Skip to main content

ସ୍ଵାଧୀନତା ସଂଗ୍ରାମରେ ନୂଆପଡ଼ା ଜିଲ୍ଲାର ଅବଦାନ

ସମଗ୍ର ଭାରତ ଯେତେବେଳେ ସ୍ଵାଧୀନତାର ନୂତନ ସୂର୍ଯ୍ୟାଲୋକକୁ ଦର୍ଶନ କରିବା ପାଇଁ ବ୍ୟାକୁଳ, ସେତେବେଳେ ଓଡ଼ିଶା ଭଲା ବାଦ୍ ଯାଆନ୍ତା କିପରି ?

ଅବିଭକ୍ତ ଜିଲ୍ଲା କଳାହାଣ୍ଡି ଅନ୍ତର୍ଭୁକ୍ତ ତଥା ଆଜିର ଜିଲ୍ଲା ନୂଆପଡା଼ର ଏହି ସ୍ଵାଧୀନତା ସଂଗ୍ରାମରେ ଦେଇଥିବା ଅବଦାନ ଅବିସ୍ମରଣୀୟ । ଭାରତର ସ୍ଵାଧୀନତା ସଂଗ୍ରାମରେ ନୂଆପଡା଼ ଜିଲ୍ଲାର ସଂଗ୍ରାମୀ ଦେଶଭକ୍ତମାନେ ସର୍ବଭାରତୀୟ ସ୍ରୋତରେ ଉଦ୍‌ବୁଦ୍ଧ ହୋଇ ଯେଉଁ ବୀରତ୍ଵ ଓ ପରାକାଷ୍ଠା ଦେଖାଇ ଯାଇଛନ୍ତି, ତାହା ଚିନ୍ତା କଲେ ଶରୀରରେ ରୋମାଞ୍ଚ ସୃଷ୍ଟି ହୁଏ । ରାମାୟଣରେ ବର୍ଣ୍ଣିତ ସେତୁବନ୍ଧରେ ଗୁଣ୍ଡୁଚି ମୂଷାର ଭୂମିକା ପରି ନୂଆପଡା ଜିଲ୍ଲାର ଶ୍ରଦ୍ଧା, ବିଶ୍ୱାସ ଓ ତ୍ୟାଗର ଅବଦାନ ଏହି ଜାତୀୟ ବିପ୍ଳବ ପାଇଁ କମ୍ ଗୌରବ ନୁହେଁ ।

ନୂଆପଡା ଜିଲ୍ଲାର ସାହିତ୍ୟ ଓ ସଂସ୍କୃତି ସମ୍ପନ୍ନ ପୀଠ ତଥା କେନ୍ଦ୍ରବିନ୍ଦୁ ଥିଲା ଖଡି଼ଆଳ । ରାଜା ଥିଲେ କୃଷ୍ଣ ଚନ୍ଦ୍ର ସିଂହଦେବ । ୧୮୫୮ରୁ ୧୮୬୧ ପର୍ଯ୍ୟନ୍ତ ବୀର ସୁରେନ୍ଦ୍ର ସାଏ ମାରାଗୁଡା ଉପତ୍ୟକାର ମାଣିକଗଡ଼ଠାରେ କେତେକ ସଂଗ୍ରାମୀ ସହଯୋଗୀ ସହିତ ଗୋପନରେ ରହି ଇଂରେଜ ବିରୁଦ୍ଧରେ ସଂଗ୍ରାମ ଚଳାଇ ଥିଲେ । ସୁରେନ୍ଦ୍ର ସାଏ ଯେପରି ଧରା ନପଡନ୍ତି ସେଥିପାଇଁ ରାଜା ନିଜ କର୍ମଚାରୀମାନଙ୍କୁ ଗୁପ୍ତ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ୧୨.୧୧.୧୮୬୩ ମସିହାରେ ମେଜର ଇମ୍ପେ ,ଯିଏକି ପଶ୍ଚିମ ଓଡ଼ିଶାରେ ସୁରେନ୍ଦ୍ର ସାଏଙ୍କ ଗଣବିପ୍ଲବକୁ ପ୍ରତିହତ କରିବାକୁ ନିଯୁକ୍ତ ହୋଇଥିଲେ ସେ ସରକାରଙ୍କୁ
ଦେଇଥିବା ପତ୍ରରେ ଲେଖିଥିଲେ ଯେ, ରାଜା କୃଷ୍ଣଚନ୍ଦ୍ର ଜଣେ ବିପଦ ଜନକ ରାଜ୍ୟ ମୁଖ୍ୟ । ତେଣୁ ଏହାଙ୍କ ପରିବର୍ତ୍ତେ ପଦ୍ମନ ସିଂହଙ୍କୁ ଅସ୍ଥାୟୀ ରାଜାଭାବେ ଦାୟିତ୍ୱ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଏପରିକି ରାଜା କୃଷ୍ଣଚନ୍ଦ୍ର ସିଂହଦେବ କୌଣସି ଗୋରା କର୍ମଚାରୀଙ୍କ ସହିତ କରମର୍ଦ୍ଦନ କଲାପରେ ଗଙ୍ଗାଜଳରେ ନିଜ ହାତକୁ ଧୋଇ ପବିତ୍ରକରୁଥିଲେ ।

