Skip to main content

ଜଗନ୍ନାଥଙ୍କ ଆଦ୍ୟ ସେବକ


ଦୀର୍ଘ ୪୭ବର୍ଷ ତଳର କଥା। ୧୯୭୨ ମସିହାର ରଥଯାତ୍ରା। ଶ୍ରୀମନ୍ଦିରର ପ୍ରଶାସକ ଭାବରେ ମାତ୍ର ପାଞ୍ଚମାସ ଆଗରୁ ଯୋଗ ଦେଇଥାଆନ୍ତି ବିହାରୀଲାଲ ପଟ୍ଟନାୟକ। ତାଙ୍କର ଉଦ୍ୟମ ଥାଏ, ନୀତି ନିର୍ଘଣ୍ଟ ଅନୁସାରେ ସବୁକିଛି ସୁଚାରୁରୂପେ ସଂପନ୍ନ କରାଇ ନେବେ । ସେଦିନ ସେ ବହୁତ ଖୁସି ଥାଆନ୍ତି। କାରଣ ସେବକମାନଙ୍କ ସହଯୋଗରେ ସବୁ ନୀତି ସଅଳ ସଅଳ ସଂପନ୍ନ ହୋଇ ଶ୍ରୀସୁଦର୍ଶନ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପହଣ୍ଡି ଘଣ୍ଟାକ ଆଗରୁ ସରି ଯାଇଥାଏ। ପଛକୁ ପଛ ଶ୍ରୀଜଗନ୍ନାଥ ବି ପହଣ୍ଡିରେ ଆସି ଚାରମାଳ ଉପରକୁ କିଛିବାଟ ଉଠି ସାରିଥାଆନ୍ତି। ସବୁ ପହଣ୍ଡି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଯଥେଷ୍ଟ ଆଗରୁ ସରିଯିବ ବୋଲି ସେ ଆଶ୍ଵସ୍ତ ହେବା ସହିତ ନିଜକୁ ନିଜେ ମନେ ମନେ ସାବାସି ଦେଉଥାଆନ୍ତି। କିନ୍ତୁ ଠିକ୍ ସେତିକିବେଳେ ଘଟିଲା ଏକ ଅଘଟଣ। ଚାରମାଳରେ ଅଳ୍ପବାଟ ଉଠି ଅଟକି ଗଲେ ଶ୍ରୀଜଗନ୍ନାଥ। ସେଇ ଗୋଟିଏ ଜାଗାରୁ ଆଉ ଚାଖଣ୍ଡେ ବି ଚଙ୍କିଲେ ନାହିଁ। ସତେଯେମିତି ଅଚଳ ମହାମେରୁ ! ପାଞ୍ଚ ମିନିଟ୍, ଦଶମିନିଟ୍,ହେଲେ ଶ୍ରୀଜଗନ୍ନାଥ ସେଇ ଗୋଟିଏ ଜାଗାରୁ ଆଉ ଉପରକୁ ଉଠୁ ନାହାନ୍ତି। ପହଣ୍ଡି ବିଜେରେ ଲାଗିଥିବା ସେବକମାନେ କ୍ଳାନ୍ତ, କେହି କେହି ଆହତ, କାହାରି କାହାରି ହାତ, ଗୋଡ଼ ଭାଙ୍ଗିଲାଣି- ହେଲେ କଳାଠାକୁରେ ଯେଉଁଠିକୁ ସେଇଠି। ଏ ସଂପର୍କରେ ବିହାରୀଲାଲ ପଟ୍ଟନାୟକ ଏହି ଲେଖକକୁ ଏକ ସାକ୍ଷାତ୍‌କାରରେ ସେଦିନର ସେଇ ଘଟଣାର ବିବରଣୀ ଦେଇଛନ୍ତି। ସେ କହିଛନ୍ତି, ପାଖରେ ଠିଆ ହୋଇଥିବା ବରିଷ୍ଠ ଦଇତାପତି ଗଙ୍ଗୁ ଦାସମହାପାତ୍ରେ ତାଙ୍କୁ ପ୍ରଶ୍ନ କଲେ, ‘ସଅଳ ସଅଳ ତିନି ଠାକୁରଙ୍କର ପହଣ୍ଡି ହୋଇଗଲା ତ, ଆପଣ ବୋଧେ ଟିକିଏ ଗର୍ବ କଲେ ? ସେଇଥିପାଇଁ ମଣିମା ଅଟକି ଯାଇଛନ୍ତି ଚାରମାଳ ଉପରେ।’ ବିହାରୀଲାଲ କହିଲେ, ‘ହଁ, ମନରେ ଅବଶ୍ୟ ଟିକିଏ ଗର୍ବ ଆସିଛି। କିନ୍ତୁ ମୋ ଗର୍ବ ଭାଙ୍ଗିବା ପାଇଁ ଠାକୁରେ ଯଦି ଲକ୍ଷ ଲକ୍ଷ ଲୋକଙ୍କୁ ଏମିତି ହଇରାଣ କରିବେ, କରନ୍ତୁ !’ ଏହା ସେ କହିଲେ ସିନା, କିନ୍ତୁ ଦି’ ହାତକୁ ଉପରକୁ ଟେକି, ହାତ ଯୋଡ଼ି ମନେମନେ ପ୍ରାର୍ଥନା କଲେ, ‘ହେ ମହାପ୍ରଭୁ ! ଏ ବିଷମ ପରୀକ୍ଷାରେ ଆଉ ବେଶୀକାଳ ଆମକୁ ଏହା କହିବା ସଙ୍ଗେ ସଙ୍ଗେ ତାଙ୍କର ମାନସ ପଟରେ ଭାସି ଉଠିଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ଭାସି ଉଠିଲା ‘ସ୍କନ୍ଦ ପୁରାଣ’ର ସେଇ ଦିବ୍ୟ ଦୃଶ୍ୟ। ମହୋଦଧିରେ ଆବିର୍ଭୂତ ହୋଇଛନ୍ତି ଦିବ୍ୟଦାରୁ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ବପ୍ନ ସତ ହୋଇଛି। ସେ ଆସି ଦିବ୍ୟଦାରୁଙ୍କୁ ଦର୍ଶନ ଓ ପ୍ରାର୍ଥନା କରିବା ପରେ ସେହି ଦାରୁ ଭାସିଆସି ଲାଗୁଛନ୍ତି ମହୋଦଧିର ତଟଦେଶରେ। ବିହାରୀଲାଲଙ୍କର ଦୃଢ଼ ପ୍ରତ୍ୟୟ ହେଲା- ଆଦ୍ୟ ସେବକ ଗଜପତି ମହାରାଜା ନିଜେ ଯଦି ଆସି ନିବେଦନ କରିବେ, ତା’ହେଲେ ଅଚଳ ମହାମେରୁ କଳାଠାକୁରେ ଚାରମାଳରେ ଆଉ ନ ଅଟକି ରଥ ଉପରକୁ ବିଜେ ହୋଇଯିବେ ! ସେ ସିଧା ଧାଇଁଲେ ଶ୍ରୀନଅରକୁ। ଯାଇ ଯୁବ ଗଜପତିଙ୍କୁ ନିବେଦନ କଲେ, ‘ଚାରମାଳ ଉପରେ ଅଟକି ରହିଛନ୍ତି ମହାପ୍ରଭୁ । ଦୟାକରି ଟିକିଏ ରଥକୁ ଆସନ୍ତୁ ! ଗଜପତି ମହାରାଜା ଆସିଲେ। ରଥଯାତ୍ରାରେ ସେପରି ଆସିବା ଏକ ବ୍ୟତିକ୍ରମ । ମୁଣ୍ଡରେ ପଗଡ଼ି ନାହିଁ କି କମରରେ ନାହିଁ କ୍ଷତ୍ରିୟ ରାଜାର ତରବାରି। ନାହିଁ ବି ଠାକୁର ରାଜାର ପାରମ୍ପରିକ ତାମ୍‌ଜାନ୍ କି ଘଣ୍ଟ, ଛତା, କାହାଳୀର ପଟୁଆର। ଜଣେ ସାଧାରଣ ସେବକ ଭାବରେ, ୧୯ବର୍ଷ ବୟସର ଯୁବ ଗଜପତି ରାଜା ପାଦରେ ଚାଲିଚାଲି ଶ୍ରୀନଅରରୁ ଆସିଲେ ସିଂହଦ୍ଵାର ସମ୍ମୁଖ ତିନିରଥ ନିକଟକୁ। ବଡ଼ଠାକୁର ବଳଭଦ୍ର ଆଉ ମା’ ସୁଭଦ୍ରା ଓ ସୁଦର୍ଶନଙ୍କୁ ରଥତଳୁ ଦର୍ଶନ ଓ ପ୍ରଣାମ ନିବେଦନ କରି ସିଧା ଯାଇ ପହଞ୍ଚିଲେ ନନ୍ଦିଘୋଷ ରଥର ଚାରମାଳ ଉପରେ। ଅଟକି ଯାଇଥିବା ମହାପ୍ରଭୁଙ୍କ ପାଖରେ। ସଂପୂର୍ଣ୍ଣ ଭକ୍ତିଭାବରେ ଦୁଇହାତ ଯୋଡ଼ି ମହାପ୍ରଭୁଙ୍କୁ ମନେମନେ ନିବେଦନ କଲେ। ତାଙ୍କର ସେହି ନିବେଦନ ସହ ମିଶିଲା ସେବକଙ୍କର ଓ ବଡ଼ଦାଣ୍ଡରେ ସମବେତ ଭକ୍ତମାନଙ୍କର ସମ୍ମିଳିତ ପ୍ରାର୍ଥନା । ତା’ ପରର ଘଟଣା ବିସ୍ମୟକର। ଲକ୍ଷ ଲକ୍ଷ ଭକ୍ତଙ୍କର ଚକିତ ଚକ୍ଷୁ ଓ ହରିବୋଲ, ହୁଳହୁଳି ଧ୍ବନି ଭିତରେ ଅଳ୍ପ କେତେ ମିନିଟ୍ ଭିତରେ ଶ୍ରୀଜଗନ୍ନାଥ ଯାଇ ବିଜେ ହୋଇଗଲେ ରଥ
ଉପରେ । ଏହା କାହାଣୀ ନୁହେଁ, ସେଦିନ ଲକ୍ଷ ଲକ୍ଷ ଲୋକଙ୍କ ଆଖି ସାମ୍ନାରେ ଘଟିଥିବା ଜୀବନ୍ତ ଇତିହାସ। ସେଦିନର ସେଇ ଗଜପତି ମହାରାଜା, ମାତ୍ର ୧୯ବର୍ଷ ବୟସର ଦିବ୍ୟସିଂହ ଦେବ, ତାହାର ପ୍ରାୟ ଦୁଇବର୍ଷ ପୂର୍ବରୁ ରାଜଗାଦିରେ ଅଭିଷିକ୍ତ ହୋଇଥିଲେ। ତା’ର ପୂର୍ବବର୍ଷ, ୧୯୭୧ ମସିହାର ରଥଯାତ୍ରାରେ ପ୍ରଥମ କରି ସେ ଛେରାପହଁରା ସେବା କରିଥିଲେ । ଏହି ଜୁଲାଇ (୨୦୧୯ )ରେ ସେ ରାଜଗାଦି ଆରୋହଣର ୫୦ବର୍ଷରେ ପଦାର୍ପଣ କରୁଛନ୍ତି। ଆଗାମୀ ବର୍ଷ (୨୦୨୦) ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଭାବରେ ସେ ପ୍ରଭୁସେବାର ୫୦ବର୍ଷରେ ପଦାର୍ପଣ କରିବେ । କିନ୍ତୁ ଗଜପତି ମହାରାଜାଙ୍କ ରାଜତ୍ଵର ଅଙ୍କଗଣନା ସ୍ଵତନ୍ତ୍ର ବିଧିରେ ହେଉଥିବାରୁ ଏବେ ତାଙ୍କର ୬୧ ଅଙ୍କ ଚାଲିଛି । ଶ୍ରୀଜଗନ୍ନାଥଙ୍କର ଏହି ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ପୂର୍ବନାମ ଥିଲା କାମାର୍ଣ୍ଣବ ଦେବ। ସେ ଥିଲେ 'ବଡ଼ ଜେନାମଣି’ ବା ଜ୍ୟେଷ୍ଠ ରାଜକୁମାର। ୧୯୫୩ ମସିହା ଫେବୃଆରୀ ମାସ ୬ ତାରିଖ ଦିନ ତାଙ୍କର ଜନ୍ମା ଆତ୍ମଜୀବନୀ ‘ ଅକଂଚନାର ଜୀବନ ସ୍ମୃତି’ (୨୦୦୧)ରେ ଓଡ଼ିଶାର ଖ୍ୟାତନାମା ମହିଳା ଡାକ୍ତର ବୀଣା ଦେଈ ଲେଖିଛନ୍ତି, ‘ଦିନେ ପୁରୀ ରାଜବାଟୀରୁ ଡକରା ଆସିଲା। ଯୁବରାଣୀ (ସ୍ନେହଲତା ଦେବୀ, ପରବର୍ତ୍ତୀ ସମୟର ମହାରାଣୀ ସୂର୍ଯ୍ୟମଣି ପାଟମହାଦେଈ)ଙ୍କୁ ଦେଖିବାପାଇଁ ମୋତେ କୁହାଗଲା । ମୁଁ ପରୀକ୍ଷା କରିସାରି କହିଲି– ଯୁବରାଣୀ ଗର୍ଭବତୀ ଅଛନ୍ତି। ଏକଥା ଶୁଣି ସମଗ୍ର ରାଜବାଟୀରେ ଆନନ୍ଦର ଲହରୀ ଖେଳିଗଲା। ରାଣୀ ସାହେବା ମୋତେ ତାଙ୍କ ଶୟନକକ୍ଷକୁ ଡାକିନେଇ ପାଖରେ ବସାଇ ବହୁତ ମିଠା ଖୁଆଇଲେ।’ ଏ ସଂପର୍କରେ ଅଧିକ ବିବରଣୀ ଦେଇ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଯେଉଁଦିନ ଯୁବରାଣୀଙ୍କର ପ୍ରସବ ବେଦନା ଆରମ୍ଭ ହେଲା, ସେଦିନ ମୁଁ ଡାକ୍ତରଖାନାରୁ ଛୁଟିନେଇ ରାଜବାଟୀରେ ଉପସ୍ଥିତ ରହିଲି। ସାଥିରେ ଜଣେ ନର୍ସକୁ ମଧ୍ୟ ନେଇ ଯାଇଥାଏ। ମୋ ହାତରେ ତାଙ୍କର ପ୍ରଥମ ପୁତ୍ରସନ୍ତାନ ଜାତ ହେଲା । ପିଲାଟି ଭୂମିଷ୍ଠ ହେବା ସଙ୍ଗେ ସଙ୍ଗେ ଶୁଭଶଙ୍ଖ ବାଜିଲା । ରାଜବାଟୀରେ ଚହଳ ପଡ଼ିଗଲା।’ ବୀଣା ଦେଈଙ୍କ ବିବରଣୀ କହେ, ପାରମ୍ପରିକ ପ୍ରଥା ଅନୁସାରେ ରାଜବାଟୀର ଧାଈ ସୁନା ମୋହର ଉପରେ ରଖି ନବଜାତ ସନ୍ତାନର ନାହିନାଡ଼ କାଟେ। ତା’ପରେ ସେହି ସୁନା ମୋହରଟିକୁ ସେ ନିଏ । କିନ୍ତୁ ସ୍ବାସ୍ଥ୍ୟରକ୍ଷା ଦୃଷ୍ଟିରୁ ନାହିନାଡ଼ରେ ମୋହରଟିକୁ ଛୁଆଁଇ, ବୀଣା ଦେଈ ସେଇଟିକୁ ରାଜବାଟୀର ଧାଈକୁ ଦେଇ ଦେଲେ ଏବଂ ନିଜେ ନବଜାତ ଜେନାମଣିଙ୍କର ନାହି କାଟିଲେ। ପରବର୍ତ୍ତୀ ଦିନଗୁଡ଼ିକରେ ସେ ନିଜେ ଯାଇ ଜେନାମଣିଙ୍କୁ ଗାଧୋଇ ଦେଇ ଆସୁଥିଲେ ଏବଂ ତାଙ୍କ ସାଙ୍ଗରେ ଥିବା ନର୍ସ ଯୁବରାଣୀଙ୍କର ସ୍ୱାସ୍ଥ୍ୟର ଯନ୍ ନେଉଥିଲେ। ଏ ସଂପର୍କରେ ଶେଷ ବିବରଣୀ ଦେଇ ବୀଣା ଦେଈ ଲେଖିଛନ୍ତି, ‘ସେହିଦିନଠାରୁ ରାଜବାଟୀରେ ଯେକୌଣସି ଉତ୍ସବ ପାଳିତ ହେଲେ ମୋତେ ନିମନ୍ତ୍ରଣ କରାହୁଏ। ଦିନେ ମୁଁ ଶିଶୁପୁତ୍ରଟିକୁ କୋଳରେ ଧରି ଏବଂ ଦୁଇକଡ଼ରେ ଯୁବରାଜ (ଜେନାମଣି ନୀଳକଣ୍ଠ ଦେବ, ପରବର୍ତ୍ତୀ ସମୟର ଗଜପତି ମହାରାଜା ବୀରକିଶୋର ଦେବ) ଓ ଯୁବରାଣୀ ଥାଇ ଫଟୋ ଉଠାଗଲା। ସେଦିନର ସେଇ ଶିଶୁ ବର୍ତ୍ତମାନର ଠାକୁରରାଜା ଶ୍ରୀଶ୍ରୀ ଦିବ୍ୟସିଂହଦେବ। ମୋର ପରମ ସୌଭାଗ୍ୟ ଯେ ଠାକୁରରାଜାଙ୍କର ସୁନାମ ଶୁଣିବାପାଇଁ ମୁଁ ଆଜି ୯୩ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଛି। ରାଜା ସାହେବଙ୍କର ସୁନାମ ଶୁଣିଲେ ମୋ’ର ଗର୍ବ ହୁଏ, ଯେହେତୁ ସେ ମୋ’ରି ହାତରେ ଜନ୍ମ ହୋଇଥିଲେ।’ ସେଦିନର ସେହି ଶିଶୁସନ୍ତାନ, ବଡ଼ ଜେନାମଣି କାମାର୍ଣ୍ଣବ ଦେବ, ଗଜପତି ମହାରାଜା ଦିବ୍ୟସିଂହ ଦେବ ଭାବରେ ରାଜଗାଦିରେ ଅଭିଷିକ୍ତ ହେଲେ ୧୯୭୦ ମସିହା ଜୁଲାଇ ମାସ ୭ ତାରିଖରେ। ପାରମ୍ପରିକ ପ୍ରଥା ଅନୁସାରେ ସେହିଦିନ ସନ୍ଧ୍ୟାରେ ଗଡ଼ରୋଡ଼ଙ୍ଗ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ କୋଳରେ ବସି ସେ ଅଭିଷିକ୍ତ ହୋଇଥିଲେ। ସେହି ସମୟରେ ଉପସ୍ଥିତ ଥିଲେ ତାଙ୍କର ସାନଭାଇ, ସାନଜେନାମଣି ରଣାର୍ଣ୍ଣବ ଦେବ ଓ କକା ଥାଟରାଜା ରାଜରାଜ ଦେବଙ୍କ ପୁତ୍ର, କୁମାର ଅନଙ୍ଗ ଭାସ୍କର ଦେବ। ସେହିଦିନ ତିନିରଥ ବଡ଼ଦାଣ୍ଡରେ ଥିବାବେଳେ ତାଙ୍କର ପିତା ବୀରକିଶୋର ଦେବଙ୍କର ସ୍ଵର୍ଗପ୍ରାପ୍ତି ହୋଇଥିଲା। ରାଜପରମ୍ପରା ଅନୁସାରେ, ବଡ଼ଜେନାମଣି ଶ୍ରୀନଅରର ରାଜଗାଦିରେ ଅଭିଷିକ୍ତ ହେବାପରେ ହିଁ ଦାହସଂସ୍କାର କର୍ମ ନିମନ୍ତେ ପ୍ରଥମ ଆଦେଶ ଦେଇଥାଆନ୍ତି। ପୁଣି ରାଜପରମ୍ପରା ଅନୁସାରେ ନବାଭିଷିକ୍ତ ମହାରାଜା ନିଜେ ମୁଖାଗ୍ନି ଦିଅନ୍ତି ନାହିଁ। ପୂର୍ବ ମହାରାଜା ବା ମହାରାଣୀ ନିଯୁକ୍ତ କରିଥିବା ବ୍ରାହ୍ମଣପୁତ୍ର ସେହିସବୁ ଶୌଚ–ସଂସ୍କାର କର୍ମ ସଂପାଦନ କରନ୍ତି । ରାଜକାର୍ଯ୍ୟ ବା ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ଆଦ୍ୟସେବକର ସେବା ନିର୍ବିଘ୍ନରେ ସଂପାଦିତ ହେବାପାଇଁ ରାଜବଂଶଗୁଡ଼ିକରେ ଏହି ବ୍ୟବସ୍ଥା ପ୍ରାଚୀନ କାଳରୁ ଚଳିଆସିଛି। ମହାପ୍ରଭୁଙ୍କ ସେବା ନିର୍ବିଘ୍ନରେ ସଂପାଦିତ ହେବା ପାଇଁ ଅନ୍ୟ ଏକ ବ୍ୟବସ୍ଥା ମଧ୍ୟ ଶ୍ରୀମନ୍ଦିର ପରମ୍ପରାରେ ରହିଛି। ତାହା ହେଉଛି – ଯିଏ ଗଜପତି ମହାରାଜା ଥାଆନ୍ତି, କୌଣସି ଜାତକର୍ମ ବା ମୃତକର୍ମରେ ତାଙ୍କୁ ଅଶୌଚ ଲାଗେ ନାହିଁ । ଏହି ବ୍ୟବସ୍ଥା ନବକଳେବରର ଦାରୁ ସନ୍ଧାନ କ୍ଷେତ୍ରରେ ଦଇତାସେବକମାନଙ୍କ ପାଇଁ ମଧ୍ୟ ଲାଗୁହୁଏ। ଦାରୁଯାତ୍ରୀ ଦଳ ଥରେ ଦାରୁସନ୍ଧାନ କାର୍ଯ୍ୟରେ ଘରୁ ବାହାରିଗଲେ ସେହି କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ଅଶୌଚ ଲାଗି ନଥାଏ।ତେବେ ତାଙ୍କର ବ୍ରତୋପନୟନ ବା ବିଧିମତେ ଶାଢ଼ୀବନ୍ଧା ହୋଇନଥିବାରୁ ସେ ବର୍ଷର ରଥଯାତ୍ରାରେ ସେ ମହାପ୍ରଭୁଙ୍କର ଆଦ୍ୟସେବକ ଭାବରେ ସେବା କରିବା ସମ୍ଭବ ହୋଇପାରି ନଥିଲା। ତାଙ୍କର ବ୍ରତୋପନୟନ ହେଲା ସେହିବର୍ଷ ନଭେମ୍ବର ମାସ ୨୯ ତାରିଖ ଦିନ। ତାହାପରେ, ପରମ୍ପରା ଅନୁସାରେ ରାଜଗୁରୁଙ୍କ ଦ୍ବାରା ଶ୍ରୀମନ୍ଦିରରେ ଶାଢ଼ୀବନ୍ଧା ନୀତି ସଂପନ୍ନ ହୋଇ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ‘ଆଦ୍ୟ ସେବକ’ ହେଲେ। ସେହିଦିନଠାରୁ ଏଯାଏଁ ଦୀର୍ଘ ପ୍ରାୟ ୪୭ବର୍ଷ ଧରି ସେ ଏହି ଆଦ୍ୟ ସେବକର ସେବା କରିଆସୁଛନ୍ତି। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ରାଜଗାଦିରେ ଅଭିଷିକ୍ତ ହୋଇ ଗଜପତି ଶ୍ରୀ ଦିବ୍ୟସିଂହଦେବ ଭାବରେ ନାମିତ

ହେବାବେଳକୁ କାମାର୍ଣ୍ଣବ ଦେବ (ପୂର୍ବନାମ) ଥିଲେ ଦିଲ୍ଲୀ ଷ୍ଟିଫେନ୍ସ କଲେଜର ଛାତ୍ର। ତା’ ପୂର୍ବରୁ ସେ ପୁରୀର କନ୍‌ଭେଣ୍ଟ ସ୍କୁଲରେ ୧୯୫୭ରୁ ୧୯୫୯ ପର୍ଯ୍ୟନ୍ତ ଏବଂ ମଧ୍ୟପ୍ରଦେଶ (ବର୍ତ୍ତମାନର ଛତିଶଗଡ଼)ସ୍ଥିତ ରାୟପୁରର ରାଜକୁମାର କଲେଜରେ ୧୯୫୯ରୁ ୧୯୬୮ ପର୍ଯ୍ୟନ୍ତ ପାଠପଢ଼ିଥିଲେ । ‘ଦଦେଇ’ (ପିତା) ବୀରକିଶୋର ଦେବ ଥିଲେ ଏକ ବହୁମୁଖୀ ପ୍ରତିଭା। ବିମାନ ଚାଳନାରେ ତାଙ୍କର ରୁଚି ଥିଲା। ସେଥି ପାଇଁ ସେ ଭୁବନେଶ୍ୱରର ଫ୍ଲାଇଂ କବ୍ରେ ଯୋଗଦେଇଥିଲେ। ସେ ମଧ୍ୟ ଥିଲେ ଜାତୀୟସ୍ତରର ଜଣେ ଫୁଟବଲ ଖେଳାଳୀ। କଲିକତାର ଭାରତବିଖ୍ୟାତ ମହମ୍ମଡାନ୍ ସୋଟିଂ କ୍ଲବର ଫୁଟବଲ୍‌ ଦଳରେ ସେ ଖେଳୁଥିଲେ । ଓଡ଼ିଶାରେ ଫୁଟବଲ ଖେଳର ପ୍ରଚାର ପ୍ରସାରରେ ସେ ବିଶେଷ ଭୂମିକା ନେଇଥିଲେ ଏବଂ ତାଙ୍କ ନେତୃତ୍ବରେ ପୁରୀ ଫୁଟବଲ ଟିମ୍ ମଧ୍ୟ ସେତେବେଳେ ବେଶ୍ ନାଆଁ କରିଥିଲା। ସେ ମଧ୍ୟ ଥିଲେ ଅଶ୍ଵଚାଳନାରେ ଖୁବ୍ ପାରଦର୍ଶୀ I କଲିକତା ଟ୍ରଫି କ୍ଲବ୍‌ରେ ଆୟୋଜିତ ହେଉଥିବା ଅଶ୍ଵଚାଳନା ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରୁଥିଲେ। ସେ ଟେନିସ୍‌ ମଧ୍ୟ ଖେଳୁଥିଲେ। ତା’ଛଡ଼ା ସେ ଥିଲେ ଜଣେ ଚିତ୍ରଶିଳ୍ପୀ ଓ ସଂଗୀତପ୍ରେମୀ। ତାଙ୍କ ପ୍ରୋତ୍ସାହନରେ ବଡ଼ଜେନାମଣି କାମାଣ୍ଡବ ଦେବ ଫୁଟବଲ୍‌ ଓ ଟେନିସ୍‌ ଖେଳିଲେ। ଦଦେଇ (ପିତା)ଙ୍କ ପ୍ରେରଣାରେ କିଛିଦିନ ସେ ସ୍କୁଲରେ ଭାଓଲିନ୍ ମଧ୍ୟ ଶିଖୁଥିଲେ। ଏବେ ପିଲାଦିନର ସେଇ ଖେଳ ଓ ସଙ୍ଗୀତ ଶିକ୍ଷାର ପ୍ରଭାବରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହଦେବଙ୍କ ଭିତରେ ସଙ୍ଗୀତାନୁରାଗ ବଞ୍ଚି ରହିଛି ଏବଂ ଆଜି ବି ସେ ନିୟମିତ ଭାବରେ ଟେନିସ୍‌ ଖେଳନ୍ତି। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ପୁରୀ ଶ୍ରୀନଅରରେ ତାଙ୍କର ପ୍ରଥମ ଛଅବର୍ଷର ବାଲ୍ୟଜୀବନ ଏବଂ ରାୟପୁର ରାଜକୁମାର କଲେଜର ଛାତ୍ରଜୀବନ– ଏ ଦୁଇଟି ଥିଲା ସଂପୂର୍ଣ୍ଣ ଭିନ୍ନ। ପୁରୀର ବାଲ୍ୟଜୀବନ କାଳରେ ଶ୍ରୀମନ୍ଦିର ସହିତ ଶ୍ରୀନଅରର ସଂପର୍କ ଥିଲା ଘନିଷ୍ଠ। କାରଣ ଗଜପତି ମହାରାଜା ହିଁ ଥିଲେ ଶ୍ରୀମନ୍ଦିରର ‘ରାଜା ସୁପରିଣ୍ଟେଣ୍ଡେଣ୍ଟ’ । ଶ୍ରୀମନ୍ଦିରର ସବୁ ରୀତିନୀତିର ପ୍ରତିଫଳନ ରାଜନଅର ଓ ରାଣୀ ନଅରରେଘଟୁଥିଲା। ସ୍ଵାଭାବିକ ଭାବରେ ସେହି ପରିବେଶ ଥିଲା ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଓ ଆଧ୍ୟାତ୍ମିକ। ଏ ପ୍ରସଙ୍ଗରେ ସେହି ବାଲ୍ୟକାଳର ସ୍ମୃତିଚାରଣ କରି ଗଜପତି ମହାରାଜା କହନ୍ତି, ‘ପିଲାଦିନେ ରାଣୀ ନଅରରେ ଥିବାବେଳେ ଧାଈ ବୁଧୀ ଓ ରାଜନଅରରେ ଥିବାବେଳେ ବୀର ଆମର ବ୍ୟକ୍ତି ଗତ ସେବାପାଇଁ ପାଖେ ପାଖେ ଜଗି ରହୁଥିଲେ। ବୀର ଥିଲେ ଗଜପତି ରାମଚନ୍ଦ୍ର ଦେବ (ଦଦେଇଙ୍କ ପିତା)ଙ୍କର ବ୍ୟକ୍ତିଗତ ସେବକ ଏବଂ ବୁଧୀ ପାଟମାମା (ମହାରାଣୀ ସୂର୍ଯ୍ୟମଣି ପାଟମହାଦେଈ)ଙ୍କ ସେବିକା ଭାବେ ବାହାବେଳେ ତାଙ୍କ ସାଙ୍ଗରେ ବାଲେଶ୍ଵର ଜିଲ୍ଲାର ରାଜନୀଳଗିରିରୁ ଆସିଥିଲେ। ତେଣୁ ସେ ଦୁହେଁ ପରିଣତ ବୟସରେ ଆମର ଦେଖାରଖା କରୁଥିଲେ। ଦୁହେଁ ଆମକୁ ଭାଗବତରୁ ଶ୍ରୀକୃଷ୍ଣଙ୍କର ଓ ରାମାୟଣରୁ ଶ୍ରୀରାମଙ୍କର କାହାଣୀ ଶୁଣାନ୍ତି। ସେହିସବୁ ଦିବ୍ୟ ଆଖ୍ୟାନର ପବିତ୍ର ପ୍ରଭାବ ପିଲାଦିନୁ ଆମ ଉପରେ ପଡ଼ିଥିଲା। ଆଜି ମନେହୁଏ, ମହାପ୍ରଭୁ ଯେପରି ତାଙ୍କର ସେବାପାଇଁ ଆମ ଅଲକ୍ଷ୍ୟରେ ସେଦିନ ଆମକୁ ପ୍ରସ୍ତୁତ କରୁଥିଲେ !’ କିନ୍ତୁ ରାୟପୁର ରାଜକୁମାର କଲେଜର ପରିବେଶ ଥିଲା ପୁରୀ ଶ୍ରୀନଅରର ପରିବେଶଠାରୁ ସଂପୂର୍ଣ୍ଣ ଭିନ୍ନ। ସେହି ପବ୍ଲିକ୍ ସ୍କୁଲର ପାଠ୍ୟକ୍ରମ ଥିଲା ଧର୍ମନିରପେକ୍ଷ। ଆଧ୍ୟାତ୍ମିକତାର କୌଣସି ସ୍ପର୍ଶ ସେଥିରେ ନଥିଲା। କେବଳ ଅପରାହ୍ଣର ଖେଳ ପରେ, ସନ୍ଧ୍ୟାରେ ସ୍ନାନ ସାରି, ଧୋତିକୁର୍ତ୍ତା ପିନ୍ଧି, ପ୍ରାୟ ଅଧଘଣ୍ଟା କଲେଜ ପରିସରର ମନ୍ଦିରରେ ପ୍ରାର୍ଥନା କରିବାର ପ୍ରଥା ଥିଲା। ସେହି ମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା ଓ ଅନ୍ୟ ଦେବୀଦେବତାଙ୍କ ସହିତ ଥିଲେ ଶ୍ରୀଜଗନ୍ନାଥ। ସାରାବର୍ଷରେ ସେଠାରେ ଗଣେଶ ପୂଜା ଓ ଶ୍ରୀରାମନବମୀ ଭଳି କେତୋଟି ଧାର୍ମିକ ପର୍ବ ଓ ଉତ୍ସବ ପାଳିତ ହେଉଥିଲା। ପରବର୍ତ୍ତୀ କାଳରେ ଦିଲ୍ଲୀ ଷ୍ଟିଫେନ୍ସ କଲେଜର ତିନିବର୍ଷ (୧୯୬୯ରୁ ୧୯୭୨) ଏବଂ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଲ’ ଫାକଲ୍ଟିରେ ତିନିବର୍ଷ (୧୯୭୨ରୁ ୧୯୭୫) ଏଲ.ଏଲ.ବି. ପଢ଼ିବାବେଳେ ମଧ୍ୟ ସେପରି କିଛି ଆଧ୍ୟାତ୍ମିକ ସଂପର୍କର ପ୍ରଶ୍ନ ନଥିଲା। ମଝିରେ କେବଳ ଯାହା, ପରିବାରର ପରମ୍ପରା ଅନୁସାରେ ପୁରୀ ସାନଛତାମଠର ମହନ୍ତ ପରମପୂଜ୍ୟ ଗଙ୍ଗାଦାସଜୀ ମହାରାଜଙ୍କଠାରୁ ସେ ଗୁରୁଦୀକ୍ଷା ଗ୍ରହଣ କରିଥିଲେ। ଏହା ଫଳରେ ଆଧ୍ୟାତ୍ମିକ ଚେତନାର କ୍ଷୁଦ୍ର ବୀଜଟି ଯଥେଷ୍ଟ ଅନୁକୂଳ ପରିବେଶ ନପାଇ ସତେଯେମିତି ଅନ୍ତରରେ ସୁପ୍ତ ହୋଇ ରହିଯାଇଥିଲା । କିନ୍ତୁ ଗଜପତି ମହାରାଜାଙ୍କ ଅନ୍ତରରେ ତାହା