Skip to main content

ସ୍ବାଧୀନତା ସଂଗ୍ରାମରେ ବରଗଡ଼ ଜିଲ୍ଲାର ନାରୀ

ପଶ୍ଚିମ ଓଡ଼ିଶାର ନାରୀ ସ୍ବାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାରେ କେତେ ଜଣ ଦୁଃସାହସୀ ବରେଣ୍ୟ ବିପ୍ଳବିନୀମାନଙ୍କର ଅସୀମ ତ୍ୟାଗ, ନିଃସ୍ୱାର୍ଥପର ଆୟୋତ୍ସର୍ଗ ଓ ଅଦମ୍ୟ ସାହସ ପାଇଁ ସେମାନେ ଓଡ଼ିଆ ଜାତିର ଇତିହାସର କାଳଜୟୀ ପୃଷ୍ଠା ବିମଣ୍ଡନ କରିଛନ୍ତି । ଦୁଃସାହସୀ ସାମ୍ରାଜ୍ୟବାଦୀ ଇଂରେଜ ଶକ୍ତି ବିରୋଧରେ ବିପ୍ଳବର ସ୍ଵର ଓ ନିରବଚ୍ଛିନ୍ନ ସଂଗ୍ରାମ ଚଳାଇ ଇତିହାସର ଗତିପଥରେ ଯେଉଁ ମହାନ ପରିବର୍ତ୍ତନ ସୃଷ୍ଟି କଲେ, ସେଥିପାଇଁ ସେହି ମହିୟସୀ ମହିଳାମାନେ ସମଗ୍ର ନାରୀ ଜାତିର ଆଦର୍ଶ ଓ ସମ୍ମାନର ପାତ୍ର । ବରଗଡ଼ ଜିଲ୍ଲାର ବୀରାଙ୍ଗନାମାନେ ଘାତ, ପ୍ରତିଘାତ, ସଂଘାତ ଓ ସଂଘର୍ଷର କଣ୍ଟକିତ ପଥକୁ ସାହସର ସହିତ ଅତିକ୍ରମ କରି ଇଂରେଜ ଶକ୍ତି ବିରୋଧରେ ସେମାନଙ୍କର ସଂଗ୍ରାମ ଅବ୍ୟାହତ ରଖିଥିଲେ । ପରାଧୀନତାର ଶୃଙ୍ଖଳତାକୁ ଚ୍ଛିନ୍ନ କରିବା ସହିତ ସ୍ବାଧୀନତାର ସ୍ବାଦକୁ ଭାରତୀୟମାନଙ୍କ ନିକଟରେ ପହଞ୍ଚାଇବାକୁ ଯେଉଁ ଅକ୍ଳାନ୍ତ ପରିଶ୍ରମ ଓ ଉଦ୍ୟମ କରିଥିଲେ, ସେଥିପାଇଁ ସେମାନେ ଚିର ନମସ୍ୟ । ବରଗଡ଼ ଜିଲ୍ଲାର ଯେଉଁ ସ୍ବଳ୍ପ ସଂଖ୍ୟକ ମହିଳା ସଂଗ୍ରାମୀମାନେ ମୁକ୍ତିଯୁଦ୍ଧର ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇ ଜାତିପ୍ରେମ, ଦେଶ ଭକ୍ତି, ଜାତୀୟତା ଓ ସ୍ଵଦେଶ ବତ୍ସଳତା ଓ ସ୍ଵରାଜ୍ୟ ପ୍ରୀତିର ଯେଉଁ ପରାକାଷ୍ଠା ପ୍ରଦର୍ଶନ କଲେ, ତାହା ଜାତି ପ୍ରତି ମହାର୍ଘ୍ୟ ଅବଦାନ ।

ବରଗଡ଼ ଜିଲ୍ଲାର ବରିଷ୍ଠ ବରେଣ୍ୟ ନାରୀ ସ୍ଵାଧୀନତା ସଂଗ୍ରାମୀ ରୂପେ ଶ୍ରୀମତୀ ଜାମ୍ବୋବତୀ ପଟ୍ଟନାୟକ, ପ୍ରଭାବତୀ ଦେବୀ ଏବଂ ପାର୍ବତୀ ଗିରି ଥିଲେ ଅଗ୍ରଗଣ୍ୟ । ପୁରୁଷ ପ୍ରାଧାନ୍ୟ ସମାଜର ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଦେଶ ଓ ଜାତିର ମୁକ୍ତି ପାଇଁ ରାଜରାସ୍ତାରେ ବିଦେଶୀ ଅହଂକାରୀ ଓ ଅତ୍ୟାଚାରୀ ଇଂରେଜ ଶକ୍ତିକୁ ପ୍ରତିରୋଧ କରିବା ନିମନ୍ତେ ଆଗେଇ ଆସିଥିଲେ ।

❝ ଶ୍ରୀମତୀ ଜାମ୍ବୋବତୀ ପଟ୍ଟନାୟକ ସମଗ୍ର ପଶ୍ଚିମ
ଓଡ଼ିଶାର ପ୍ରଥମ ନାରୀ ସ୍ଵାଧୀନତା ସଂଗ୍ରାମୀ ହିସାବରେ ମୁକ୍ତି ସଂଗ୍ରାମରେ ନିଜକୁ ଝାସ ଦେଇଥିଲେ ।❞

ବରଗଡ଼ ଜିଲ୍ଲାର ବରପାଲିର ଆଜୀବନ ସଂଗ୍ରାମୀ ଭାଗିରଥି ପଟ୍ଟନାୟକଙ୍କର ସେ ସତୀର୍ଥ ସହଧର୍ମିଣୀ । ସ୍ବାମୀଙ୍କ ପଦାଙ୍କ ଅନୁସରଣ କରି ମୁକ୍ତି ଆନ୍ଦୋଳନରେ ସେ ସକ୍ରିୟ ରୂପେ ସହଯୋଗ କରିଥିଲେ । ଏକ ସଂଗ୍ରାମୀ ପରିବାରର ସେ କୁଳବଧୂ । ତାଙ୍କ ସୁପୁତ୍ର ସ୍ବତନ୍ତ୍ର ସେନାନୀ ପ୍ରଫୁଲ୍ଲ ପଟ୍ଟନାୟକ ସ୍ଵାଧୀନତା ସଂଗ୍ରାମର ଜଣେ ଜ୍ଵଳନ୍ତ ଅଗ୍ନିଶିଖା । ଜାମ୍ବୋବତୀ ନିଜର ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ମୁକ୍ତହସ୍ତରେ ମୁକ୍ତିଯୁଦ୍ଧର ପରିଚାଳନା ପାଇଁ ନିଜ ସ୍ବାମୀଙ୍କୁ ଅର୍ପଣ କରିଥିଲେ । ସେ ସେହିଦିନଠାରୁ କୌଣସି ଗହଣା କେବେ ବ୍ୟବହାର କରିନଥିଲେ ।