ଏଥିରୁ ଅନୁମାନ କରାଯାଇପାରେ ବ୍ରିଟିଶମାନଙ୍କ ପ୍ରତି କି ପ୍ରକାର ମାନସିକ ଭାବ ରହିଥିଲା । ସଂଗ୍ରାମର ରୂପ କେବଳ ସେତିକି ନୁହେଁ । କୋମନା ନିକଟସ୍ଥ ତଣ୍ଡୁଳ ପାହାଡ଼ର ପରୋପକାରୀ ଦୁଇ ଦସ୍ୟୁ (ଲୁଣ୍ଠନ ସାମଗ୍ରୀକୁ ସାଧାରଣ ଜନତାଙ୍କ ମଧ୍ୟରେ ବାଣ୍ଟୁଥିବା) ଜଳାଶୟ ଖନନ ଏବଂ ଅନେକ ଜନହିତକର କାର୍ଯ୍ୟରେ ଲଗାଉଥିବା ‘ମେଘନାଦ’ ଓ ମେଦିନୀ ସିଂ କାରାଗୃହରୁ ମୁକ୍ତ କରି ଖଡିଆଳର ରାଜା ସୁରେନ୍ଦ୍ର ସାଏଙ୍କୁ ସାହାଯ୍ୟ ଓ ସୁରକ୍ଷା ଦେବାର ବ୍ୟବସ୍ଥା କରିଥିଲେ । ଯାହାଫଳରେ ବ୍ରିଟିଶ ଆକ୍ରମଣ ବେଳେ ମେଘନାଦର ମୃତ୍ୟୁ ହୋଇଥିଲା । ମେଦିନୀ ସିଂ ତାର ପ୍ରତିଶୋଧରେ ଦଶଜଣ ବ୍ରିଟିଶ ସୈନ୍ୟଙ୍କୁ ହତ୍ୟା କରିଥିଲେ ।

ସୁରେନ୍ଦ୍ର ସାଏ ଏମାନଙ୍କ ସାହାଯ୍ୟ ଓ ସହଯୋଗରେ ଅତ୍ୟନ୍ତ ପ୍ରୀତଥିଲେ । ୧୨.୧୦.୧୮୬୧ ମସିହାରେ ରାୟପୁରର ଅସ୍ଥାୟୀ ଡେପୁଟି କମିଶନରଙ୍କ ପତ୍ରାନୁଯାୟୀ ଖଡିଆଳର ରାଜା କୃଷ୍ଣଚନ୍ଦ୍ର ସିଂହ ଦେବ ଓ ବିନ୍ଦ୍ରାନୱାଗଡ଼ର ରାଜା ଓମ୍‌ରାଏ ବ୍ରିଟିଶ ସରକାରଙ୍କ ଦୃଷ୍ଟିରେ ହୀନତମ ଅପରାଧୀ ।

