Skip to main content

ଓଡ଼ିଆ ସାହିତ୍ୟରେ ପାଠକ ସମସ୍ୟା

ସଶ୍ରଦ୍ଧ ପାଠକ ହିଁ ସାହିତ୍ୟ ସମୃଦ୍ଧିର ଉତ୍ତମ ସହାୟକ। ପାଠକୀୟ ଶ୍ରଦ୍ଧା ସାହିତ୍ୟକୁ ଲୋକପ୍ରିୟ କରିଥାଏ। ଯେଉଁ ସାହିତ୍ୟର ପାଠକ ସଂଖ୍ୟା ଯେତେ ଅଧିକ ସେହି ସାହିତ୍ୟ ସେତିକି ଉନ୍ନତ। ଦୁଃଖର ବିଷୟ ସମ୍ପ୍ରତି ସାହିତ୍ୟ ଆଉ ପାଠକର ଆଦରର ବସ୍ତୁ ହୋଇନାହିଁ। କ୍ରମେ ସ୍ରଷ୍ଟା ଓ ପାଠକଙ୍କ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବାକୁ ଲାଗୁଛି। ଏହି ଗୁରୁତର ସମସ୍ୟା ପ୍ରତି କାହାର ନିଘା ନାହିଁ। ଆମେ ସାହିତ୍ୟ ସୃଷ୍ଟି କରିବା ନିମିତ୍ତ ଯେତିକି ବ୍ୟଗ୍ର ପାଠକ ସଚେତନତା ସୃଷ୍ଟି ନିମିତ୍ତ ସେତିକି ତତ୍ପର ନୋହୁ।
ପାଠକ ହିଁ ସାହିତ୍ୟର ମୁଖ୍ୟ ପୃଷ୍ଠପୋଷକ। ସାହିତ୍ୟ ସର୍ବଦା ପାଠକଙ୍କ ନିକଟରେ ନିତ୍ୟନୂତନ। ସାହିତ୍ୟ ପାଠକଙ୍କୁ ଜ୍ଞାନ ଓ ଆନନ୍ଦ ପ୍ରଦାନ କରିଥାଏ। ସାହିତ୍ୟର ଭାଷା, ଭାବ, ସତେଜ ଅନୁଭୂତି, ବ୍ୟଞ୍ଜନା ଓ ରସ ପାଠକର ବୌଦ୍ଧିକ ବିକାଶ ଘଟାଇଥାଏ। ବର୍ଣ୍ଣାଡ’ଶଙ୍କ ଭାଷାରେ, ”books are in fact cheapest of all the pleasures.“ ଅର୍ଥାତ୍‌ ପୁସ୍ତକ ପ୍ରକୃତରେ ସହଜଲଭ୍ୟ ଆନନ୍ଦର ଉତ୍ସ। ପୁସ୍ତକରୁ କେବଳ ଆନନ୍ଦ ମିଳେନାହିଁ, ଜୀବନମୁକ୍ତିର ପଥ ମଧ୍ୟ ଉପଲବ୍ଧ ହୋଇଥାଏ। ପୁସ୍ତକଟି ସଦ୍ୟ ପ୍ରକାଶିତ ହେଉ ବା ଦୁଇଶହ ବର୍ଷ ତଳର ପୁସ୍ତକ ହେଉ, ତାହା ସବୁ ଯୁଗର ପାଠକଙ୍କ ନିମିତ୍ତ ନିତ୍ୟନୂତନ। ଅମୃତତ୍ୱ ହେଉଛି ପୁସ୍ତକର ସହଜାତ ଧର୍ମ, ଯାହା ମନୁଷ୍ୟକୁ ଚିରକାଳ ଶାଶ୍ୱତ ଆନନ୍ଦ ଓ ବିମଳ ଜ୍ଞାନ ପ୍ରଦାନ କରିଥାଏ। ଏହି ଦୃଷ୍ଟିରୁ ଆମର ଅନ୍ୟାନ୍ୟ ଆବଶ୍ୟକତା ସହିତ ପୁସ୍ତକ ପଠନର ଏକାନ୍ତ ଆବଶ୍ୟକତା ରହିଛି। ଅଥଚ ଆମେ ଅନ୍ନ, ବସ୍ତ୍ର, ବାସଗୃହ ପ୍ରଭୃତି ମୌଳିକ ଆବଶ୍ୟକତା ସହିତ ପୁସ୍ତକ ପଠନକୁ ବିଚାରକୁ ନେଇନାହେଁ।