ଜାମ୍ବୋବତୀ ଦେବୀ ୧୯୩୨ ମସିହାରେ ଇଂରେଜ ସରକାରଙ୍କ ଶୋଷଣନୀତି ଓ ଅତ୍ୟାଚାର ବିରୋଧରେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ । ମାତୃଭୂମିର ମୁକ୍ତି ପାଇଁ ଜାମ୍ବାବତୀ ଦେବୀଙ୍କୁ ଇଂରେଜ ସରକାରଙ୍କ ଦ୍ବାରା ଜେଲ୍‌ରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଥିଲା । ପଶ୍ଚିମ ଓଡ଼ିଶାର ସର୍ବପ୍ରଥମ ନାରୀ ବିପ୍ଳବିନୀ, ଯେ କି ଦୁଃଖ, ଯାତନା, ନିର୍ଯାତନାକୁ ଭୁଲି ସହାସ୍ୟ ବଦନରେ ବନ୍ଦୀ ଜୀବନ ଅତିବାହିତ କଲେ । ସମ୍ବଲପୁର ଓ ଭାଗଲପୁର ଜେଲ୍‌ରେ ତାଙ୍କୁ ବନ୍ଦୀ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ସେ ଗାନ୍ଧିଜୀଙ୍କର ରଚନାତ୍ମକ କାର୍ଯ୍ୟରେ ଅଂଶଗ୍ରହଣ କଲେ । ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ସେ ଏକାଧାରରେ ଜଣେ ସ୍ଵାଧୀନତା ସଂଗ୍ରାମୀ ଓ ସମାଜସେବୀ । ମହାତ୍ମା ଗାନ୍ଧୀ ଝାରସୁଗୁଡ଼ା ଆସିଥିବା ସମୟରେ ସେ ତୁଳସୀ ଦେବୀଙ୍କ ସହିତ ମିଶି ହରିଜନ ଓ ଦୁଃସ୍ଥ ଜନତାର କ୍ର ସେବାରେ ନିଜକୁ ହଜାଇ ଦେଇଥିଲେ । ଐତିହାସିକ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଆହ୍ବାନକ୍ରମେ ସେ ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ଯୋଗଦାନ କରି ଇଂରେଜ ସରକାରଙ୍କ ଦ୍ବାରା ଗିରଫ ହେଲେ । ୧୯୪୩ ମସିହା ଜୁଲାଇ ମାସ ୧୫ ତାରିଖ ଦିନ ସେ ଶେଷ ନିଃଶ୍ବାସ ତ୍ୟାଗ କରିବା ଦ୍ଵାରା ଏକ ସଂଗ୍ରାମୀ ଜୀବନର ପୂର୍ଣ୍ଣଚ୍ଛେଦ ପଡ଼ିଲା । ମୁକ୍ତି ସଂଗ୍ରାମ ପ୍ରତି ଏହି ମହିୟସୀ ମହିଳାଙ୍କ ଅନବଦ୍ୟ ଅବଦାନ ଅବିସ୍ମରଣୀୟ ।

ଅନ୍ୟ ଜଣେ କୃତବିଦ୍ୟ ନାରୀ ସଂଗ୍ରାମୀ ପ୍ରଭାବତୀ ଦେବୀ ବରଗଡ଼ ତଥା ସମଗ୍ର ଓଡ଼ିଶାର ଏକ ସୁପରିଚିତ ନାମ । ତାଙ୍କ ଘଟଣା ବହୁଳ ସଂଗ୍ରାମୀ ଜୀବନର ଇତିହାସ ଅତି ରୋମାଞ୍ଚକର ତଥା ହୃଦୟସ୍ପର୍ଶୀ । ପ୍ରଭାବତୀ ଦେବୀ ବରଗଡ଼ ନାୟକପଡ଼ାର ଥାନପତି ଦାଶଙ୍କ କନ୍ୟା ।

ବାଲ୍ୟବିଧବା ପ୍ରଭାବତୀଙ୍କର ବାଲ୍ୟକାଳରୁ ଦେଶମୁକ୍ତି ଆନ୍ଦୋଳନ ଓ ସଂଗ୍ରାମୀମାନଙ୍କ ପ୍ରତି ଥିଲା ତାଙ୍କର ଅହେତୁକ ଆକର୍ଷଣ ଓ ଦୁର୍ବଳତା । ବରଗଡ଼ର ସୁନାମଧନ୍ୟ କଂଗ୍ରେସ କର୍ମୀ ଫକୀର ବେହେରାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ମାତୃକାର ସେବା ପାଇଁ ସଂକଳ୍ପ ନେଲେ । ମାଳତୀ ଦେବୀଙ୍କର ବରଗଡ଼ ଆଗମନ ସମୟରେ ତାଙ୍କର ପ୍ରେରଣା ଓ ଉତ୍ସାହ ପ୍ରଭାବତୀଙ୍କ ହୃଦୟକୁ ସ୍ପର୍ଶ କଲା । ରମାଦେବୀଙ୍କର ବରି ଆଶ୍ରମରେ ରହି ସମାଜସେବା, ରଚନାତ୍ମକ କାର୍ଯ୍ୟକ୍ରମ ସମ୍ବନ୍ଧରେ ଶିକ୍ଷାଲାଭ କଲେ । ବରି ଆଶ୍ରମରେ ସୂତାକଟା, ଲୁଗାବୁଣା, ବଗିଚା କାମ, ସଫେଇ ଇତ୍ୟାଦି ବିଷୟରେ ଶିକ୍ଷାଲାଭ କରି ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗ କରିବା ନିମନ୍ତେ ପ୍ରୟାସ କଲେ । ଅସ୍ପୃଶ୍ୟତା ନିବାରଣ, ଜାତୀୟତା ମନୋଭାବ ସୃଷ୍ଟି, ଶିକ୍ଷାର ପ୍ରଚାର ଓ ପ୍ରସାର ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଗାଁକୁ ଗାଁ ବୁଲି ବହୁ କଷ୍ଟ ସ୍ୱୀକାର କରିଥିଲେ ।

୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନରେ ବରଗଡ଼ର ଅନ୍ୟାନ୍ୟ ସତ୍ୟାଗ୍ରହୀମାନଙ୍କ ସହିତ ମିଶି ଇଂରେଜ ସରକାରଙ୍କର ହୃଦୟହୀନ ତଥା ଅବିବେକଇକାର୍ଯ୍ୟ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଇଂରେଜ ବିରୋଧୀ ପ୍ରଚାରପତ୍ର ବାଣ୍ଟିବା, ସଭା ସମିତି ଓ ଶୋଭାଯାତ୍ରାର ନେତୃତ୍ଵ ନେଉଥିବା ରାଜଦ୍ରୋହ ଅଭିଯୋଗରେ ଇଂରେଜ ସରକାର ତାଙ୍କୁ ୨୨ ଅଗଷ୍ଟ ୧୯୪୨ ମସିହାରେ ଗିରଫ କରି ସମ୍ବଲପୁର ଜେଲ୍‌କୁ ପଠାଇ ଦେଇଥିଲେ ।

ସେଠାରେ ଦେଢ଼ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବା ପରେ କଟକ ଜେଲ୍‌କୁ ସ୍ଥାନାନ୍ତରିତ ହୋଇଥିଲେ । କଟକ ଜେଲ୍‌ରେ ଗୋଟେ ବର୍ଷ ଅତିବାହିତ କଲାପରେ ତାଙ୍କୁ ଇଂରେଜ ସରକାର କାରାମୁକ୍ତ କରିଥିଲେ । ପରବର୍ତ୍ତୀ ସମୟରେ ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜସେବା କାର୍ଯ୍ୟରେ ମନୋନିବେଶ କଲେ । ୧୯୫୦ ମସିହାରେ ବରଗାଁଠାରେ ଏକ ମାତୃମଙ୍ଗଳ କେନ୍ଦ୍ର ସ୍ଥାପନ କରି ନାରୀମାନଙ୍କୁ ଶିକ୍ଷିତ, ସ୍ଵାବଲମ୍ବୀ ଓ ସଚେତନ କରିବା ପାଇଁ ଉଦ୍ୟମ କରିଥିଲେ । ପ୍ରଭାବତୀ ଦେବୀଙ୍କର ସେବା, ସାଧନା, ତପସ୍ୟା ପାଇଁ ଓଡ଼ିଆ ଜାତି ତାଙ୍କ ନିକଟରେ ଚିର ଋଣୀ ।

ମହାତ୍ମା ଗାନ୍ଧୀଙ୍କ ସହିତ ୱାର୍ଦ୍ଧା ଆଶ୍ରମରେ ପ୍ରଭାବତୀ ଦେବୀଙ୍କର କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ବିନୋବା ଭାବେଙ୍କର ଭୂଦାନ ଆନ୍ଦୋଳନରେ ଯୋଗଦେଇ ପ୍ରଭାବତୀ ଦେବୀ ନିଜର ପ୍ରଭାବ ବିସ୍ତାର କରି ଗରିବ, ଖଟିଖିଆ, ମୂଲିଆ, ଚାଷୀ ଓ ସର୍ବହରା ଅନାଥମାନଙ୍କ ପାଇଁ ସଂଘର୍ଷରତ ଥିଲେ । ଜଣେ ଓଡ଼ିଆ ନାରୀ ଭାବରେ ତାଙ୍କର ଉଲ୍ଲେଖନୀୟ ସଫଳତା ଆମ୍ଭ ପାଇଁ ଗର୍ବ ଓ ଗୌରବର ବିଷୟ । ଅନେକ ସମ୍ମାନ ଓ ସ୍ୱୀକୃତିରେ ପ୍ରଭାବତୀ ଦେବୀ ବିଭୂଷିତା ।