ସୁରେନ୍ଦ୍ର ସାଏଙ୍କ ଗରିଲା ଯୁଦ୍ଧରେ ତାନୱାଟର ଆଦିବାସୀ ନେତା ଜମିଦାର ବିରଲାଲ ସାଏ (ଲାଲ ସିଂ) ମୁଖ୍ୟ ଅଂଶ ଗ୍ରହଣ କରିଥିଲେ । ଶହ ଶହ ଗ୍ରାମବାସୀଙ୍କ ସାହାଯ୍ୟ ଓ ସହାନୁଭୂତି ରୂପକ ବିପ୍ଳବର ହାତ ବଢ଼ାଇଥିଲେ ସଂଗ୍ରାମୀମାନଙ୍କ ଆଡକୁ । ନୂଆପଡା଼ର ଇରୁଜୁ ଅଚ୍ୟୁତାରାମାୟା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୨୮ ମସିହାରେ ସାଇମନ କମିଶନଙ୍କୁ କଳାପତାକା ଦେଖାଇଥିଲେ । ୧୯୩୦ ମସିହାରେ ସେ ପୁରୀ ବେଳାଭୂମିରେ ଲୁଣ ମାରି ୬ମାସ ପାଇଁ ଜେଲ୍‌ ଯାଇଥିଲେ ।

୧୯୩୦ ମସିହା ସେପ୍ଟେମ୍ବର ୩୦ ତାରିଖ ସାଲିହାଗୁଡା଼ (ସାଲିହା)ଠାରେ ଆନ୍ଦୋଳନର ସୂତ୍ରପାତ ହୁଏ । ରାଜ୍ୟର ନୂତନକର ବିରୁଦ୍ଧରେ ସତ୍ୟାଗ୍ରହୀ ଓ ସାଧାରଣ ଜନତାଙ୍କ ସଭା ହେଲା । ଦେଶମତୀ ବାଈ, ପିତା କାର୍ତ୍ତିକ ଶବର ଓ ଲକ୍ଷ୍ମଣ ଶବରକୁ ରାୟପୁର ଜେଲକୁ ନିଆଯାଇଥିଲା । କେଜୁଦାସ ବାଗ୍, ରାମ ସାହୁ, ଲକ୍ଷ୍ମଣ ଦାସ, ରାମଲାଲ ଦେୱାଙ୍ଗନ୍, କେନ୍ଦୁଗଣ୍ଡା ପରି ଅନେକ ସଂଗ୍ରାମୀ ସଂଗ୍ରାମରେ ଝାସ ଦେଇଥିଲେ ।

୧୯୪୨ ଓ ୧୯୪୬ ମସିହା ପର୍ଯ୍ୟନ୍ତ ଖରିଆର ରୋଡର କଂଗ୍ରେସ ସଂଗଠକ ଯଦୁ ରାଉତ ଏବଂ ଗଙ୍ଗାରାମ ତୋଲିଙ୍କୁ ପୋଲିସର ଲାଠି ମାଡ଼ରେ ଲହୁଲୁହାଣ ହେବାପରେ ମଧ୍ୟ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ତାଙ୍କ ଝିଅ ଗାୟତ୍ରୀ ଦେବୀ ଆନ୍ଦୋଳନକୁ ତୀବ୍ରତର କରାଇବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ ।

୧୯୪୬ ମସିହା ଜାନୁଆରୀ ୯ତାରିଖ ଦିନ ଖରିଆର ରୋଡ ଜୋଙ୍କନଦୀ ନିକଟରେ କଂଗ୍ରେସର ଏକ ସଭା ଅନୁଷ୍ଠିତ ହୋଇଥିଲା । ଯେଉଁ ସଭାରେ ଡଃ ହରେକୃଷ୍ଣ ମହତାବ ଯୋଗ ଦେଇଥିଲେ । ସଂଗ୍ରାମୀ ବନ୍ଧୁମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ଓଡ଼ିଶାର ଉପାନ୍ତ ଘନ ବଣ ଜଙ୍ଗଲ ଭିତରେ ଏପରି ସଂଗ୍ରାମୀ ବନ୍ଧୁମାନଙ୍କୁ ଦେଖି ମୁଁ ହତବାକ୍ ମନେ କରୁଛି । ତୁକଲାର ଦୟାନିଧ୍ଵ ଦାସଙ୍କ ସହଯୋଗ, ଶିକ୍ଷକ ଭିକାରୀ ଦାସ ତୁକଲା (ଖଡିଆଳଠାରୁ ୧୦ କିମି ଦୂରତାରେ ଥିବା ଗ୍ରାମ) ଅଞ୍ଚଳର ଲୋକଙ୍କ ନେତୃତ୍ୱ ନେଇ ଇଂରେଜ ପୋଲିସଙ୍କୁ ଗୋଲାମ ବୋଲି କହିଥିବାରୁ ତାଙ୍କୁ ତତ୍କାଳୀନ ସମୟରେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିଥିଲା ।