ପୁସ୍ତକ ପଠନ ନିମିତ୍ତ ସମୟ ଏକ ଗୁରୁତର ସମସ୍ୟା। ପ୍ରତ୍ୟହ କିଛି ସମୟ ପୁସ୍ତକ ପଠନରେ ବିନିଯୋଗ କରିବା ନିମିତ୍ତ ଅନେକେ ପ୍ରସ୍ତୁତ ନୁହନ୍ତି। ଆମ ଦୈନନ୍ଦିନ ଜୀବନଚର୍ଯ୍ୟାରେ ପୁସ୍ତକ ପଠନ କୌଣସି ସ୍ଥାନ ଅଧିକାର କରିପାରି ନାହିଁ। ଅନ୍ୟ ଭାଷାରେ କହିଲେ, ଜୀବନ ଗଠନରେ ସାହିତ୍ୟର ଭୂମିକାଟି ଆମର ବିସ୍ମୃତ ହୋଇଯାଇଛି। ନିରିଖେଇ ଅନୁଧ୍ୟାନ କଲେ ଜଣାଯାଏ, ଆମେ ବାଜେ ଗପ ଓ ଆମୋଦପ୍ରମୋଦରେ ଯେତିକି ସମୟ ବିତାଉଛେ, ସେହି ସମୟରେ ଅନ୍ତତଃ ଖଣ୍ଡିଏ ଭଲ ବହି ପଢିପାରନ୍ତେ। ଏହା ସତ୍ୟ ଯେ, ସାମାଜିକ ଚେତନା ସୃଷ୍ଟି ନିମିତ୍ତ ସାହିତ୍ୟର ଆଭିମୁଖ୍ୟକୁ ଆମେ ଭୁଲିଯାଉଛେ। ସମ୍ପ୍ରତି ଆମ ଭିତରୁ ଅନେକେ ସାହିତ୍ୟ ସାଧନା, ସାହିତ୍ୟାନୁରାଗ ଓ ସାହିତ୍ୟ ପଠନକୁ ଅଳସୁଆଙ୍କ କାର୍ଯ୍ୟ ଭାବେ ବିବେଚନା କଲେଣି। କିନ୍ତୁ ଏହା ସୁସ୍ଥ ମତ ନୁହେଁ। ସେମାନେ ଜୀବନର ପ୍ରତି ମୁହୂର୍ତ୍ତକୁ ଚତୁର ବେପାରୀ ସଦୃଶ ବିନିଯୋଗ କରିବାକୁ ଶ୍ରେୟସ୍କର ମଣନ୍ତି, ଜ୍ଞାନାର୍ଜନକୁ ହେୟ ମଣନ୍ତି।
ଓଡ଼ିଆ ଭାଷାରେ ଅସଂଖ୍ୟ ଗୁଣାତ୍ମକ ମାନସମ୍ବଳିତ ପୁସ୍ତକ ପ୍ରକାଶିତ ହେଉଥିଲେ ହେଁ ଖୁବ୍‌ ସ୍ବଳ୍ପ ସଂଖ୍ୟକ ପୁସ୍ତକ ବିକ୍ରି ହୋଇଥାଏ। ପୁସ୍ତକର ମୂଲ୍ୟବୃଦ୍ଧି ଏହାର କାରଣ ନୁହେଁ। ସାମ୍ପ୍ରତିକ ସ୍ଥିତିରେ ପ୍ରତ୍ୟେକ ପଦାର୍ଥର ମୂଲ୍ୟବୃଦ୍ଧି ଘଟିଛି। ଅଥଚ ବଜାରରେ ପଦାର୍ଥର ଅଭାବ। ଅସଲ କଥାଟି ହେଉଛି ଆମେ ଅନ୍ୟାନ୍ୟ ପଦାର୍ଥକୁ ଯେତିକି ଦରକାରୀ ବିବେଚନା କରୁଛେ, ପୁସ୍ତକକୁ ସେତିକି ଚିନ୍ତା କରୁନାହେଁ। ଅବଶ୍ୟ ମୁଦ୍ରଣ ପରିପାଟୀ ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ପୁସ୍ତକର ମୂଲ୍ୟ ପୂର୍ବାପେକ୍ଷା ବୃଦ୍ଧିପାଇଛି, କିନ୍ତୁ ଅନ୍ୟାନ୍ୟ ପଦାର୍ଥର ମୂଲ୍ୟବୃଦ୍ଧି ତୁଳନାରେ ତାହା କମ୍‌। ଆମେ ବିଳାସବ୍ୟସନରେ ଯେତିକି ଅର୍ଥ ବିନିଯୋଗ କରୁ, ପୁସ୍ତକ କ୍ରୟରେ ତା’ଠାରୁ କମ୍‌ ମଧ୍ୟ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନୋହୁ। ସାଧାରଣ ପାଠକଙ୍କ କଥା ଛାଡନ୍ତୁ। ବିଜ୍ଞ ତଥା ବୁଦ୍ଧିଜୀବୀମାନେ ବହି କିଣି ପଢିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଅନେକେ ଓଡ଼ିଆ ବହି ଅପେକ୍ଷା ଇଂଲିଶ ଓ ହିନ୍ଦୀ ବହି କିଣିବାକୁ ପସନ୍ଦ କରିଥାନ୍ତି। ଅନେକ ପାଠକ କେବଳ ପୁରସ୍କାରପ୍ରାପ୍ତ ଲେଖକଙ୍କ ବହି ପଢିବାକୁ ଭଲ ପାଆନ୍ତି। ପରିତାପର ବିଷୟ, ବହୁ ପୁରସ୍କାର ଲେଖକଙ୍କୁ ଦିଆଯାଏ, ଲେଖାକୁ ନୁହେଁ। ଏହି କାରଣରୁ ଅନେକ ପୁରସ୍କୃତ ପୁସ୍ତକ ନିମ୍ନମାନର। ପୁରସ୍କୃତ ଲେଖକଙ୍କ ଅପେକ୍ଷା ଅନ୍ୟ ଲେଖକଙ୍କର ଚେତନଶୀଳ ପୁସ୍ତକ ପାଠକୀୟ ଶ୍ରଦ୍ଧାରୁ ବଞ୍ଚିତ ହୋଇଥାଏ। ସାମ୍ପ୍ରତିକ ପୁରସ୍କାର ଚୟନ ପଦ୍ଧତିରେ ଅନେକ ଉଚ୍ଚକୋଟୀର ପୁସ୍ତକ ପୁରସ୍କାର ପାଏ ନାହିଁ। ଏହି ଦୃଷ୍ଟିକୋଣରୁ କେବଳ ପୁରସ୍କାରପ୍ରାପ୍ତ ପୁସ୍ତକ ନ ପଢି ଅନ୍ୟାନ୍ୟ ଉନ୍ନତମାନର ପୁସ୍ତକ ପଢିଲେ ପାଠକ ସ୍ରଷ୍ଟାଙ୍କର ଭାଷା, ଭାବ, ଲୁକ୍କାୟିତ ବର୍ଣ୍ଣବୈଭବ, ଅନ୍ତର୍ନିହିତ ସତ୍ୟ ଓ ବୌଦ୍ଧିକ କଳାକୌଶଳ ପ୍ରଭୃତି ଆହରଣ କରିପାରିବ। ଅନେକେ ଖ୍ୟାତନାମା ଲେଖକଙ୍କ ମୂଲ୍ୟବାନ ପୁସ୍ତକ ଆଲମାରୀରେ ସଜାଇ ରଖନ୍ତି, ଅଥଚ ପଢନ୍ତି ନାହିଁ ବା ସେମାନଙ୍କର ପଠନାଭ୍ୟାସ ନ ଥାଏ। ପୁସ୍ତକସ୍ଥିତ ଜ୍ଞାନକୁ ନିଜର କରିବାକୁ ସେମାନେ ସେହିସବୁ ପୁସ୍ତକ ସହିତ ଏକାତ୍ମତା ସ୍ଥାପନ କରିପାରନ୍ତି