ଅତି ଆଦର ଓ ଶ୍ରଦ୍ଧାରେ ସମସ୍ତେ ‘ପ୍ରଭାବତୀ ନାନୀ’ ବୋଲି ତାଙ୍କୁ ସମ୍ବୋଧନ କରନ୍ତି । ୧୯୭୨ ମସିହାରେ ଇନ୍ଦିରା ଗାନ୍ଧୀ ତାଙ୍କୁ ତାମ୍ରଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ । ୧୯୮୪ ମସିହାରେ କଟକରେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ପରିଷଦ ତାଙ୍କୁ ‘ରାଷ୍ଟ୍ର ଗୌରବ ପତ୍ର’ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।

ବରଗଡ଼ର ପବିତ୍ର ମାଟିରେ ବହ୍ନି କନ୍ୟା ଥିଲେ ପାର୍ବତୀ ଗିରି । ପ୍ରଚଣ୍ଡ ଦେଶ ଓ ଜାତିପ୍ରେମୀ ପାର୍ବତୀ ଗିରି ଇଂରେଜ ସରକାରଙ୍କର ଗର୍ବ ଓ ଅହଂମିକା ପ୍ରତି ଶକ୍ତ କୁଠାରଘାତ କରିଥିଲେ । ❝୧୯୨୨ ମସିହା ଜାନୁଆରୀ ୧୯ ତାରିଖ ଦିନ ବରଗଡ଼ ଜିଲ୍ଲାର ବିଜୁପୁର ଥାନା ଅନ୍ତର୍ଗତ ସମଲାଇ ପଦର ଗ୍ରାମରେ ପାର୍ବତୀ ଗିରି ଜନ୍ମଗ୍ରହଣ କରିଥିଲେ ।❞ ପିତା ଗଉଁନ୍ତିଆ ଧନଞ୍ଜୟ ଗିରିଙ୍କ ଧନସଂପଦ, ଐଶ୍ବର୍ଯ୍ୟ, ପ୍ରାଚୁର୍ଯ୍ୟର ମୋହ କେବେ ପାର୍ବତୀ ଗିରିଙ୍କୁ ବାନ୍ଧି ରଖୁପାରି ନଥିଲା । ତାଙ୍କ ଜମିଦାରୀ ଘରେ କାର୍ଯ୍ୟ କରୁଥିବା ହରିଜନ ବ୍ୟକ୍ତିମାନଙ୍କୁ ପରିବାରର ସଦସ୍ୟମାନଙ୍କର ଅପମାନ ସୂଚକ ତଥା ଆପତ୍ତିଜନକ ବ୍ୟବହାର ପିଲାଦିନରୁ ତାଙ୍କ ହୃଦୟକୁ ବ୍ୟଥିତ କରିଥିଲା । ଏହା ବିରୋଧରେ ଘରେ ଅସ୍ପୃଶ୍ୟତା ବିରୋଧରେ ସେ ପ୍ରଥମେ ସଂଗ୍ରାମ ଆରମ୍ଭ କରିଥିଲେ । ଦୁଃସ୍ଥ, ଦୁର୍ଗତ ତଥା ଅସହାୟମାନଙ୍କର ସେବାକୁ ନିଜର ତପସ୍ୟା ରୂପେ ସେ ଗ୍ରହଣ କରିନେଇଥିଲେ ।  ସମାଜ ସେବା, ସଂସ୍କାର ଓ ଦେଶ ମୁକ୍ତି ଥିଲା ତାଙ୍କ ଜୀବନର ପରମ ଲକ୍ଷ୍ୟ ତଥା ଚରମ ଉଦ୍ଦେଶ୍ୟ । ଏ କ୍ଷେତ୍ରରେ ତାଙ୍କର ଯୋଗଦାନ ଅଲଂଘନୀୟ । ତାଙ୍କର ୧୨ ବର୍ଷ ବୟସରେ ମାଳତୀ ଚୌଧୁରୀ, ଫକୀର ବେହେରା, ବୋଧରାମଦୁବେ ତାଙ୍କ ଗ୍ରାମରେ ସଭା, ସମିତି ଆୟୋଜନ କରିବା ଦ୍ବାରା ଗାନ୍ଧିଜୀଙ୍କର ସ୍ୱରାଜବାର୍ତ୍ତା, ସତ୍ୟାଗ୍ରହ ଓ ରଚନାତ୍ମକ କାର୍ଯ୍ୟ ତାଙ୍କ ହୃଦୟକୁ ଆନ୍ଦୋଳିତ କଲା ।