ଏତଦ୍‌ବ୍ୟତୀତ ଭେଲାର ଜଗଦୀଶ ଯୋଷୀ (ଜନ୍ମ ୧୯୧୩ ଅକ୍ଟୋବର ୧୦ )ଙ୍କ ନେତୃତ୍ବରେ ଡାକଘର ପୋଡି଼ ଓ ରେଳଲାଇନ ଓଲଟାଇବାରେ ଅସଫଳ ହେବା ସତ୍ତ୍ବେ ଆଇନ ଅମାନ୍ୟ ଆନ୍ଦୋଳନ ଯୋଗୁଁ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡିଥିଲା ।

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ‘ତ୍ରିରଙ୍ଗା ପତାକା’ ଧରି ଗାଁ ଗାଁ ବୁଲି ଅନ୍ୟାୟ, ଅନୀତି, କୁସଂସ୍କାର, ଛୁଆଁ ଅଛୁଆଁ ଭେଦଭାବ, ସ୍ଵଦେଶ ନୀତିର ବାର୍ତ୍ତା, ହରିଜନମାନଙ୍କ ମନ୍ଦିର ପ୍ରବେଶ ଇତ୍ୟାଦି କାର୍ଯ୍ୟରେ ନିୟୋଜିତ ଥିଲେ । ତାଙ୍କ ସହିତ ସହଯୋଗୀ ଥିଲେ ଲର୍ଜିର ନନ୍ଦଲାଲ ପଣ୍ଡା, କମ୍‌କେଡା ଗ୍ରାମର ରାମନାଥ ପଣ୍ଡା, କୁମୁଟି ମୁଣ୍ଡା ଗ୍ରାମର ଟିଲୁ ସିଂ ମାଝୀ, ବାଟିବାହାଲର ଆଦିବାସୀ ଯୁବକ ଯୋଷୀଙ୍କ ସହିତ ହାତକୁ ହାତ ମିଳାଇ ମେଳି ଆରମ୍ଭ କରିଥିଲେ ।

ପୋଲିସ ଭୟରେ ସାଧାରଣ ଲୋକେ ଘରଦ୍ବାର ଛାଡି଼ ବଣ ଜଙ୍ଗଲରେ ଥିବାବେଳେ ଏମାନେ ସାହସ ଦେଇ ଫେରାଇ ଆଣୁଥିଲେ । ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଭୂମିକା ନିଭାଇ ଥିଲେ କେବଳ ସେତିକି ନୁହେଁ, ୪୦ଟି ଗ୍ରାମ ଦାନ କରାଇବାରେ ସଫଳ ହୋଇଥିଲେ । ତାଙ୍କର ଉକ୍ତି ଥିଲା ଏ ଦେଶ ଗାନ୍ଧୀଙ୍କ ଦେଶ । ଜାତୀୟ ସଂଗ୍ରାମର ଅନ୍ୟ ଜଣେ ସାରଥି ଅଲୌକିକ ଶକ୍ତି ସମ୍ପନ୍ନ ଯୋଗଜନ୍ମା ସିଦ୍ଧପୁରୁଷ ଜନ୍ମଲାଭ କରନ୍ତି କରଙ୍ଗାମାଲ ଗ୍ରାମରେ ଖଡିଆଳବାସୀ ଚନ୍ଦ୍ରଶେଖର ପଟ୍ଟଯୋଷୀଙ୍କ ମଧ୍ୟମ ସନ୍ତାନ ରୂପେ ।