ନାହିଁ। କେବଳ ପୁସ୍ତକ ସଜାଇ ରଖିବାକୁ ସେମାନେ ଆଭିଜାତ୍ୟ ମନେକରନ୍ତି। ପଠନାଭ୍ୟାସ ଅବସରକାଳୀନ ଜୀବନରେ ଏକାନ୍ତ ଲୋଡା। ବୃଦ୍ଧ ଓ ନିଃସଙ୍ଗ ଅବସ୍ଥାରେ ଜଣେ ବ୍ୟକ୍ତି ଯେତେବେଳେ ପରିବାର ଓ ସ୍ବଜନଙ୍କ ଦ୍ୱାରା ଅଲୋଡା ହୋଇଯିବ ପୁସ୍ତକ ହିଁ ତାକୁ ନିଃସଙ୍ଗତାରୁ ମୁକ୍ତି ଦେଇପାରିବ। ଏହି ଦୃଷ୍ଟିକୋଣରୁ ପୁସ୍ତକ ହେଉଛି ମନୁଷ୍ୟର ପରମ ବନ୍ଧୁ।
ଆମର ଅଶୀ ଶତାଂଶ ବ୍ୟକ୍ତି ଗ୍ରାମାଞ୍ଚଳରେ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ପୁସ୍ତକ ପଠନରେ ଆଗ୍ରହୀ। ପୁସ୍ତକ ପାଠ କରିବା ନିମିତ୍ତ ସେମାନଙ୍କ ନିକଟରେ ସମୟ ଥାଏ ଓ ଇଚ୍ଛା ଥାଏ। ଅଥଚ ଅର୍ଥାଭାବରୁ ସେମାନେ ପୁସ୍ତକ କ୍ରୟ କରିପାରନ୍ତି ନାହିଁ। ଗ୍ରାମାଞ୍ଚଳରେ ମଧ୍ୟ ପାଠାଗାରର ସେପରି ସୁବିଧା ନାହିଁ। ପାଠକୀୟ ସଚେତନତା ସୃଷ୍ଟି ନିମିତ୍ତ ପୁସ୍ତକମେଳା ଏକ ଅଭିନନ୍ଦନୀୟ ପଦକ୍ଷେପ ହେଲେ ହେଁ ଗ୍ରାମାଞ୍ଚଳକୁ ଏହା ଆଶାନୁରୂପ ଭାବେ ବ୍ୟାପ୍ତ ହୋଇନାହିଁ। ବ୍ୟାପକ ସଂଖ୍ୟାରେ ପତ୍ରପତ୍ରିକା ମଧ୍ୟ ଗ୍ରାମାଞ୍ଚଳରେ ଉପଲବ୍ଧ ନୁହେଁ। ଫଳରେ ଏକ ବୃହତ୍‌ ପାଠକଗୋଷ୍ଠୀ ପାଠକୀୟ ଶ୍ରଦ୍ଧାରୁ ବଞ୍ଚିତ ହୋଇଥାନ୍ତି।
ସମ୍ପ୍ରତି ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ପାଠକୀୟ ରୁଚିକୁ ବ୍ୟାହତ କରୁଛି। ଆଜିର ଜଞ୍ଜାଳଗ୍ରସ୍ତ ମନୁଷ୍ୟ ଟିକିଏ ଅବସର ପାଇଲେ ବୈଦ୍ୟୁତିକ ଗଣମାଧ୍ୟମରୁ କ୍ଷଣିକ ସୁଖଲାଭ କରିବାକୁ ଲାଳାୟିତ। ଫଳରେ ପୁସ୍ତକ ଓ ପାଠକ ମଧ୍ୟରେ ଦୂରତ୍ୱ ବୃଦ୍ଧିପାଉଛି। ସାଧାରଣତଃ ଶିଶୁ, କିଶୋର ଓ ଛାତ୍ରୀଛାତ୍ର ବୈଦ୍ୟୁତିକ ଗଣମାଧ୍ୟମ ଯୋଗୁ ପୁସ୍ତକଠାରୁ ଦୂରେଇ ଯାଉଛନ୍ତି। ଆମ ଦେଶ ଅପେକ୍ଷା ବାହାର ଦେଶଗୁଡ଼ିକରେ ବୈଦ୍ୟୁତିକ ଗଣମାଧ୍ୟମର ବହୁଳ ବ୍ୟବହାର ସତ୍ତ୍ୱେ ସେହିସବୁ ଦେଶରେ ଛାତ୍ରୀଛାତ୍ରଙ୍କର ପଠନାଭ୍ୟାସ ଦେଖିଲେ ଆମକୁ ବିସ୍ମିତ ହେବାକୁ ପଡ଼େ। ଆମ ପିଲାମାନେ ଅନ୍ୟ ବହି କଥା ଛାଡନ୍ତୁ, ପାଠ୍ୟପୁସ୍ତକ ମଧ୍ୟ ପଢନ୍ତି ନାହିଁ। ଏପରି କି ଆମର ଅଗଣିତ ଛାତ୍ରୀଛାତ୍ର ମୂଳ ପାଠ୍ୟପୁସ୍ତକ ନ ପଢି କେବଳ ଅଭିଜ୍ଞଙ୍କ ଦ୍ୱାରା ପ୍ରଣୀତ ସାରାଂଶ ପୁସ୍ତିକା ପାଠକରି ପରୀକ୍ଷା ଦେଇଥାନ୍ତି। ଏତାଦୃଶ ଭାବରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କର ବୌଦ୍ଧିକ ବିକାଶ ଘଟିପାରେ ନାହିଁ, କେବଳ ପରୀକ୍ଷାରେ ପାସ କରିବା ହିଁ ସାର ହୁଏ। ଏହି ଶତାବ୍ଦୀରେ ଲିଖିତ ସାହିତ୍ୟ ଲୋପ ପାଇବାର ଆଶଙ୍କା ଅଧିକ। ତେଣୁ ବେଳହୁଁ ସାବଧାନ ହେବାକୁ ପଡିବ। ଆଜିର ବିଷୟାସକ୍ତ ସମାଜ ନିମିତ୍ତ ପୁସ୍ତକପ୍ରେମର ଏକାନ୍ତ ଉପାଦେୟତା ରହିଛି। ଶିଶୁଠାରୁ ବୃଦ୍ଧ ସକଳ ଅନ୍ତରରେ ପୁସ୍ତକପ୍ରେମ, ପୁସ୍ତକାନୁରାଗ, ପଠନ ରୁଚି ସୃଷ୍ଟି ନିମିତ୍ତ ସୁଚିନ୍ତିତ ଯୋଜନାବଦ୍ଧ ପ୍ରୟାସ ଏକାନ୍ତ ଆବଶ୍ୟକ।

ଲେଖକ ©ଡ. ଅନ୍ତର୍ଯ୍ୟାମୀ ମିଶ୍ର
(ଆନନ୍ଦ ନଗର, କାଠଗଡା, ଢେଙ୍କାନାଳ)

Comments

Popular posts from this blog

ନିର୍ଲଜର ଓଡ଼ିଆ ପ୍ରତିଶବ୍ଦ

ନିର୍ଲଜର ଆମ ଭାଷାରେ ଅନେକ ପ୍ରତିଶବ୍ଦ ରହିଛି । ବାଲେଶ୍ଵରଵାସୀ "ଅଲଜ୍ୟା କୁହନ୍ତି ତ କଟକାଞ୍ଚଳରେ #ବେଲଜ୍ଯା ଶୁଣାଯାଏ । କେଉଁଠି ଅଲାଜୁକ କୁହନ୍ତି ତ କେଉଁଠି କେଉଁଠି #ବେହିଆ ମଧ୍ୟ କୁହାଯାଏ । ସାହିତ୍ୟିକ ଶ୍ରୀମାନ୍ ପ୍ରଶାନ୍ତ ଭୂୟାଁ (ପ୍ରଭୂ) ମହାଶୟ ନିର୍ଲଜର ସେଇଭଳି କିଛି ଓଡ଼ିଆ ପ୍ରତିଶବ୍ଦକୁ ପଦ୍ଯାକାରରେ ପ୍ରକାଶ କରିଛନ୍ତି । ନିମ୍ନରେ ପଦ୍ଯଟି ପ୍ରଦାନ କରାଗଲା ।     ✓✓✓✓ସମାର୍ଥବୋଧକ✓✓✓✓ ଲଜ୍ଜା ବିହୁନେ ଲଜ୍ଜାହୀନ ନିର୍ଲଜ୍ଜ ସହ ସେ ସମାନ କେବେ ସେ ହୁଅ ଅଲଜ୍ଜ ସମାର୍ଥ ଶବ୍ଦ ଦେଖ ସଜ କେବେ କେ କହେ ତ୍ୟକ୍ତଲଜ୍ଜ ଥୁବୁଡ଼ା ଯେମନ୍ତେ ନୁର୍ଲ୍ଲଜ ଦଧୃକ କେବେ କେବେ ଧିକ ନେଭଡ଼ା ଆଉ କେବେ ଧୃଷ୍ଟ ନିକଟା ନିକଟି ନିକିଟା ନିକିଟି ନିଠୁଆ ନିକୁଟା ନିର୍ଘୃଣ ନିର୍ଦ୍ଦର ନିର୍ବର ନିଲଠା ନିଲାଜ ବହଳ ବିଶର୍ମା ବିଲଜ୍ଜ ବେଜଡ଼ା ବେଲଜ୍ୟା ବେହିଆ ଅବ୍ରୀଡ଼ା ଭାଣ୍ଡ ଭାରଦା ମୁହଁଚୋରା ଭେଶିଆ ଭେଶଡ଼ା ଭେଶେରା ଭେରେଷା ମୋଟାଚମ ମ୍ଲାନ ଲେବଡ଼ା ସେଁର୍ରା ଲଜ୍ଜାଶୂନ୍ୟ ସ୍ଥଗ ଓ ଧୂର୍ତ୍ତ ଠଗ ପରା ହେର୍ଷାମୀ ପାଇଁ ହ୍ୱନ୍ତି ଧରା ହେରେସା ଅବା ହେଠମୁହାଁ ଏ ସବୁ ଶବ୍ଦର କିମିଆଁ ଭାଷାକୋଷରୁ ପଢ଼ିଗଲି ସୁଧୀଙ୍କ ପାଇଁ ପରଶିଲି ........... .... .. . ଏହି ପଦ୍ଯରେ ନିର୍ଲଜର ଯେଉଁ ପ୍ରତିଶବ୍ଦ ସବୁ ଯୋଡା଼ଯାଇଛି ସେଗୁଡ଼ିକର ସୂଚୀ ନିମ୍ନରେ ପ୍ରଦାନ କରିଗଲା... ●ଲଜ୍ଯାହୀନ ●ନିର୍ଲଜ ●ଅଲଜ୍

ଗୁରୁ ଶିଷ୍ୟ

ଯାଠାରୁ ଯେ ବେଶି ଜାଣେ ଗୁରୁ ସେ ତାହାର, ଯୋଗ୍ଯ ସେହି ପାଇଵାକୁ ଗୁରୁ ଵ୍ଯଵହାର । ତହୁଁ ବଡ଼ ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ । ଅନନ୍ତ ଜଗତ ଯେଣୁ ଧରି ଗୁରୁବେଶ, ମାନଵକୁ ଦେଇଥାଏ ନିତି ଉପଦେଶ । ଯାହା ଦେଖ ଅଛି ତହିଁ ଶିଖିଵାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ କରି ନତ ମଥା । ଯେ ଦିନୁ ମାନଵଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅଵିରତେ । ଯାଵତ ନ ହେଵ ନର ଅଵନୀରେ ଲୀନ, ଶିଖିଵା ଵିଷୟ ତାର ଅଛି ତେତେ ଦିନ । ଯେ ଲୋକ ମନରେ ପୋଷେ ଗୁରୁ ଗଉରଵ, ସେ ଗରଵେ ଜ୍ଞାନ ତାର ହୁଅଇ ଖରଵ । ନିଜକୁ ଯେ ନିରନ୍ତର ଶିଷ୍ଯ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ଯତମ ଗୁରୁ ମଧ୍ଯେ ଜଣେ । @ସ୍ଵଭାଵକଵି ଗଙ୍ଗାଧର ମେହେର