୧୯୪୦ ମସିହାରେ ରମା ଦେବୀ ଓ ପ୍ରଭାବତୀ ଦେବୀଙ୍କର ପ୍ରତ୍ୟକ୍ଷ ସଂପର୍କରେ ଆସିବା ଦ୍ଵାରା ସେ ଜାତୀୟ କାର୍ଯ୍ୟ କରିବା ପାଇଁ ଅଧ୍ଵକ ଉତ୍ସାହିତ ହୋଇପଡ଼ିଥିଲେ । ❝ ୧୭ ବର୍ଷ ବୟସରେ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ପାର୍ବତୀ ଗିରି ବରଗଡ଼ ଏସ୍.ଡି.ଓ.ଙ୍କ କୋର୍ଟ ଦଖଲ କରି କୋର୍ଟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।❞

ସ୍ଵାଧୀନତା ସଂଗ୍ରାମ ଇତିହାସରେ ତାଙ୍କ ଏ କାର୍ଯ୍ୟରେ ସତୀର୍ଥ ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ଗିରି ଓ ବିରଞ୍ଚି ପ୍ରଧାନଙ୍କ ସହ ଯୋଗ କଲେ । ଆଇନଜୀବିମାନେ ଇଂରେଜମାନଙ୍କୁ ପରୋକ୍ଷ ସମର୍ଥନ କରୁଥିବାରୁ ବରଗଡ଼ର ଓକିଲ ବ୍ରଜମୋହନ ପ୍ରଧାନ ଓ ଅନ୍ୟ କେତେଜଣଙ୍କୁ ସେ ଚୁଡ଼ି ପିନ୍ଧାଇ ଦେଇଥିଲେ ।

ପାର୍ବତୀ ଗିରିଙ୍କର ଏଭଳି ଦୁଃସାହସିକ କାର୍ଯ୍ୟ ଓଡ଼ିଶା ତଥା ଭାରତବର୍ଷର ସ୍ଵାଧୀନତା ସଂଗ୍ରାମ ଇତିହାସର ଇତିକଥାରେ ଏକ ସ୍ପର୍ଷିତ ସ୍ୱାଭିମାନ ତଥା ପ୍ରଚଣ୍ଡ ଦେଶ ପ୍ରେମର ପରିଚୟ । ୧୮ ବର୍ଷ ବୟସରୁ କମ୍ ଥିବାରୁ ଇଂରେଜ ସରକାର ତାଙ୍କୁ ଏହି କାର୍ଯ୍ୟ ପାଇଁ ଅଧିକ ଦିନ ଦଣ୍ଡିତ ନକରି ଦୁଇବର୍ଷ ଜେଲଦଣ୍ଡ ଦେଇଥିଲେ । ୧୯୪୪ ମସିହାରେ ଜେଲରୁ ମୁକ୍ତି ପାଇବା ପରେ ବରି ଆଶ୍ରମ ଓ ୱାର୍ଦ୍ଧା ଆଶ୍ରମରେ ସମାଜସେବା ବିଷୟରେ ଶିକ୍ଷାଲାଭ କଲେ । ସ୍ଵାଧୀନତା ପରବର୍ତ୍ତୀ ସମୟରେ ପାର୍ବତୀ ଗିରି ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳର ଅନାଥ ଶିଶୁମାନଙ୍କୁ ନେଇ ମାତୃନିକେତନ ଗଠନ କରିଥିଲେ ।