ସତ୍ୟାଗ୍ରହ ଆନ୍ଦୋଳନରେ ସେ ଥିଲେ ପ୍ରମୁଖ ନେତୃତ୍ୱ ନେଇଥିବା ବ୍ୟକ୍ତିତ୍ଵ । ୧୯୩୦ ମସିହା ଅକ୍ଟୋବର ୩୧ ତାରିଖରେ ଗିରଫ ହୋଇ ଏକବର୍ଷ କାରାଦଣ୍ଡ ଭୋଗିଥିଲେ । ଗାନ୍ଧୀ ଇରଉଇନ ଚୁକ୍ତି ଯୋଗୁଁ ୧୯୩୧ ମସିହା ଏପ୍ରିଲ୍ ୫ ତାରିଖରେ ସେ ମୁକ୍ତିଲାଭ କରି ପୁଣି ସ୍ଵାଧୀନତା ସଂଗ୍ରାମରେ ସାମିଲ ହେତୁ ତାଙ୍କ ପିତା ଓ ବଡଭାଇଙ୍କୁ ଚାକିରିରୁ ଅନ୍ତର କରାଗଲା । ୧୯୩୨ ମସିହାରେ ପୁଣି ୧ମାସ ପାଇଁ ତାଙ୍କୁ କାରାଦଣ୍ଡ ଭୋଗିବାକୁ ପଡିଥିଲା । ୧୯୩୪ ମସିହାରେ ରାୟପୁର ଜିଲ୍ଲା ପରିଷଦ କଂଗ୍ରେସ ହାତକୁ ଆସିବାରୁ ସେ ଲରକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଖଡିଆଳ ଅଞ୍ଚଳକୁ ଓଡ଼ିଶାରେ ସାମିଲ କରିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ । କଂଗ୍ରେସର ଜଣେ ନିଷ୍ଠାପର କର୍ମୀଭାବେ ୧୯୫୫ରେ କରଙ୍ଗାମାଲ ଗ୍ରାମପଞ୍ଚାୟତର ସେ ପ୍ରଥମ ସରପଞ୍ଚ ହୋଇଥିଲେ ଏବଂ ସ୍ଵାଧୀନତା ସଂଗ୍ରାମୀଭାବେ ଭାରତ ସରକାର ତାଙ୍କୁ ତାମ୍ର ଫଳକ ପ୍ରଦାନ କରିଥିଲେ ।

ଏତଦ୍‌ବ୍ୟତୀତ ଯୋଷୀଙ୍କ ବିଭିନ୍ନ ଧର୍ମକାର୍ଯ୍ୟ ସମାପନ ମୁଖ୍ୟତଃ ଗାୟତ୍ରୀ ଯଜ୍ଞ ଓ ଭିତ୍ତିପ୍ରସ୍ତର ସ୍ଥାପନ, ବହୁ କାବ୍ୟ କବିତାର ରଚୟିତା, ଜଣେ ନିଃସ୍ୱାର୍ଥ ସମାଜସେବୀ ଭାବରେ ସେ ପରିଚିତ । ତାଙ୍କରି ସମସାମୟିକ ବ୍ରଜମୋହନ ବାରିକ ପ୍ରୟୋଗ ଦତ୍ତ ଯୋଷୀ, ଜଗଦୀଶ ପ୍ରସାଦ ଯୋଷୀ (କରଙ୍ଗାମାଲ) କେଳୁ ଦାସ, ମେଘନାଦ, ମେଦିନୀ ସିଂ, ଅମର ସିଂ ମାଝୀ ଆଜି ବି ନୂଆପଡା ବି ଜିଲ୍ଲାର ଗର୍ବ ଓ ଗୌରବ ହୋଇ ରହିଥିବେ ।

🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳
🖋️ଅଧ୍ୟାପକ ବିଜୟ କୁମାର ବାରିକ
🏘️ଓଡ଼ିଆ ବିଭାଗ ଖଡ଼ିଆଳ
🏘️ସ୍ୱୟଂଶାସିତ ମହାବିଦ୍ୟାଳୟ ଖଡିଆଳ,
🏘️ ଜି– ନୂଆପଡା
🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

Comments

Popular posts from this blog

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥାଏ ନିତି ଉପଦେଶ । ଯାହା ଦେଖ ଅଛି ତହିଁ ଶିଖିଵାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା । ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ । ଯାଵତ ନ ହେଵ ନର ଅଵନୀରେ ଲୀନ, ଶିଖିଵା ଵିଷୟ ତାର ଅଛି ତେତେ ଦିନ । ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ, ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ । ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ । @ସ୍ଵଭାଵକଵି ଗଙ୍ଗାଧର ମେହେର

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି । ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