ପୁନର୍ବାର ଜାଗ୍ରତ ହେଲା କିପରି ? ଏ ପ୍ରସଙ୍ଗରେ ଜଣାଯାଏ ଯେ ଗଜପତି ବୀରକିଶୋର ଦେବଙ୍କ ବିୟୋଗ ପରେ, ରାଜଗାଦିରେ ପାରମ୍ପରିକ ଭାବେ ଅଭିଷିକ୍ତ ହୋଇଥିଲେ ମଧ୍ୟ ଏବଂ ମହାପ୍ରଭୁଙ୍କ ଆଦ୍ୟସେବକ ଭାବରେ ଶ୍ରୀମନ୍ଦିରରେ ଶାଢ଼ୀ ବାନ୍ଧିଥିଲେ ମଧ୍ୟ, ତାଙ୍କ ଅନ୍ତରର ସେହି ସୁପ୍ତ ବୀଜଟି ଜାଗ୍ରତ ହୋଇ ନଥିଲା। ତା’ପରେ ପୁଣି ତିନିବର୍ଷର ଆଇନ ପଢ଼ା ଓ ଆମେରିକାର ଚିକାଗୋରେ ଥିବା ସୁପ୍ରତିଷ୍ଠିତ ଆଇନ୍ ଶିକ୍ଷାନୁଷ୍ଠାନ ନର୍ଥ ୱେଷ୍ଟର୍ଣ୍ଣ ୟୁନିଭରସିଟି ସ୍କୁଲ ଅଫ୍ ଲ’ରେ ବର୍ଷକର (୧୯୭୫ରୁ ୧୯୭୬) ଏଲ୍.ଏଲ୍.ଏମ୍. ଶିକ୍ଷା । ଶାଢ଼ୀବାନ୍ଧିବା ପରେ, ଦିଲ୍ଲୀରେ ଥାଇ ମଧ୍ୟ ସେଠାରୁ ଆସି ମହାପ୍ରଭୁଙ୍କର ମୁଖ୍ୟଯାତ୍ରା- ରଥ ଓ ବାହୁଡ଼ାଯାତ୍ରାର ସେବା ସେ କରୁଥିଲେ। କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆଦିରେ ନିୟମିତ ଯୋଗ ଦେଇପାରୁନଥିଲେ। ବିଦେଶରେ ଏକବର୍ଷର ଶିକ୍ଷା କାଳରେ ମହାପ୍ରଭୁଙ୍କର କୌଣସି ସେବା କରିବା ସମ୍ଭବ ମଧ୍ୟ ନଥିଲା। ତେଣୁ ୧୯୭୬ ମସିହାରେ ଏଲ୍.ଏଲ୍.ଏମ୍. ପଢ଼ା ସାରି ଆମେରିକାରୁ ଫେରିବା ବେଳକୁ ତାଙ୍କ ମନର ଦ୍ଵହ ଗାଢ଼ ହୋଇଥିଲା। ଏହି ଦ୍ବନ୍ଦ୍ବ ଥିଲା ଦୁଇ ଭିନ୍ନ ଭିନ୍ନ ଦୁନିଆକୁ ନେଇ। ଗୋଟିଏ ଦୁନିଆ ଥିଲା ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଭାବରେ ପାରମ୍ପରିକ ପ୍ରଭୁସେବାର ଦୁନିଆ ଏବଂ ଅନ୍ୟଟି ଥିଲା – ପାଶ୍ଚାତ୍ୟ ଶିକ୍ଷା ଏବଂ ସେ ଶିକ୍ଷା ଅନୁରୂପ ବୃତ୍ତି– ଓକିଲାତିର ସ୍ୱଚ୍ଛଳ ଜୀବିକାର ଦୁନିଆ। ସେତେବେଳେ ସେଦିନର ବିଶିଷ୍ଟ ଆଇନଜୀବୀ ଅଶୋକ ସେନ୍ (ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟ୍‌ର ଆଇନ୍‌ମନ୍ତ୍ରୀ), ବି. ଏନ. କ୍ରିପାଲ ( ସୁପ୍ରିମ୍‌କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି), ଅମୋଲ କୁମାର ଗାଙ୍ଗୁଲି ( ସୁପ୍ରିମ୍‌କୋର୍ଟର
ବରିଷ୍ଠ ଆଇନ୍‌ଜୀବୀ) ପ୍ରମୁଖଙ୍କ ସହ ସୁପ୍ରିମ୍‌କୋର୍ଟରେ ଓ ଦିଲ୍ଲୀ ହାଇକୋର୍ଟରେ ଜୁନିଅର ଆଡ୍ଭୋକେଟ୍ ଭାବରେ କାମ କରିବାର ସୁଯୋଗ ସେ ପାଇଥିଲେ। ସେ ଦୃଷ୍ଟିରୁ ଆଇନ୍ ସେବା ପ୍ରତି ମନଭିତରେ ତୀବ୍ର ଆକର୍ଷଣ ବି ଜାତ ହୋଇଥିଲା। ମନ ଭିତରେ ପ୍ରଶ୍ନ ଓ ଦ୍ବହ ଥିଲା- ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ହୋଇ ରହିଲେ ଏସବୁ ଶିକ୍ଷା ଓ ଅଭିଜ୍ଞତାର ଆଉ କି ମୂଲ୍ୟ ବା ରହିବ ?ଏହାସତ୍ତ୍ବେ ୧୯୮୦ ବେଳକୁ ସେ କ୍ରମେ ହୃଦ୍‌ବୋଧ କରିବା ଆରମ୍ଭ କଲେ- ନା, ଶ୍ରୀଜଗନ୍ନାଥଙ୍କ ସେବାପାଇଁ ହିଁ ଅଧିକ ସମୟ ଦେବାକୁ ପଡ଼ିବ। କିନ୍ତୁ ଜଣଙ୍କ ପରେ ଜଣେ ଚାରି କୁମାରୀମଣି (କନ୍ୟା ସନ୍ତାନ)ଙ୍କର ଜନ୍ମ ଓ ସେତେବେଳର ପାରିବାରିକ ପରିସ୍ଥିତି ତାଙ୍କୁ ଅଧିକ ସମୟ ଉତ୍ତର ପ୍ରଦେଶ ( ବର୍ତ୍ତମାନର ଉତ୍ତରାଖଣ୍ଡ )ସ୍ଥିତ ଡେରାଡୁନ୍‌ରେ ରହିବାକୁ ବାଧ୍ୟ କରିଥିଲା । ସେ ନିଜେ ସ୍ୱୀକାର କରନ୍ତି, ‘୧୯୮୦ରୁ ୧୯୯୩, ଏଇ ଚଉଦବର୍ଷ ସତେଯେମିତି ଆମପାଇଁ ଥିଲା ବନବାସର ସମୟ।’ ତେବେ ସେ କହନ୍ତି, ‘ତାହାହିଁ ଥିଲା ଏକ ସନ୍ଧିକାଳ, ଯାହା ଆମକୁ ବିବର୍ପିତ କରିଥିଲା। ପ୍ରଭୁଙ୍କ କୃପାରୁ ସବୁ ଦ୍ବହର ସମାଧାନ ହୋଇଯାଇଥିଲା । ତାହା ସମ୍ଭବ ହୋଇଥିଲା କେବଳ ମହାପ୍ରଭୁଙ୍କ କରୁଣାରୁ। ଆମେ ନିଷ୍ପତ୍ତି କଲୁ- ନା, ମହାପ୍ରଭୁଙ୍କ ସେବା ହିଁ ମୁଖ୍ୟ, ଆଉସବୁ କଥା ତୁଚ୍ଛ।’ କିନ୍ତୁ ଏହା କେମିତି ସମ୍ଭବ ହେଲା ? ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କହିବା ଅନୁସାରେ, ଏହା ପଛରେ ଥିଲା ତିନିଟି କାରଣ– ୧. ସଦ୍‌ଗ୍ରନ୍ଥ, ୨. ସଦ୍‌ଗୁରୁ ଓ ୩. ସତ୍ଵସଙ୍ଗ ।

ସେ କଥା ଏମିତି ।

ପିଲାଦିନର ଆଧ୍ୟାତ୍ମିକ ପରିବେଶ ଯେଉଁ ଦିବ୍ୟ ବୀଜଟି ବପନ କରିଥିଲା ତାଙ୍କ ମନୋଭୂମିରେ, ତାହା ପ୍ରାୟ ସୁପ୍ତ ହୋଇରହିଥିଲା । ମଝିରେ ସାନଛତା ମଠର ମହନ୍ତ ଗଙ୍ଗାଦାସଜୀ ମହାରାଜଙ୍କଠାରୁ ଗୁରୁଦୀକ୍ଷା ବା ରାଜକୁମାର କଲେଜର ସନ୍ଧ୍ୟା ପ୍ରାର୍ଥନା ତାହାକୁ ଅଙ୍କୁରିତ କରିବାକୁ ଯଥେଷ୍ଟ ନଥିଲା। କିନ୍ତୁ ଷ୍ଟିଫେନ୍ସ କଲେଜରେ ପଢ଼ିବା ବେଳର ଗୋଟିଏ ଘଟଣା  ସେହି ବୀଜଟିର ସୁଶୁପ୍ତିକୁ ଭାଙ୍ଗି ଦେଇ ତାକୁ ଅଙ୍କୁରିତ କରିଦେବାର ପଥ ପ୍ରଶସ୍ତ କରିଦେଲା।ଅନ୍ୟକେତେକ କଲେଜ ହଷ୍ଟେଲ ପରି ସେଠାରେ ବି ଖାଇବା ଭଲ ହେଉ ନଥିଲା । ତେଣୁ ସେ ପ୍ରତି ଶନିବାର ସନ୍ଧ୍ୟାରେ ଚାଲି ଆସନ୍ତି କଳାହାଣ୍ଡି ମହାରାଜା ପ୍ରତାପ କେଶରୀ ଦେଓଙ୍କ ୪, ସାଉଥ୍ ଏଭି ନ୍ୟୁ ଲେନ୍‌ସ୍ଥିତ ଏମ୍.ପି. କ୍ୱାଟର୍ସକୁ । ସେତେବେଳକୁ ସେ ଥାଆନ୍ତି ସ୍ଵତନ୍ତ୍ର ପାର୍ଟିର ସାଂସଦ ତଥା ଲୋକସଭାର ଡେପୁଟୀ ଲିଡର। ପ୍ରତାପ କେଶରୀଙ୍କ ପତ୍ନୀ ତଥା କଳାହାଣ୍ଡି ମହାରାଣୀ ଥିଲେ ତାଙ୍କର ଆତା ବା ପିଉସୀ। ସେ ଥିଲେ ଗଜପତି ମହାରାଜା ବୀରକିଶୋର ଦେବଙ୍କର ଏକମାତ୍ର ଭଉଣୀ । ଦିନେ, ଶନିବାର ସନ୍ଧ୍ୟାରେ ସେ ଆତାଙ୍କ ଘରେ ପହଞ୍ଚି ଦେଖନ୍ତି ଯେ ଘରେ କେହି ନାହାନ୍ତି। ସମସ୍ତେ ବାହାରକୁ ଚାଲିଯାଇଛନ୍ତି। ଘରେ ଯେଉଁଠି ଫୋନ୍‌ଟି ରହିଥାଏ, ସେଠି ଥୁଆ ହୋଇଥାଏ ଖଣ୍ଡିଏ ବହି। ରାମକୃଷ୍ଣ ତପୋବନମ୍ ପ୍ରକାଶିତ ସ୍ଵାମୀ ଚିଦ୍‌ଭାବାନନ୍ଦଙ୍କ ‘ଶ୍ରୀମଦ୍ ଭଗବଦ୍‌ଗୀତା’ । ସେ ତାହାକୁ ପଢ଼ିବା ଆରମ୍ଭ କରନ୍ତି । ହଠାତ୍ ତାଙ୍କର ମନେହୁଏ- ସେଯାଏଁ ସେ ଯେତେ ଯେତେ ବିଦ୍ୟା ଶିକ୍ଷା କରିଛନ୍ତି, ସବୁ ଯେମିତି ତୁଚ୍ଛ। ସେସବୁ ନୁହେଁ– ଏହାହିଁ ଯଥାର୍ଥ ବିଦ୍ୟା। ସେ ସପ୍ତାହ ପରେ ସପ୍ତାହ, ତାହାର ଅଧ୍ୟାୟ ପରେ ଅଧ୍ୟାୟ ପଢ଼ି ଚାଲନ୍ତି। ତା’ସହିତ ଧୀରେ ଧୀରେ ମନର ସମସ୍ତ ଦ୍ବନ୍ଦ୍ବ, ସମସ୍ତ ଅସ୍ଥିରତା କଟିଯାଇ ମନ ପ୍ରଶାନ୍ତ ହୋଇଯାଏ । ପରବର୍ତ୍ତୀ କାଳରେ ତାଙ୍କର ପରିଚୟ ହୁଏ ଆଧୁନିକ ଭାରତର ଦୁଇ ମହାନ୍ ଗୁରୁ, ଋଷିକେଶସ୍ଥିତ ଅନ୍ତଃରାଷ୍ଟ୍ରୀୟ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସ୍ଵାମୀ ଶିବାନନ୍ଦ ସରସ୍ବତୀ ମହାରାଜଙ୍କ ପଟ୍ଟଶିଷ୍ୟ ପରମପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ମହାରାଜ ଏବଂ ମୁମ୍ବାଇସ୍ଥିତ ଅନ୍ତଃରାଷ୍ଟ୍ରୀୟ ଚିନ୍ମୟ ମିଶନର ପ୍ରତିଷ୍ଠାତା ପରମପୂଜ୍ୟ ଚିନ୍ମୟାନନ୍ଦ ସରସ୍ବତୀ ମହାରାଜଙ୍କ ସହିତ। ମହାରାଣୀ ଲୀଳାବତୀ ପାଟମହାଦେଈ ଓ ସେ ୧୯୮୯ରେ ସ୍ଵାମୀ ଚିଦାନନ୍ଦ ସରସ୍ବତୀ ମହାରାଜଙ୍କଠାରୁ ଦୀକ୍ଷା ମଧ୍ୟ ଗ୍ରହଣ କରନ୍ତି। ଜପ, ଧ୍ୟାନ, ଯୋଗାସନ, ପ୍ରାଣାୟାମ ଆଦି ସହିତ ସ୍ଵାଧ୍ୟାୟରେ ସେ ପ୍ରବୃତ୍ତ ହୁଅନ୍ତି। ତା’ସହିତ ବାରମ୍ବାର ଋଷିକେଶର ସ୍ଵାମୀ ଶିବାନନ୍ଦ ଆଶ୍ରମ ଓ ଚିନ୍ମୟ ମିଶନର ହିମାଚଳ ପ୍ରଦେଶ ସିଦ୍ଧିବାଡ଼ୀ ଶିବିରରେ ମଧ୍ୟ ଯୋଗ ଦିଅନ୍ତି। ଡେରାଡୁନ୍ ଘରେ ଥିବାବେଳେ ମଧ୍ୟ ଅନେକବାର ସ୍ଵାମୀ ଚିନ୍ମୟାନନ୍ଦଙ୍କ ଗୀତାଜ୍ଞାନ ଯଜ୍ଞରେ ଯୋଗ ଦିଅନ୍ତି। ସ୍ଵାମିଜୀ ସେଠାରେ ଗୀତାଜ୍ଞାନ ଯଜ୍ଞ କଲାବେଳେ ତାଙ୍କ ଘରେ ହିଁ ଅବସ୍ଥାନ କରନ୍ତି।