❝ସମ୍ବଲପୁରର ଫୁଲଝରନଠାରେ ଜରାନିବାସ, ହାତିବାଡ଼ିଠାରେ ଡାକ୍ତର ଆଇଜାକ ସାନ୍ତା ବାଳାଶ୍ରମ ଓ ବଲାଙ୍ଗୀର ପଥର ଚେପା ଠାରେ ବାଳାଶ୍ରମ ତାଙ୍କ ହାତଗଢ଼ା ଅନୁଷ୍ଠାନ।❞ ମମତାମୟୀ, ସ୍ନେହଶୀଳା ଦରଦି ହୃଦୟର ଅଧିକାରିଣୀ ପାର୍ବତୀ ଗିରି ନାରୀ ଜାତିର ଚିର ନମସ୍ୟ ।

❝ ତାଙ୍କ ନିଃସ୍ୱାର୍ଥପର ସେବା ଓ ତ୍ୟାଗ ପାଇଁ ୧୯୭୫ ମସିହାରେ ହରେକୃଷ୍ଣ ମହତାବ ତାଙ୍କୁ ବିଧାନସଭାର ସଭ୍ୟପଦ ଓ ପରେ ବିଜୁ ପଟ୍ଟନାୟକ ରାଜ୍ୟସଭାର ସଦସ୍ୟ ହେବାପାଇଁ କରିଥିବା ଅନୁରୋଧକୁ ସେ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିଲେ ।❞  ସେବା ଓ ତ୍ୟାଗର ସେ ଥିଲେ ମୂର୍ତ୍ତିମନ୍ତ ଅବତାର । ସେବା ଥିଲା ତାଙ୍କ ଜୀବନର ସର୍ବସ୍ବ । ଦୁଃସ୍ଥ ଜନତାର ସେବା ପାଇଁ ସେ ବଞ୍ଚି ରହିଥିଲେ ।

ବରଗଡ଼ ଜିଲ୍ଲାର ଅନ୍ୟ କେତେଜଣ ମାନନୀୟା ସମଦର୍ଶୀ ମହିଳାମାନେ ପରୋକ୍ଷ ଭାବରେ ମୁକ୍ତି ସଂଗ୍ରାମକୁ ସମର୍ଥନ ଜ୍ଞାପନ କରି ଆସୁଥିଲେ । ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କର ଧର୍ମପତ୍ନୀ ଚଞ୍ଚଳା ଆଚାର୍ଯ୍ୟଙ୍କର ମୁକ୍ତି ସଂଗ୍ରାମକୁ ଅବଦାନ କେବେ ଭୁଲିବାର ନୁହେଁ । ଫକୀର ବେହେରାଙ୍କ ପୁତ୍ରବଧୁ ଗାନ୍ଧର୍ବୀ ଦେବୀ ଓ ଇଲା ମେହେରଙ୍କର ସ୍ଵାଧୀନତା ସଂଗ୍ରାମ ପ୍ରତି କର୍ତ୍ତବ୍ୟ, ନିଷ୍ଠା ଓ ଦାୟିତ୍ବବୋଧତା ଉତ୍ସାହପ୍ରଦଓ ପ୍ରଶଂସନୀୟ ଥିଲା ।

❝ ବରଗଡ଼ ଜିଲ୍ଲାର ଦୁଇଜଣ ମହିଳା ଚିତ୍ରା ଓ ଉତ୍ତରା ମୁଣ୍ଡରେ ପସରାଧରି ଗାଁ ଗାଁ ବୁଲି ବିକ୍ରୟ କରୁଥିଲେ । ପସରା ମଧ୍ୟରେ ବମ୍ବେ ପ୍ରସ୍ତାବ, ଗାନ୍ଧୀ ବାର୍ତ୍ତା, ସ୍ୱରାଜ୍ୟ ବାର୍ତ୍ତା ଇତ୍ୟାଦି ପତ୍ରିକା ଜନସାଧାରଣଙ୍କ ନିକଟରେ ଗୁପ୍ତରେ ପହଞ୍ଚାଉଥିଲେ ।❞ ଏହି ଦୁଇ ଜଣ ସ୍ବଦେଶ ପ୍ରେମୀ ମହିଳା ନିଜ ଜୀବନକୁ ବିପନ୍ନ କରି ଗୁପ୍ତରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଗୋପନୀୟ ତଥ୍ୟ ଓ ସମ୍ବାଦ ପ୍ରଦାନ କରୁଥିଲେ ।

