଆଉ ଗୋପାଳ ବାବୁଙ୍କ ଦୁଇ ଆଣ୍ଠୁ ଘା ଶୁଖାଇବାକୁ ଡାକ୍ତରବାବୁ ଊଣା ପୁରା କୋଡିଏଟା ଭିଜିଟ ପକେଟେରେ ପକାଇଲେ ।

ଲେଖକ© ବ୍ୟାସକବି ଫକୀରମୋହନ ସେନାପତି

Comments

Popular posts from this blog

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥାଏ ନିତି ଉପଦେଶ । ଯାହା ଦେଖ ଅଛି ତହିଁ ଶିଖିଵାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା । ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ । ଯାଵତ ନ ହେଵ ନର ଅଵନୀରେ ଲୀନ, ଶିଖିଵା ଵିଷୟ ତାର ଅଛି ତେତେ ଦିନ । ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ, ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ । ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ । @ସ୍ଵଭାଵକଵି ଗଙ୍ଗାଧର ମେହେର

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି । ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