ଟୁସୁ ପର୍ଵ ଓ ତହିଁ ସମ୍ଵନ୍ଧୀୟ କିମ୍ବଦନ୍ତୀ

ଟୁସୁ ପର୍ବ କେବଳ କେନ୍ଦୁଝର,ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହି ପରନ୍ତୁ ପଡୋଶୀ ବିହାର,ପଶ୍ଚିମବଂଗରେ ମଧ୍ୟ ଏହାକୁ ପାଳନ କରାଯାଏ ।ଟୁସୁ ପର୍ବକୁ ନେଇଥିବା ଏକ ଲୋକକଥା ଉପସ୍ଥାପନ କରିବି । ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଂକ ରାଜୁତି ସମୟର କଥା ।ସିତାନାଥ ମହାନ୍ତ ନାମକ ,କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଂକ କରଦ ରାଜା ଥିଲେ ।ବାଦଶାହା ଓ ରାଜାଂକ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା ।ଏକଦା ବେଗମ୍ ସାହେବାଂକ ଦେହ ଅସୁସ୍ଥ ହେଲା।ବହୁ ବୈଦ୍ୟଂକ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢି ବଢି ଚାଲିଲା ।ବାଦଶାହା ଦୁଃଖରେ ମ୍ରୟମାଣ ହୋଇପଡିଲେ ।ବେଗମ୍ଂକ ଅସୁସ୍ଥତା ଖବର ସେ ତାଂକର ଘନିଷ୍ଟ  ବନ୍ଧୁ ତଥା କରଦ ରାଜା ସିତାନାଥଂକୁ ଜଣାଇଲେ ।ରାଜା ମଧ୍ୟ ଏ ଭଳି ଖବରପାଇଁ ଚିନ୍ତିତ ହୋଇପଡିଲେ ।ବାଦଶାହାଂକୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି ।ଦିନେ ରୀଜାଂକ ଏକମାତ୍ର କନ୍ୟା ଟୁସୁମନୀ ରାଜାଂକୁ କହିଲା ଯେ ସେ ବେଗମଂକୁ ଭଲ କରିଦେଇପାରିବ ବୋଲି ।ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାର୍ଯ୍ୟ ସହଯୋଗ କଲେ ।ରାଜାଂକ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା ।ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