ଏହିପରି ଭାବରେ, ସଦ୍‌ଗ୍ରନ୍ଥ, ସଦ୍‌ଗୁରୁ ଓ ସଙ୍ଗ ଫଳରେ ତାଙ୍କ ଭିତରୁ ସବୁ ଦୃହ ଅପସରି ଯାଇ ଅନ୍ତର ଭିତରେ ଆଧ୍ୟାତ୍ମିକତାର ସୁପ୍ତ ବୀଜଟି ଜାଗ୍ରତ ହୋଇଯାଏ। ଏଣୁ ଆଜି ଆମେ ଯେଉଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଦେଖୁ, ସେ ସେଦିନର ଷ୍ଟିଫେନ୍ସ କଲେଜ, ଦିଲ୍ଲୀ ବିଶ୍ବବିଦ୍ୟାଳୟ ବା ଆମେରିକାର ଚିକାଗୋରେ ଉଚ୍ଚଶିକ୍ଷା ଲାଭ କରିଥିବା, ଭୌତିକ ସୁଖ ପ୍ରତ୍ୟାଶୀ ଜଣେ ଅଭିଳାଷୀ ବ୍ୟକ୍ତି ନୁହନ୍ତି, ସେ ଆଦ୍ୟ ସେବକ ଭାବରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନିବେଦିତ ଏକ ଅଭ୍ୟୁଦିତ ବ୍ୟକ୍ତିତ୍ଵ। ଭାଦ୍ର ଶୁକ୍ଳ ଦ୍ଵାଦଶୀ, ସୁନିଆ ପର୍ବର ଅଙ୍କ ଗଣନା ଅନୁସାରେ, ଏବେ ହେବାକୁ ଯାଉଛି ତାଙ୍କ ରାଜତ୍ଵର ୫୯ ଅଙ୍କା। ପୁଣି ଆଦ୍ୟ ସେବକ ଭାବରେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସେବା କରିବା ହେଲାଣି ପ୍ରାୟ ୪୮ ବର୍ଷ । ଆଉ ଗୋଟିଏ ବର୍ଷ ପରେ ସେ ପଦାର୍ପଣ କରିବେ ତାଙ୍କ ରାଜପଦ ଗ୍ରହଣର ୬୦ ବର୍ଷରେ ଏବଂ ଆଉ ଦୁଇବର୍ଷ ପରେ ସେ ପୂରଣ କରିବେ ତାଙ୍କ ଆଦ୍ୟସେବକ ସେବାର ପଚାଶବର୍ଷରେ । ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବରେ ତାଙ୍କର ଦ୍ବନ୍ଦରହିତ ବ୍ୟକ୍ତିତ୍ବ ହିଁ ଆଜି ତାଙ୍କୁ ସମସ୍ତଙ୍କ ନିକଟରେ ପରମ ସମ୍ମାନାସ୍ପଦ କରିଛି । ଏହି ସମ୍ମାନର ଏକମାତ୍ର ଭି ହେଉଛି ସେହି ମହାମନ୍ତ୍ର– ‘ଆଉ ସବୁ ତୁଚ୍ଛ, ମହାପ୍ରଭୁଙ୍କ ସେବା ହିଁ ମୁଖ୍ୟ।’ ଏ ମହାମନ୍ତ୍ର ସେ କେବଳ ତାଙ୍କ ନିଜକୁ ଦେଇ ନାହାନ୍ତି- ତାଙ୍କର ଆଚରଣ ଓ ଉଚ୍ଚାରଣ ମାଧ୍ୟମରେ ଆମ ସମସ୍ତଙ୍କୁ ବି ଏହି ମନ୍ତ୍ର ଗ୍ରହଣ କରିବାପାଇଁ ଉଦ୍‌ବୋଧିତ କରୁଛନ୍ତି।
🔴🔴🔴🔴🔴🔴🔴🔴🔴🔴🔴🔴🔴
ଲେଖକ © ଅସୀତ ମହାନ୍ତି
🔵🔵🔵🔵🔵🔵🔵🔵🔵🔵🔵🔵🔵

Comments

Popular posts from this blog

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥାଏ ନିତି ଉପଦେଶ । ଯାହା ଦେଖ ଅଛି ତହିଁ ଶିଖିଵାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା । ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ । ଯାଵତ ନ ହେଵ ନର ଅଵନୀରେ ଲୀନ, ଶିଖିଵା ଵିଷୟ ତାର ଅଛି ତେତେ ଦିନ । ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ, ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ । ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ । @ସ୍ଵଭାଵକଵି ଗଙ୍ଗାଧର ମେହେର

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି । ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