❝ବରଗଡ଼ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମର ସମୁଜ୍ଜ୍ବଳ ସ୍ବାକ୍ଷର ନିଜ ଦେହରେ ବହନ କରିଥିବା ପୁଣ୍ୟ ମାଟି ପାଣିମୋରା ଗ୍ରାମ ଆଜି ମଧ୍ୟ ଶିହରଣ ସୃଷ୍ଟି କରେ । ୧୯୪୨ ମସିହାର ଭାରତଛାଡ଼ ଆନ୍ଦୋଳନ ସମୟରେ ଏହି ଗ୍ରାମରୁ ୩୨ ଜଣ ସଂଗ୍ରାମୀକୁ ଗିରଫ କରାଯାଇଥିଲା । ଗ୍ରାମର ମା’ ଓ ବୋହୂମାନେ ନିଜ ଘର ସମ୍ମୁଖରେ ପୂର୍ଣ୍ଣ କୁମ୍ଭ ଏବଂ ଦୀପ ଜାଳି ସଂଗ୍ରାମୀମାନଙ୍କୁ ବିଦାୟ ଦେବା ସହିତ ମୁକ୍ତି ପ୍ରେମୀମାନଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ । ଆଜି ପର୍ଯ୍ୟନ୍ତ ଏହି ପାଣିମୋରା ଗ୍ରାମରେ ପ୍ରତ୍ୟେକ ଶୁକ୍ରବାର ଦିନ ଗାନ୍ଧୀ ଭଜନ ଗାନ କରାଯାଏ । ଗାନ୍ଧିଜୀଙ୍କ ଜୟନ୍ତୀ, ଶ୍ରାଦ୍ଧ ଓ ଶୁକ୍ରବାର ଦିନ ଗ୍ରାମରେ ଆମିଷ ଭକ୍ଷଣ କରାଯାଏ ନାହିଁ । ପ୍ରତିଦିନ ଗ୍ରାମର ରମଣୀମାନେ ପୁଷ୍କରିଣୀରେ ସ୍ନାନ ସାରି ଫେରିବା ବେଳେ ଗାନ୍ଧୀ ସ୍ମୃତି ସ୍ତମ୍ଭରେ ଜଳ ଅର୍ପଣ କରନ୍ତି ।❞

ବରଗଡ଼ ଜିଲ୍ଲାର ମହିୟସୀ, ସତ ସାହସୀ, ନିଭୀକ ବୀରାଙ୍ଗନା ଯେପରି ମୁକ୍ତିଯୁଦ୍ଧରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୋଗଦାନ କଲେ, ଇତିହାସରେ ଏହାର ପଟ୍ଟାନ୍ତର ନାହିଁ । ବରଗଡ଼ ଜିଲ୍ଲାର ଏହି ଯୋଗଜନ୍ମା ରମଣୀମାନଙ୍କର ସ୍ଵାଧୀନତା ସଂଗ୍ରାମକୁ ଅତୁଳନୀୟ ଅବଦାନ ପାଇଁ ଓଡ଼ିଆ ଜାତିର ସେମାନଙ୍କ ପ୍ରତି ସଭକ୍ତି ଶ୍ରଦ୍ଧାଞ୍ଜଳି ଓ ବିନମ୍ର ପ୍ରଣିପାତ ।

🔵🔵🔵🔵🔵🔵🔵🔵🔵🔵🔵🔵
🔴ଲେଖକ ©ଅଧ୍ୟାପକ ପବିତ୍ର ମୋହନ ବାରିକ
🔵🔵🔵🔵🔵🔵🔵🔵🔵🔵🔵🔵

Comments

Popular posts from this blog

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥାଏ ନିତି ଉପଦେଶ । ଯାହା ଦେଖ ଅଛି ତହିଁ ଶିଖିଵାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା । ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ । ଯାଵତ ନ ହେଵ ନର ଅଵନୀରେ ଲୀନ, ଶିଖିଵା ଵିଷୟ ତାର ଅଛି ତେତେ ଦିନ । ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ, ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ । ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ । @ସ୍ଵଭାଵକଵି ଗଙ୍ଗାଧର ମେହେର

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି । ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